Unknown

 

 

 

 

 

 

 

 

 

 

 

 

ଖଦଡ଼ ମୁଣି ଓ ଅନ୍ୟାନ୍ୟ ଗଳ୍ପ

ଶ୍ରୀ ସୁନୀଳ ମୋହନ ମିଶ୍ର

 

ସୂଚୀପତ୍ର

 

୧.

ଗିଲାସେ ପାଣି

୨.

ଖୋଲା ଚିଠି

୩.

ବିବାହର ପୂର୍ବେ

୪.

ପଞ୍ଚାୟତ

୫.

ସାବିତ୍ରୀ ଅମାବାସ୍ୟା

୬.

ଖଦଡ଼ ମୁଣି

୭.

ଭାଗଚାଷ

୮.

ଡାକ୍ତର ଚମ୍ପତିରାୟ କବିରାଜ

୯.

ନେକ୍‍ଟାଇ

୧୦.

ଫ୍ଲୁ

୧୧.

ଚିଠି

୧୨.

ସାହିତ୍ୟରେ ବାଣିଜ୍ୟବାଦ ବା କମରସିଏଲ୍ ସାହିତ୍ୟ

୧୩.

ଇନ୍ଦ୍ରଦେବତାଙ୍କ ଦପ୍ତର

୧୪.

କମ୍ରେଡ଼

୧୫.

ପାଞ୍ଚଅଣା

୧୬.

ଖୋଦା ଯିସକୋ ଦେତା

୧୭.

ବିଜିନେସ୍

୧୮.

ଉଦବୋଧନ

୧୯.

ଅପେକ୍ଷା

୨୦.

କ’ଣ ବୋଲି ଡାକିବି

୨୧.

ଆଦର୍ଶ ଶିକ୍ଷକ

୨୨.

ମନ୍ତ୍ରୀତ୍ୱ ସଂକଟ

୨୩.

ମୁରାରିର ପ୍ରେମପତ୍ର

୨୪.

ସ୍ୱାଧୀନ ଭାରତ

୨୫.

ମୁଁ କାହିଁକି ଫେଲ୍ ହେଲି

୨୬.

ଟ୍ରୁ କପି ଲଭର

✾✾✾

 

ଗିଲାସେ ପାଣି

 

[ଯନ୍ତ୍ରଯୁଗର ଆଗମନବେଳେ ମାନବିକତାର ମନ୍ତ୍ର କିପରି ବେକାମି ହୋଇଯାଇଅଛି–ସେହି ନିର୍ମମ ନିଷ୍ଠୁର ଇତିହାସ ଏଡ଼େ ଗଭୀର ଚିନ୍ତାକ୍ଲିଷ୍ଟ ବିଷୟ ହେଲେହେଁ ଲେଖକ କିପରି ଅବଶ୍ୟମ୍ଭାବୀ ହସରେ ଉଡ଼ାଇ ଦେଇ ପାରିଛନ୍ତି–ତାହାହିଁ ଦ୍ରଷ୍ଟବ୍ୟ ।]

 

ନିପାଣିଆ ଖରାଦିନ–

 

ସରକାରଙ୍କ ଦୟାରୁ ପଡ଼ାରେ ପଡ଼ାରେ, ଗଳିରେ କନ୍ଦିରେ ଅନ୍ଦିରେ ସନ୍ଧିରେ ଆଜି ପାଣିକଳ । ସିମେଣ୍ଟ ଘସା ଚଉତରା । ଶେଷ ରାତିରେ ଯେତେବେଳେ ମହାନଦୀ ବୁକୁରୁ ଟାଣି ହୋଇ ଆସେ ଆଖି ବୁଜା ଅଥାନିଆ ଶୀତଳ ପବନ ସେତିକିବେଳେ ଉଠେ ଚେମାବୋଉ କାଖେ ଗାଗରୀ । କଳ ପାଖରୁ ଦିନସାରା ଖାଲି ପାଣି ବୋହିବାକୁ ପଡ଼ିବ । ଖରାଦିନ । କୂଅ ପୋଖରୀ ସବୁ ଦାରୁଭୂତୋ ମୁରାରୀ । ଖରାଦିନ ବୋଲି ବାବୁମାନଙ୍କର ଟିକିଏ ଦୟା ହୁଅନ୍ତା ହେଲେ । ସମସ୍ତେ ତ ନଦୀକୁ ଚାଲି ଯାଉଛନ୍ତି ସିଧା ସଳଖ, ମିଶ୍ରଘର ବୋହୂଟା କଣ କରିବ, ସେହି ଘରେ ଗାଧୋଇବ ତ ? ଛିଲୋ ଛୋପରୀ । ଏତେ କୂଳ ଭୁଆଷୁଣୀ କେବେ ହେଲୁ ମ ? ଗଦା ଗଦା ପୁଅ ଟୋକାଙ୍କ ସଙ୍ଗରେ ହସ ହସ ମୁହିଁ ଆଉ ଆଡ଼ ଚାହାଣୀରେ କଥା ହେଉ, ଗାଧୋଇ ଗଲାବେଳକୁ ବାସ୍ । ଏତେ ଲାଜ କେଉଁଠି ଥିଲା ମ ? ହେଲେ ଚେମାବୋଉ କହିବ ଏ କଥା ? ମାଲୋ ! ସବାଖାଇ ଝିଅଟା ଚାକିରୀରୁ ତଡ଼ି ଦେବନି ? ଘଇତାଟା ପରା ମାଇପି ଲୋ ।

 

ପାଣିକଳ ପାଖରେ ଜମିଗଲେଣି, ଅୟଧା, ଙ୍କସଲା, ପଦମତୁଲି ଗୌରୀମା, ଦ୍ରୁପଦୀ ଆଉ କେତେ ।

 

ଚେମିବୋଉ ଆଗକୁ ମାଡ଼ି ଚାଲିଥିଲା । କଳ୍ପନା ସୁଅରେ ଭାସି ଯାଉଁ ଯାଉଁ–

 

ଅୟଧା ପାଟିକଲା ‘‘ହେ ଚେମିବୋଉ’’ ଟିକିଏ ପଛକୁ ତୋ ଗରା ଦିଟା ରଖେ । ଆସିବୁ ସାତ ପଛରେ ଆଉ ଯିବୁ ଆଗ । କଂଗ୍ରେସ ଦାଦା କଣ କହୁଥିଲେ ସେଦିନ ଶୁଣିନୁ ? ‘କ୍ୟୁ ଅଡ଼ର, କ୍ୟୁ ଅଡ଼ର’ ଯିଏ ଆଗ ଆସିବ ସିଏ ଆଗ । ଯେ ପଛେ ସିଏ ପଛ ।

 

ଚେମିବୋଉ ନାକ ତମ ତମ କରି ଛିଡ଼ାହେଲା । ପଦେ କହିଥାନ୍ତା, କହିଲା ନାଇଁ ସେ ବୋଲି । ସେ ଯେତେ ଘରେ ପାଣି ଦିଏ, ସେତେ ଘରେ ଆଉ କିଏ ଦିଏ ନାହିଁ । ତେଣୁ ସମସ୍ତଙ୍କୁ ଟିକିଏ ମାନି ଚଳେ, ନ ହେଲେ ଅୟଧା ଟପି ଯାଆନ୍ତା ?

 

କଂସଲା ଆଇଛି । ମଥାରେ ତାର ଗୋଟିଏ ଗରା, ଆଉ ଦି’ ହାତରେ ଦିଟା । ପୁଅଟା କାନି ପଣତ ଭିଡ଼ି ପଛରେ ଯାଉଛି । କଳ ମୁହଁ ଯିମିତି ଟିକିଏ ଛାଡ଼ ପାଇଛି ଢୋ, ଢୋ ବହିଲା ପାଣି । ଅୟଧା ତ ଲାଲ–କହିଲା ‘‘ହଇଲୋ ପେଟଭାଙ୍ଗି । କୁ ସାହସରେ ପଣି ଯାଉଛୁ କିଲୋ ? କ୍ୟୁ ଅଡ଼ରରେ ରହ–’’

 

କଂସଲା କହିଲା ‘‘ଟିକିଏ ମୁହଁରେ ବାଡ଼ ବତା ଦେ । ଜାଣୁ ମୁଁ ପ୍ରଫେସରଙ୍କ ଚାକରାଣୀ-। ମାସକୁ ଯାହାର ଦରମା ତିନିଶହ ଟଙ୍କା । ଘର ମାଇକିନିଆଟା ବେ (ବି.ଏ) ପଢ଼ିଛି । ତୁମପରି ମୁଁ କିରାନୀ ଘର ଚାକରାଣୀ ହୋଇଛି ଯେ, ତୁମ ବୋଲି ମାନିବି ? ମୁଁ ଆଗ । ମୁଁ ପ୍ରଫେସର ଘରର ଚାକରାଣୀ ।’’

 

ସାଙ୍ଗେ ସାଙ୍ଗେ ଗୌରୀମା କହିଲା ‘‘ରଖ ତୋ ପ୍ରଫେସର ଗିରି । ମୁଁ ବି ଓକିଲର ଚାକରାଣୀ । ଟିକିଏ ଆବୋଡ଼ ତାବୋଡ଼ କଲୁ ତ ସିଧା ମାମୁଁ ଘର ।’’

 

କଂସଲା କହିଲା ‘‘ହଁ ଦେଖିଛି ଲୋ ତୋ ଓକିଲ ବାବୁଙ୍କୁ ଆମ ବାବୁଙ୍କଠୁଁ ଦଶ ଟଙ୍କା ଧାର ନେଇଛି ଯେ, ସୁଝଟ୍ କରିପାରିନି । ହୁଁ, ମାମୁଁ ଘର ଦେଖାଉଛି–ରାଣ୍ଡ ହେବୁ ଲୋ ରାଣ୍ଡ ।’’

 

ଗୌରୀ ମା’ର ଛାତିରେ କିଏ ନିଆଁ ହୁଳାଟାଏ ରଖିଦେଲା ସାଙ୍ଗେ ସାଙ୍ଗେ କହିଲା ‘‘ହଁ ତୋ ପ୍ରଫେସର ଗୁଣ ବି ଜାଣେ । ପରଝିଅ ସାଥିରେ ବୁଲି ବୁଲି ଦେହକ କଟିଗଲା । ଆଜି ବୋଲାଉଛି ପ୍ରଫେସର । ଖଡ଼ାଶାଗ ଆଉ ଡାଲି ଖାଇ ଖାଇ ଦିନ ଯାଉଛି । କି ଟଙ୍କା ଦେଖାଉଛୁ ଲୋ ରାଣ୍ଡ–’’

 

କଂସଲାର ପାଣିନିଆ ସରିଥାଏ–ସେ ଚାଲିଗଲା ତା ପରେ–

 

ଅୟଧା କହିଲା ‘‘ଶୁଣିଲୁ ବେଧେଇର ଗୁଣ ? କାଲି ତାକୁ ପଞ୍ଜାବୀ ମରଦ ତ ରଖିଥିଲା-। ଆଜି ଦିମାକ୍ କେତେ–’’

 

ଗୌରୀ ମା କହିଲା, ‘‘ତା ପୁଅଟାର ମୁହଁଟା ପ୍ରଫେସର ପରି ଦିଶୁଛି ଲୋ ।’’

 

ତରିଆ ମା କହିଲା ‘‘ମୁଁ ନଟାଏ ପାଣି ନେଇ ଯାଉଛି ଲୋ ତାଙ୍କର ଆଜି ଶିରାଧ ।’’

ଅଧୟା କହିଲା ‘‘ତୋ ଘରେ କଣ ସବୁ ଦିନେ ଶିରାଧ ଲାଗିଛି ? ତରିଆ ମା, ଲେଉଟିଆ ଶାଗ ପଟାଳିରେ ତୁ ପାଣି ଦେଉଛୁ । ମୁଁ କଣ ଜାଣେ ନାହିଁ ?’’

ତରିଆ ମା କହିଲା ‘‘ନାଇ ଲୋ ଲେଉଟିଆ ଶାଗ କରିବାକୁ ଆଉ ଗୋବେ ହେଲେ ଜିଆଗା କାହିଁ ? ସବୁତ ବିକି ଭାଞ୍ଜି ହୋଇଗଲା, ଆଉ ରହିଛି କଣ ?’’

ଅୟଧା କହିଲା ‘‘ନେ–ନେ ।’’

ବାଉରାଣୀ ଟୁଲ ପାଇଖାନା କାମସାରି ନଳକୂଳ ଆଡ଼କୁ ଚାଲି ଆସୁଥିଲା ।

ଅୟଧା କହିଲା ‘‘ଭଲ ଲୋକ ଅଛନ୍ତି ଦିଶୁନାହିଁ କିଲୋ ?’’

ଟୁଲ ବାଉରାଣୀ କହିଲା ‘‘ତୋ ଭଲ ଲୋକ ମୁହଁରେ ମୁଁ ହଗେଁ । ଭଲ ଲୋକ ? କିଏ ଲୋ ଭଲ ଲୋକ ? ତମର ପଡ଼ାରେ ଯେତେ ଚହଟ ଚିକ୍କଣ ବାବୁ ଅଛନ୍ତି ସମସ୍ତେ ରାତ୍ରବେଳେ ବାଉରାଣୀ ସାହିରେ ଯୋଟ । ଆମଘର ବୋହୂଝିଅଙ୍କୁ ଆଖି ନ ମାରିଲେ ବୟସ ଗଡ଼େ ନାହିଁ । ଅଇଲା ଭଲଲୋକ ଦେଖେଇବାକୁ, ନା’ କହିଦେବି ଦେଖିବୁ ।’’

ସେଆଡ଼ୁ ଆସୁଥିଲେ ପୋଲିସ ବାବୁ, ଯାହାଙ୍କ ସ୍ତ୍ରୀ ଦୁଇବର୍ଷ ହେଲା ତାଙ୍କ ଶାଶୁଘରେ ବେରାମରେ ପଡ଼ିଛନ୍ତି । ସେ କଥାଟାକୁ ସମାଧାନ କରିଦେଲେ, ଯେମିତି ସେ ଦିନର ପଡ଼ାର ବୃଦ୍ଧମାନେ କଳଟାକୁ ପ୍ରତିଷ୍ଠା କରିଥାନ୍ତି ।

 

ଟୁଲ ପୋଲିସବାବୁଙ୍କୁ ଦେଖି ହସି ଉଠି ନମସ୍କାର କଲା ।

 

ପୋଲିସବାବୁ ଗମ୍ଭୀର ହୋଇ କହିଲେ ‘‘ଅୟଧା ତୁ ଟୁଲକୁ ପାଣି ନେଇ ନ ଦେଲେ ତୋତେ ଜରିମାନା କରିବି । ତାର ଅଧିକାର ଅଛି, ଏଇଠୁ ପାଣି ନେବ–Indian costitution ର କଥା ।’’ ପୋଲିସ ବାବୁ ଚାଲିଗଲେ ।

 

ଅୟଧା କହିଲା ‘‘ନେ ଲୋ ଟୁଲ ପାଣି ନେ ।’’

 

ଟୁଲ କହିଲା ‘‘ନାନୀ ରାଗିଲୁ କିଲୋ ?’’

 

ଅୟଧା କହିଲା ‘‘ନା ତୋତେ ରାଗିବି କଣ ? କଣ୍ଟିପେସନ ବାବୁତ କହିଗଲେ ମୋତେ ଜରିମାନା କରିବେ ।’’

 

ଟୁଲ ଚାଲିଗଲା–

 

ଅୟଧା କହିଲା, ‘‘ପୋଲିସର ରଖନୀର ଠାଣି ଦେଖ, ବେଧେଇ ରାଣ୍ଡି, କସନି ।’’

 

କଂସଲା କହିଲା ‘‘ଅୟଧା ନାନୀ କିଏ କିଲୋ ।’’

 

ଅୟଧା କହିଲା ‘‘କଣ୍ଟିପେସନ୍ ବାବୁର ରଖିନୀ ।’’

 

କଂସଲା ବୁଝିବାକୁ ଚେଷ୍ଟାକଲା ନାହିଁ ସେ ଜଣକ କିଏ ?

 

କଳରୁ ପାଣି ଝରୁଛି.....

 

‘‘କଂସଲା କଂସଲା ଲୋ କଂସଲା ।’’

 

କଂସଲା କହିଲା ‘‘ବେଧେଇ ଡାକିଲାଣି ।’’

 

‘‘ବେଧେଇ ? ବେଧେଇ କିଏ ଲୋ ?’’

 

କଂସଲା କହିଲା ‘‘ସେଇ ବାହ୍ମନେନ୍ କଲେଜ–ପଢ଼ି–ଟୋକଲି ଟିକିଏ ହେଲେ ସବୁର କରନ୍ତା, ଖାଲି ଆଣ ପାଣି ଆଣ ପାଣି । ଖରାଦିନଟା ଟିକିଏ ପାଣି କମ୍ ଖର୍ଚ୍ଚ କଲେ ହୁଅନ୍ତା ନାହିଁ-।’’

 

ଅୟଧା କହିଲା ‘‘ଓକିଲର କନିଆଁ ।’’

 

କହିଲା ‘‘ଯା ପାଣି ଦେଇ ଆସିବୁ, ଏଇଠି ବସିଲେ କଣ ହେବ ।’’

 

କଂସଲା ଚାଲିଗଲା ।

 

ଚେମିବୋଉ କହିଲା ‘‘ଅୟଧା ତୋ ବରର ଦେହ କିମିତି ?’’

 

ଅୟଧା କହିଲା ‘‘ମଦଖାଇ କାଲି ସେମିତି ହେଉଥିଲା ନା ।’’

 

ଚେମିବୋଉ କହିଲା ‘‘ହଇଲୋ ମୁଁ ଶୁଣୁଛି, କଣ ଘରେ ଘରେ ନଳ ବସିବ, ଆମେ କଣ କରିବା ?’’

 

ଅଧୟା କହିଲା ‘‘ନଳ ବସିବ, ହୁଁ ଆମ ଗରିବଙ୍କ ନିଶ୍ୱାସ ପଡ଼ିବ ଲୋ ନିଶ୍ୱାସ ପଡ଼ିବ ।’’

 

ଚେମିବୋଉ କହିଲା, ‘‘ଗାଁ ଗୌନ୍ତିଆର ତାଫିନ୍ ସହି ନ ପାରି ଆଉ ଯଦି ନଳ ଘରେ ଘରେ ବସିଯାଏ ତେବେ କେଉଁଠାକୁ ଯେ ଯିବା ଭଉଣୀ କିଏ ଜାଣେ ।’’

 

ଅୟଧା କହିଲା ‘‘କଳପାଣି ସହଜରେ ବସିବ ନାହିଁ ଚେମିବୋଉ । ଯିଏ ବସାଇବ ତାହାର ଘରୁ ପ୍ରଧାନ ମୁଣ୍ଡଟି ଧରତି ମାତା ନେଇକରି ଯିବ । ଦେଖିଲୁନି, ସେଦିନ ହୀରାକୁଦ ବନ୍ଧ ହେଉ ବୋଲି ଯିଏ କହୁଥିଲା ତା ପୁଅ ଆଖି ବୁଜିଲା । ଯେ ନ ହେଉ ବି କହିଲା ତା ପୁଅ ଆଉ ବାହୁଡ଼ି ନଇଲା । ଗରିବ ଗୁରୁବାଙ୍କ ନିଶ୍ୱାସ ।’’

 

ଚେମିବୋଉ ନିଶ୍ୱାସ ତେଜି କହିଲା ‘‘ହେଲେ କଳା କଳା ନଳଗୁଡ଼ା ମୁଁ ରାସ୍ତାରେ ଦେଖି ଆଇଚି ଲୋ ।’’

 

ଅୟଧା କହିଲା, ‘‘ସବୁ ନଳ ମାଟି ହୋଇଯିବ, ନ ହେଲେ ଭାଜିଯିବ ଆମରି ନିଶ୍ୱାସରେ-। ଯିଏ ତାକୁ ମାଟିରେ ପୋତିବ ତାର ଆଗ କାଳ ହେବ । ତା ହାତରେ ବଡ଼ରୋଗ ହେବ-। ଆଖି ଲିଆ ଲିଆ ହୋଇଯିବ । ଦେଖିବୁ ନି ।’’

 

ଚେମିବୋଉ ଟିକିଏ ଆଶ୍ୱସ୍ତ ହେଲା ବୋଧହୁଏ ।

 

ଅୟଧା କହିଲା ‘‘ଆରେ ଘରକୁ ପାଣିଟା ସିନା ଆସିବ ହେଲେ ଘରେ ଯେଉଁ ପ୍ରକାରେ ପିଲାଛୁଆ ହେଉଛନ୍ତି, ତାଙ୍କୁ ଧରିବ କିଏ ? ଆମେ ତାଙ୍କ ପିଲାଛୁଆ ନ ପାଳିଲେ ତାଙ୍କ ପିଲାଛୁଆ ବଡ଼ ହୋଇ ପାରନ୍ତି ନାହିଁ ।’’

 

ଚେମିବୋଉ କହିଲା ‘‘ହଁ ତ ସିନେମା ଦେଖିବାକୁ ଗଲେ ମୁଇଁ ତାଙ୍କ ପୁଅଙ୍କୁ ସଂଖୁଳେ-।’’

 

ଅୟଧା କହିଲା ‘‘ଖାଲି ସିନେମା ? କଲେଜକୁ ଲକଚର ଶୁଣିଗଲେ ତ ତାଙ୍କ ପୁଅ ଝିଅଙ୍କୁ କଂସଲା ସମ୍ଭାଳେ ।’’

 

ଚେମିବୋଉ କହିଲା ‘‘ପେକ୍‍ନିକ୍‍କୁ ଗଲାଦିନ ପ୍ରଫେସରେ ତ କଂସଲାକୁ ନେଇକରି ଯାଇଥିଲେ । ପୁଅଝିଅ ଜନମ କରିବେ କିନ୍ତୁ ଧରିବାକୁ ଏତେ ଲାଜ କାହିଁକି ?’’

 

ଅୟଧା କହିଲା ‘‘ଟୋ ଟୋ ବୁଲିବେ ସବୁବେଳେ, ଦେଖେଇ ହେବ ସେମାନେ ଅଭିହାଡ଼ି ମଥାରେ ତ ଓଢ଼ଣା ଦେବା କାଳ ଗଲାଣି ।’’

 

ହୁଅନ୍ତୁ ଅଧ୍ୟାପକ, ହୁଅନ୍ତୁ ବା ଓକିଲ । ବାର୍ଥକଣ୍ଟ୍ରୋଲ ପାଇଁ ଔଷଧ ମଗାଉଥିବେ, ତଥାପି ଅୟଧାର ଆଶା.....

 

ଦେଖାଯାଉ, ‘‘ଏଇ ଘୋଡ଼ା ଦୌଡ଼ରେ କିଏ ଜିତୁଛି ।’’ ବାର୍ଥକଣ୍ଟ୍ରୋଲ କି ଅୟଧା ?’’

 

ସିମେଣ୍ଟ ଚଉତରା ଖାଲି ହେବା ଉପରେ । ନିଧିମଣୀ ଆସିଛି । ତାର ସେଇ ଛୋଟ ଗରା, ଫୁଙ୍ଗୁଳା ଦେହ, ଖରାସାଥୀରେ ଯୌବନଟା ମିଶିଯାଇଛି । ସାହି ଗଜଗଜିଆ ଟୋକା ହଜାରୁ ଏକ ନଜରରେ ଅନାଇ ରହିଛି । ଟିକିଏ ମୁରୁକି ହସ ।’’

 

ତୁଚ୍ଛାଟାରେ ସାହିର ବୁଢ଼ୀ କହେ–

 

‘‘କୁଟୁରୁ କୁଟୁରୁ ଧାନକୁଟା ବଡ଼ ଦୁଃଖ

 

ଯାଉନ୍ ଆସୁନୁ ମୁରୁକି ହସା ପାଏନି ବୁହା ବଡ଼ା ସୁଖ ।

 

ହେଲେ ସେ ଦିନର ଗାଁ ଗୋହିରୀ କାହିଁ । ସେ ବିଲ ଫେରନ୍ତା ହଜାରୁ କାହିଁ ? ଆଉ ସେ ପାଣି ବୁହାତି ପଦମ୍‍ ତୁଲି କାହାନ୍ତି ?

 

ଆଜି ସମସ୍ତେ ଆଠ ଘଣ୍ଟିଆ କୁଲି । ଝାଳବୁହା ପରିଶ୍ରମ ପରେ ଟିକିଏ ବେଳ ମିଳିଲେ ଛୁଟିଲା ମଦର ସୁଅ ।

 

ବିଜ୍ଞାନର ଦୟା ।

 

(୧୮ଶ ବର୍ଷର ୨ୟ ସଂଖ୍ୟା ଅଗଷ୍ଟ ୧୯୫୪ ଡଗରରେ ପ୍ରକାଶିତ ।)

✾✾✾

 

ଖୋଲା ଚିଠି

 

ସମ୍ପାଦକେ,

 

ନମସ୍ତେ ! ଘର କଥାଟିଏ କହୁଛି, କାହାକୁ କହିବେ ନାହିଁ ତ ? ମନର ଗୁମର ତମ ଆଗେ ଫିଟାଇ କହୁଛି, କାହାଆଗେ ପ୍ରକାଶ କରିବେ ନାହିଁ ଗୁପ୍ ଚୁପ୍ କଥା ଶୁଣିଲେ ଲୋକେ କହିବେ ‘‘ଚୁପ୍ ଚୁପ୍ ବାତ୍ ହୈ, ଜରୁର କୋଇ ବାତ୍ ହୈ !’’ ତେଣୁ ଟିକିଏ ସାବଧାନ କରିଦେଲି । ଶୁଣିଥିବେ ମୁଁ ନୂଆ ବାହା ହୋଇଛି । ବହୁଦିନ ବାଡ଼ୁଅ ରହିଲା ପରେ ଭାଗ୍ୟକୁ ଗୋଟିଏ ବାଡ଼ୁଆଣୀ ଜୁଟିଲା । ତଥାପି ନୂତନ ପ୍ରିୟା ତାର ରୂପର ମଦିରାରେ ମତୁଆଲା କରିଛି । ଶ୍ରୀମତୀଙ୍କର ବୟସ ହୋଇଛି ପନ୍ଦର, ରଙ୍ଗା ରଙ୍ଗା ଗାଲ, ରାଶିଫୁଲ ନାସା, ପୋଟଳଚିରା ଆଖି, ସାବୁନର ଫେଣ ପରି ଧଳା ଦେହ, ମଖମଲ ଛାତି, ଆଲକାତରା ରଙ୍ଗ କେଶ ଆଉ ସବୁଠୁଁ ସୁନ୍ଦର ଜିଭ ଖଣ୍ଡିକ । ଜିଭର ବାହାଦୁରୀ ଅଛି ନହେଲେ ସେ ଆମଘରେ ଏତେ ବକ୍ତୃତା କିମିତି ଦିଅନ୍ତେ ? ରାତିରେ ଶୁଣେ ତାଙ୍କ ସ୍କୁଲକଥା । ଦିନରେ ପଡ଼େ ତାଙ୍କର ଭାଇମାନଙ୍କ ଗୁଣ ଗାଥା ଯଦି ସେକଥା ଛାଡ଼ି କେବେ ମୋତେ ପ୍ରଶଂସା କରିଥାନ୍ତେ ତେବେ ମୁଁ ନିଜକୁ କଣ ମନେ କରିଥାନ୍ତି କିଏ ଜାଣେ । ମୁଁ ଭାବୁଥିଲି ମୋ ଲେଖକତ୍ୱଟି ତାଙ୍କର ଆଲୋଚନାର ବିଷୟବସ୍ତୁ ହେବ । କିନ୍ତୁ ସେ କଥା ଚୁଲିକି ଯାଉ ଏବେ ଆଲୋଚନା ହେଉଛି ତାଙ୍କ ଭାଇଙ୍କର ସାମ୍ୟବାଦ ନେତାଗିରି କଥା । ତାଙ୍କ ଭାଇଙ୍କ ଗୁଣକୁ ସିଏ ଏତେ ପସନ୍ଦ କରନ୍ତି ଯେ, ମୁଁ ଶୁଣିଲେ ମୋର କିମିତି ଈର୍ଷା ଜାଗେ । ହେଲେ ତାଙ୍କ ଭାଇ ହେବାର ସୌଭାଗ୍ୟ ହୋଇଥାନ୍ତା । ଅନ୍ତତଃ ପକ୍ଷେ ସାମ୍ୟବାଦଟିଏ ହେବାର କଳ୍ପନା ମୋ ମନରେ ଯେ ଜାଗିଲା ତାହା ନୁହେଁ । କିନ୍ତୁ ସାମ୍ୟବାଦୀ ହେଲେ ଯେ କାହାରି ଶଳା ନ ହେବ ଏଭଳି ଗ୍ୟାରେଣ୍ଟି ତ ଦେବାକୁ କେହି ନ ଥିଲେ ।

 

ଦିନେ ମଳୟ ବହୁଥାଏ । ମୁଁ କହିଲି ‘‘ପ୍ରିୟତମେ ମଳୟ ବହିଲାଣି ।’’ ପ୍ରିୟେ କହିଲେ–‘‘ଶର୍ଦ୍ଦି ହେବ ଝରକା ଦେଇଦିଅ, କମ୍ବଳ ଘୋଡ଼ାଇ ହୋଇପଡ଼େ ।’’ ଆହା, ସେଦିନ ମୋର ଇଚ୍ଛାଥିଲା ଛାତିରେ ଛାତି ମିଳାଇ ଏଇ ମଳୟକୁ ଆଲିଙ୍ଗନ କରେ । କିନ୍ତୁ ତା ହେଲାନାହିଁ । ମୁଁ ଭାବିଲି ମଳୟଟା କେବଳ ବାଡ଼ୁଅମାନଙ୍କର । ବିବାହିତମାନଙ୍କର ନୁହେଁ ।

 

ଦିନେ ମୋତିଝର ଆଡ଼େ ବୁଲିବାକୁ ଯାଇଥିଲି । କ୍ଷୁଦ୍ର ବନାନୀରେ କୁହୁଡ଼ି ମାତିଛି । ଶିଶିର ବୁନ୍ଦା ବନଲତାରେ ଘୂମାଇ ପଡ଼ିଛି ଦେହ ଅଳସେ । ସେଇ ଶିଶିର ବୁନ୍ଦା କେତେ ଗୋଟି, ଗୋଟାଏ ସହକାର ପ୍ରସୂନ, ମାଧବୀ ଲତାଟିଏ ଆଣି ତାଙ୍କୁ ଉପହାର ଦେବାକୁ ଗଲି । ସିଏ ଗାଧୁଆ ଘରେ ଥିଲେ । ଲାଇଫବୟ ସାବୁନରେ ଦେହ ପଖାଳୁଛନ୍ତି ଆଉ କହୁଛନ୍ତି–

 

‘‘ନିଆଁଲଗା ଘରେ ଖଣ୍ଡିଏ ସାବୁନ ହେଲେ ଅଛି–ଚୁଲିହାଣ୍ଡି କଳା ସାଙ୍ଗରେ ଘସି ହୋଇ ହୋଇ ପ୍ରାଣଟା ମୋର କଳା ହୋଇଗଲାଣି ।’’ ମୋ ମନେପଡ଼ିଗଲା ତାଙ୍କ ବରାଦ ଦେଇଥିବା କଥା । ସିଏ ମୋତେ ଖଣ୍ଡେ ‘ଲକ୍‍ସ’ ସାବୁନ୍ ପାଇଁ କହିଥିଲେ । ମୁଁ କିନ୍ତୁ ଗୋଟିଏ ଫୁଲତାଡ଼ା କିଣି ଆଣିଥିଲି ତାଙ୍କୁ ଦେବାପାଇଁ । ଭାଗ୍ୟବଶତଃ ସେଦିନ ଚିନି ଘରେ ନଥିବାରୁ ସିଏ ମୋତେ ପଦେ ଟାଣ କରି ଶୁଣାଇଦେଲେ ବୋଲି ମୁଁ ଫୁଲତାଡ଼ାଟା ତାଙ୍କ ହାତରେ ନ ଦେଇ କାନ୍ଥରେ ଥିବା ନରଗୀସର ଫଟୋ ଉପରେ ରଖିଦେଲି । ମୁଁ ଆସି କହିଲି–

 

‘‘ପ୍ରିୟସହି ବସନ୍ତ ଆସିଲାରେ

ପତରରେ ଶିଶିର ମୁକ୍ତା ପଡ଼େ ଝରି

ଆମ୍ବଗଛେ ଆମ୍ବ କଢ଼ି ଧରିତ ଗଲାରେ ।’’

 

ସିଏ ରାଗିଯାଇ କହିଲେ–

 

‘‘ନିଆଁ ଚୁଲି ହେଲାରେ ।’’

 

ମୁଁ ତାଙ୍କ ମୁହଁକୁ ଅନାଇ ସ୍ତୁତି କରୁଥାଏ–

 

‘‘ଯା ଦେବୀ ମମ ଗୃହେଷୁ ଉଆଇଫ୍ ରୂପେଣ ସଂସ୍ଥିତା,

ନମସ୍ତେଭ୍ୟଂ ନମସ୍ତେଭ୍ୟଂ ନମସ୍ତେଭ୍ୟଂ ନମୋ ନମଃ ।।

 

ସିଏ ଗାଧୁଆ ଘରୁ ଆସି କହିଲେ ‘‘ବାପ ଘରେ ମୁଁ ବେଶ୍ ସୁଖରେ ଥିଲି, କିନ୍ତୁ ଏଇଠି ଦେଖୁଛି ସବୁ ଅସୁବିଧା । ମୁଁ ବାପ ଘରକୁ ଯିବି ।’’

 

‘‘ବାପଘର ?’’

 

ସିଏ କହିଲେ ‘‘ବାପଘର ନୁହେଁତ ଆଉ କଣ ଶ୍ୱଶୁର ଘର ?’’

 

ମୁଁ କହିଲି ‘‘ତମେ ଯାଅ ମୋ ଆପତ୍ତି ନାହିଁ, କିନ୍ତୁ ରାଗିକରି ଯାଅନି । ଶ୍ୱଶୁରେ କଣ କହିବେ, ଶଳାଏ କଣ କହିବେ ।’’

 

ସେ କହିଲେ ‘‘ମୁଁ ତ ଯିବି, କିଏ କଣ କହିଲେ ନ କହିଲେ ମୋର ଯାଏ ଆସେ କଣ ।’’

 

ମୁଁ କହିଲି ‘‘ଦେଖ ଅଭିମାନିନୀ ରାଧେ, ଏହି ମଧୁର ବସନ୍ତ କାଳରେ ମୋତେ ବିରହ ସାଗରରେ ଭସାଇ କୁଆଡ଼େ ଯିବ ? ମୁଁ ତମ ବିନା ମରିଯିବି ଯେ !’’

 

ସେ କହିଲେ ‘‘ତୁମେ ମରିଗଲେ ମୁଁ ଆଉଜଣକୁ ବାହାହେବି । ବିଧବା ବିବାହ ପ୍ରଥା ଆଉ ଆଇନ ବିରୁଦ୍ଧ ନୁହେଁ ।’’

 

ଏତିକିବେଳେ ମୋର ଚେତା ପଶିଲା । ଯେତେବେଳେ ବିଧବା ବିବାହ ପ୍ରଥା ଚଳିଲାଣି, ସେତେବେଳେ ମୋର ମରଣ ନେଇ ଏହାଙ୍କୁ ଡରାଇବା କଥା ପଟିବ ନାହିଁ । ତେଣୁ କହିଲି–ନା ଗୋ ମରିବି କାହିଁକି ! ମୁଁ କଣ ତୁମକୁ ଛାଡ଼ି ମରିପାରେ ?

 

ମରିବ ମରିବ ସଖି ଯଦି ବା ମରିବ

ତୋମାହେନ ଗୁଣବତୀ କାରେ ଦିଆ ଯାବୋ ।

 

କେବଳ ତମରିପାଇଁ ମୋର ବଞ୍ଚିବା କଥା । ତମର ସେ ବବୁର୍ଚ୍ଚିର ପଗଡ଼ି ଧରି ଧଳା ମୁଖ ମଣ୍ଡଳଟା ଦିନେ ନ ଦେଖିଲେ ମୁଁ ପାଗଳ ହୋଇଯିବି ଯେ !

 

ସିଏ କହିଲେ ‘‘ପାଗଳ ହେଲେ ତ ଛାଡ଼ପତ୍ର ଦେବି ।’’

 

ମୁଁ ଭାବିଲି ‘‘ସତେ ତ ! ପାଗଳ ହେଲେ ପରା ଛାଡ଼ପତ୍ର ଦେବାର ଆଇନ ହୋଇଛି ।’’

 

ମୁଁ ଟିକିଏ ରାଗିଯାଇ କହିଲି–‘‘ଦେଖ ଅମୂକ ! ମୁଁ ତମର ଏ ଅବାଧ୍ୟତା ଯୋଗୁଁ ତମକୁ ଛାଡ଼ପତ୍ର ଦେବି ବୁଝିଲ ?’’

ସେ କହିଲେ ‘‘ମୁଁ ତ ଚାହେଁ ସେଇଆ । ମୋତେ ଭରଣ ପୋଷଣ ମାସକୁ ଶହେ ଦେଇ ତୁମେ ମୋତେ ବିଧବା ବି କରିଦିଅ ମୋର ଆପତ୍ତି ନାହିଁ । ଯେଉଁ କଲେଜ କୋଳରୁ ତୁମ ପାଖକୁ ଆସିଥିଲି ସେଇଠାକୁ ଚାଲିଯିବି ।’’

ମୁଁ ଭାବିଲି ଏଇଟା ବି ତ ସତକଥା । ଯେତେହେଲେ ସେ ମାଟ୍ରିକଟାଏ ପାଶ୍ କରିଛି । କେଉଁଠି ମାଷ୍ଟରାଣୀଟିଏ ହେଲେ ବି ପେଟ ପୋଷି ପାରିବ ! ତାଉପରେ ମୋ ପାଖରୁ ଭରଣ ପୋଷଣ ଦାବୀ ବି ଉଠାଇବ; ତେଣୁ ମରଣର, ପାଗଳାମିର ବା ଛାଡ଼ପତ୍ରର ଭୟ ଦେଖାଇବା ଯୁଗ ବୋଧହୁଏ ନାରୀଶିକ୍ଷା ଦିନରୁ ଗଲାଣି । ନିଜେ ଗୌରୀ ଆଉ କେଦାର ପାଇଁ ମରିବ ନାହିଁ । କେଦାର ବାଘ ହାବୁଡ଼ରେ ପଡ଼ିଲେ ବା ଆତ୍ମହତ୍ୟା କଲେ ବି କାହାର କଣ ଯାଏ । ସତୀ ହେବା ପ୍ରଥାଟା ହେଲେ କଂଗ୍ରେସ ସରକାର ଚଳାନ୍ତା ! ସେ ବା କାହିଁକି ଚଳାଇବ ? ନିଜେ ତ ଗୋଟିପଣେ ଅସତୀ । କିମିତି ଯେ ଶ୍ରୀମତୀ ଅମୁକକୁ ଜବତ୍ କରିବି ସେଇକଥା ଦୁନିଆଁ ଆଗରେ ପେଶ୍ କଲି ।

ଆପଣଙ୍କର

ମଳୟବାହୀ ପଟ୍ଟନାହୟକ

 

ଶ୍ରୀଯୁକ୍ତ ପଟ୍ଟନାୟକ,

 

ଆପଣ ଟିକିଏ ଓଲଟା ଦିଗରୁ ଭାବନ୍ତୁ । ଦେଖିବେ ସବୁ ଠିକ୍ ହୋଇଯିବ । ବହୁଦିନ ଧରି ଆପଣଙ୍କର ଜାତି ଆପଣଙ୍କର ଅମୁକକୁ ଜବତ୍ କରି ଆସିଲେଣି । ଶାଶୁ ପାଳି ଯାଇ ବୋହୁ ପାଳି ପଡ଼ିଛି । ଆପଣ ତାଙ୍କଦ୍ୱାରା ଜବତ୍ ହେବାରେ ଆନନ୍ଦ ଲାଭ କରିବା ଉଚିତ । ଦେଖିବେ, ଛାଡ଼ପତ୍ର ବଦଳରେ କ୍ରୋଡ଼ପତ୍ରର ସୀମା ରହିବ ନାହିଁ ।

 

ସମ୍ପାଦକ ଡଗର

 

(୧୫ଶ ବର୍ଷ ୨୦ଶ ଓ ୨୧ଶ ସଂଖ୍ୟା ବୈଶାଖ ପ୍ରଥମାର୍ଦ୍ଧ ଡଗରରେ ପ୍ରକାଶିତ ।)

✾✾✾

 

ବିବାହର ପୂର୍ବେ

 

ମୁରାରୀର ବାହାଘର...

 

ଜୀବନରେ ଯାହା ଥରେ ମାତ୍ର ଆସେ ଆଉ ଆସୁ ଆସୁ ମିଳାଇଯାଏ । ଜୀବନର ବଞ୍ଚି ରହିବା ଅର୍ଥନୀତି ଭିତରେ । ତଥାପି ବାହାଦେବାକୁ ପଡ଼େ । ଭବିଷ୍ୟତରେ ଭୋଟର ତିଆରି କରିବାକୁ ।

 

ଶୀତର ସକାଳ ।

 

କମଳା ଲେମ୍ବୁର ଖରାରେ ସଂସାର ଆଚ୍ଛାଦିତ । ଯାହାହେଉ ଧରଣୀରାଣୀ ଯେ ବିନା ପଇସାରେ ଏତିକ ପାଇଛି ସେଥିପାଇଁ ସୂର୍ଯ୍ୟ ସରକାରଙ୍କୁ ଦୁହାଇ ଦେବାକୁ ପଡ଼େ ।

 

ମୁରାରୀ ବସିଛି । ଧରି ନିଆଯାଉ ତାର ଡ୍ରଇଁ ରୁମରେ । ଡ୍ରଇଁରୁମ୍ ଭଳି ତ ତାହାର କିଛି ନଥିଲା, କିନ୍ତୁ ସମ୍ବନ୍ଧ ପଡ଼ିଲା ଦିନରୁ କି ଅଦ୍ଭୁତ ଏଇ ଡ୍ରଇଁରୁମ୍‍ଟା ବି ସୃଷ୍ଟି ହୋଇଛି । ଦୁଇଟି ଟିଣ ଚେୟାର ମଝିରେ ଗୋଟିଏ ତିନିଗୋଡ଼ିଆ ଟେବୁଲ । ତାହା ଉପରେ ଲେଖାଅଛି ‘‘ସାବଧାନ’’ ! ଅଜଣା ଅଶୁଣା କେହି ନବାଗତ ଆସିଲେ ବେଳେବେଳେ ଟେବୁଲର ଯେ କି ଦଶା ସେ କଥାଟା ଜାଣି ନିଅନ୍ତି ଓ ଭବିଷ୍ୟତ ପାଇଁ ସାବଧାନ କଥାଟା ଜାଣି ନିଅନ୍ତି ଓ ଭବିଷ୍ୟତ ପାଇଁ ସାବଧାନ ହୋଇଯାନ୍ତି । ଟେବୁଲ ଉପରେ ଦୁଇଟା ଫୁଲ ଦାନୀରେ ଇନ୍ଦ୍ରଦେବତାଙ୍କ ପାରିଜାତ ବାସନାହୀନ ହେଲେ ବି ଫୁଲ ମଉଳେନି କି ଶୀତର ସମୀରଣରେ ଥରି ଥରି ପାଖୁଡ଼ାଗୁଡ଼ିକ ଝରି ପଡ଼େନି । ପୁଣି ସେହି ଟେବୁଲରେ ଗୋଟାଏ ଫଟୋ ଆଲବମ୍ । ଦିନ ଥିଲା ଯେତେବେଳେ ସେଇଠି ଆଶ୍ରୟ ନେଉଥିଲେ ନରଗୀସ୍, ସୁରୈୟା, ନଳିନୀ, ନୂତନ କିନ୍ତୁ ସେଇଠି ଆଜି ନିଜର ଫଟୋଟା ଅଭିନବ ଭଙ୍ଗୀରେ ମଥା ଟେକିଛି । କାନ୍ଥରେ ଏସ୍ରାଜ, ମୁରଲୀ ଇତ୍ୟାଦି ବେଳେବେଳେ ସଙ୍ଗୀତର ଆସର ଜମୁଛି ବୋଲି କଷ୍ଟ ନିଦିଆମାନଙ୍କର ଟିକିଏ ଆପତ୍ତି ଜମେ । କିନ୍ତୁ ପଡ଼ୋଶୀମାନଙ୍କର ଗୋଟିଏ ଲାଭ ବି ଅଛି । ତାହା ହେଉଛି–ବଳଦ, ଗାଈ ଇତ୍ୟାଦି ଏହି ତାନସେନ୍, ସାଇଗଲ, ମୁକେଶ, ତଲତ୍ ମହମ୍ମଦ ରଫି, ଆତ୍ମାଙ୍କ ଭୟରେ ପଶି ପାରନ୍ତି ନାହିଁ ।

 

ମୁରାରୀର ମୁହଁଟା ଦର୍ପଣରେ ପ୍ରତିବିମ୍ବିତ ହେଉଛି । ଫଟୋରେ ମୁରାରୀ, ଦର୍ପଣରେ ମୁରାରୀ, ନିଜେ ମୁରାରୀ ଆଉ କାନ୍ଥରେ କାଚଫ୍ରେମରେ ବନ୍ଧା ମୁରାରୀର ମାଟ୍ରିକୁଲେସନ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ, ଆଇ–ଏ, କମ୍ପାଟମେଣ୍ଟାଲ ସାର୍ଟିଫିକେଟ–ବି–ଏ, ପରୀକ୍ଷାର ଏଡ଼ମିଟ କାର୍ଡ଼ (ବି–ଏ, ପାଶ ଏପର୍ଯ୍ୟନ୍ତ ହୋଇନି ବୋଲି), ରେସିଟେନସର ଥାର୍ଡ ପ୍ରାଇଜର ସାର୍ଟିଫିକେଟ, ଭଲେଣ୍ଟିୟର ସାର୍ଟିଫିକେଟ, ଜିଲ୍ଲାସାହେବ କର୍ତ୍ତୃକ ଦତ୍ତ ସାର୍ଟିଫିକେଟ ଆଉ ନିଜ ସାର୍ଟିଫିକେଟ ମାନେ–ନେମ୍ ପ୍ଲେଟ–

 

ମୁରାରୀ ମୋହନ ଦାଶ, ବି–ଏ, (ଛାତ୍ର)

ଶ୍ରେଣୀ ପ୍ରତିନିଧି ପୂଜା ସମିତି

ତୃତୀୟ ବାର୍ଷିକ କଳା

 

ଘରଠାରୁ ଯିମିତି ମନେହେଲା ଗୁଣିର ଆଦର କରୁଛି ମୁଁ ଯାଇଥିଲି । ଲେଖାରେ ସେ ମୋର ଶଳା । ଠିକ୍ ଶଳା ନ ହେଲେ ବି ଜ୍ୟାମିତିକ ରୀତିରେ ସେ ମୋର ଶଳା, ମାନେ ମୁଁ ଯେଉଁ ଭଦ୍ର ଲୋକଟାକୁ ଏହି ମଧ୍ୟରୁ ସମ୍ଭାଷଣ କରେ ସେ ଏଇ ଭଦ୍ରଲୋକଙ୍କର ସେଇ ମାମୁଁପୁଅ ସମ୍ଭାଷଣ କରନ୍ତି । ତେଣୁ ମୁରାରୀର ଭଉଣୀଟାର ସହିତ ମୋର ପାର୍ଥିବ, ନୈସର୍ଗିକ, ଦୈହିକ ବା ପାରାତ୍ରିକ ସ୍ୱକୀୟ ବା ପରକୀୟ କୌଣସି ସମ୍ବନ୍ଧ ନ ଥାଇ ମଧ୍ୟ ସିଏ ମୋର ଶାଳକ (ଶଳା) ।

 

ମୁରାରୀର ଏଇ ନୂତନ ଡ୍ରଇଁ ରୁମର ଏଇ ଅଭିନବ ସାଜ ସଜ୍ଜାରେ ଟିକିଏ ଆଶ୍ଚର୍ଯ୍ୟ ଓ ମୁଗ୍ଧ ହେଲି । ପ୍ରସାଧନରତ ମୁରାରୀ କାନ୍ଧରେ ହାତ ପକାଇ ଟିକିଏ ଛିଡ଼ାହେଲି । ମୁରାରୀ ମୁହଁରୁ ବାହାରି ପଡ଼ିଲା ‘‘ଏ’’ ମାନେ ସ୍ୱପ୍ନୋତ୍ଥିତ ।

 

ମୁଁ କହିଲ ‘‘ତୋତେ ଟାଣି ଆଣିଲି କି ?’’

 

ସେ କହିଲା ‘‘କେଉଁଠୁ ?’’

 

ମୁଁ କହିଲି–କଳ୍ପନା ରାଇଜରୁ । ଯେଉଁଠି ସ୍ମରେୟା ତୋତେ ପ୍ରତିଭା ଶୁଣାଏ, ନରଗୀସ ହାତରୁ ତୁ ଖାଉ ଚା, ଗୀତାବୋଲି ତୋ ମୁହଁରେ ନିଆଁ ଲଗାଏ (ସିଗାରେଟରେ), ନଳିନୀ ଆସି ତୋର ଏଇ ଦର କୁଞ୍ଚକୁଞ୍ଚିକା କେଶରେ କର ଚାଳେ । ଆଉ ନୂତନ ସମର୍ଥ ତୋର ସେ ସେଭିଂ ସେଟ ଆଣି ତୋତେ ଦାଢ଼ୀ ତାଞ୍ଛିବାକୁ ବାଧ୍ୟ କରେ । ଗାଧୋଇବାର ଯୋଗାଡ଼ କରେ ସୁନାଳିନୀ ଦେବି–ଖାଇବାକୁ କହେଁ ମମତାଜ ଶାନ୍ତି–ନୀଳା ଚିଟନିସ୍ ତୋର ଦରପଢ଼ା ନଭେଲ ଖଣ୍ଡିକ ଆଣି ତୋର ରଙ୍ଗରଙ୍ଗ କରରେ ଗୁଞ୍ଜିଦିଏ । ସଂଧ୍ୟାରେ ଭିକ୍ଟୋରିଆ ପାର୍କକୁ ଯିବାପାଇଁ ବେଗମ୍ପାରା ଡ୍ରାଇଭର ସାଜେ ବେଳେବେଳେ ଧରାଇବି ଦିଏ ରଙ୍ଗିନ୍ ସୁରା–ଭିକ୍ଟୋରିଆ ପାର୍କରେ ତୋର ସାଥେ ଆଖି ମିଳାଏ ରତ୍ନାବତୀ, ନୁରଜାହନ୍, ତୋର ସହିତ ମନମିଳାଏ–ସଂଧ୍ୟା ଯେତେବେଳେ ନଇଁଆସେ ଦୁର୍ଗାଖୋଟେ ତୋର ବିଛଣା କରେ । ଦରଦରନି ଢ଼ୁଳୁଢ଼ୁଳୁ ଆଖିରେ ତୋର ନିଦ ଆଣିବାକୁ ଲତାମୁଙ୍ଗେସ, ସୁରେୟା, ପାରୋ, ଗୀତା ରାୟ ଗାଆନ୍ତି ।

 

ହସି ହସି ଉତ୍ତର ଦେଲା ମୁରାରୀ କଳ୍ପନା ତ କଳ୍ପନା କିନ୍ତୁ ମୁଁ ଯେ ସନୈଃ ସନୈଃ ବାସ୍ତବତାର ଚରମ ଆଡ଼କୁ ଗତି କରୁଛି ।

 

ମୁଁ କହିଲି ‘‘ବାସ୍ତବ ?’’

 

ମୁରାରୀ କହିଲା ‘‘ବିଶ୍ୱାସ ହୁଏନା ଯଦି ମାଆକୁ ପଚାର ।’’

 

ମୁଁ କହିଲି ‘‘ମାଆଙ୍କୁ ନ ପଚାରି ବି ତୋର ଆଜିର ଏଇ ଡ୍ରଇଂ ରୁମଟି କହୁଛି ତୁ ବିବାହ ବେଦୀଆଡ଼କୁ ଗୋଡ଼ ବଢ଼ାଉଛୁ । ତେବେ ସେଇ ଭାଗ୍ୟବତୀଟି କିଏ ?’’ ମୁରାରୀ ଟେବୁଲ ଉପରେ ଲେଖିଲା ‘‘ବାସନ୍ତି, ବାସନ୍ତି, ବାସନ୍ତି ।’’

 

ମୁଁ କହିଲି ‘‘ବସନ୍ତୀ ମଧୁର ସୁରଭି ସମୀରଣରେ ବାସନ୍ତୀର ଉଡ଼ନ୍ତାବାସର ଶୋଭା ପୋଟଳଚିରା ଆଖି–ସ୍ୱର୍ଣ୍ଣକାନ୍ତି... ।’’

 

ଆଉ ବିଶେଷ ବିଶେଷଣ ଦେବା ଆବଶ୍ୟକ ବୋଧ କଲିନାହିଁ ।

 

ମୁରାରୀ କହିଲା ‘‘କପେ ଚା’ ବନ୍ଦୋବସ୍ତ କରିବି ?’’

 

ମୁଁ କହିଲି ‘‘ଅବଶ୍ୟ ନୂତନ ଦାରା ଗ୍ରହଣର ମନବାଞ୍ଛା ପୂରାଇବା ହିଁ ମୋର ଜୀବନର ଉଦ୍ଦେଶ୍ୟ ।’’

 

ମାଆଙ୍କ ଡାକ ପଡ଼ିଲା.....

 

ମୁଁ ଜାଣି ପାରିଲି ବୋଧହୁଏ ମୁରାରୀ ପାଇଁ ମୋତେ କିଛି ସମୟ ଉତ୍ସର୍ଗ କରିବାକୁ ହେବ ସେଇଥିପାଇଁ ଏ ଡାକରା ।

 

ମା କହିଲେ ‘‘ରମେଶ ! ଦେଖ, ମୁଁ ଏକୁଟିଏ ଲୋକ ଚାରିଆଡ଼କୁ ହାତ ବିସ୍ତାରି ପାରେନାହିଁ । ସିଏ ନାହାନ୍ତି ଆଉ ମୁରାରୀ ପାଇଁ ବା କିଏ କଣ କରିଦେବ ସେମିତି ଲୋକଟିଏ ବି ପାଉନାହିଁ । ତୁମେ ଟିକିଏ ମୁରାରୀ କଥା ନ ବୁଝିଲେ ଆଉ କିଏ ବୁଝିବ ଯେତେବେଳେ ସିଏ ତୁମର ବନ୍ଧୁ ।’’

 

ମୁଁ କହିଲି–ମା, ମୁରାରୀଟାତ ଖାଲି ବନ୍ଧୁ ନୁହେଁ ପରମ ବନ୍ଧୁ । ତାହାର ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଚାରିଆଡ଼େ ମୁଁ । ସିନେମା ହଲରେ, ଚା’ ଦୋକାନରେ, ପାନ ଦୋକାନରେ ଯେଉଁଠି ଦେଖିବ ମୁଁ ଆଉ ଏଇ ମୋର ପରମ ବନ୍ଧୁ ମୁରାରୀ । ମୁଁ ତ କେତେବେଳେ ତାକୁ କରଛଡ଼ା କରେନି । ରୋଗ ବ୍ୟାଧି କଥା ଛାଡ଼ମ ସେଇ କଥା ହେଲା ଭାଗ୍ୟଦୋଷରୁ ସେତିକିବେଳେ ଦେଖିବ ମୋ ମନ ଯାହା ହେଉଥାଏ–ସିନେମା ଚିତ୍ର ପରେ ଚିତ୍ର ବଦଳି ଗଲେ ମୁରାରୀ ଭଲ ହୁଏ ନା–ଯାହା ଦୁଃଖ ସେ ସବୁ କଣ କହିବା ।’’

 

ମା କହିଲେ ‘‘ମୁରାରୀର ନିର୍ବନ୍ଧ ହେବ କିଛି ସଉଦା ହେଲେ ଆଣି ଦିଅନ୍ତି !’’

 

ମୁଁ କହିଲି ‘‘ସେ କଥା ଆଉ କହିବାକୁ ଅଛି; ମା, ଧଇଛା ମୁଁ ଆଣି ଦେଉଛି ।’’

 

ମା କହିଲେ ‘‘ହଁ ରେ ପୁଅ ଅଇଛା ବେଳ ତ କାହାକୁ ଅନାଇ ବସେ ନି । ମୁରାରୀର ଆଉ କିଏ ଅଛି ।’’

 

ମୁଁ କହିଲି ‘‘ମା କଣ ସବୁ ଆସିବ !’’

 

ମା କହିଲେ ‘‘ଖଣ୍ଡେ ଶାଢ଼ୀ; ଷୋହଳ ପଟ ଚୁଡ଼ି, ସାରେ କାନକୁ, ଖଣ୍ଡେ ସାବୁନୁ, ପାନିଆ ଦୁଇଟା, ଖଣ୍ଡେ ଦର୍ପଣ, ସୋ, ପାଉଡ଼ର, ଅଳତା ଇତ୍ୟାଦି ।’’

 

ମୁଁ କହିଲି ‘‘ଆଚ୍ଛା ମୁରାରୀ ହାତରେ ପଇସାଟା ଦିଅ ଆମେ ଚାଲିଲୁ !’’

 

ମୁରାରୀକୁ ଡାକ ପଡ଼ିଲା । ସେତିକିବେଳେ ମୁରାରୀ ଗାଲ ଅଧେ ସାଫକରି ଆଉ ଅଧକରେ ସାବୁନ ବୋଳୁଥିଲା ଆଉ ଗୁଣୁ ଗୁଣୁ କରି ଗାଉଥିଲା–ଗିନି ଗିନି ତାରେ ।

 

ମୈ ହାର ଗେୟା ରାତକୋ

ହାୟ ପ୍ରିୟା ଆୟେନା ମେରେ ମୂଲାକାତକୋ ।

 

ଏକବାରେ ବିପ୍ଲବୀର ସୁର୍ ମନେହେଲା ପ୍ରକୃତ ଗୀତର ସ୍ୱରର ଏହା ନୂତନ ପେରୋଡ଼ି ବା ନୂତନର ଆଣିବାର ଚେଷ୍ଟାରେ ମୁରାରୀ ବଦ୍ଧ ପରିକର ।

 

ମାଆର ଡାକଟା ମୁରାରୀର କାନର ଡ୍ରମ ନ ଭେଦି ବୋଧହୁଏ ବାସନ୍ତିର ରୂପ ଲାବଣ୍ୟ କୁଞ୍ଜରେ ଦିଗହରା ହୋଇ ଘୂରିବୁଲୁଛି ପଥର ସନ୍ଧାନରେ ।

 

ମାଆ ଆଉଥରେ ଡାକିଲେ ।

 

ସେତିକିବେଳେ ମୁରାରୀ ଆଉ ଗୋଟିଏ ଗୀତର ଆବୃତିର ଚେଷ୍ଟା କରିବାକୁ ପ୍ରଳାପ (ଆଳାପ) କରୁଛି । ତା ପରେ ଗୀତଟା ଶୁଭିଲା–

 

‘‘ଏଖନି ଉଠିବେ ଚାନ୍ଦ

ଆଧୋ ଆଲୋ ଆଧୋ ଛାୟାତେ

ପାଶେ ଆସି ପ୍ରିୟା ମୋର

ମୁଖ ଖାନି ରାଖୋ ବୁକେ ।

ଏଖନି ଜାଗିବେ ଚାରୁ ଚାମେଲି

ସଜତନେ ନୟନ ମେଲି

ଭାବିବେ କପୋତ ଧରେ

ଆନ ଶାଖାତେ ।’’

 

ମୁରାରୀର ଏଇ କାବ୍ୟ ସୃଜନ ଶକ୍ତିଟାକୁ ଦେଖି ଆଶ୍ଚର୍ଯ୍ୟ ହେଲି । ଗୀତ ଶୁଣିବାର ଆନନ୍ଦରେ ମୁଁ ନିଜେଇ ଆତ୍ମ ବିଭୋର ହୋଇ ଉଠିଲି । ଏଇ ଲଙ୍କାମରିଚିଆ ରାଗ, କଳାହାଣ୍ଡିଆ ତାଳ, ଆଉ ବେସୁର ରାଗିଣୀ ବୋଧହୁଏ ପଣ୍ଡିତମାନଙ୍କ ବିପରୀତ ଜନ୍ତୁମାନଙ୍କ ଶୁଶ୍ରାବ୍ୟ ହେଲେ ବି ଏଇ ଗୀତ ତଳର ଲୁକ୍କାୟିତ ଦେହର ପିପାସାର ପ୍ରେରଣାଟାକୁ କମ୍ରେଡ଼ କୁବେର ପ୍ରସାଦ ମିଶ୍ର ବି ଏଡ଼ାଇ ଦେଇ ପାନ ମକଚା ପାଟି ଦୁଇଟାରେ ହସି ଉଡ଼ାଇ ଦେଇ ବୋଗସ୍ ବା ସେଣ୍ଟିମେଣ୍ଟାଲ ଫୁଲ କହିବାର ଶକ୍ତି ଥାନ୍ତା ନାହିଁ ବୋଲି ମୁଁ ଭାବେ । ଯୁକ୍ତେନର ଗହମ ଖେତରେ କମ୍ବାଇନ୍ ପରିଚାଳିକାର ବେସୁର ରାଗିଣୀ ଯନ୍ତ୍ରର ଖିଟଖିଟ୍ ସାଥେ ତାଳ ଦେଇ ଦେଇ ଯେ ଗୀତ ଗାଉ ନଥିବ ଆଉ ତାହାର ଯୁବକ ସହକର୍ମଚାରୀ ହୃଦୟ ତଳେ ଯେ ତାହାକୁ ମିସେସ୍ କରିନେବାର ବାସନା ଯେ ହୋଇ ନଥିବ ତାହା କିଏ କହିବ । ପ୍ରେମ ହିଁ ପ୍ରେମ, ସେ ଗୋଟାଏ ପ୍ରେରଣା, ସୃଷ୍ଟି ସଂଗୀତର ଆଳାପ ମାତ୍ର ।

 

ସା–ରେ–ଗା–ଗା–ପା–ଦା–ନି–ସା ।

 

ଭୟ ହେଉଥାଏ ଯେ ମୁଁ ମୁରାରୀକୁ ଡାକିବି କି ନାହିଁ । କାରଣ ମୁରାରୀର ସେଇ ରଙ୍ଗରସ ଭଙ୍ଗ କରିବାର ଶକ୍ତି ମୋର ନଥିଲା । ମୁରାରୀ ଗୀତଗୁଡ଼ାକର ଅର୍ଥ କିଛି ଥାଇ ନପାରେ କିନ୍ତୁ ସିଏ ଯାହା ଗାଇଛି ତାହାର ଭିତରେ ଲୁଚି ରହିଛି ‘‘ମୁରାରୀ ଲେଟ୍’’ (ମୁରାରୀର ପୁତ୍ରାଦି) ।

 

ମା ପୁଣି ଡାକିଲେ ।

 

ବୋଧହୁଏ ଏଇଥର ବିଚାରା ମହାଦେବଙ୍କ ଧ୍ୟାନ ଭାଙ୍ଗିଛି ।

 

ମୁରାରୀ ଅତି କ୍ଷୀଣ କଣ୍ଠରେ ଉତ୍ତର ଦେଲୁ ‘‘ଆସୁଛି ।’’

 

ମୁଁ ହସି ଉଠିଲି ଏଇ ସଲଜ୍ଜ ଜୀବନଟାକୁ ଦେଖି । ବାହା ହେବା ଆଗକୁ କେଜାଣି କାହିଁକି ମଣିଷ ଏତେ ଲଜ୍ଜାଶୀଳ ହୋଇ ପଡ଼େ ।

 

ମୁଁ ଭାବେ ବିବାହର ପୂର୍ବରୁ ଭଦ୍ରତାର ଇତି ହୁଏ ବୋଲି । ସେଇ ଭଦ୍ରତାଟାକୁ ଭଲକରି ପରୀକ୍ଷା କରିଦେବା ପାଇଁ ହେଉ ବା ଭଦ୍ରତାଟାକୁ ବର୍ତ୍ତମାନ ପାଇଁ ଘୋଡ଼ାଇ ଘୋଡ଼େଇ ରଖି ଭବିଷ୍ୟତରେ ନିଜର ନଗ୍ନତା ପ୍ରକାଶ କରିବା ପାଇଁ ହେଉ ବା ମନୁଷ୍ୟତ୍ୱର ଶ୍ରେଷ୍ଠ ସମ୍ଭାର ଲଜ୍ଜା ଯାହା ପଶୁଠାରୁ ମଣିଷକୁ ଭିନ୍ନ କରି ରଖୁଛି ତାହାର ବିଦାୟ ଉତ୍ସବ ପାଳିବାକୁ ହେଉ ଲଜ୍ଜା ଆସେ ଯେମିତି, କୁମେରୁରେ ସନ୍ଧ୍ୟା ଆସେ ଏବଂ ଏକବାର ଯିବାପାଇଁ ଆସେ ।

 

ମୁରାରୀ ଆସିଲା ନତମୁଖ, ଅଳ୍ପଭାଷୀ, ଦରହସା, ମୁଣ୍ଡ କୁଣ୍ଡାଇ କୁଣ୍ଡାଇ ଦୋଷୀଟି ପରି ଛିନାହେଲା–ମୋର କ୍ଷିଣବପୁ ପଛରେ ନିଜର ହାତୀନିନ୍ଦି ଦେହଟାକୁ ଯେମିତି ମୂଷିକର ପଛରେ ଗଣେଷ ବିରାଜନ୍ତି ସେମିତି ।

 

ମାଆ ତା ହାତରେ ଗୁଞ୍ଜିଦେଲେ କିଛି ଟଙ୍କା । ସାଙ୍ଗେ ସାଙ୍ଗେ ପକେଟସ୍ଥ କରି ମୁରାରୀ ଆଉ ଅଧେ ଦାଢ଼ୀ ବିରୁଦ୍ଧରେ ରେଜର ଚଲାଇବା ପାଇଁ ଆଗେଇଗଲା । ଆଉ ମାଆ ମୋ ଆଡ଼କୁ ଆଗେଇ ଦେଲେ କପେ ଚା’ । ଶୀତର ସକାଳ ଦକ୍ଷିଣା ପବନ ଯୋଗୁଁ ଦେହର ରକ୍ତ ତିଳେ ତିଳେ ଜମି ଆସୁଥିଲା । କପେ ଚା’ ସେତିକିବେଳେ ମୁରାରୀର ବାସନ୍ତୀଠାରୁ ଆହୁରି ପ୍ରୟୋଜନୀୟ ହୋଇ ପଡ଼ିଥିଲା ।

 

ଚା’ ସାରିଛି ।

 

ମୁରାରୀ କହିଲା ‘‘ସିଗାରେଟ୍ ।’’

 

ମୁଁ କହିଲି–ଓଃ ଧନ୍ୟବାଦ ଯାହାହେଉ ବିଡ଼ିଟାକୁ ଛାଡ଼ି ଦେଇଛୁ !

 

ମୁରାରୀ କହିଲା ‘‘ବିଡ଼ି ଖାଇଲେ କାଶ ହେଉଛି ।’’

 

ମୁଁ କହିଲି ବାସନ୍ତୀ ବି ଆସୁଛି ।

 

କଥାଟା ବି ସତ । ଆସନ୍ନ ପରିଣୟ ନିଜର ବେଶଭୂଷା, ନିଜର ଚାଲି ଚଳନ, ନିଜର ଚିରାଚରିତ ରୁଚିଟାକୁ ଯେମିତି ଓଲଟ ପାଲଟ କରେ ସେଥିରୁ ମନେହୁଏ ତାର ଜୀବନର ଲକ୍ଷ୍ୟ କେତେଦୂର ପାରେ ଉଡ଼େ । ମଟରରେ ବସି ଅଧରରେ ଗୋଟାଏ ସିଗାରେଟ ଛୁଆଇଁ ନିଜର ଆଖି ତଳେ କଜଳ ବୋଳି ମଥାରେ ଚନ୍ଦନର କୁଟି କରି ବାଜା ଫୁଲରେ ସୁସଜ୍ଜିତ ହୋଇ ନିଜ ପ୍ରିୟା ଘରକୁ ଯିବା କଣ କମ୍ ଭାଗ୍ୟର କଥା ।

 

ମଧ୍ୟବିତ ଶ୍ରେଣୀର ରାଜକୁମାର ପକ୍ଷରେ ଅତି ଆନନ୍ଦର ଦିନ ଏଇଟା । ମୁଣ୍ଡରେ ମୁକୁଟ ଜୀବନରେ କେତେଥର ଆସେ । ସେ ପୁଣି ମଧ୍ୟବିତର ଭାବ ପ୍ରବଣମୟ ଜନ୍ତୁମାନଙ୍କର । ମୁରାରୀ ବାହାରିଲା ମୁଖରେ ତାର ଗୋଟିଏ ଜଳନ୍ତା ସିଗାରେଟ ।

 

ମୁଁ କହିଲି ‘‘ଶାଢ଼ୀଟା କିମିତି ହେବ ?’’

 

ସେ କହିଲା ନରଗିସ୍ ଯେଉଁ ‘ଆଧିରାତ୍’ରେ ପିନ୍ଧିଥିଲା ବା ନଳିନୀ ଜୟନ୍ତ ‘ଯାଦୁ’ରେ ।

 

ମୁଁ ମୁଣ୍ଡ କୁଣ୍ଡାଇଲି ଆଉ ଭାବିଲି, ମୁରାରୀ କଳ୍ପନା ସ୍ରୋତରେ ଭାସୁଛି ।

 

‘‘ସାବୁନ ?’’

 

‘ଲକ୍‍ସ’ କାରଣ ସୁରେୟା ବ୍ୟବହାର କରି ତାର କାନ୍ତି ବୃଦ୍ଧି କରିଛି ।

 

‘‘ଦର୍ପଣ ?’’

 

‘‘ଫୋର କୋନ୍ଡ଼ ଉଆନ୍’ କାରଣ ମୁଁ ଦେଖିଛି ‘ପ୍ୟାର’ରେ ନରଗିସ୍ ବ୍ୟବହାର କରିଛି-। ପେ ବୋଲୋ ନେରଦାର ଛବି ପରି ବାସନ୍ତୀର ମୁଖ ଛବି ହୋଇ ଉଠିବ ।

 

‘‘କାନ ପାଇଁ ?’’

 

‘‘ଗୀତାବାଲି ଯେମିତି ଲଗାଇଥିଲା ସେମିତି ।’’

 

‘‘ପାନିଆଁ ବୋଧହୁଏ ଯେମିତି ବିଟନିସ୍ ବ୍ୟବହାର କରେ ?’’ ମୁଁ କହିଲି ।

 

‘‘ଅଳତା ?’’

 

‘‘ତା କିଣା ହେବ ନାହିଁ । ତାହା ମୋର ବୁକୁ ରକ୍ତରୁ ତିଆରି ହେବ ।’’

 

ମୁଁ ପ୍ରମାଦ ଗଣି ଆଉ କହିଲି–ମୁରାରୀ, ନିଜ ବୁକୁର ରକ୍ତ ଅଳତାରେ ବାସନ୍ତୀର ଚରଣ ରଞ୍ଜିତ କରିବୁ ବଡ଼ ଆଶ୍ଚର୍ଯ୍ୟର କଥା ।

 

ମୁରାରୀ କହିଲା–‘‘ଭଲପାଇବା ସାଧାରଣ କଥା ନୁହେଁ ରମେଶ ! ମୁଁ ତାକୁ ଯେ ପ୍ରାଣ ଦେଇ ଭଲ ପାଏଁ ! ଆଉ ପ୍ରାଣଟାତ ପୁଣି ରକ୍ତରେ ତିଆରି ।’’

 

ଶାଢ଼ୀ ଦୋକାନରେ ଆମେ ପହଞ୍ଚିଲୁଁ । ମୁଁ କିଛି ପଚାରିବା ଆଗରୁ ମୁରାରୀ ପ୍ରଶ୍ନ କଲା ‘‘ଅଭିନେତ୍ରୀ ମନୋରମା ତମର କେଉଁ ଶାଢ଼ୀଟା ପିନ୍ଧେ ?’’

 

ଦୋକାନୀ ସାଙ୍ଗେ ସାଙ୍ଗେ ଦେଖାଇ ଦେଲା ସେହି ଖଣ୍ଡିକ ଯେଉଁଟା ସବୁଠାରୁ ବେଶୀ ଦାମୀ ।

 

ମୁରାରୀ ମୋତେ ପଚାରିଲ ‘‘ସୁନ୍ଦର ନୁହେଁ ରମେଶ ?’’

 

ମୁଁ କହିଲି–ହଁ ନିଶ୍ଚୟ ! ଯେତେବେଳେ ତୋର କଳ୍ପନା ରାଇଜର ପରୀ ଅଭିନେତ୍ରୀ ମନରମାକୁ ଭଲ ଲାଗିଛି ସେତେବେଳେ ତୁ ଆଉ ମୁଁ ତ ଛାର । ତେବେ ଗୋଟିଏ କଥା ମୁରାରୀ, ଦାମଟା ପଚାରିଲୁଁ ।

 

ମୁରାରୀ ପଚାରିଲା ‘‘ଦାମ ।’’

 

ଦୋକାନୀ କହିଲା–ଆପଣଙ୍କୁ ଆଉ କ’ଣ କହିବି ବାବୁ ଯେତେହେଲେ ଆପଣ ଘରୁଆ ଲୋକ; ଦାମ ହେଉଛି କେବଳ ତିନିଶ ପଚାଶ ଟଙ୍କା ତା ଉପରେ ସେଲଟେକ୍ସ ।

 

ମୁରାରୀ ମୁହଁରେ ଆଷାଢ଼ ଆକାଶର ଆଲେଖ୍ୟ । ମୂରାରୀ ନିରୁତ୍ତର ମୁଁ କିନ୍ତୁ ହସି ଉଠିଲି ।

 

ମୁରାରୀକୁ କହିଲି ଚାଲ ପରେ କିଣିବା ଯେତେହେଲେ ଦୋକାନୀ ଘରୁଆ ଲୋକ ଆଉ ଆମ ସମ୍ବଲପୁରରେ ଷ୍ଟୁଡ଼ିଓ ବି ନାହିଁ ଯେ ଆଉ କିଏ ଅଭିନେତ୍ରୀ ଆସି ହଠାତ୍ କିଣି ନେଇଯିବ ।

 

ତିନିଶତ ପଚାଶ ଟଙ୍କାର ଶାଢ଼ୀଟାକୁ କିଣିବାକୁ ଆମ ସମ୍ବଲପୁରରେ କେହି ନାହାନ୍ତି । ଯାହା ମନୋରମା ପିନ୍ଧେ, ବାସନ୍ତୀ ପିନ୍ଧିବା ଉଚିତ ।

 

ମୁରାରୀ କହିଲା ‘‘ଏତେ ଟଙ୍କା କିନ୍ତୁ ମୋର କାହିଁ ? ମୁଁ ତ କେବଳ ଶହେଟି ଟଙ୍କା ଧରି ଘରୁ ପଦାକୁ ଆସିଛି ।’’

 

ବାକି ସବୁ କିଣା ହେଲା କେବଳ ଶାଢ଼ୀଟା ଛାଡ଼ି । ମୁଁ କହିଲି ‘‘ମୁରାରୀ ଶାଢ଼ୀଟା ମୁଁ କିଣି ଦେଉଛି । ତୁ ଆଉ ମୁଣ୍ଡ ଘୂରାନା ।’’

 

ମୁରାରୀ କହିଲା ‘‘ରମେଶ ! ଖାଲି ଶାଢ଼ୀଟା କିଣିଲେ କଣ ହେବ ଆଉ କେତେ ଜିନିଷ କିଣିବାକୁ ହେବ ।’’

 

ମୁଁ କହିଲି ‘‘ତେବେ ଖର୍ଚ୍ଚଟା ପକେଟକୁ ଚାହିଁ ହେବ ନା ଖାଲି କଳ୍ପନାର ମୁଦ୍ରାରେ ହେବ-।’’

 

ମୁରାରୀ କହିଲା–ନାଁରେ ରମେଶ, ମୁଁ କାଲି ମା ଶୋଇଥିଲା ବେଳେ ପଚାଶଟି ଶଙ୍କା ନେଇ ଆସିଛି ।

 

ମୁରାରୀ ବିଚାରା ଅନ୍ୟ ଉପାୟ ନ ଦେଖି ଶେଷରେ କିଛି ଟଙ୍କା ମା’ଙ୍କ ହାତ ବାକ୍ସରୁ ହରଣଚାଳ କରିଛି । ତେଣୁ ପଚାରିଲି ‘‘କଣ କଣ ଆଣିବାକୁ ହେବ ।’’

 

ସିଏ କହିଲା–ହଳେ ଲେଡ଼ିଜ ସେଣ୍ଡୋଲ ବା ହାଇହିଲ ଜୋତା, ଲିପଷ୍ଟିକ, ଏସେନ୍‍ସ, କେତେଖଣ୍ଡ ଛୋଟ ଓ ଚକ୍‍ଚକିଆ ହାତ ରୁମାଲ, ନେଲପଲିସ୍, ରୁଜ୍, ବଡ଼ିସ୍ ।

 

ମୁଁ କହିଲି–ବଡ଼ିସ୍ ମୁଁ କିଣିବି, ସେ ଫେର ତୋର ସ୍ତ୍ରୀର କିନ୍ତୁ ମାପଟା ମୋର ଧାରଣାର ବାହାରେ, ତଥାପି ବୟସଟା କେତେ ?

 

ସିଏ କହିଲା–ସୁଇଟ୍ ସିକ୍‍ସଟିନ୍ ।

 

ମୁଁ କହିଲି–ଦେହଟା ପୃଥୁଳ ନା ଅମାଂସଳ ।

 

ସେ କହିଲା–‘ଉଭୟ’ ।

 

ମୁଁ କହିଲି–ମୁଁ ବଡ଼ିସ୍ ଆଣିଦେବି, ଯଦି ସାନ ହୋଇଯାଏ କି ବଡ଼ ହୋଇଯାଏ ଦୋଷ ଦେବୁନି ।

 

ମୁରାରୀ ହସି ହସି କହିଲା–ହେମ କମଳ ମଥା ଟେକିଛି ।

 

ମୁଁ କହିଲି–ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁରୁ କିଛି କହିବି ।

 

ମୁରାରୀ ମୋ ପାଟିରେ ହାତ ଦେଇ କହିଲା–ମୋର ସ୍ତ୍ରୀ ସମ୍ମାନରେ ବାଧା ପଡ଼ିବ ।

 

ଶଳା ବନ୍ଧୁର ଆଦେଶାନୁଯାୟୀ ତାର ସମସ୍ତ କିଣିଦେଲି । ସବୁଠୁଁ ଦାମିକା ଯାହା କିଣିଥିଲି ସେଇଟା ହେଉଛି ବାସନ୍ତୀ ଦେବୀଙ୍କ ବଡ଼ିସ୍ । ମଖମଲ କନାରେ ପ୍ରସ୍ତୁତ ।

 

ବିଜୁଳି ଆଲୁଅ ତଳେ ଝିକ୍‍ମିକ୍ ଦିଶିବ । ଆଷାଢ଼ର ବିଦ୍ୟୁତ୍ କ୍ଷଣେ ଚାହିଁ ରହିବ ।

 

ମୁଁ କହିଲି–ଆଚ୍ଛା ମୁରାରୀ ମୋର ଗୋଟିଏ ଉପହାର ତୋର ବାସନ୍ତୀକୁ ଦେବି ଗୃହିତ ହେବ ତ ।

 

ମୂରାରୀ କହିଲା–ବନ୍ଧୁର ଦାନକୁ କି ମୋର ଜୀବନର ବାନ୍ଧବୀ, ବୁକୁର ଛବି, ମନରମାନ ଗ୍ରହଣ ନ କରି ରହିବେ । ମୁଁ ତା ହାତକୁ ବଢ଼ାଇ ଦେଲି । ‘ବିବାହ ପରେ’ ବହିଟି ।

 

ମୁରାରୀର ମୁହଁରେ ନୂତନ ସୂର୍ଯ୍ୟର ଦୀପ୍ତି ।

 

ମୁଁ କହିଲି–ବିବାହରେ ଯଦି କିଛି ବାସ୍ତବତା ଥାଏ ତେବେ ଏଇଆ । ମନଟା ଥାଏ ବିବାହର ପୂର୍ବେ; ପରେ ଆସେ ଦେହ । ମୂରାରୀ ବହିଟାକୁ ଫେରାଇ ଦେଇ କହିଲା–ତାଙ୍କୁ ଲଜ୍ଜା ଲାଗିବ ।

 

ମୁଁ କହିଲି–ବେଶ ବିବାହ ପରେ ଏଇଟାକୁ ଦେବି ।

 

(୧୫ଶ ବର୍ଷ ୫ ସଖ୍ୟା ଡ଼ଗରରେ ପ୍ରକାଶିତ ।)

✾✾✾

 

ପଞ୍ଚାୟତ

 

ଖଗା ଆଉ ବଗା ଭିତରେ ଲଢ଼େଇ । ଖଗା ମୁଦୈକୁ ବର୍ଗା ମୁଦଲା । ଗାଁର କଚେରୀରେ ଫଏସଲା ହେବ । ଗାନ୍ଧୀ ବାପାଙ୍କ କରୁଣାରୁ ଆଉ ସଦର କଚେରୀକୁ ଯିବା ଆସିବା କଥା ନାହିଁ । ସବୁକଥା ଗାଁରେ ପୁଟ୍‍ପାଟ ଛିଡ଼ିଯିବ । ଗାଁର କଚେରୀ ଘର ହେଲା ଭାଗବତ ଟୁଙ୍ଗୀ । ସନ୍ଧ୍ୟାରେ ହୁଏ ହରି ଚର୍ଚ୍ଚା, ଦିନରେ କଚେରୀ । ଆଉ ଆଉ ଦିନମାନଙ୍କରେ ବସେ ତାସ ସତରଞ୍ଜୀ ଆଉ ପଶା । କଚେରୀର ମାଜିଷ୍ଟର ହେଲେ ଘୁଟୁଲୁ ମାହାନ୍ତିଏ । ଘୁଟୁଲୁ ମାହାନ୍ତିଏ ସରପଞ୍ଚ ହେବା ଆଗରୁ ଥିଲେ ଜଣେ ଟାଉଟର । ତାଙ୍କୁ କଚେରୀ ହତା ମାଡ଼ିବାକୁ ମନା ଥିଲା । ଆଉ ସେହି ବୁଦ୍ଧିବଳେ ସେ ଆଜି ସରପଞ୍ଚ । ପାଖରେ ତାଙ୍କର ଆଉ ଦୁଇଜଣ ମାଜିଷ୍ଟର । ତାଙ୍କରି ପଡ଼ୋଶୀ ଭାଇ ଦିଓଟି । ନାମରେ ମାଧୁର୍ଯ୍ୟ ଅଛି । ତେଣୁ ଲେଖିଲି ଜଣକର ନାମ ‘ଗରଜୁ’ ଓ ଆର ଜଣକ ‘ଶିରପନ୍ତି’ । ଟାଉଟର ଘୁଟୁଲୁ ମହାନ୍ତିଙ୍କ ଅପାର କରୁଣାରୁ ଏ ଦୁଇଜଣ ଆଜି ବେଞ୍ଚିଆ (Bench) ବନ୍ଧୁ । ଟାଉଟରେ ଘୁଟୁଲୁ ଯାହା କହନ୍ତି, ସେଇଆ ହେଲା ହାଇକୋର୍ଟ ଡ଼େସନ (Decision) । ଆଉ ସେ ବି ବଡ଼ ବଡ଼ ବହି ପଢ଼ିଚନ୍ତି । ସେ ବହି ପଢ଼ନ୍ତୁ କି ନ ପଢ଼ନ୍ତୁ ଓକିଲ ବାବୁଙ୍କ ପଛେ ପଛେ ଅନେକ ଗୁଡ଼ିଏ A.I.R. ବହି ଧରି ନେଇ ଯାଉଥିବା ଲୋକେ ଦେଖିଛନ୍ତି । ଜ୍ଞାନୀ ଲୋକମାନେ କହନ୍ତି, ଘୁଟୁଲୁ ଲୋକଟା ବୁଦ୍ଧିମାନ୍ । ଏମିତି ଅନେକ ବି କହିଛନ୍ତି ଯେ ଘୁଟୁଲୁଟା ହେଲା ବୁଦ୍ଧିର ଡଙ୍ଗା, ମକଦ୍ଦମା ଭବସାଗର ପାରି ହେବାକୁ । ଘୁଟୁଲୁ ବାବୁଙ୍କୁ ଆଇନ ଅଦାଲତ ବାରଣ କରିବାକୁ ସରକାରଙ୍କ କୃପାରୁ ସେ ଆଜି ଘରେ କରିଛନ୍ତି ଅଦାଲତ । ଏ ଅଦାଲତରେ ମାଲିକ ଖୋଦ୍ ନିଜେ । ଘୁଟୁଲୁବାବୁ ଭାରି ନ୍ୟାୟବନ୍ତ ପୁରୁଷ । ସେ କହନ୍ତି ତାଙ୍କ ଅଦାଲତ ଗୋଟିଏ ପୁରାପୁରି ନନସେନସ୍ (Sessin) କୋର୍ଟ । ମାନେ ଏହି ଅଦାଲତରେ ତିନିଜଣ ଯୋଡ଼ି Jury ର (ଗୋପାଳ ବାବୁଙ୍କୁ ଧନ୍ୟବାଦ) ରହିବେ । ଯୋଡ଼ି ଅର୍ଥ ଘୁଟୁଲୁ ବାବୁଙ୍କ ବ୍ୟାଖ୍ୟାରେ ହେଲା ‘ଯେ ଯୋଡ଼ ଚଳାଏ’ ଯୋଡ଼ କିଏ ଚଳାଏ ? ଯୋଡ଼ ବଳଦକୁ ଆଗରେ ରଖି ଯେ ହାଙ୍କିଯାଏ ସେ ହେଲା ଯୋଡ଼ି । ଘୁଟୁଲୁବାବୁ ଯେତେବେଳେ କଚେରୀରେ ବସନ୍ତି ତାଙ୍କ ତିନିଜଣ ହକିଆ । ହଳିଆମାନେ ତ ପୁଣି ଯୋଡ଼ି ବଳଦ ଚଳାନ୍ତି ।

 

ଘୁଟୁଲୁବାବୁ ବସିବା ଠାଣି ବି ଟିକିଏ ବଖାଣି ଦିଏଁ । ନ ହେଲେ ଏ କାହାଣୀଟା ଡଗରୀୟ ହେବ ନାହିଁ । ଘୁଟୁଲୁବାବୁ ଦେଖିଛନ୍ତି ମାଜିଷ୍ଟ୍ରେଟ ଗୁଡ଼ା ଟିକିଏ ଉପରେ ବସନ୍ତି । ତେଣୁ ସେ ବି ସେ ସମସ୍ୟାର ସମାଧାନ କରିଛନ୍ତି । ଅଦାଲତ ଆରମ୍ଭ ହେବା ଆଗରୁ ଗୋଟିଏ ଖଟ ଅଦାଲତ ମଝିରେ ଥୁଆ ହୁଏ ତା ଉପରେ ଗୋଟିଏ କାଠବାକ୍ସ ଥୁଆ ହୁଏ । ପୁଣି ସେହି କାଠବାକ୍ସର ଚାରିଆଡ଼େ ଦିଆହୁଏ ଗୋଟିଏ ଲାଲରଙ୍ଗର ସାଲ୍‍କନା । ତାଙ୍କ ସାମନାରେ ଥାଏ ଗୋଟିଏ ମଶିଣା ଯେଉଁଠି ଗାଁ ଚଉକିଆ ଆଉ ଘୁଟୁଲୁବାବୁଙ୍କ ପୁଅ ବସନ୍ତି । ଗାଁ ଚଉକିଆକୁ ଘୁଟୁଲୁ ବାବୁ କହନ୍ତି ‘ପି,ପି’ ମାନେ Public Prosecation ଆଉ ତାଙ୍କ ପୁଅ ‘ଆଡ଼ବୋକତା’ (Advccate) । ସବୁ ମକଦ୍ଦମାରେ ତାଙ୍କ ପୁଅହିଁ ମୁଦାଲା । ‘ଦୋଷୀ’ ଆଡ଼ବୋକତା ହୋଇ ତା ତରଫ କଥା କହନ୍ତି ନା ‘ଶ୍ରୀ ରାହାଜାନୀ ମହାନ୍ତିଏ’ ତାଙ୍କ ବୟସ ଅନ୍ଦାଜ ୨୧ ବର୍ଷ । ଇଂରାଜୀ ବିଦ୍ୟା ନବମ ଶ୍ରେଣୀ ଯାଏ । କ୍ଷେତ ଖମାରକୁ ବଡ଼ ଜୋର ଯାଏ ନାହିଁ । କାହିଁକି ବା ଯିବ ? ଘୁଟୁଲୁ ମହାନ୍ତି ବାହାଦିନ ପ୍ରତିଜ୍ଞା କରିଥିଲେ ତାଙ୍କ ପୁଅକୁ ଓକିଲଟାଏ କରାଇବେ । ଭଗବାନଙ୍କ ଇଚ୍ଛା ଅଧାଅଧି ପୁରା ହୋଇଛି । ପୁଅ ସଦର ଓକିଲ ନ ହୋଇ ଗାଁ ଅଦାଲତରେ ହୋଇଛି ଅଧିବ୍ୟକ୍ତା (Advccate) । ହେଲେ ଓକିଲ ନ ହୋଇ ଅଧିବ୍ୟକ୍ତା କିଆଁ ? ଓକିଲ ନାଁଟା ଗାଁ ଲୋକଙ୍କୁ ହସାଇ ଥାଆନ୍ତା ସିନା କାମ କଅଣ ହୋଇଥାଆନ୍ତା ? ଅଧିବ୍ୟକ୍ତା ବୋଇଲେ ଲୋକ ବୁଝନ୍ତି ‘ସାରୁ’ । ସରପଞ୍ଚକୁ ଯେମିତି ଲୋକେ କହନ୍ତି ସରପଞ୍ଚ । ସେମିତି ଅଧିବ୍ୟକ୍ତାଟା ଅର୍ଥ କଣ ଗାଁ ଲୋକଙ୍କର ଏ ଭାଗଚାଷ ଆଇନ ଦିନରେ ଭାବିବା ପାଇଁ ବେଳ କାହିଁ ? ଅଧିବ୍ୟକ୍ତା–ହେବ ଅବା ।

 

ଗାଁଟାଙ୍କର ହେଲା ଅଦାଲତର ପିଆଦା । ଇଏ ଡାକେ ମୁଦୈ ମୁଦାଲାଙ୍କୁ । ଭାଗବତ ଟୁଙ୍ଗିର (ଅଦାଲତର) ବାହାରେ ବସିଥାଏ ଝାଙ୍କର । ଘୁଟୁଲୁ ମହାନ୍ତି ଏ ଅଦାଲତକୁ ଆସିଲା ମାତ୍ରକେ ଜୁହାର ବଜାଏ । ଘୁଟୁଲୁ ମହାନ୍ତି ଏ ନମସ୍କାର ଗ୍ରହଣ କରନ୍ତି ମୁଣ୍ଡଟୁଙ୍ଗାରି । ଘୁଟୁଲୁ ମହାନ୍ତିଙ୍କ ସାମନାରେ ବିଡ଼ି ଟାଣିବା ମନା । ଏମିତି କଲେ ସେ ଫାଇନ କରି ପକାନ୍ତି । ତେଣୁ ବିଡ଼ିଆମାନେ ବିଡ଼ିଟା ତାଙ୍କ ପଛପଟେ ଟାଣନ୍ତି । ମୁଦୈ ମୁଦାଲା ଛିଡ଼ା ହେବା ପାଇଁ ତିନୋଟି କରି ଖଟ ଏମିତି ଭାବରେ ସଜଡ଼ା ହୋଇଥାଏ, ଯାହା ଠିକ୍ ‘ଡକ୍’ ପରି ଦିଶେ । ତାଙ୍କ ପୁଅ ଘୋଡ଼ି ହୋଇଥାଏ ଗୋଟିଏ କଳା ଚାଦର । ସେଇଟାକୁ ଚାଦର କହିବାକୁ ତାଙ୍କ ପୁଅ ମନା କରିଛନ୍ତି । ତାହାକୁ ଲୋକେ କହନ୍ତି ‘ଗାଇନ’ । ମାନେ ଗାଇନ ନ ପିନ୍ଧିଲେ ଆଇନ ଗାଇ ହୁଏ ନାହିଁ । ନିହାତି ଚାଦର ନ ପାଇଲେ କଳା ଲୁଙ୍ଗି ଚଳିଯାଏ ଆଦିବକ୍ତା ଧରି କରି ଆସିଥାନ୍ତି । ରାମାୟଣ ଓ ମହାଭାରତରେ ପଟା ବନ୍ଧା କିତାପ ଯାହା କାଢ଼ି ସେ ବହସ କରନ୍ତି । ସେ ବହି ଗୁଡ଼ାକ ରାମାୟଣ କି ମହାଭାରତ ନୁହେଁ, ତାହା ହେଉଛି ସରପଞ୍ଚଙ୍କ ଭାଷାରେ ବାୟୁକାଣ୍ଡ (A.I.R.) । ଥରେ ସରପଞ୍ଚ ତାଙ୍କ ଭାଗଦାର ଓକିଲଙ୍କୁ ପଚାରିଲେ ‘‘ଆଜ୍ଞା ଏ ସବୁ ବହିକୁ କଣ କହନ୍ତି ?’’ ଓକିଲ ବାବୁ ହସି ହସି କହିଲେ ‘ଏହାକୁ କହନ୍ତି ଏଆର’ । ‘ଏଆର’ର ଅର୍ଥ ସରପଞ୍ଚଙ୍କ ପୁଅ ଅର୍ଥ କଲେ ପବନ–ବତାସ ବାୟୁ । ପଟା ବନ୍ଧା ହୋଇଥିବାରୁ ତାହାହେଲା ବାୟୁଖଣ୍ଡ । ବାୟୁଖଣ୍ଡ ଭିତରେ ଏଣେ ତେଣେ ଅନେକ ଗୁଡ଼ିଏ ଧଳାକାଗଜ ଗୁଞ୍ଜା ଉକ୍ତ ଜାଗା କାଢ଼ି ତାଙ୍କ ପୁଅ ବହସ କରନ୍ତି ।

 

ପୁଅଙ୍କ ଆଖିରେ କଳା ଆଠଅଣିଆ ଗଗଲସ ଚଷମା । ଚଷମାପିନ୍ଧା ଓକିଲ ପୋଖତା ଓକିଲ; କାରଣ ସେ ପଢ଼ି ପଢ଼ି ଅନ୍ଧ ହେବାକୁ ଯାଉଛନ୍ତି । ପୁଅର ଚଷମାପିନ୍ଧା ଦେଖି ସରପଞ୍ଚ କହନ୍ତି–ତାଙ୍କ ପୁଅ ଆଇନ୍ ପଢ଼ି ପଢ଼ି ଅନ୍ଧା ହେବାକୁ ବସୁଛି । ଗାଁର ସ୍କୁଲମାଷ୍ଟ୍ରେ ସ୍କୁଲ ସରପଞ୍ଚଙ୍କ ବେଞ୍ଚ କ୍ଲର୍କ । ସେ ବସନ୍ତି ସରପଞ୍ଚଙ୍କ ବାଁ ଆଡ଼େ ଲେଖାପଢ଼ା ସବୁ କରନ୍ତି । ଆଉ ସେ ସରପଞ୍ଚ ଘରେ ଖବର ରଖନ୍ତି । କିଏ କେତେ ଧାନ କରଜ ନେଲା, କିଏ ସୁଝଟ ଦେଲା, କା ଉପରେ କେତେ କରଜ ଅଛି–ସବୁ ହିସାବ ମାଷ୍ଟ୍ରେ ରଖନ୍ତି । ସ୍କୁଲର ଘଣ୍ଟାଟା ଅଦାଲତରେ ଆସି ପହଞ୍ଚେ । ଘଣ୍ଟା ଉପରେ କାଠର ହାତୁଡ଼ି ବାଡ଼େଇଲେ ସେଇଟା କଲିଂ ବେଲର କାମ ଦିଏ । ଅଦାଲତରେ ପହଞ୍ଚିବା ମାତ୍ରେ ସରପଞ୍ଚ ଘଣ୍ଟାରେ ଥରେ ବାଡ଼ାନ୍ତି । ସାଙ୍ଗେ ସାଙ୍ଗେ ଝାଙ୍କର ଆସି ଉପସ୍ଥିତ । ବେଞ୍ଚ କ୍ଲର୍କକୁ ଡାକ–ହୁକୁମ୍ ହୁଏ ।

 

ବେଞ୍ଚ କ୍ଲର୍କ ବାଁ ପାଖରେ ଅତି ନିକଟରେ ବସିଥିଲେ ମଧ୍ୟ ନିଜେ ନ ଡାକି ଝାଙ୍କର ଦ୍ୱାରା ଡକାନ୍ତି । ବେଞ୍ଚ କର୍କ ବି ସରପଞ୍ଚଙ୍କୁ ନମସ୍କାର କରି ବସନ୍ତି ଫାଇଲ ପତର । ସରପଞ୍ଚ ଦସ୍ତଖତ ଦେବେ । ଦୃଶ୍ୟ ଚାଲେ–

 

ସରପଞ୍ଚ–ମଧୁଆର କରଜ ଧାନ ସୁଝିବା ଦିନ କେବେ ?

 

ବେଞ୍ଚ କ୍ଲର୍କ–୭।୫।୫୫

 

ସରପଞ୍ଚ–ଆଚ୍ଛା କାଲି ଖବର ଦିଅ ।

 

ସରପଞ୍ଚ–ଦସ୍ତଖତ ଦିଅନ୍ତି ।

 

ସରପଞ୍ଚ–ରାଧୁ ଝିଅ ବାହାଘର ହେବ ପରା ? ସେ ଟଙ୍କା ଧାର କାହାଠୁ ନେଲା ଟିକିଏ ଖବର ନିଅ ।

 

ମାଷ୍ଟ୍ରେ (ବେଞ୍ଚକ୍ଲର୍କ)–ଆଜ୍ଞା–

 

ସରପଞ୍ଚ–ଦସ୍ତଖତ ଦେଉଛନ୍ତି ।

 

ସରପଞ୍ଚ–ହରିଆ ତା ଜମି ବିକୁଥିଲା ପରା ?

 

ମାଷ୍ଟ୍ରେ–ଆଜ୍ଞା, ହଁ ସେ ଏଇ ଗଣିଆକୁ ବିକୁଛି ।

 

ସରପଞ୍ଚ–ଷ୍ଟେ କରାଅ, ଷ୍ଟେ କରାଅ । ସରପଞ୍ଚ ଦସ୍ତଖତ ଦେଲେ ।

 

ସରପଞ୍ଚ–ମୋ ପୁଅ ଶ୍ରୀ ରାହାଜାନି ମହାନ୍ତିର ଶଶୁର ପାଖକୁ ସମନ ପଠାଅ, ବାହାଘର ଶୀଘ୍ର କରନ୍ତୁ ନହେଲେ ଓ୍ୱାରଣ୍ଟ ଯିବ ।

 

ମାଷ୍ଟ୍ରେ–ଆଜ୍ଞା ହଁ ।

 

ସରପଞ୍ଚ–ପୁଣି ଗାର ମାରିଲେ । ଫାଇଲ କାମ ସରିଗଲା । ବେଞ୍ଚ କ୍ଲର୍କ ଆପଣା ଜାଗାରେ ବସିଲେ ।

 

ସରପଞ୍ଚ କହିଲେ–କେସ୍ ଆଫଟାର ଲାଞ୍ଚ (Lunch) ସରପଞ୍ଚ ଚାଲିଗଲେ । ଘର କଣରେ ଗୋଟିଏ ଖଟ ପଡ଼ିଥିଲା । ସେହି ଖଟ ଉପରେ ବସି ଗଞ୍ଜାଇ ରଗଡ଼ିବାକୁ ଲାଗିଲେ । ଗଞ୍ଜାଇରେ ନିଆଁ ଲଗାଇ ଦୁଇ ତିନି ଥର ଦମମାରି ପୁଣି ଅଦାଲତରେ ହାଜର ହୋଇ–ଖଗା ବନାମ ବଗା–କେସଟାକୁ ଧରି ବସିବାକୁ ଯାଇ ଘଣ୍ଟାରେ ଠଣ୍ କରି ଥରେ ପିଟିଲେ । ଝାଙ୍କର କହିଲା ।

 

ବେଞ୍ଚ କ୍ଲର୍କ କହିଲେ–ଖଗା ଓ ବଗାଙ୍କୁ ଖବର ଦିଅ । ଖଗା ଆଉ ବଗା ହାଜର ହେଲେ-। ଖଗାକୁ ସରପଞ୍ଚ କହିଲେ–ତୁମ୍ଭେ ତୁମ୍ଭର ଓକିଲକୁ ଡାକ । ଓକିଲ ଏତେବେଳଯାଏ ବାରରେ ଗଞ୍ଜେଇ ଟାଣୁଥିଲେ । ଓକିଲ ଆସି ହାଜର । P.P. ଚଉକି ଆସି ହାଜର । ଯୋଡ଼ି ମଧ୍ୟ ନିଜ ନିଜ ସ୍ଥାନ ଅଳଂକୃତ କଲେ । କିନ୍ତୁ କେସ୍ ଜୁନକୁ ଏଡ଼ଜୋରନ୍ ହୋଇଗଲା । ଖଗା କହିଲା ‘‘ଓକିଲ ବାବୁ ଓକିଲ ଫିସ୍ ଆଠଅଣା ମୋତେ ଫେରାଇ ଦିଅନ୍ତୁ ।

✾✾✾

 

ସାବିତ୍ରୀ ଅମାବାସ୍ୟା

 

ଅମାବାସ୍ୟାର ସାତଦିନ ଆଗରୁ ଗୃହିଣୀଙ୍କ ଆଦେଶ ହେଲା, ଷାଠିଏ ଟଙ୍କାର ଶାଢ଼ୀ ନ ହେଲେ ସେ ଭାତ ଖାଇଦେବେ । ଭାତ ତ ଭାତ ଭାତ ସାଙ୍ଗେ ମାଉଁସ ଝୋଳ ବି । ପତିର ଦୀର୍ଘାୟୁ ହେବା ଚୁଲିକି ଯାଉ କି ତାଙ୍କ କାଚରେ ବଜ୍ର ପଡ଼ୁ । ସେ କାହିଁକି ପରବାଏ କରିବେ ? ନୁଆ ବିବାହ ବିଧି କହୁଛି ‘ପୁନଃ ପତି ନ ଦୋଷାୟ’ । ଆମ ଗୃହିଣୀ ଜଣେ ଓକିଲଙ୍କ ଭଉଣୀ । ତେଣୁ ଆଇନ କାଢ଼ି, ମୋ ବିବାହରୁ ଚୋପା ଛଡ଼ାଇବାରେ ସେ ବଡ଼ ତତ୍ପର । ତେବେ ସେ ଭୁଲି ଯାଉଛନ୍ତି ଯେ ସତୀତ୍ୱ ବଘାରିଲେ ବି ସେ ଦିନେ ଲୋକେ ସଜ ମାଉଁସରେ ପୋକ ପକାଇ ଦେବେ । ତଟକାକୁ ବାସି କହିଦେବେ ।

 

ଶାଢ଼ୀର ଫରମାସ ମାପରେ ମୋ ପ୍ରତି ତାଙ୍କ ଶରଧାର ଗଭୀରତା କେତେ ଫୁଟ, କେତେ ଇଞ୍ଚ, ସେ କଥା ମୁଁ କଳନା କରିନେଲି ।

 

‘‘ମୋଟେ ଷାଠିଏ ଟଙ୍କା ।’’

 

‘‘ଦେଖ, ହୁସିଆର । ଶାଢ଼ୀର ରଙ୍ଗ ମୋ ମନ ମାଫିକ୍ ନ ହେଲେ ସେ ଶାଢ଼ୀ ଜାଳି ତୁମକୁ ଚାହା ଦେବି । ମୁଁ ମହାଚଣ୍ଡୀ, ଜାଣ ତ ?’’ ସ୍ତ୍ରୀ କହିଲେ ।

 

ଚଣ୍ଡୀ ସିନା ପୋଥି ପୁରାଣରେ କେହି ପଢ଼ିଥିବେ । ମୁଁ ତ ସାକ୍ଷାତ ଚଣ୍ଡୀଙ୍କ ଅଙ୍ଗଲାଗି ଭୃତ୍ୟ । କିନ୍ତୁ ସେ ଚଣ୍ଡୀ କପଡ଼ା ପିନ୍ଧନ୍ତି ନାହିଁ, ମହାଦେବଙ୍କ କପାଳଟା ଭଲ । ଆମ ଚଣ୍ଡୀ କପଡ଼ା ବି ପିନ୍ଧନ୍ତି । ତେଣୁଁ ମୁଁ ତୁଳନାରେ ମହାଦେବଙ୍କଠୁଁ ଟିକିଏ ଉଚ୍ଚରେ ।

 

ମହାଦେବଙ୍କ ଚଣ୍ଡୀ ସିଂହବାହିନୀ କିନ୍ତୁ ଆମ ଚଣ୍ଡୀ ମଣିଷ ବାହିନୀ ଏହା ଅର୍ଥ ଯେପରି ମୋ ଉପରେ ସେ ଚଢ଼ନ୍ତି ବୋଲି କେହି ନ ଭାବନ୍ତି । ସେ ସଦା ସର୍ବଦା ରିକ୍ସାରେ ଚଢ଼ନ୍ତି । ମହାଦେବଙ୍କ ଚଣ୍ଡୀ ନିଶାଚରୀ, କିନ୍ତୁ ଆମ ଚଣ୍ଡୀ ଦିବାଚରୀ ଓ ନିଶାଚରୀ ଉଭୟ । ଦିବାରେ ଆମ ଚଣ୍ଡୀ ଘର ଘର ବୁଲନ୍ତି ବନ୍ଧୁବାନ୍ଧବ ଘରକୁ ଯାଆନ୍ତି, ଆଉ ନିଶାରେ ସିନେମା ଘରେ ଢୁଳାନ୍ତି । ମହାଦେବଙ୍କ ଚଣ୍ଡୀ ବହୁ ମସ୍ତକ ମାଳିନୀ । ଆମ ଚଣ୍ଡୀ ଏକ ମସ୍ତକ ମାଳା । ମୋ ଫଟର ଲକେଟଟିଏ ସଦାସର୍ବଦା ତାଙ୍କ ହୃଦୟରେ ଝୁଲୁଥାଏ ।

 

ଶାଢ଼ୀର ରଙ୍ଗ, ଧଡ଼ି, ଡିଜାଇନ୍ କିପରି ହେବ–ଉଠିଲା ପ୍ରଶ୍ନ, ସ୍ତ୍ରୀ ଉତ୍ତର ଦେଲେ–‘‘ଏତିକି ବୁଦ୍ଧି ତୁମର ନାହିଁ ? ଅଧ୍ୟାପକ କଣ ହୋଇଛ ହେ ? ଶାଢ଼ୀ ଯାହାକୁ କିଣି ନ ଆସେ ସେଇଟା ଗୋଟାଏ ଅପଗଣ୍ଡ । ତାକୁ ବାହା ନ ହୋଇ ଘରେ କୁମାରୀ ହୋଇ ରହିଥିଲେ ଚଳିଥାଆନ୍ତା ।’’ ଏହି ହେଲା ଆମର ସ୍ତ୍ରୀଙ୍କ ସମାଲୋଚନା ।

 

ମୁଁ କହିଲି–‘‘ଦେଖ ଆମର ଫାଷ୍ଟଇଅର କ୍ଲାସରେ ଚନ୍ଦ୍ରମୁଖୀ ଯେଉଁ ଶାଢ଼ୀଟା ପିନ୍ଧିକରି ଆସେ, ସେହିପରି ଶାଢ଼ୀଟିଏ ଆଣିଲେ ଚଳିବ ?’’

 

ଚନ୍ଦ୍ରମୁଖୀ ନା ରାହୁମୁଖୀ ? କଲେଜରେ ପାଠ ପଢ଼ାଉଛ ନା ଚନ୍ଦ୍ରମୁଖ ଦେଖୁଛ ଯେ ? ଭଲା, ସେ ଝିଅଟା କଣ ମୋଠୁଁ ଲାବଣ୍ୟବତୀ ? ମୋ ପରି ବୀଣା–ଜିଣା କଣ୍ଠେ କଥା କହେ ? ତାର ଚଳନରେ ଛନ୍ଦ ଅଛି ? ଅଛି ତାର ବିଦ୍ୟୁତର ଝଲକ ? ଅଛି ତାର ନମ୍ର ନେତ୍ର, କମ୍ର କଣ୍ଠ ? ଅଛି ତାର କଣ୍ଟକହୀନ ମୃଣାଳ ବାହୁ ? ଇସ୍ କି କଦର୍ଯ୍ୟ ତୁମର ଚରିତ୍ର–କି କାଉଣ୍ଟରଫିଟ୍ କଏନରେ ପଡ଼ିଲି ମୁଁ ।

 

ମୁଁ କହିଲି–‘‘ମୁଁ ତା ମୁହଁକୁ କେବେ ଅନାଇ ନି । ଖାଲି ଶାଢ଼ୀର ରଙ୍ଗଟାକୁ..... ।’’

 

ଖାଲି ଶାଢ଼ୀ ? ବ୍ଲାଉଜ ନୁହେଁ ତ ? ଶାଢ଼ୀ ସାଙ୍ଗରେ ବ୍ଲାଉଜ ପିସ୍ କିଣିଥିବ । ଇସ୍ ! କି ଜଘନ୍ୟ ଚରିତ୍ର ।’’

 

ଶେଷରେ ସବୁ ଦୋଷ ମାନି କାନମୋଡ଼ି ହୋଇ ନବ୍ୟଯୁଗର ସତ୍ୟବାନ୍, ଆକାଶ ରଙ୍ଗର ଶାଢ଼ୀ, ପରାଗବୋଳା ଅଞ୍ଚଳ ଓ ଗୁଜୁରାତି ‘ପାର୍ଡ଼’ ଆଣିଦେଲି । ଆଉ ଫଳାହାର ପାଇଁ ଯାହା ବା ଆଣିଲି ତା ନା ରସଗୋଲା–ପାନତୁଆ, ଲେମ୍ବୁଟା ଖଟା, କଦଳୀ ପରା କଷା । ସ୍ତ୍ରୀଙ୍କୁ ପଚାରିଲି–‘‘ବ୍ରାହ୍ମଣ ଡକାଇ ଦେବି ? ସାବିତ୍ରୀ ଉପାଖ୍ୟାନରୁ କିଛି ଶୁଣାନ୍ତା ।’’

 

ସ୍ତ୍ରୀ ବଜ୍ର ନିର୍ଘୋଷ ସ୍ୱରରେ କହିଲେ ‘‘ସେ ପୁରୁଣା ଗଳ୍ପଟା ଅଠରଶ ଶତାବ୍ଦୀର ବ୍ରାହ୍ମଣ ମୁହଁରୁ.... ଦରକାର ନାହିଁ ।’’

 

କିନ୍ତୁ ଉପାଖ୍ୟାନଟା ନ ଶୁଣିଲେ ବ୍ରତ ଉଦଯାପନଟା ହେବ କିମିତି ? ତେଣୁ ନିଜେ ବ୍ରାହ୍ମଣ ସାଜି ଗଳ୍ପଟାକୁ କହିବାକୁ ଲାଗିଲି–

 

ଶୁଣ, ‘‘ଗୋଟିଏ ଥିଲେ ରାଜା ।’’

 

ସ୍ତ୍ରୀ କହିଲେ–‘‘ଏଇ ସର୍ବହରା ଯୁଗର ସିନ୍ଦୂରା ଫାଟିଲା ବେଳେ ସାମନ୍ତବାଦର ପୁନରାବୃତ୍ତି କରି ଆଉ ସମାଜବାଦର ମୁହଁରେ କଳଂକ ବୋଲିବା ଦରକାର ନାହିଁ ।’’

 

ମୁଁ କହିଲି–‘‘ବେଶ୍ । ଥିଲେ ଜଣେ ମିଲ୍‍ ମାଲିକ । ତାଙ୍କର କନ୍ୟାଙ୍କ ନାମ ମିସ୍ ସାବିତ୍ରୀ-। ବୈବାହିକ ବୟସ ଥିଲା ସାବିତ୍ରୀଙ୍କ ତୁଳନାରେ ଦଶବର୍ଷ ବେଶୀ ।’’

 

ମିସ୍ ସାବିତ୍ରୀଙ୍କର ଗୋଟାଏ ଜିଦ୍ ଯେ ସେ Love Marriage କରିବେ । ତେଣୁ Land Master Car ନେଇ ସେ ନିଜେ ପିକନିକକୁ ଯାଆନ୍ତି । ହାତରେ ତାଙ୍କ ଡବଲ୍ ବାରେଲ୍ ଗନ୍, ଯଦି କିଛି ଶୀକାର ମିଳେ, ନ ହେଲେ ଆତ୍ମରକ୍ଷା ପାଇଁ ବନ୍ଧୁକର ଘୋଡ଼ା ଟିପିବେ ।

 

‘‘ଅଗନା ଅଗନୀ ବନସ୍ତ....’’

 

ସ୍ତ୍ରୀ କହିଲେ–‘‘ଡେନସ ଫରେଷ୍ଟ–ନେଚୁରାଲ ବିଉଟି ପରସନି ଫାଏଡ଼ ?’’

 

ମୁଁ କହିଲି–ହଁ ସେଇଆ ! ମଧୁର ପ୍ରଭାତ ? ବସନ୍ତର ନୂତନ ଆଗମନ.... ।’’

 

ସ୍ତ୍ରୀ କହିଲେ–‘‘ବସନ୍ତର ଆଗମନ ନ ହେଲେ ବି ଚଳିବ । ପ୍ରେମ ସମୟର ବି ଅପେକ୍ଷା କରେନାହିଁ । ହଁ, ତା ପରେ ?’’ Botany professor ଶ୍ରୀ ସତ୍ୟବାନ୍ ଯାଇଛନ୍ତି ନୂତନ Speciesର ସନ୍ଧାନରେ ଯଦି କିଛି ଗୋଟିଏ ନୂଆ ବୃକ୍ଷ କି ଲତା ପାଆନ୍ତି ରିସାର୍ଚ୍ଚ କରି ଡକ୍ଟରେଟ୍ ପାଇବେ ।

 

ହାତରେ ତାଙ୍କର ଗୋଟାଏ କୁରାଢ଼ୀ–ଗଛ କାଟିବା ପାଇଁ । ଫଳମୂଳ ବି ଖୋଜୁଥାନ୍ତି ଲେବ୍ରୋଟରୀକୁ ନେବା ଲାଗି । ଟିକିଏ ନଇଁ ପଡ଼ିଛନ୍ତି.......

 

ମିସ୍ ସାବିତ୍ରୀ ପ୍ରଫେସରଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ । ପ୍ରଫେସର ସ୍ତମ୍ଭୀଭୂତ । ଯେତେ ବିଜ୍ଞାନ ନେଇ ମୁଣ୍ଡ ଘୂରାଇଲେ ବି ଜନ୍ମଗତ ସମାଜଗତ ସଂସ୍କାର ପ୍ରତ୍ୟେକ ଧମନୀରେ ଓତଃପ୍ରୋତଃ ଭାବେ ପ୍ରବାହିତ । ପ୍ରଫେସର କୁରାଢ଼ୀଟାକୁ ଫିଙ୍ଗି ଦେଇ ବନ୍ଧୁକ–ହସ୍ତା ସାବିତ୍ରୀଙ୍କୁ ଖଡଗଧାରିଣୀ କାଳୀ ମନେକରି ଲମ୍ବହୋଇ ପଡ଼ିଗଲେ ପାଦତଳେ... ଶ୍ରୀ ଚଣ୍ଡୀ ପାଠ ଆରମ୍ଭ କରିଦେଲେ । ‘ଯା ଦେବୀ ବନ ମଧ୍ୟେ ତୁ ଚଣ୍ଡୀ ରୂପେଣ ସଂସ୍ଥିତା–ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋଃ ନମଃ....

ସାବିତ୍ରୀଙ୍କ ହାତରୁ ବନ୍ଧୁକ ଖସି ପଡ଼େ । ଆଉ ସେ ଭାବିବାକୁ ଲାଗନ୍ତି ‘‘ଏଇ କି ସେ ରାଜକୁମାର, ଯାହାକୁ ମୁଁ ଦରିଆ ସେପାରି ଗୋଟାଏ କ୍ଷୁଦ୍ର ଦ୍ରାକ୍ଷା କୁଞ୍ଜର ପୁଞ୍ଜୀଭୂତ ଛାୟାତଳେ ମେଣ୍ଡୋଲିନ ବଜାଇବାର ଦେଖିଥିଲି ।’’

ସାବିତ୍ରୀ ପ୍ରଶ୍ନ କରନ୍ତି–‘‘ଆପଣ–’’

ପ୍ରଫେସର କହନ୍ତି–‘‘ମୁଁ ଜଣେ ଗଛ ପର୍ଯ୍ୟବେକ୍ଷକ ।’’

ତା ପରେ ହୁଏ ପ୍ରଣୟ ଓ ପରେ ପରିଣୟ ।

ବର୍ଷେ ପରେ–ଯେଉଁଦିନ ସାବିତ୍ରୀ ଓ ସତ୍ୟବାନ ତାଙ୍କର ବୈବାହିକ ସାମ୍ବତ୍ସରିକ ମାନିବାକୁ ସେଇ ବଣକୁ ଗଲେ–

ସେ କହିଲେ–‘‘ଦୁର୍ବଳ ପ୍ରାଣ (heart weak) ସତ୍ୟବାନର ମୃତ୍ୟୁ ନେଇ ମୋର ଶୁଣିବାର ଧୈର୍ଯ୍ୟ ନାହିଁ ।’’

 

‘‘ଆଉ ସେ କିପରି ବଞ୍ଚିଲେ ।’’

 

ଛାଡ଼ ସେଟା ନିହାତି fiction ଆଉ Supernaturalism ରେ ଭରା, ବିଂଶ ଶତାବ୍ଦୀରେ ଅସହ୍ୟ ।

 

‘‘ସାବିତ୍ରୀଙ୍କ ବର ମାଗିବା ?’’

 

‘‘ସାବିତ୍ରୀ ବର ମାଗି ତାହାର ଜୀବନକୁ ଛାରଖାର କରି ଦେଇଛି–ଶହେ ପୁଅ ? ଇସ୍ ! ନୁଇସେନସ । ବାର୍ଥ କଣ୍ଟ୍ରୋଲ ଟେଷ୍ଟ ଟିଉବ ଚାଇଲଡ଼ ଯୁଗରେ ?’’

 

ମୁଁ କହିଲି–‘‘ତୁମେ କ’ଣ ମାଗିଥା’ନ୍ତ ସେଇ ପରିସ୍ଥିତିରେ ?’’

 

ସ୍ତ୍ରୀ କହିଲେ–‘‘ମୁଁ କହିଥାଆନ୍ତି–ମୋର ବାପାଙ୍କର ପୁଅ ନାହିଁ ତାଙ୍କର ଆଉ ନ ହେଉ । ବିନା ବାର୍ଥ କଣ୍ଟ୍ରୋଲରେ ମୁଁ ନିଃସନ୍ତାନ ହୁଏ । ମୁଁ ତୃତୀୟ ବର ମାଗନ୍ତି–ମୋର ଶାଶୁ ଶ୍ୱଶୁରଙ୍କର ଆଖି ଫୁଟିଯାଉ ଚିରଦିନ । ଶାଶୁ ଶ୍ୱଶୁର ହିଁ ତ ଏଇ ବିଂଶ ଶତାବ୍ଦୀର କଣ୍ଟକ ।’’

 

ମୁଁ କହିଲି–‘‘ସତ୍ୟବାନର ଜୀବନ ?’’

 

ସ୍ତ୍ରୀ କହିଲେ–‘‘ତୁମେ ଗୋଟାଏ ମୁର୍ଖ ! ଦ୍ୱିତୀୟ ବରରୁ କଣ ସାଫ୍ ହୋଇନି ସେ କଥା-! ଆଧୁନିକା ନାରୀ ସତ୍ୟବାନକୁ ଚାହେଁ ନାହିଁ–ସତ୍ୟବାନତ୍ୱକୁ ଚାହେଁ । ତମ ଜଗନ୍ନାଥଙ୍କର ପୁଣି ନୂଆ କଳେବର ହୁଏ ତ ?’’

 

King may come, King may go–But long live the King.

 

ତେବେ ବିନା ଭୋଟରେ ମୁଁ ସତ୍ୟବାନ ପଦରୁ କଟିଗଲି ।

 

ସ୍ତ୍ରୀ କହିଲେ–‘‘ଆଜିର ସତ୍ୟଟା ହେଲା–ଉପଭୋଗ କରିଯାଅ । ଏଟମବମ୍ ସ୍ୱର୍ଗରୁ ଧରଣୀକୁ ନ ଖସିବା ଯାଏ ଯାହା ପାଅ–ଯାହାକୁ ପାଅ–ଭୋଗ କର ।’’

 

ରାତି ଅନେକ ହୋଇ ଯାଇଛି । ଆଖିରେ ମୋର ଘୋଟି ଆସୁଥାଏ ନିଦ ।

 

ସ୍ୱପ୍ନ ଦେଖିଲି–ଜବାହରଲାଲ ସାବିତ୍ରୀ ସତ୍ୟବାନ ଅଭିନୟ କରୁଛନ୍ତି । ଇନ୍ଦିରା ହୋଇଛି ସାବିତ୍ରୀ–ନେହେରୁ ହୋଇଛନ୍ତି ଅଶ୍ୱପତି ଫିରୋଜ ଗାନ୍ଧି ସତ୍ୟବାନ୍ ।

 

ଅଶ୍ୱପତି କହୁଛନ୍ତି–‘‘ଭୟ ନାହିଁ କୁମାରୀ, ମୁଁ ରାଜ୍ୟରେ ଏଭଳି ଆଇନ କରିଦେଇଛି ଯେ ଏଣିକି କୌଣସି ନାରୀ ଅହ୍ୟ ହେବାକୁ ସୌଭାଗ୍ୟ ନ ମଣି କୁମାରୀତ୍ୱକୁ ହିଁ ଜୀବନର ଲକ୍ଷ୍ୟ ମନେ କରିବ । କୁମାରୀତ୍ୱ ଥିଲେ ଆଉ ବିଧବା ହେବାର ପ୍ରଶ୍ନ ହିଁ ଉଠିବ ନାହିଁ । ତୁମ୍ଭେମାନେ ସାବିତ୍ରୀ ବ୍ରତ ପାଳନ କର–ଯେପରି ମଥାରେ କେବେ ସିନ୍ଦୂର ନ ଲାଗେ–ହାତରେ ରିଷ୍ଟଓ୍ୱାଚ ଛଡ଼ା ଶଙ୍ଖା ନ ଗଳେ । ଆଉ ଶଙ୍ଖା ସିନ୍ଦୂର ଥିବ ଯେ ହେବ । ଶିରୋ ନାସ୍ତି ଶିରୋ ପୀଡ଼ା ।’’

 

(୧୯ବର୍ଷ, ପ୍ରଥମ ସଂଖ୍ୟା ଜୁଲାଇ ୧୯୫୫ ଡଗରରେ ପ୍ରକାଶିତ ।)

✾✾✾

 

ଖଦଡ଼ ମୁଣି

 

ସେଦିନ ଟ୍ରେନ ଯାତ୍ରା କରୁଁ କରୁଁ ହଠାତ୍ ଏକ ଖଦଡ଼ ପରିହିତ ବନ୍ଧୁଙ୍କର ଦେଖାହୁଏ । ବନ୍ଧୁଙ୍କର ଷ୍ଟେସନ ଆସିଯିବାରୁ ସେ ଉତୁରିଗଲେ । ସେ ଛାଡ଼ିଗଲେ ଗୋଟାଏ ଖଦଡ଼ ମୁଣି । ଖଦଡ଼ମୁଣିଟିକୁ ନିଜର ହେପାଜତରେ ରଖିଥିଲି । କିନ୍ତୁ ଟ୍ରେନର ସେଇ କମରାରେ କେହି ରହିଲେ ନାହିଁ । ତେଣୁ ସେହି ସମୟ ସୁବ୍ୟବହାର କରିବାକୁ ଉକ୍ତ ମୁଣିକୁ ମୁଁ ତନ୍ନ ତନ୍ନ ନିରୀକ୍ଷଣ କଲି । ଯାହା ଦେଖିଲି ତାହାରି ଗୋଟିଏ ତାଲିକା ଦେଲି । ମୁଣିଟା ଫିଟାଇ ପ୍ରଥମେ ଆଖିରେ ପଡ଼େ ମୁଣ୍ଡାଏ କପା ଓ ଗୋଟାଏ ତକଲି । ତକଲିରେ ଲାଗି ରହିଛି କେତେକ ସୂତା, ସେହି ସୂତା ଦେଖିଲି ଠିକ୍ ବମ୍ବେ ମିଲର ସୂତାପରି । ସୂତା ଏତେ ସରୁ ଯେ, ସେ ସୂତାରେ ଖଦଡ଼ ଧୋତି ତ ହୁଅନ୍ତା ନାହିଁ ତେବେ ଯଦି ହୁଏ ଏମ୍ପ୍ରେସ ମିଲର ମାରସରାଇଜ ଧୋତି । ତୂଳା ଆଉଥରେ କିଣିବ ତାଙ୍କର ପ୍ରୟୋଜନ ହୁଏନାହିଁ ବୋଲି ଜଣାପଡ଼େ, କାରଣ ଉକ୍ତ ତୂଳାରେ ଲାଗିଥିବା ଖଣ୍ଡିଏ କାଗଜରୁ ଜାଣି ପାରିଲି ଯେ, ଉକ୍ତ ତୂଳା କିଣା ହୋଇଥିଲା ତେପନସାଲରେ । ସୂତା ଆଉ ତକଲି ଛଡ଼ା ଦେଖିଲି, ଗୋଟିଏ ଗାନ୍ଧୀ ଛବି ଚନ୍ଦନ ଚର୍ଚ୍ଚିତ । ଉପଯୁକ୍ତ ପୁଝାରୀର ହାତରେ ପଡ଼ି ଗାନ୍ଧି ଛବିର କେବଳ ଫ୍ରେମଟା ଦୃଶ୍ୟ, ବାକି ସବୁ ଅଦୃଶ୍ୟ । ଗୋଟିଏ ପାନିଆ ହୁଏତ ଚାରିପଇସିଆ ହୋଇଥିବ; ଗୋଟିଏ ଦର୍ପଣ ଦାମ ହୋଇଥିବ ଅଣାଏ । ଗୋଟାଏ ଗାନ୍ଧୀ ଗୀତା, ଗାନ୍ଧୀ ଗୀତାର ଭିତରେ ଗୋଟାଏ ଚିଠି–ଗୁମାସ୍ତା ! ଯେଉଁ ଲୋକମାନେ ଧାନ ଧାର ନେଇଥିଲେ ସେମାନେ ଯଦି ଏବର୍ଷ ନ ସୁଝନ୍ତି ଦେଖିବ ଯେମିତି ସେମାନଙ୍କର ଗୋଟାଏ ଗୋଟାଏ ମକଦ୍ଦମା ଦାଏର ହୋଇପାରେ । ହିଁ ସୁଧଟା ସୁକି ଦରରେ ଠିକ୍ କରିବ । ତୁମର

 

ଉପରୋକ୍ତ ଚିଠିଟା ଲେଖାହୋଇଥିଲା । ପଢ଼ା ହୋଇନାହିଁ । ଆଉ ଖଣ୍ଡିଏ ଚିଠି ବୋଧହୁଏ କୌଣସି ଆଶ୍ରମ ବାଳିକାର । ଚିଠିଟା ପାଇଛନ୍ତି ଖଦଡ଼ ମୁଣାର ମାଲିକ । ଚିଠିଟା କହେ–

 

ଅ: ବ: ଆଶ୍ରମ

୭।୧।୫୫

 

ପ୍ରିୟତମ !

 

ତୁମକୁ ସାକ୍ଷାତରେ କିଛି କହି ପାରିନି । ମୁଁ ଆସନ୍ନ ପ୍ରସବା, ମୁଁ ବିଧବା । ଆପଣ ମୋତେ ମୋ ଶ୍ୱଶୁର ଘରୁ ଆଣି ଆଶ୍ରମରେ ରଖାଇ ଥିଲେ । ବର୍ତ୍ତମାନ ମୋତେ ଚାରିଆଡ଼ ଅନ୍ଧକାର ଦିଶୁଛି । କଣ କରିବି ।

 

ତମର

ଆଶ୍ରୟ ପ୍ରାର୍ଥିନୀ

 

ଆଉ ଖଣ୍ଡିଏ ଚିଠି.......ଲେଖିଛନ୍ତି ଜଣେ ବେକାର ।

 

ନେତାଜୀ !

 

ମୋଠୁଁ ଟ ୫୦ ଟଙ୍କା ନେଲେ, ମନ୍ତ୍ରୀଙ୍କୁ କୁହାଇ ମୋତେ ଗୋଟାଏ ଚାକିରୀ କରାଇ ଦେବାକୁ । କିନ୍ତୁ କ’ଣ ହେଲା ? ପ୍ରଧାନମନ୍ତ୍ରୀ ଆପଣଙ୍କର personal friend ପରା ?

 

ଆପଣଙ୍କର.......

 

ଆଉ ଖଣ୍ଡିଏ ଚିଠି ଜଣେ କେନ୍ଦୁପତ୍ର ବ୍ୟବସାୟୀ ଲେଖିଥିଲେ–

 

ନେତାଜୀ !

 

ହଜାର ଟଙ୍କା political conference ଦେଲି । ମୋତେ କହିଥିଲେ ମୋର ଟିକିଏ ସୁବିଧା କରାଇ ଦେବେ, କ’ଣ ହେଲା ? ରେଢ଼ାଖୋଲ କେନ୍ଦୁପତ୍ର ଠିକା କ’ଣ ମୋତେ ମିଳିବ ?

 

ତୁମର

 

ଗାନ୍ଧୀଗୀତାକୁ ବନ୍ଦକରି ରଖିଦେଲି । ତା ପରେ ଆଉ ଗୋଟିଏ ବହି ପାଇଲି । ବହିଟିର ନାମ–

 

100 ways of Kissing Girls । ବେଶ୍ ପଢ଼ାଯାଉ–ବହି ପବ୍ଲିକେଶନ ଆମେରିକା–G.B. ସାହିତ୍ୟ ମନ୍ଦିରରୁ ପ୍ରକାଶିତ । G.B. ଙ୍କୁ ନମସ୍କାର । ଶ୍ୟାମବାବୁଙ୍କୁ ବି ଜୁହାର-। ବହିଟା ପଢ଼ିବାକୁ ସୃହା ହେଲାନି । ବହିଟା ଗାନ୍ଧୀବାଦ ବହିଠୁଁ ବି ଉତ୍କଟ । ହେଲେ ବି ଖଦଡ଼ ମୁଣିରୁ ଯେତେବେଳେ ବହିଟା ବାହାରିଛି, ସେତେବେଳେ ବହିରେ ଆଉ ଆମିଷର ଗନ୍ଧ ନାହିଁ-

 

ବହିଟାକୁ ଦୂରରେ ରଖିଲେ ତା ପରେ ଏ କଅଣ ? ତିନିବିଡ଼ା କେନ୍ଦୁପତ୍ର ଉପରେ ଲିଖିତ ଅଛି–ପ୍ରଥମ ଶ୍ରେଣୀ, ଦ୍ୱିତୀୟଶ୍ରେଣୀ, ତୃତୀୟ ଶ୍ରେଣୀ । ବିଡ଼ି ତିଆରି କରୁଥିବା ମାଲିକମାନଙ୍କ ନାମ ତାଲିକା ଗୋଟାଏ ଫର୍ଦ୍ଦ, କାଗଜରେ ପୁଣି ଅନେକ ଦିଆନିଆର ତାଲିକା । ଖଦଡ଼ ସୂତାରେ ବନ୍ଧା ହୋଇଛି କେନ୍ଦୁପତ୍ର । ଖଦଡ଼ ସୂତା କ’ଣ କେନ୍ଦୁପତ୍ର ପାଇଁ । କିଏ କାର୍ଯ୍ୟ କିଏ କାରଣ ବୁଝିବା ମୁସ୍କିଲ । କେନ୍ଦୁପତ୍ର ତଳେ ରଖିଛି କେତେଗୁଡ଼ିଏ ବିଡ଼ିର ସେମ୍ପଲ । ନେତାଙ୍କର କି ବହୁମୁଖୀ ପ୍ରତିଭା ।

 

ବିଡ଼ି ବଣ୍ଡଲ ଛଡ଼ା ଆଉ ଖଣ୍ଡିଏ ଚିଠି....ଚିଠି ଟା ଲେଖା ହୋଇଛି–D.S.P. ଙ୍କୁ

 

ମୋର ଟ୍ରକଟାକୁ ପୋଲିସ ସେ ଦିନ ଅଟକ କରିଥିଲା । ଟ୍ରକଟାର ଲାଇଟ ନ ଥିଲା ଓ ଟ୍ରକରେ ବାରଜଣକୁ ବେଶୀ ଲୋକ ଥିଲେ । ତୁମେ ଜାଣ ମୁଁ Chief Minister ଙ୍କର personal friend । ମୁଁ ତମର ଅନିଷ୍ଟ ବି କରିପାରେଁ । ମୁଁ ଜଣେ ଖଦଡ଼ଧର୍ମୀ । କଂଗ୍ରେସର ସଭା, ଶୋଭାଯାତ୍ରା, ଉତ୍ସବ ସମ୍ମିଳନୀରେ ମୋଟା ଚାନ୍ଦା ଦେଇଥାଏ । ମୋର କଥାମାନି ନ ନେଲେ ତମର ଚାକିରୀରେ ଆଞ୍ଚ ଆସିବ ।

 

ତମର

ଖଦଡ଼ ଟୋପୀ

 

ବି: ଦ:–

 

ମୋର ଗାଡ଼ିର ନମ୍ବର O.R. 1000 । ତୁମର ପୋଲିସ ଟ୍ରାଫିକ ପୋଲିସ ମାନଙ୍କୁ କହିଦେବ ମୋର ଟ୍ରକଟା ହେଉଛି ରାଜସୂୟ ଯଜ୍ଞର ଘୋଡ଼ା–

 

ଚିଠି ସାଙ୍ଗରେ ଥିଲା ଆଉ ଗୋଟିଏ ପ୍ରୋଗ୍ରାମ । ପ୍ରୋଗ୍ରାମଟା କିଛି ନୁହେଁ ମନ୍ତ୍ରୀଙ୍କ ପ୍ରୋଗ୍ରାମ ସଙ୍ଗରେ ଲେଖାଥିଲା ଆଉ ଗୋଟିଏ ଚିଠି–ହରିଆକୁ । ମନ୍ତ୍ରୀ ୭।୧।୫୫ଦିନ ଆନନ୍ଦପୁର ଯିବେ । ତୁ ଆନନ୍ଦପୁରର ସଭାପାଇଁ ୧୦୦୦ ବାଉଁଶ ଦେବୁ । ବାଉଁଶ ଦ୍ୱାରା ତୋରଣ ମଣ୍ଡନ କରିବୁ । ଆମ ସେଠାରେ ଥିବା ୧୧ଟା ଟ୍ରକ ସଭାର କାର୍ଯ୍ୟରେ ଲଗାଇ ଦେବୁ । ସଭାରେ ସଭାପତି ହେବାକୁ ଚେଷ୍ଟା କରିବୁ । ମନ୍ତ୍ରୀଙ୍କ ଖାଇଦା ବନ୍ଦୋବସ୍ତ କରିବୁ । ମନ୍ତ୍ରୀ ଜଣେ ରସିକ । ତାଙ୍କପାଇଁ ଗୋଟାଏ ଶୋଡ଼ଷୀ ଯୋଗାଡ଼ କରି ଦେଇ ପାରିଲେ ମୁଁ ଭାରି ଖୁସୀ ହେବି । ମନ୍ତ୍ରୀ ମାଂସ ପ୍ରିୟ, କୁକୁଡ଼ା କିମ୍ବା ବୋଦା ଠିକ୍ କରିଦେବୁ । ଆମେ ହେଲେ ମାରବାଡ଼ି, ଏକେ ବ୍ୟବସାୟ ଆମର, ଦୁଜେ ରାଜନୀତି ବ୍ୟବସାୟର ଶରଣଂ ଗଚ୍ଛମି । ହଁ ମନ୍ତ୍ରୀଙ୍କର ସ୍ତ୍ରୀ ବି ସଙ୍ଗରେ ଅଛନ୍ତି । ଗୋଟାଏ ଟ୫୦୦୧ଙ୍କାର ହାର ତାଙ୍କପାଇଁ ପଠାଉଛି । ତାଙ୍କ କନ୍ୟା ପାଇଁ ଅନୁରୂପ ଗୋଟାଏ ଟ୫୦୦୧ଙ୍କାର ହାର ଯିବ । ତୁମର ସ୍ତ୍ରୀ ଦ୍ୱାରା ତାହା ମନ୍ତ୍ରୀ ପତ୍ନୀଙ୍କୁ ଭେଟି କରାଇ ତା ପରେ ମୋ ପାଖକୁ ଚିଠି ଦେବ ।

 

ତୁମର

 

ତା ପରେ ଆଉ ଗୋଟିଏ ଚିଠି ଗୁମାସ୍ତା ପାଖକୁ–

 

ବିନୋବା ଆସୁଛନ୍ତି । ଆମର ସେଇ ପଡ଼ିଆ ବାହାଲ ଜମିରୁ ୨୪ ଏକର ଜମି ଦାନ କରିଦେବ । ସେହି ଜମି ଚାଷୋପଯୋଗୀ ନୁହେଁ ।

 

ତୁମର

 

ସେହି ଚିଠିର ତଳେ ଆଉ ଗୋଟିଏ ମନିବେଗ୍ । ମନିବେଗ୍ ଫିଟାଇ ଦେଖିଲି ବେଗର ଗୋଟାଏ ଆଡ଼େ ନରଗୀସର ଗୋଟାଏ ଛବିରେ ଲେଖାଅଛି–I Kiss You.

 

ସାମ୍ୟବାଦୀ ନେତାଙ୍କ ପାଖକୁ ଦେଇଥିବା ଟଙ୍କାର ଗୋଟାଏ ରିସିଟ୍ ସେଇ ମନିବେଗ୍ ଭିତରେ ପାଇଲି । ସେଇ ରିସିଟରେ ନାମଟା ଖୋଜିବାକୁ ଲାଗିଲି । ଖଦଡ଼ମୁଣୀର ପ୍ରକୃତ ଅଧିକାରୀକୁ ପାଇବାପାଇଁ । କିନ୍ତୁ ରିସିଟରେ ଲେଖାଥିଲା–"By a friend" ।

 

ଆଉ ଖଣ୍ଡିଏ ଛିଣ୍ଡା କାଗଜରେ ଲେଖାଅଛି । ଗୋଟାଏ ବିବୃତି । ବିବୃତିଟା ସଂପାଦକଙ୍କ ପାଖକୁ ଲେଖା ହୋଇଛି । ଆଉ ଲେଖା ହୋଇଛି–

 

ସମ୍ପାଦକ,

 

ମାସକୁ ତୁମର ସ୍ପେସିଏଲ୍ ପେ ହିସାବରେ ଟ୧୦୦୧ ଦିଏଁ, ମୋ ବିଷୟରେ କିଛି କିଛି ଭଲକରି ଲେଖିବ ବୋଲି । କିନ୍ତୁ କାହିଁକି ଲେଖୁନାହଁ ? ତା ପରେ ମୋ ବିରୁଦ୍ଧରେ କିଛି ପାଇଲେ ସେ ସବୁ ଛପାଇବେ ନାହିଁ ବୋଲି ଲେଖିଥିଲି । ତା ସତ୍ୱେ ମୋ ବିରୁଦ୍ଧରେ ଗୋଟାଏ ଖବର ବାହାରିଗଲା । ହିଁ ରାଜନୈତିକ ସମ୍ମିଳନୀରେ ମୋର ଆଉ ନେହେରୁ ଥିବା ଗୋଟାଏ ଫଟ ତୁମ ପାଖକୁ ପଠାଇଲି । ଛପାଇଲ ନାହିଁ କାହିଁକି ?

 

ରାଜକପୁର ଏକାଡ଼େମୀକୁ ଟ୧୦୦୧ଙ୍କା ଦେଇଛି ତାହା ଟ୧୦,୦୦୦୧ ବୋଲି ଛପାଇବ । ଏ ମାସର ଟଙ୍କା ପଠାଉଛି ।

 

ତୁମର....

 

ଆଉ ଖଣ୍ଡିଏ ଚିଠି–

 

ମହାଶୟ,

 

ଯଦି ମୋତେ ରେଢ଼ାଖୋଲ ଡିଷ୍ଟ୍ରିକଟର କେନ୍ଦୁପତ୍ର ଠିକା ଦେବେ ତେବେ ଆପଣଙ୍କୁ ଗୋଟିଏ ମଟର ଦେବି । କଥାଟି ଗୁପ୍ତ ରଖିବେ । ଯଦି ନ ହୁଏ ଆରଥର ଭୋଟ ବେଳକୁ ଟ୍ରକ କିମ୍ବା ଟଙ୍କା ଧାରା ଆଶା ରଖିବେ ନାହିଁ । ଏବୁଠୁଁ ତୁମ ବିରୁଦ୍ଧରେ ପ୍ରଚାର କରିବି ବା ତୁମେ ଯେ ଅନେକ ଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଜୟଯୁକ୍ତ ହୋଇଛ ତାହା ଜଣାଇ ଦେବି ।

 

ତା’ ପରେ ଗୋଟିଏ ଭିକସ–ଆଉ ଗୋଟାଏ Red & White ସିଗାରେଟ୍ ଡବା ।

 

ଆଉ ଗୋଟିଏ ଘୋଡ଼ା ମାର୍କା ଦିଆସିଲି । ଗୋଟାଏ Black White ବାଲା ବାସନା ତେଲ ।

 

ମୁଣିଟା ଯେଉଁଠି ସେଇଠି ଥିଲା ରଖି ଦେଇଛି । ମୁଣିଟା ଯାହାର ସେ ଖୁସିରେ ନେଇଯାଇ ପାରନ୍ତି ।

 

(୧୮ଶ ବର୍ଷ, ୯ମ ସଂଖ୍ୟା ମାର୍ଚ୍ଚ ୧୯୫୫ ଡଗରରେ ପ୍ରକାଶିତ ।)

✾✾✾

 

ଭାଗଚାଷ

 

ଫଗୁଣ ମାସ । ବଙ୍ଗୋପସାଗରର ଥଣ୍ଡା ପବନ ଆସି ଭୁବନେଶ୍ୱରକୁ ଶୀତଳ କରୁଛି । ଦୂର ବନକୁ ପାଗଳ କରି ଅନେକ ଝଡ଼ିଗଲା । ପତ୍ରକୁ ଅଧରରେ ଧରି ଗୁଣୁ ଗୁଣୁ କରି ଗୀତ ଗାଇ ମାତି ଆସୁଛି ଦକ୍ଷିଣା ପବନ । କେତେ ଅଜଣା ଫୁଲ ଫୁଟାଇ କେତେ ଗୀତ ଛନ୍ଦ ନେଇ ଭାସି ଆସୁଛି ଫଗୁଣ ମାସରେ ଚଇତ ବତାସ । ପବନ ଆଉ ଧୂଳିର ସୁନ୍ଦର ଆଲିଙ୍ଗନ ଚାଲିଛି–ଅଗଣାରେ । ଝରକା ତଳର ପବନ କହୁଛି ଗୋଟିଏ ନୂଆ କଥା–

 

କି କଥା

 

ରାଜା ରାଇଜ କଥା

 

ଜମି ଆଉ ଜାରୀ କଥା

 

ଭୂଦାନ ଆଉ ଭୂହୀନ କଥା

 

ଚଉଧୁରୀ ଆଉ ମାଳତୀ କଥା

 

ପବନ ଯାହାକହୁ, ଅନେକ କହୁଛନ୍ତି ଭାଗଚାଷ କଥା । ଭାଗଚାଷ ମାନେ କଅଣ କି–ଚାଷ କର ତ କର ନ ହେଲେ ଭାଗ୍ (Get out) ଏତେଦିନ ଯେଉଁମାନେ ଗୋଡ଼କୁ ଟେକି ବସିଥିଲେ ବାଟାଜୋତା ପିନ୍ଧି, ସେମାନଙ୍କ ଗୋଡ଼ ତଳକୁ ନଇଁ ଆସିବ, ହାତୀ ଦାନ୍ତର ମହଳ ତେଜି ସର୍ବହରା କ୍ଷେତକୁ, ଯେଉଁମାଟିରେ ୟୁକ୍ରେନର ଗହମ ଫଳେ ଲାଲଲାଲ । ଆଉ କିଏ ଏଇ ସୁଖୀ ପରାଣୀଟା କିଏ ? ହାରାବୋଉ । ଘଇତା ମଲାପରେ ଯେ ଜମି ଟିକକ ରହିଲା ତାକୁ ଲଗାଇ ଦେଲା ଘୁଟୁରୁ ଗଣ୍ଡା ପାଖରେ । ବରଷକୁ ଏତେ ଦେବୁ ହେଲା ଠିକ୍ ।

 

ହାରାବୋଉର ଏକରେ ଜମି । ଘୁଟୁରୁ ଗଣ୍ଡାର ଛଅ ଏକର ଜମି । ଚଉଧୁରୀ ଆଇନ ଅନୁସାରେ ହାରାବୋଉର ଜମି ଏଥର ଘୁଟୁରୁ ଗଣ୍ଡା ହାତରେ । ଘୁଟୁରୁ କହି ବୁଲିଲାଣି ମୁଁ କାହିଁକି ହାରାବୋଉ ରାଣ୍ଡକୁ ଧାନ ଦେବି, ଜମି ମୋର । ଧଇନ ଧଇନ ଚୌଧୁରୀ ବାବା ।

 

ଚୌଧୁରୀ ବାବା ବି ସିଆଣା ଲୋକ । ନିଜ ଜମିବାଡ଼ି ବିକି କହନ୍ତି ଲାଙ୍ଗୁଳ କାଟ, ଲାଙ୍ଗୁଳ ଥିଲେ ବିଲୁଆ ଅସୁନ୍ଦର ଦିଶେ । [ସଂବାଦ ପତ୍ର ପ୍ରକାଶିତ ପତ୍ର ସତ୍ୟ ହୋଇଥିଲେ]

 

ସେଇତ ସେ ଦିନ ରାମବାକୁ କହିଲେ ମୁଁ ଆଉ ଘରଭଡ଼ା କାହିଁକି ଦେବି ? ମୁଁ ଏ ଘରେ ୧୯୫୦ ମାର୍ଚ୍ଚ ମାସରୁ ଅଛି । ସେ ଆଡ଼େ ହରି ମିସ୍ତ୍ରୀ କହୁଛି ଘର ମୁଁ ବନାଇଛି । ଲଙ୍ଗଳ ଯାହାର ଜମି ତାହାର, ସେମିତି କରଣୀ ଯାହାର, ଘର ତାହାର, ରାମବାବୁ କିଏ ବେ ?

 

ମୁଦିପଡ଼ା ଜଗନ୍ନାଥଜୀଉଙ୍କ ପହଡ଼ ଭାଙ୍ଗିଲା, ଜଗନ୍ନାଥଜୀଉଙ୍କ କେତେ ବା ଜମି । ଭାଗ ଭାବରେ ଜମି ଲଗାଇଲେ କଣ ବା ପାଇବେ ଯେ ସେଥିରେ ଚଳିବେ । ନିଜ ପେଟ ପୂରେ ନାହିଁ ବୋଲି ଭକ୍ତମାନଙ୍କ ଚାନ୍ଦାରେ ପିଣ୍ଡ ବଞ୍ଚେ । ରାତିରେ ଦୁଇ ଭାଇ ବାହାରି ପଡ଼ିଲେ ଜମି ଚଷିବା ପାଇଁ–ବଳରାମ ଧରିଲେ ଲଙ୍ଗଳ ଆଉ ଜଗନ୍ନାଥ ହେଲେ ବଳଦ, ସୁଭଦ୍ରା ପହଞ୍ଚାଇ ଦେଲେ ତୋରାଣୀ । ବଇଁଶୀ ଫୁଙ୍କା ଜଗନ୍ନାଥ ଗଳାରେ ଜୁଆଳି, ହେଲେ ଆଇନତ କହିଛି ଚୌଧୁରୀବାବୁଙ୍କ ଜମି ବିକା ସରିବା ଦିନରୁ ଏ ଆଇନ ଚାଲୁହେବ । ସେଇ ରାତିରେ ଭାଗଚାଷ ବାଲେ ଆସି ବଳଭଦ୍ରଙ୍କୁ ଏମିତି ମାଡ଼ ଚଢ଼ାଇଲେ ଯେ ଆରଦିନ ଏସ୍‌: ଡି: ଓ: ଗୋପବାବୁଙ୍କ ସାମନାରେ ବଳଭଦ୍ର ବୟାନ କଲେ ଅମୁକ ନାମରେ ନାଲିସ କରୁଛି । ଏସ୍‌: ଡ଼ି: ଓ: ଆଉ ଲେଖିବେ କଣ ସାଙ୍ଗେ ସାଙ୍ଗେ ଗାଇ ବସିଲେ–

 

‘‘ହଳ ଧର ରୂପଂ

ଜୟ ଜଗଦିଶ ହରେ ।’’

 

ହେଲେ ଚୌଧୁରୀ ଆଇନ୍‌ ଫଳରେ ହଜାର ହଜାର ଦେଶବାସୀ ରାତିରେ ଜଗନ୍ନାଥ ବଳଭଦ୍ରଙ୍କ ଦର୍ଶନ ଲାଭ କରି କୃତାର୍ଥ ହେବେ–ସତ୍ୟଯୁଗ ଆଉ କେତେ ଦୂର । ମଧୁମିଆଁ ଡ୍ରାଇଭର ଆଉ ଗାଡ଼ି ଫେରାଇବାକୁ ନାରଜ । ସେ କହେ ମୁଁ ୧୯୫୪ ମାର୍ଚ୍ଚରୁ ଗାଡ଼ି ଚଳାଇ ଆସୁଛି । ମୁଁ ଛାଡ଼ିବି କିଆଁ ? ନୂଆ ଆଇନ୍‌ ବଳରେ ମୁଁ ବଳିୟାନ ।

 

ମଧୁ ମିଆଁ ଆଉ ବି କହେ ମୁଁ ସେହି ଗାଡ଼ିରେ ସାହେବଙ୍କ ଝିଅକୁ ନେବା ଆଣିବା କରେଁ । ଝିଅଟା ଗାଡ଼ିର ଗୋଟିଏ ଅଙ୍ଗ ସ୍ୱରୂପ । ତେଣୁଁ ଗାଡ଼ି ଆଉ ଝିଅ ଦୁହେଁ ମୋର ।

 

ନାଲିସ କରି ଗାଡ଼ିଟାକୁ ସାହେବ ମୋ ହାତରୁ ଛଡ଼ାଇ ନିଅନ୍ତୁ ।

 

ସାହେବଙ୍କର ବି ପୁଅ ବାର । ସେ ତ ୧୯୫୪ରୁ ପେନ୍‌ସନ୍‌ ନେବା କଥା । ଏକ୍‌ସଟେନ୍‌ସନ ପାଇଁ ଏ ବର୍ଷଟା ଗୁଜୁରାଇ ଦେଇଛନ୍ତି । ସେ ମରଣ ଯାବତ୍‌ ଚାକିରୀ ଛାଡ଼ିବାକୁ ନାରାଜ । ହଁ, ସେ କିନ୍ତୁ ନିମକ୍‌ ହାରାମ ନୁହନ୍ତି । ସେ ତାଙ୍କ ଦରମାରୁ ୧/୬ ସରକାରଙ୍କୁ ନିଶ୍ଚୟ ଦେବେ ।

 

ହାଡ଼କଟା ଲେନ୍‌ରୁ ସୁରଶୀଦା ବାଈ କହୁଥିଲା ସ୍ୱରୂପ ମିଶ୍ର ତାଙ୍କ ସାଥିରେ ୧୯୫୪ ସାଲ ମାର୍ଚ୍ଚ ମାସରୁ ଅଛନ୍ତି । ତେଣୁ ସ୍ୱରୂପ ମିଶ୍ରଙ୍କ ଉପରେ ତାଙ୍କ ସ୍ତ୍ରୀଙ୍କ ଅଧିକାର ନାହିଁ । ହେଲେ ବେଶ୍ୟା ସୁରୁଶୀଦା ବାଈ ଭାରି ନିମକ ସଚ୍ଚା ବେଶ୍ୟା । ମାସକୁ ପାଞ୍ଚଦିନ କେବଳ ସେ ସ୍ୱରୂପ ମିଶ୍ରଙ୍କୁ ତାଙ୍କ ସ୍ତ୍ରୀ ପାଖକୁ ଯିବାକୁ ଅନୁମତି ଦେବେ । ଆଉ ତାହା ମଧ୍ୟ ମାସର ଶେଷ ପାଞ୍ଚଦିନ । ଆଉ ନିର୍ବାଚନ ହେବ ନାହିଁ । ଆମ ଏମ୍‌: ଏଲ୍‌: ଏ: ମାନେ ତ ୧୯୫୪ ସାଲରୁ ଅଛନ୍ତି । ସେମାନଙ୍କ ଏସେମ୍ଳି ସିଟ୍‌ରେ ଅଧିକାର ହେଲାଣି ।

 

ମନ୍ତ୍ରୀମାନଙ୍କଠାରୁ ଯେଉଁମାନେ ଯେଉଁ ସୁବିଧା ସୁଯୋଗ ପାଇଛନ୍ତି ବା ୧୯୫୪ ସାଲ୍‌ରୁ ପାଇ ଆସିଛନ୍ତି । ସେଇ ସୁଯୋଗରୁ ସେମାନଙ୍କୁ ବଞ୍ଚିତ କରାଯିବ ନାହିଁ । କଥାଟା ପରିଷ୍କାର କରି ଖୋଲି ଦିଆଯାଉ । ଧରନ୍ତୁ ଅମୁକ ହେଲେ ରାଜସ୍ୱ ମନ୍ତ୍ରୀ । ଉକ୍ତ ମନ୍ତ୍ରୀ ଅମୁକ ଦେଶ ଭାଇ ଭିଂଲ ଦାସଙ୍କୁ ବାଉଁଶ ଠିକା ବା କେନ୍ଦୁପତ୍ର ଠିକା ଦିଅନ୍ତି । ସେ ଠିକା ପାଇବାକୁ ଏ ଆଇନ ବଳରେ ଉକ୍ତ ଠିକାଦାର ହକଦାର । ହିଁ କେବଳ ୧/୬ ନେଇ କଥା । ସେ ୧/୬ ଉକ୍ତ ଠିକାଦାର ମନ୍ତ୍ରୀଙ୍କୁ ଦେବେ କି ସରକାରଙ୍କୁ ଦେବେ ସେ କଥା ସେମାନେ ଆପୋସିରେ ଠିକ୍‌ କରିନେବେ । ଯେଉଁମାନେ ଖବର କାଗଜ ପଢ଼ନ୍ତି ବା ପତ୍ର ପତ୍ରିକା ମଗାନ୍ତି, ସେମାନେ ଏଥର ଅବାଧରେ ପତ୍ରିକା ମଗାଇ ପଢ଼ି ପାରିବେ । ପତ୍ରିକା ମୂଲ୍ୟ ୧/୬ କେବଳ ସମ୍ପାଦକଙ୍କ ପ୍ରାପ୍ୟ ।

 

ଏତେଦିନ ଯାଏ ଯିଏ ଯେଉଁ ପତ୍ରିକାରେ ଲେଖୁଥିଲେ ଉକ୍ତ ପତ୍ରିକାର ସମ୍ପାଦକ ଲେଖକଙ୍କ ୧/୬ ଲେଖା କେବଳ ମନୋନୀତ ହୋଇନାହିଁ ବୋଲି କହି ପଦ ଦଳିତ କରି ପାରିବେ-

 

ହୀରାକୁଦ ଡୁଡୁମାର ବିଜୁଳିର ୧/୬ ଭାଗ ଯେଉଁମାନ ତିଆରି କରିଛନ୍ତି ସେମାନଙ୍କ ବାସହୀନ ଭବନରେ ଲାଗିବ । ବାକି ୧/୬ ଭାଗ ସରକାର ନେଇ ପାରିବେ ।

 

ବିହାର କହେ ସଢ଼ୈକଳା ଖରସୁଆଁ ତାହାର, ବଙ୍ଗଳା କହେ ବାଲେଶ୍ୱର ଯାବତ୍‌ ତାହାର, ଆନ୍ଧ୍ର କହେ ବରହମପୁର ଯାବତ୍‌ ତାହାର ମଧ୍ୟପ୍ରଦେଶ କହେ ସମ୍ୱଲପୁର ଯାବତ୍‌ ତାହାର-। ଷଢ଼ୈକଳା ଖରସୁଆଁ ଉପରେ ବିହାର ଦାବୀ ଉଚିତ, କାରଣ ବିହାର ୧୯୫୪ ସାଲରୁ ସେ ଆବାଦ କରି ଆସୁଅଛି । ବାକିମାନଙ୍କ ଦାବୀ କିଛି ନାହିଁ । ଓଡ଼ିଶାଟା ଦାବୀହୀନ ଜାଏଗା-

 

ଚୌଧୁରୀଙ୍କି ଏତିକି ମୋର ନିବେଦନ–ସେ ଲାଲକିଲ୍ଲା କି ମୁଖ୍ୟମନ୍ତ୍ରୀତ୍ୱ ପଦ ତ୍ୟାଗ କରନ୍ତୁ ନାହିଁ । ୧୯୫୪ ସାଲ୍‌ରୁ ସିଏତ ସେହି ପଦରୁ ଆସୀନ । ବାକି ରହିଲା ଲାଲକିଲ୍ଲା, ସେଇଟା ଯେ ମନ୍ତ୍ରୀ ପଦର ସହଧର୍ମିଣୀ, କିଏ କାହାର ସହଧର୍ମିଣୀକୁ ଛାଡ଼େ । ସର୍ବହରାର ପେଟ ପୋଷିବାର ପନ୍ଥା ସୁନ୍ଦର ହେଲା, କିନ୍ତୁ ଆମ ଲାଲଭାଇମାନେ ଆଉ କଣ ଦାବୀ କରି ପାରିବେ– ।

 

‘‘ଇନ୍‌ କିଲାବ ଜିନ୍ଦାବାଦ୍‌ ।’’

 

କଂଗ୍ରେସ ସରକାର ତ ତାଙ୍କ ପନ୍ଥା ଜମିଆଡ଼ୁ ଆରମ୍ଭ କଲାଣି, ବିରଳା ଘରେ କେବେ ନିଆଁ ଲାଗିବ ସେଇକଥା ଚଉଧୁରୀ ଜାଣନ୍ତି ।

 

(୧୮ଶ ବର୍ଷ, ୧୦ମ ସଂଖ୍ୟା ଅପ୍ରେଲ ୧୯୫୫ ଡଗରରେ ପ୍ରକାଶିତ ।)

✾✾✾

 

ଡାକ୍ତର ଚମ୍ପତି ରାୟ କବିରାଜ

 

ଠୁଣୁ ଠୁଣୁକିଆ ଚେରମୂଳିଆର ଯୁଗ ପରେ ଆଜି ଡାକ୍ତରୀ ବିଦ୍ୟାରେ ଦେଖାଗଲା ପେନ୍‌ସିଲିନ୍‌ । ଦିନଥିଲା ଯେତେବେଳେ ହରିଡ଼ା ସବୁରି କାର୍ଯ୍ୟର ହେଉଥିଲା ଲୋଡ଼ା; କିନ୍ତୁ ଆଜି ସେ ଦିନ ନାହିଁ । ଆଜି ମୁଣ୍ଡରେ ଚୁଟି ଆଉ କପାଳରେ ଚିତାର ଆଦର ନାହିଁ । ଆଜି ମୁଣ୍ଡରେ ଟୋପି ଆଉ ଗଳାରେ ‘‘ଟେଥସ୍‌କୋପ୍‌’ର ଆଦର ଆସିଛି ।

 

ଚମ୍ପତି ରାୟ ବାଉଁଶ ବାଇଦ ବାଉଁଶ, ପାରିବାରିକ ଜୀବନର ଯାବତୀୟ ଉନ୍ନତି ଏଇ ନାଡ଼ି ଚିପାରୁ । ନାଡ଼ି ଚିପି ପଣଅଜା, ଅଜା, ପୁଅ, ନାତି ସଭିଏଁ ଗଲେ । ସେ କାଳ ଥିଲା ଭିନେ, କିନ୍ତୁ ପଞ୍ଚମୂଳି ପାଞ୍ଚଣ ପାଣି ଆଉ ନାଡ଼ି ଚିପାର ଦିନ ବି ସରିଗଲା । ସେଥିପାଇଁ ମଥାରେ ହାତଦେଇ ମୁକୁନ୍ଦ ଚମ୍ପତି ରାୟ ବସନ୍ତି । ଭାବନ୍ତି କଣ ହେବ ? ଅକାଳେ ସକାଳେ ଗାଁରେ କୌଣସିଠି କେହି ବାଧିକି ପଡ଼ିଲେ ପାଞ୍ଚମାଇଲ ଦୂରର ପାକିସ୍ଥାନୀ ଡାକ୍ତର ମିଷ୍ଟର ଶମ୍ଭୁନାଥ ହାଜର ହୋଇଯାଏ । ତାର ଫିସ୍‌ର କିଛି ଗୋଟାଏ ଧାରଣା ନାହିଁ । ଦୁଇଟା କଲରା, ଖଣ୍ଡେ ବୋଇତ କଖାରୁ, ମାଣେ ଚାଉଳ, ପୁଞ୍ଜାଏ କେରାଣ୍ଡି ନେଲେ ଔଷଧ ବତାଇ ଦେଇ ଆସେ । ଏ ସୁବିଧା ଛାଡ଼ି ମଣିଷ କଣ ଚମ୍ପତି ରାୟ ପାଶକୁ ଦୌଡ଼ିବ, କଟୁ ତିକ୍ତ କଷାୟ ଗିଳିବାକୁ ? କିନ୍ତୁ ଚମ୍ପତି ରାୟ ବି ନଛୋଡ଼ ବନ୍ଧା । ସେ ବି ଡାକ୍ତର । ଦେବେ କିନ୍ତୁ କିମିତି ? ଗାଁର ଟାଉଟର ଓକିଲଙ୍କୁ ମକଦ୍ଦମା ଯୋଗାଇଲା ଭଳି କବିରାଜ ଚମ୍ପତି ରାୟ ବି ସହରର ବଡ଼ ଡାକ୍ତରଙ୍କୁ ରୋଗୀ ଯୁଟାନ୍ତି । ସେଥିରେ ଦୁଇପଇସା ଚମ୍ପତି ରାୟଙ୍କୁ ଦିଅନ୍ତି ପାନଖିଆ ହିସାବରେ । ଆଉ ରୋଗୀଠୁଁ ଚମ୍ପତି ରାୟ ଭାତ ଓ ଭତ୍ତା ନିଅନ୍ତି । ଦିନ ଏମିତି ଚାଲେ । ଚମ୍ପତି ରାୟ ନାଡ଼ି ଦେଖା ଏକବାରେ ବନ୍ଦ କରି ଦେଲେଣି । ଲୋକେ ପଚାରିଲେ ସେ କହନ୍ତି ‘‘ସେ ବଡ଼ ଡାକ୍ତରଙ୍କଠୁଁ ଡାକ୍ତରୀ ଶିଖୁଛନ୍ତି ।’’

 

ଦିନେ ସହରର ବଡ଼ ଡାକ୍ତର କୌଣସି ଏକ ଘରୋଇ କାମରେ ନିଜ ଡିସ୍‌ପେନ୍‌ସାରି ଛାଡ଼ି ଚାଲିଗଲା ବେଳେ ଚମ୍ପତି ରାୟଙ୍କୁ କହିଲେ ‘‘ବୈଦ୍ୟ ଡାକ୍ତରଖାନାରେ ବସିଥାଅ, କେହି ରୋଗୀ ଆସିଲେ ବସାଇଥିବ । ଚମ୍ପତି ରାୟ ଡାକ୍ତରଖାନା ଜଗିଲେ । ଡାକ୍ତରବାବୁଙ୍କ ଟେବୁଲରେ ଥିବା ଟେଥସ୍‌କୋପ୍‌କୁ କାନରେ ଲଗାଇ ନିଜ ହୃଦୟରେ ଥୋଇଲେ । ଦୁକ୍‌, ଦୁକ୍‌, ଦୁକ୍‌ । ଚମ୍ପତି ରାୟ ଅତି ଆନନ୍ଦିତ ହୋଇ କହିଲେ ‘‘ଏଥର ମୁଁ ଡାକ୍ତର ହେବି–ଏଇ ନଳୀ (ଟେଥସ୍‌କୋପ୍‌) ଲଗା ଡାକ୍ତର ।’’ ସେଇ ସମୟରେ ପଲ୍ଲୀ ଗାଁର କେହି ରୋଗୀ ଆସି ଡାକ୍ତରବାବୁଙ୍କ ନପାଇ ଚମ୍ପତି ରାୟଙ୍କ କାନ ଆଉ ଗଳାରେ ନଳୀ ଥିବା ଦେଖି ତାଙ୍କୁ ଜୁହାର ହୋଇ କହିଲା–

 

‘‘ଡାକ୍ତର ବାବୁ..... ।’’

 

ଚମ୍ପତି ରାୟ ମୁଣ୍ଡ ଟୁଙ୍ଗାରି କହିଲେ ‘‘ହେଲା କଣ ।’’

 

ରୋଗୀଟା କହିଲା ‘‘ଗୋଡ଼ରେ ଦରଜ, ଆଣ୍ଠୁ ଫୁଲିଛି ।’’

 

ଚମ୍ପତି ରାୟ କହିଲେ ‘‘ଆଚ୍ଛା ଗୋଡ଼ ଦେଖା ।’’

 

ରୋଗୀଟା ଗୋଡ଼ ଦେଖାଇ ଦେଲା । ଚମ୍ପତି ରାୟ ଟେଥସ୍‌କୋପ୍‌ ଲଗାଇ ଗୋଡ଼ରେ ଟେଥସ୍‌କୋପ୍‌ ରଖି ଚିନ୍ତାକୁଳ ନୟନରେ ରୋଗୀ ପ୍ରତି ସସ୍ନେହ ଦୃଷ୍ଟିପାତ୍‌ କଲେ ।

 

ରୋଗୀ କହିଲା ‘‘ଆଜ୍ଞା, ଆର ଡାକ୍ତରବାବୁ ନଳୀଟାତ ଖାଲି ଛାତିରେ ଥାପି ରୋଗର ମରମ ବେଦନା କହନ୍ତି, ଆଉ ଆପଣ ଗୋଡ଼ରେ ରଖି..... ।

 

ଚମ୍ପତି ରାୟ କହିଲେ ‘‘ଗୋଡ଼ ହେଲା ଦେହ ଅଙ୍ଗର ପ୍ରତ୍ୟଙ୍ଗ । ଛାତିରେ ଦରଜ ହେଲେ ଯେପରି ସମସ୍ତ ଦେହ ମନ ଅବଶ ହୋଇପଡ଼େ ଗୋଡ଼ରେ ଦରଜ ହେଲେ କଅଣ ଦେହ ମନରେ ବ୍ୟତିକ୍ରମ ଦେଖାଯାଏ ନି ? ଗୋଡ଼ ହେଲା ଦେହର ମୂଳଭିତ୍ତି । ତାହା ଉପରେ ଆମର ସମସ୍ତ ଦେହଟା ଆଶ୍ରୟ କରିଛି ଛାତି ହେଉ ବା ପିଠି ହେଉ ।’’

 

ରୋଗୀ ଆଉ ଥରେ ଆକୁଳ ନୟନରେ ଚାହିଁ ରହିଲା ଚମ୍ପତି ରାୟଙ୍କୁ ଆଡ଼େ । ଚମ୍ପତି ରାୟ କହିଲେ ‘‘ରୋଗଟା ବାତ, ଏହାର ଔଷଧ ହେଉଛି, ଔଷଧ ହେଉଛି..... ।’’

 

ମେଟେରିଆ ମେଡ଼ିକାର ଦୁଇଟା ପୃଷ୍ଠା ଓଲଟାଇ କହିଲେ ମଧ୍ୟମ ନାରାୟଣ ତୈଳ ଗୋଡ଼ରେ ଉତ୍ତମ ମାଲିସ୍‌ କରିବା–ଜଳ ପାଖକୁ ନଯିବା । ଶୀତଳ ଉପଚାର ନାସ୍ତି–ଅମାବାସ୍ୟା ଦିନ ଓଳିଏ ଭୋଜନ... ।

 

ରୋଗୀ ଦୁଇଟା ଟଙ୍କା ଚମ୍ପତି ରାୟଙ୍କ ହାତରେ ବଢାଇ ଦେଇ ଗୃହାଭିମୁଖେ ପ୍ରସ୍ଥାନ କଲା ।

 

ଡାକ୍ତର ଆସି କହିଲେ ‘‘କେହି ରୋଗୀ ଆସିଥିଲେ ?’’

 

ଚମ୍ପତି ରାୟ ଉତ୍ତର ଦେଲେ ‘‘ଆଜ୍ଞା ନା ।’’

 

ତା ପରେ..... ।

 

ଚମ୍ପତି ରାୟଙ୍କ ଗାଁ ସଡ଼କର ସନ୍ନିକଟ ଘର ଢେଙ୍କିଶାଳ ପରିଷ୍କାର ପରିଚ୍ଛନ୍ନ ହୁଏ । ଚମ୍ପତି ରାୟ ଗୋଟାଏ କାଗଜ ପଟା Card Boardରେ ପାନଖିଆ ଚୁନରେ ଲେଖିଲେ–

 

‘‘ଯମ ଅରି ଦାତବ୍ୟ ଚିକିତ୍ସାଳୟ, କିଲନିକ୍‌, ହସପିଟାଲ ।’’ ଛଅଣିଆ ବାକ୍‌ସ ଆଣି ଏନାସିନ୍‌ ସିଲାସିଲ, ପଟୁମିଲ୍‌, ସଫଟଲେସନ୍‌ କୁଇନାଇନ୍‌.....ଡିଚେନ୍‌ର କିଛି ଔଷଧ ରଖି ଡାକ୍ତରଖାନା ସଜାଇ ଦେଲେ ।

 

ଗୋଟାଏ ଟେଥସ୍‌କୋପ୍‌ ବି କଣ୍ଟା ବାଡ଼ୋଇ ଟଙ୍ଗାଇ ଦେଲେ । ହାତ ଘଡ଼ିଟା ହାତରେ ବାନ୍ଧି ଦେଇ ମଥାରେ ଟୋପିଟା ଲଗାଇ ଡାକ୍ତରଖାନାରେ ରୋଗୀର ଅପେକ୍ଷାରେ ବସି ରହିଲେ । ସେ ଦିନର ପ୍ରଥମ ରୋଗୀ ଆସି କହିଲା ‘‘ଟିକିଏ ଜର ଜର ଲାଗୁଛି ।’’ କାମ ଧାମକୁ ଟିକିଏ ବି ଇଚ୍ଛା ନାହିଁ ।’’

 

ଡାକ୍ତର ଚମ୍ପତି ରାୟ କହିଲେ ‘‘ଉଚିତ ସମୟରେ ଆସି ପହଞ୍ଚିଲୁ ପଧାନ । ନ ହେଲେ ଅଇଚ୍ଛା ମୁଁ କଲ୍‌ରେ ଯାଇ ଥାଆନ୍ତି । ଟିକିଏ ନାକ ପୋଛିବାକୁ ତର ନାହିଁ ବାବୁ । କବିରାଜ ଥିଲି ଭଲ ଥିଲି । ଡାକ୍ତର ହେଲେ ସବୁବେଳେ କଲ୍‌ରେ ଯିବାକୁ ପଡ଼ୁଛି । ହଁ ତୁ କଅଣ କହିଲୁ ? ଆଚ୍ଛା ଟିକିଏ ଗଞ୍ଜିଟା ଖୋଲ ଛାତିଟା ପରୀକ୍ଷା କରେଁ ।’’ ରୋଗୀ ଛାତି ଖୋଲି ପକାଇଲା । ଡାକ୍ତର ଚମ୍ପତି ରାୟ ଟେଥସ୍‌କୋପ୍‌ ଲଗାଇ ଛାତି ପରୀକ୍ଷା କଲେ । ପିଠି ପରୀକ୍ଷା କଲେ । ଜିଭ କାଢ଼ିବାକୁ କହିଲେ । ଜିଭ ଦେଖି କହିଲେ ‘‘ତୁମକୁ ବ୍ରାଙ୍କୋ ନିମୋନିଆଁ ହୋଇଛି ।’’ ଗୋଟିଏ ଧଳା କାଗଜ ବାହାର କରି ସେଠାରେ ଲେଖିଲେ–

 

୭୮୯ ପଧାନ ପୁଅର ପାଇଁ........

ଏନାସିନ୍‌ ଦୁଇ ପୁଡ଼ିଆ........

ଚ: ପ: ରାୟ ଡାକ୍ତର

 

ପୁଣି ଡାକ୍ତର ଚମ୍ପତି ରାୟ କହିଲେ–‘‘ଦେଖ, ଗୋଟାଏ ଗରମ ଔଷଧ ତୁମ ପାଇଁ ବର୍ତ୍ତମାନ ଦେବି ।’’

 

ରୋଗୀ କହିଲା–‘‘କି ଔଷଧ ?’’

 

ଡାକ୍ତର ଚମ୍ପତି ରାୟ କହିଲେ ‘‘ଆରେ ବାପା, ଔଷଧ ଆଉ ରୋଗ ଏଇ ହେଲା ଡାକ୍ତରର ଜ୍ଞାନ । ଯଦି ତୁ ଏଇଟା ଜାଣି ପାରିବୁ, ତାହାହେଲେ ବାପ, ମୋର ଏତେ ଅଧ୍ୟବସାୟ ତପସ୍ୟା ସବୁ ଶୁଖୁଆ ପୋଡ଼ାରେ ଯିବ । ତୋତେ ଯେଉଁ ଔଷଧ ଦେଉଛି ସେଇଟା ହେଲା ଲିପଟନ୍‌ ମିକ୍‌ଶ୍ଚର ।’’

 

ସାଙ୍ଗେ ସାଙ୍ଗେ ଡାକ୍ତର ଘର ଭିତରକୁ ଯାଇ ଲିପ୍‌ଟନ ମିକ୍‌ଶ୍ଚର ଆଣି ଦେଲେ ଧଳା କପରେ । ପଧାନ ବାପୁଡ଼ା ଏକା ନିଃଶ୍ୱାସେ ଲିପ୍‌ଟନ ମିକ୍‌ଶ୍ଚରଟାକୁ ଗଳା ଧସରଣ କରି ଆଖି ଦୁଇଟା ଉପରକୁ ଟେକି ଦେଲା ।

 

ଡାକ୍ତର ଚମ୍ପତି ରାୟ କହିଲେ ‘‘ଏଥର ରୋଗ ଛାଡ଼ିଯିବ ।’’ ରୋଗୀ ପଳାଇବାକୁ ବସୁଥିବାବେଳେ ଡାକ୍ତର ଚମ୍ପତି ରାୟ କହିଲେ ‘‘ ବାବୁ ଏଇଟା ହେଲା ଦାତବ୍ୟ ଚିକିତ୍ସାଳୟ । ତୁମକୁ ଔଷଧର ଦାମଟା ଅନ୍ତତଃ ଦେଇକରି ଯିବାକୁ ହେବ ।’’

 

ରୋଗୀ ପଚାରିଲା–‘‘କେତେ ?’’

 

ଡାକ୍ତର ଚମ୍ପତି ରାୟ କହିଲେ–

ଆନାସିନ୍‌–ଟ୦୪

ଲିପ୍‌ଟନ ମିକ୍‌ଶ୍ଚର–ଟ୦୪

କଲ୍‌ ଫି–ଟ୦୧

ଟ ୧।୪

 

(ଏକଟଙ୍କା ଚାରିଅଣା)

 

ରୋଗୀ ଡାକ୍ତରଙ୍କୁ ପଇସାଟା ଦେଇ ଚାଲିଗଲା ପରେ ଡାକ୍ତର ଚମ୍ପତି ରାୟ ନିଜକୁ ନିଜେ କହିଲେ ‘‘ଏଡ଼େ ସୁନ୍ଦର ପନ୍ଥା ଥିଲା । ମୁଁ ବୃଥାରେ ନାଡ଼ି ଚିପି ମରୁଥିଲି ।’’

 

ତା ଆରଦିନ ପଧାନ ଆସି କହିଲା–‘‘ଆଜ୍ଞା ମୁଁ ଭଲ ହୋଇଗଲି ।’’

 

ଡାକ୍ତର ନାଁ ଦିନୁ ଦିନୁ ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲା । ପରେ କିଛିଦିନ ଗଲା ଉତ୍ତାରୁ ଏକ ରାତିରେ ଡାକ୍ତରଙ୍କ ଦୁଆରେ କିଏ ଆସି ଶିଙ୍କୁଳି ବାଡ଼େଇଲା ।

 

ଡାକ୍ତର ବିଛଣା ତେଜି ନିଜ ସ୍ତ୍ରୀକୁ କହିଲେ ‘‘ମୁଁ କାହିଁକି ଡାକ୍ତର ହେଲି, ବେଳଟିଏ ବି ନିଃଶ୍ୱାସ ନେଇ ହେଲା ନାହିଁ ଶାନ୍ତିରେ ।’’

 

ଡାକ୍ତରଙ୍କ ସ୍ତ୍ରୀ ମଦନ ସୁନ୍ଦରୀ କହିଲେ ‘‘ହୁଁ ଦିନସାରା ଶୋଇ ଶୋଇ ଯାଉଛି । କଅଣ ନା ନିଃଶ୍ୱାସ ମାରିବାକୁ ତର ନାହିଁ ।’’ ଦାଣ୍ଡ ଅଗଣାକୁ ଆସି ଡାକ୍ତର ଚମ୍ପତି ରାୟ ପୁଚ୍ଛା କଲେ ‘‘କିଏ-?’’

 

ଉତ୍ତର ଆସିଲା ‘‘ମୁଁ ପାଣ୍ଡବ ସାହୁ । ମୋର ସ୍ତ୍ରୀର ଦେହ ଖରାପ, ଟିକିଏ ବେଗି ବେଗି ଆସନ୍ତୁ ।’’

 

ଡାକ୍ତର କହିଲେ ‘‘କଅଣ ହୋଇଛି ?’’

 

ଉତ୍ତର ଆସିଲା ‘‘ଜର ନା କଅଣ । ତିନୋଟି ଛୁଆ ।’’

 

ଡାକ୍ତର କହିଲେ ‘‘ରାତ୍ରକାଳେ, ଆଜ ରାତ୍ରଟା ଚଳାଇ ନିଅ, କାଲି ସକାଳରେ ଗଲେ ହୁଅନ୍ତା ନି ?’’

 

ପାଣ୍ଡବ ସାହୁ କହିଲେ ‘‘ଆଜ୍ଞା ଚାଲନ୍ତୁ । ଚାରିଅଣା ଜାଗାରେ ଆଠଅଣା ଫିସ୍‌ ଦେବି; ଚାଲନ୍ତୁ ।’’

 

ଡାକ୍ତର ଚମ୍ପତି ରାୟ ରାତ୍ରଟାରେ ଆଖିରେ ଜିରୋପାବାର ବାଲା ଚଷମା ନେଇ ସାର୍ଟ ପକେଟରେ ଥରମୋମିଟର ଲଗାଇ ହାତରେ ଘଡ଼ି ବାନ୍ଧି ଗଳାରେ ଟେଥସ୍‌କୋପ୍‌ ଲଗାଇ ରୋଗୀ ଦୁଆରେ ହାଜର ହେଲେ । ରୋଗୀ ସେତେବେଳେ ପ୍ରଳାପ କରୁଛି । ରୋଗୀ ପାଖରେ ବସି ଡାକ୍ତର କହିଲେ ‘‘ରୋଗୀକୁ ବାହାରକୁ ନିଅ । ଘରେ ମୁକ୍ତ ବାୟୁ ଚଳପ୍ରଚଳ ହେଉନାହିଁ ।’’

 

ପାଣ୍ଡବ ସାହୁ କହିଲା ‘‘ଆଜ୍ଞା ।’’

 

ଥରମୋମିଟରଟାକୁ ରୋଗିଣୀର କାଖରେ ଦେଇ ଟେଥସ୍‌କୋପ୍‌ଟାକୁ ପିଠି ଛାତିରେ ଲଗାଇ ବାରମ୍ୱାର ଘଡ଼ିକୁ ଅନାଇ ରୋଗିଣୀର ନାଡ଼ି ଚିପିବାକୁ ଲାଗିଲେ ଚମ୍ପତି ରାୟ ।

 

ଡାକ୍ତର ଚମ୍ପତି ରାୟ କହିଲେ ‘‘ରୋଗୀଟା ହେଲା କେସ୍‌–ସିରିୟସ, ବାଙ୍କ୍ରୋ–ନିମୋନିଆର କିଛି ମାତ୍ରା, ଗେସଷ୍ଟ୍ରିକ୍‌ ଅଲସର, ଇନ୍‌ଫ୍ଲୁଏନ୍‌ଜା, ଥରମୋଫେକସ୍‌, ଏସିଡ୍‌ଫସ୍‌ ଏବଂ ଏନାସିନ୍‌ ଗାଳାଙ୍ଗୁଳା ହୋଇଛି ।’’

 

ପାଣ୍ଡବ ସାହୁ ବଲ୍‌ ବଲ୍‌ କରି ଡାକ୍ତରଙ୍କୁ ଅନାଇବାକୁ ଲାଗିଲା । ଡାକ୍ତର ଚମ୍ପତି ରାୟ କହିଲେ–ଟିକିଏ ଆଗରୁ ଖବର ଦେଲୁ ନାହିଁ । ତୁ ବେଶି ଭାବ୍‌ନା । ଆଚ୍ଛା ରହ, ଗୋଟାଏ ଇଞ୍ଜେକ୍‌ସନ୍‌ ଦେବି, ତା ପରେ ଦେଖାଯିବ ।

 

କବିରାଜ ଔଷଧ ହଜମ ହୁଏ ତାପରେ ରକ୍ତରେ ମିଶେ ଓ ଦେହକୁ ହିତ କରେ । କିନ୍ତୁ ଡାକ୍ତର ଔଷଧ ସଙ୍ଗେ ସଙ୍ଗେ ରକ୍ତରେ ମିଶିଯାଏ । ପାଣ୍ଡବ ସାହୁକୁ ଡାକ୍ତର ଚମ୍ପତି ରାୟ କହିଲେ ‘‘କାଖ ତଳୁ ସେ ଯନ୍ତ୍ରଟା ଆଣିଲୁ ।’’

 

ପାଣ୍ଡବ ସାହୁ ଥରମୋମିଟରଟା ଆଣି ଡାକ୍ତରଙ୍କ ହାତକୁ ବଢ଼ାଇ ଦେଲା । ଡାକ୍ତର ଦୀପ ପାଖକୁ ନେଇ ଥରମୋମିଟରଟାକୁ ଦେଖିବାବେଳେ ଥରମୋମିଟରଟା ଫଟକିନା ଭାଙ୍ଗିଗଲା-। ଡାକ୍ତର କହିଲା, କି ଜରରେ ବାପା, ଜରର ମାଡ଼ରେ ଯନ୍ତ୍ର ବି ଭାଜି ଯାଉଛି ।’’

 

ପାଣ୍ଡବ ସାହୁ କହିଲା ‘‘ଆଜ୍ଞା ଇନ୍‌ଜେକ୍‌ସନ୍‌ ?’’ ଡାକ୍ତର ବାବୁ କହିଲେ ଟିକିଏ ଅଗ୍ନି ଜାଳି ପକା ଆଉ ଟିକିଏ କୂପଜଳ ଉତ୍ତପ୍ତ କର ।’’

 

ପାଣ୍ଡବ ବିଚାରା ପାଣି ତତାଇ ଡାକ୍ତରଙ୍କ ହାତକୁ ବଢ଼ାଇ ଦେଲା । ଡାକ୍ତର କହିଲେ ‘‘ବାବୁ ଯେଉଁ ତାଟିଆରେ ପାଣି ଦେଲୁ ତାକୁ ଗରମ ପାଣିରେ ଧୋଇଛୁ ତ ?’’

 

ପାଣ୍ଡବ ହଁ କଲା ।

 

ଡାକ୍ତର କହିଲେ ‘‘ଏ ପିପ୍‌ଳିଟା ଭାଜି ଆଣ ଆଉ ସୁପରିଷ୍କାର ଶିଳରେ ତାକୁ ଚୂରି ପକା; ତା ପରେ–’’

 

ପିପଳି ଗୁଣ୍ଡା, ମକରଧ୍ୱଜ ଓ ଡାଲଡ଼ା ଘିଅରେ ଔଷଧ ତିଆରି ହେଲା ପରେ ଗରମ ପାଣିରେ ସିରିଞ୍ଜଟାକୁ ଡାକ୍ତର ଦୁଇ ତିନିଥର ପିଚକାରି ମାରି ଔଷଧଟାକୁ ଭରତି କରି ନେଲେ । ରୋଗୀର ବାଁ ହାତଟାକୁ ଧରି ଏମିତି ଭାବରେ ଗଳାଇ ଦେଲେ ଯେ ଇଞ୍ଜେକ୍‌ସନର ମୁନଟା ହାତର ମାଉଁସ ଭେଦି ବାହାରକୁ ବାହାରି ପଡ଼ିଲା ଓ ଅନେକ ଗୁଡ଼ାଏ ରକ୍ତ ବି ଝରି ପଡ଼ିଲା ।

 

ଡାକ୍ତର କହିଲେ ‘‘ଯା ହେଉ ଦେହର ଖରାପ ରକ୍ତ କିଛି ବାହାରି ପଡ଼ିଲା । ଏଇଆ ମୁଁ ଆଶା କରି ନ ଥିଲି ।’’

 

ପାଣ୍ଡବ କହିଲା–‘‘ଆଜ୍ଞା ଜାଗାଟା ଯେ ଫୁଲିଗଲା ?’’

 

ଡାକ୍ତର କହିଲେ ‘‘ଲୁଣ ପୁଲଟିସ ଦେଇ ଦବୁ ଛାଡ଼ିଯିବ ।’’ ଆଉ ଥରକର ଇଞ୍ଜେକ୍‌ସନଟା ଯା ହେଉ ଦେହ ଭିତରେ ରହିଲା ତା ପରେ ରୋଗୀର ହଲଚଲ ବନ୍ଦ ।

 

‘‘ବାଃ ରୋଗୀଟା ଯେ ଶୋଇ ପଡ଼ିଲା । ଆଣବାବୁ ଫିସ୍‌ଟା ଦେଇ ଯା । ହେଇ ଦେଖ ହାତର ଫୁଲାଟା ବି କମି ଯାଉଛି ।’’ ଡାକ୍ତର କହିଲେ ।

 

ପୁଣି ଡାକ୍ତର କହିଲେ ‘‘ରୋଗୀର ନିଦରେ ବାଧା ଦେବୁ ନାହିଁ । ବିଶ୍ରାମ ଦରକାର ରୋଗୀକୁ କୌଣସି ରକମର ଗୋଳମାଳ କରିବୁ ନାହିଁ । କାଲି ସକାଳେ ରୋଗୀକୁ ଅଣ୍ଡା ସିଝା, କୁକୁଡ଼ା ମାଉଁସ ଝୋଳ, ସରୁଆ ଦ୍ରାକ୍ଷା କିମ୍ୱା ଅଙ୍ଗୁର ରସ, ବେଦାନା, ଆପେଲ ଖାଇବାକୁ ଦେବୁ । ବୁଝିଲୁ ?’’

 

‘‘ହଁ ଲୋଟାଏ ପାଣି, ଟିକିଏ ସାବୁନ୍‌ ଆଉ ତଉଲିଆଟା ଦେଲୁ ହାତ ଧୂଏଁ ।’’

 

ପାଣ୍ଡବ କହିଲା–‘‘ଘରେ ସାବୁନ୍‌ ନାହିଁ ।’’

 

ଡାକ୍ତର କହିଲେ–‘‘ଆଚ୍ଛା ଟିକିଏ ମାଟି ଆଣ ।’’ ମାଟି ଦେଇ ହାତ ଧୋଇ ପକାଇ ଡାକ୍ତର ବାବୁ ଗଲାବେଳେ ପାଣ୍ଡବ ସାହୁ କହିଲା ‘‘ରୋଗୀ ବଞ୍ଚିବ ତ ?’’

 

ଡାକ୍ତର ଚମ୍ପତି ରାୟ କହିଲେ ‘‘ବଞ୍ଚିବ, ବଞ୍ଚିବ, ବଞ୍ଚିବ ! ନିଦ ହେଲା ସର୍ବରୋଗର ଔଷଧ । ନିଦ ହୋଇଗଲେ ସବୁ ଦୁଃଖ କଟିଯାଏ ।’’ ପାଣ୍ଡବ ସାହୁ ହାତରୁ ଗୋଟାଏ ଟଙ୍କା ଫିସ୍‌ ଓ ଔଷଧ ବାବଦକୁ ଗୋଟାଏ ଟଙ୍କା ଓ ଦୁଇଟା ଇଞ୍ଜେକ୍‌ସନ୍‌ ବାବଦକୁ ଗୋଟାଏ ଟଙ୍କା ନେଇ ଚମ୍ପତି ରାୟ ଘରକୁ ଫେରିଲେ ।

 

ଆରଦିନ ସକାଳୁ ଶୁଣାଗଲା–ରୋଗୀର ଚିରନିଦ୍ରା ହୋଇଛି । ଡାକ୍ତର ଚମ୍ପତି ରାୟ କହିଲେ–‘‘ସବୁ ଭାଗ୍ୟ ମୁଁ କେବଳ ନିମିତ୍ତ ମାତ୍ର ।’’

 

(୧୯ଶ ବର୍ଷ ୨ୟ ସଂଖ୍ୟା ଅଗଷ୍ଟ ୧୯୫୫ ଡଗରରେ ପ୍ରକାଶିତ ।)

✾✾✾

 

ନେକ୍‌ଟାଇ

 

ଗେଞ୍ଜିଟାଏ, ତା’ ଉପରେସାର୍ଟ, ତା’ ଉପରେ ନେକ୍‌ଟାଇ । ଦିନେ ସଦାଶିବ କିଛି ଗୋଟାଏ ବିଶେଷତ୍ୱ ନ ପାଇ ଅହିରାଜଟାଏ ବେକରେ ଗୁଡ଼ାଇ ହୋଇ ଭଗବାନ ବୋଲି ପରିଗଣିତ ହେଲେ । ସେମିତି ନେକ୍‌ଟାଇ ଭିଡ଼ା ବାବୁମାନେ ଆଜି ସାହେବ । ସତେ ନେକ୍‌ଟାଇଟା କେଉଁ କାମକୁ ନ ଆସେ ?

 

ଗଳାଆଡ଼ୁ ପବନ ନ ପଶିବାପାଇଁ ଏହା କେଜାଣି ବ୍ୟବହୃତ ହେଉଥିବ ଅବା ! କିମ୍ୱା ବଟମ୍‌ ନ ଲଗାଇଲେ ବି ଲଗାଇ ଥିଲା ପରି ଯେମିତି ଦିଶିବ, ସେଥିପାଇଁ ଏହାର ଉତ୍ପତ୍ତି । ଝିଅଙ୍କ ଲମ୍ୱ ବେଣୀ ପୃଷ୍ଠର ଶୋଭାବର୍ଦ୍ଧକ ହେଲା ପରି ନେକ୍‌ଟାଇଟା ପୁରୁଷଙ୍କ ଅଗ୍ରବେଣୀ ସ୍ୱରୂପ ପବନରେ ହଲୁଥାଏ ବା ଡୋଲୁଥାଏ । ସାଧାରଣ ମଣିଷର ଆଗପଛ ସମାନ କିନ୍ତୁ ନେକ୍‌ଟାଇ ପିନ୍ଧା ସାହେବ ଭାୟାମାନଙ୍କ ଆଗଟା ହିଁ ବିଷମ ସମସ୍ୟା ।

 

ସମସ୍ୟା ବୋଇଲେ କଅଣ କି ‘‘ପ୍ରେଷ୍ଟିଜ୍‍ ରକ୍ଷା ।’’

 

ପ୍ରେଷ୍ଟିଜ୍‌ ବୋଇଲେ ସର୍ବସାଧାରଣଙ୍କ ମଧ୍ୟରେ ଜଣେ ଅସାଧାରଣ ହେବା । ସେ ଅସାଧାରଣତ୍ୱ ପୁଣି ଦୁଇ କିସମର–କଉଡ଼ିଆ, ଆଉ ଅକଉଡ଼ିଆ । କଉଡ଼ିଆ ବୋଇଲେ ସାରଭିସ୍‌ବାଲା । ଅକଉଡ଼ିଆ ବୋଇଲେ ଏଜେଣ୍ଟ ରିପ୍ରେଜେଣ୍ଟଟିଭ୍‌ ଆଦି । କିନ୍ତୁ ନେକ୍‌ଟାଇର ଅସଲ ଲକ୍ଷ୍ୟ ହେଲା ପେଟ ପୋଷା । ଏଇ ନେକ୍‌ଟାଇ କେତେକଙ୍କୁ ପୁଣି ପୋଷା କୁକୁର କରାଏ, କେତେକଙ୍କୁ ଦିଏ କୁକୁର ପରି ଭୁକିବାର କ୍ଷମତା । କିନ୍ତୁ ନେକ୍‌ଟାଇ ପିନ୍ଧିବାରେ ଲାଭ ଅଛି । ଲାଭଟା ନମସ୍କାର ଗ୍ରହଣ କରିବା, ଆଜ୍ଞାପଦ ଶୁଣିବା ଓ ସଭା ସମିତି ଉତ୍ସବ ମହୋତ୍ସବରେ ଉଦାସୀନ ହୋଇ ବସିବାପାଇଁ କାଷ୍ଠାସନ ପାଇବା । କିନ୍ତୁ.....

 

ନେକ୍‌ଟାଇ ପିନ୍ଧା ବାବୁ ରାସ୍ତାରେ, ବାଟରେ, ଘାଟରେ ନିଛାଟିଆ ଦେଖି ପରିସ୍ରା କରି ପାରେନା । ଯେ ନେକ୍‌ଟାଇ ପିନ୍ଧେ ସେ ପିନ୍ଧେ ଫୁଲପେଣ୍ଟ । ତା ପାଇଁ ଦରକାର ନୀରବ ଏକ କୁଟୀର, ନିର୍ଜନ ସଦନ, ଯେଉଁଠି ସେ ଖାଲି ଉପଭୋଗ କରିବ ଝରଣାର କୂଳୁ କୂଳୁ ଧ୍ୱନି । ସେ ବସି ପାରେନା ପାଞ୍ଚଜଣଙ୍କ ସାଥିରେ, କମଳା ଲେମ୍ୱୁର ଖରା ବିଛୁଡ଼ି ପଡ଼ିଥିବା ପୌଷର ସକାଳେ ଭାନୁମତୀର ଦେଶରେ । ସେ ଚାହେଁ ଟିକିଏ ବସିବାର ଆଡ଼ମ୍ୱର ମଖମଲ ଦେହି ବାଘର ଚମଡ଼ା ଉପରେ । ନେକ୍‌ଟାଇ ମୂକକୁ ବାଚାଳ କରେ । ଏହି ବାଚାଳତା ଫୁଟି ଉଠେ କଥା କହିବା ଠାଣିରେ-। ସେ ଖାଣ୍ଟି ଓଡ଼ିଆ କହି ପାରେନା, କିମ୍ୱା ଖାଣ୍ଟି ଇଂରାଜୀ ବି କହି ପାରେନା । ସେ କହେ ଏମିତି ଭାଷା ଯାହାର ଠିକ୍‌ ଓଡ଼ିଆ ହେବ ‘‘କାଲ ଠାର କାଲ ମା’ ବୁଝେ’’ ଯଥା–

 

‘‘ତମେ BAT କରୁନ ।’’ ଆଉ ଏଇ ନୂତନ ଭାଷାକୁ ବୁଝେ Amerikaର Mr. Doll କିମ୍ୱା ପଶ୍ଚିମା ପଥିକ । କାରଣ ପ୍ରଶାନ୍ତ ମହାସାଗର ଆଉ ଭାରତ ମହାସାଗର ପରା ଲାଗିଛି । ବାହାରେ ପୁଡ଼ିଂ ତ ଘରେ ପଖାଳ । ନେକ୍‌ଟାଇର ଆଉ ଗୋଟାଏ ଗୁଣ ହେଉଛି ‘‘ଖଚକରୀ’’ ।

 

ନେକଟାଇ ପିନ୍ଧା ପାଖକୁ ଯିଏ ଚାନ୍ଦା ମାଗିବାପାଇଁ ଆସନ୍ତି, ତାଙ୍କୁ ଚାହିଁ ହୁଏନା, କାରଣ ତାଙ୍କ ଆଖି କହେ ୨୦ବା୨୫, କିନ୍ତୁ ନେକ୍‌ଟାଇ ଚିର ବନ୍ଧୁଛାତି ଦୁଲୁକି ପଡ଼େ, କାରଣ ଛାତିଟା ଚିରଦିନ ସ୍ୱାର୍ଥପର । ନେକ୍‌ଟାଇ ପିନ୍ଧା ବାବୁ ସିନେମା ଯାଏନା । ଯଦି ଯାଏ Reserveରେ । ସିନେମା ଯଦି ବା ଯାଏ, ଚିନାବାଦାମ କିଣି ଖାଇ ପାରେନା । କିମ୍ୱା ଖଣ୍ଡେ ବୋଲି ସିଗାରେଟ୍‌ ବି କିଣି ପାରେନା ।

 

‘‘ବାବୁ, ଖଣ୍ଡେ ନା ପକେଟ୍‌ଟାଏ ।’’

 

ଉତ୍ତର–‘‘ପକେଟ୍‌ଟାଏ ।’’ କାଲି ସକାଳେ ଘରେ ଲୁଣ ଟିକିଏ ନାହିଁ ।

 

ନେକ୍‌ଟାଇ ପିନ୍ଧା ବାବୁଙ୍କୁ ନେକ୍‌ଟାଇ ବୋକା ବନାଏ କିମିତି ?

 

ମାଢୁଆଳୀ ଦୋକାନରୁ ରାମ ଭଣ୍ଡାରି ଆଉ ରାମ ଓକିଲ ସାଲ କିଣିଲେ । ସେଇ ସାଲକୁ ରାମ ଭଣ୍ଡାରି କିଣିଲା ଟ୧୫ଙ୍କାରେ ଆଉ ରାମ ଓକିଲ କିଣିଲେ ଟ୨୫ଙ୍କାରେ । ଦଶଟଙ୍କା ଗଲା ନେକ୍‌ଟାଇ ପିନ୍ଧା ଭଦ୍ରଲୋକି ଦେଖାଇ ହେବାରୁ ବୋକାମୀ ଫଣ୍ଡ୍‌କୁ । ସେମିତି ରିକ୍‌ସା ଖର୍ଚ୍ଚ ଚାରିଅଣା ଜାଗାରେ ଆଠଅଣା । ନେକ୍‌ଟାଇ ପିନ୍ଧା ବାବୁ ମେଲା ମଇଦାନରେ ଦଶଲୋକ ସାମନାରେ ଦର କଷିବେ ? ପ୍ରେଷ୍ଟିଜ କେତେ ଡିଗ୍ରୀ ତଳକୁ ଖସିଯିବ !

 

ନେକ୍‌ଟାଇ ପିନ୍ଧା ବାବୁ ତ ବଜାର ଯିବେ ନାହିଁ ! ଗଲେ ଯାଆନ୍ତି ତାଙ୍କ ଚାକର । ଚାକର ବିଚରା କାହିଁକି ଯେ ହାଟକୁ ଗଲାବେଳେ ଏତେ ଚାହିଣୀ ଭକ୍ତ, ସେ କଥା ତା ପକେଟ୍‌ କହିବ ।

 

ସେ ଦିନ ଜଣେ କ୍ଳାଏଣ୍ଟ ପରା ଓକିଲ ବାବୁଙ୍କୁ ଟ୧୦ଙ୍କା ଦେଲା, ସେଇ ଦଶ ଟଙ୍କାରୁ ପାଞ୍ଚ–ଟଙ୍କା ଘଷରା । ଓକିଲ ବାବୁଙ୍କ ଚାଲାକିପାଇଁ ଭାରି ନାମ ଡାକ ।

 

ହେଲେ ନେକ୍‌ଟାଇ ପିନ୍ଧା ବାବୁ କଅଣ ଉପକାର ପାଆନ୍ତି ନାହିଁ ?

 

ଉପକାର–

 

ସବୁ ସଭା ସମିତିରେ ଶ୍ରୀ ଓ ଶ୍ରୀମତୀ–ଲିଖିତ ନିମନ୍ତ୍ରଣ ପତ୍ର ତାଙ୍କର ହସ୍ତଗତ ହୁଏ । ଭୋଜି ଭାତ ବି ମିଳେ ଏଇ ନେକ୍‌ଟାଇର ଦୟାରୁ ।

 

ଆଉ ‘‘କାଳି’’–

 

ଦୋକାନୀ ‘ଆଜି ନଗଦ କାଲି ଉଧାର’ ସାଇନ୍‌ ବୋର୍ଡ଼ ଦେଲେ ବି ନେକ୍‌ଟାଇ ପିନ୍ଧା ବାବୁଙ୍କୁ ଧାର ଦିଏ । ନେକ୍‌ଟାଇ ପିନ୍ଧା ବାବୁ ଛଡ଼ା ବଡ଼ ଖରିଦଦାର ଏ ଖଣ୍ଡମଣ୍ଡଳରେ ନ ଥିବେ । ତଥାପି ବାବୁଙ୍କୁ ଧାର ନ ଦେଲେ ସେ କଅଣ ମାଲ ରଖିବେ ?

 

ନେକ୍‌ଟାଇ ପିନ୍ଧା ବାବୁଙ୍କୁ ସବୁ ଗୋଚର । ସାହିତ୍ୟ, ରାଜନୀତି, ଦର୍ଶନ, ଭୂଗୋଳ, ଇତିହାସ ସଭା–ସମିତିରେ ସେ ସଭାପତି ।

 

ଓକିଲ ନେକ୍‌ଟାଇ ପିନ୍ଧେ, ସେ ଚାହେଁ ତା’ର କ୍ଳାଏଣ୍ଟ ତାଙ୍କୁ ଆଉ ମାଜିଷ୍ଟ୍ରେଟଙ୍କୁ ସମାନ ଆଖିରେ ଦେଖୁ । ମାଜିଷ୍ଟ୍ରେଟ୍‌ ନେକ୍‌ଟାଇ ପିନ୍ଧେ, କାରଣ ତାହାର ଆଗରେ ଥିବା ଓକିଲ ଅନ୍ତତଃ ଭାବୁ ମାଜିଷ୍ଟ୍ରେଟ ବି ସବଜାନତା । ଅଧ୍ୟାପକ ନେକ୍‌ଟାଇ–ଭୂଷଣ, କାରଣ ସେ ସ୍କୁଲ ଶିକ୍ଷକ ନୁହେଁ-। ସେ ସେକେଣ୍ଡ କିଲାସ ଯାତ୍ରୀ । ଏଜେଣ୍ଟ ନେକ୍‌ଟାଇ ପିନ୍ଧେ, ପିନ୍ଧେ, କମ୍ପେନି ମାନ ରକ୍ଷା କରିବାକୁ ।

 

ନେକ୍‌ଟାଇର କଦର କେତେ ଏଥର ପାଠକେ ବୁଝିବେ ।

✾✾✾

 

ଫ୍ଳୁ

 

‘‘ହଇହେ, ଶୁଣୁଛ, ନାକରୁ ପାଣି ବହୁଛି ।’’

 

ସ୍ତ୍ରୀ କହିଲେ ‘‘କଡ଼ାକରି କପେ ଚା’ ଖାଇଦିଅ । ବାସ୍‌, ସର୍ଦି–ଫର୍ଦି କୁଆଡ଼େ ହରଣଚାଳ-।’’

 

ମୁଁ କହିଲି ‘‘ନାଇଁ ଗୋ ନାଇଁ, ଖାଲି ନାକରୁ ପାଣି ନୁହେଁ । କାଶ ବି–’’

 

ସ୍ତ୍ରୀ କହିଲେ ‘‘ଇଏ ହେଲା ତମର କେଜୁଏଲ ନେବାର ଗୋଟାଏ ଫନ୍ଦି । ଚା’ରେ ଟିକିଏ ଅଦା ଦେଇ ଦେବି ଯେ କାଶ ବି ମୂର୍ଚ୍ଛା ଓ ସର୍ଦିର ବି ପତ୍ତନ ।’’

 

ମୁଁ କହିଲି ‘‘ଗଲା କଥା ଯେ ।’’

 

ସେ କହିଲେ ‘‘କିଆଁ, ଗରମ ଚା’ରେ ଟିକିଏ ଲୁଣ ଦେଇ ଦେଲେ ?’’

 

ମୁଁ କହିଲି, ‘‘ନା ଗୋ ନା, ଏଣେ ଛାତି ଯେ ପରାଶ ।’’

 

ସେ କହିଲେ ‘‘ସେଇ ଚା’ରେ ହିଁ ଟିକିଏ କସ୍ତୁରୀ ପକାଇ ଦେବି ।’’

 

ମୁଁ କହିଲି ‘‘ଟିକିଏ ଟିକିଏ ଜର ବି ।’’

 

ସେ କହିଲେ ‘‘ଚା’ରେ ଟିକିଏ କୁଇନାଇନ୍‌ ପକାଇ ଦେବି ।’’

 

ମୁଁ କହିଲି ‘‘ତମେ ଭାରି ଅଜ୍ଞ–ଦୁନିଆର ହାଲଚାଲ କିଛି ବୁଝୁନା । କିଆଁ ଯେ ସେଇ ଓଡ଼ିଆ ଦୈନିକ ଗୁରା କିଣୁଛ କେ ଜାଣେ ?’’

 

ସେ କହିଲେ ‘‘ତମ ରୋଗ ସାଥିରେ ଏଇ ଦୈନିକ ଖବର କାଗଜର ସମ୍ୱନ୍ଧ ?’’

 

‘‘ହାୟରେ, ସମ୍ୱନ୍ଧ ପୁଣି କୁଆଡ଼େ ନାହିଁ ? ଖବର କାଗଜ ସହିତ ସମ୍ୱନ୍ଧ ନଥିଲେ ‘ପାତ୍ର ଆବଶ୍ୟକ’ ବୋଲି ଖବରଟା ଜାଣନ୍ତି କିମିତି ? ଆଉ ତୁମେ ମୋର ଅର୍ଦ୍ଧାଙ୍ଗିନୀ ହୁଅନ୍ତ ବା କିମିତି-?’’

 

ସେ କହିଲେ ‘ତୁମର ମୋର ପରା ସମ୍ୱନ୍ଧ ଜନ୍ମଜନ୍ମାନ୍ତରର ।’’

 

ମୁଁ କହିଲି ‘‘କିଏ ମନା କରୁଛି, ଜନ୍ମଜନ୍ମାନ୍ତର ସମ୍ୱନ୍ଧ ନଥିଲେ...(ସ୍ୱଗତ) ତମପରି ତନ୍ୱୀ–ଶ୍ୟାମା–ଶିଖରୀ–ଦଶନା–ଆଡ଼ନୟନୀକୁ...ହେଁ ହେଁ–କିଏ ଆଉ ସହଜରେ ମଙ୍ଗେ ?’’

 

‘‘ସବୁପରା ଅଗ୍ରୋଧାବତି ଧାବତି–ମୁଁ କିନ୍ତୁ ତମ ପଛେ ପଛେ ଧାଉଁଛି ।’’

 

ପଚାରିଲେ ‘‘ହଁ, ଚା’ କରିବି ?’’

 

ମୁଁ କହିଲି ‘‘ସତେ ତ, ମୁଁ ଭୁଲି ଯାଇଥିଲି । ମୋର ଫ୍ଳୁ ହୋଇଛି । ନାଁଟା ଏବେ ମନେ ପଡ଼ିଗଲା ।’’

 

ସ୍ତ୍ରୀ କହିଲେ–‘‘ଏଁ ଏତ ଡିଆଁ ରୋଗ, ତେବେ ତୁମେ ମୋଠୁଁ ଟିକିଏ ଦୂରରେ ରହ । ଆଉ ଏଇ ରୋଗ ତମ ଦିହରୁ ନ ଯିବାଯାଏ ମୁଁ ଭିନେ ପନ୍ଥା ଧରିଲି । ମାନେ ମୁଁ ମୋର ପୂର୍ବ ସ୍ଥାନକୁ ଚାଲିଲି ।’’

 

ମୁଁ କହିଲି ‘‘ଏ ସ୍ଥାନ ପୂର୍ବରୁ କଣ ତମର ଆହୁରି ବି ଗୋଟିଏ ସ୍ଥାନ ଥିଲା ?’’

 

ସେ କହିଲେ ‘‘ଏ ରୋଗ ଭାରି ସଂକ୍ରାମକ । ମୋର ଆଗରେ କୌଣସି ଗୋଟାଏ ସ୍ଥାନ ଥିଲା କି ନା ସେଇଟା ହେଲା ମୋର ଏକେବାରେ ନିଜର । କିନ୍ତୁ ବର୍ତ୍ତମାନ ମୁଁ ମୋର ପିତାଙ୍କ ସଦନକୁ ଚାଲିଲି । ଟା.....ଟା.....’’

 

ମୁଁ କହିଲି ‘‘ଆଗୋ ଛାତି ବ୍ୟଥା ।’’

 

ସେ କହିଲେ, ‘‘ବିରହରେ ନୁହେଁ, ଫ୍ଲୁ ଯୋଗୁଁ । ତେଣୁ ମୋର ଭାବିବାର କିଛି ନାହିଁ । ମୁଁ ଚାଲିଲି । ଫଳାଫଳର ଖବର ଦେବ ?’’

 

‘‘ଖବରଟା ଚିଠିରେ ଦେବି, ନା ଟେଲିଗ୍ରାମରେ ?’’

 

ସେ କହିଲେ ‘‘ଚିଠିରେ ଦେବ କିନ୍ତୁ ସେ ଚିଠିଟିକୁ ଡିସ୍‌ଇନ ଫେକ୍‌ଟ କରିବ । ହଁ କିନ୍ତୁ ଟେଲିଗ୍ରାମ ଦେବାର ପ୍ରୟୋଜନ ନାହିଁ । ବୃଥା ଖର୍ଚ୍ଚ ମାନେ ଭଗବାନ ନ କରନ୍ତୁ ।’’

 

ସେ ଚାଲିଗଲେ.....ତାପରେ......

 

ଖବର କାଗଜକୁ ଖୋଲି ବସିଲି–ଗୋଟାଏ ଜାଗାରେ ଲେଖାଅଛି....ଦୁଇଘଣ୍ଟାରେ ଦୁଇଟା କରି ଏସ୍‌ପ୍ରୋ । ବାସ୍‌ ଫ୍ଳୁ ରୋଗରୁ ଅବ୍ୟାହିତ । ଦାମ୍‌ ଶସ୍ତା । ଆଉ ଗୋଟାଏ ଜାଗାରେ ଲେଖାଅଛି ‘କସ୍ତୁରୀ ଫାଳରୁ ଫାଳେ ।’ ଆଉ ଗୋଟାଏ ଲେଖାଅଛି ‘‘କେବଳ ଏସପିରିନ୍‌ ଅବ୍ୟର୍ଥ ମହୌଷଧ ।’’

 

ଭିକ୍‌ସାବାଲେ କହୁଛନ୍ତି, ଛାତିରେ ଘଷ, ଫ୍ଳୁ ରୋଗ ଛାଡ଼ିଯିବ ।

 

ଜଣେ କିଏ ବନ୍ଧୁ କହୁଥିଲେ–‘‘ସାଧନା ଔଷଧାଳୟର ଲକ୍ଷ୍ମୀ ବିଳାସ ପିଲ୍‌ରୁ ଦେଢ଼ଟା ଗୋଲି ।’’

 

ସାହିର କବିରାଜ କହିଲେ–‘‘ତ୍ରିଫଳା ପାଣିରେ ଗଳା ପରିଷ୍କାର କର, ଆଉ ଦେଢ଼ପା ଦଶମୂଳ ପାଣି ପ୍ରାତେ ଓ ସନ୍ଧ୍ୟାରେ ସେବନ ।’’

 

ଡାକ୍ତର କହୁଥିଲେ ‘‘ନିଭାକୁଇନ୍‌ ଇଜ୍‌ ଦି ମେଡ଼ିସିନ୍‌ ।’’

 

ବନ୍ଧୁ ରାମାନାଥ କହିଲେ ‘‘ବନ୍ଧୁ, ଏ. ପି. ସି. ଟେବଲେଟ୍‌ ଖାଉନ ।’’

 

ସାଙ୍ଗ ସାଥି କିଏ ଉପଦେଶ ଦେଲେ ‘‘ଭାଇନା, ସଲଫା ଡାଇଜାଇନ୍‌ରୁ ପୁଳେ ଖାଇଦିଅ ବାସ୍‌, କାମ ତୁଟିଲା ।’’

 

କିଏ କହିଲା, ‘‘ଭାଇ, ଏଲ୍‌ କୋସିନ୍‌ ଖାଅ ।’’

 

ଦପ୍ତରର ଚପରାଶି ଉପଦେଶ ଦେଲା ‘‘ଆଜ୍ଞମହ, ଅଦାରସ ଓ ତୁଳସୀ ପତ୍ର ରସ ସେବନ କରନ୍ତୁ, ଚବିଶ ଘଣ୍ଟାରେ ଚାଙ୍ଗା ।’’

 

କିଏ କହୁଛି, ଭାଇରେ, ତୁ ଏଇ ରୋମିସନ୍‌ ଖାଆ ।’’

 

ସିଲୋନ ରେଡ଼ିଓ କହୁଛି ‘‘ଇନ୍‌ଫ୍ଳୁଏନ୍‌ଜା କୋ ରୋକିଏ, ଫ୍ଳୁ ଟେବଲେଟ୍‌ ଲିଜିଏ ।’’

 

ସେଇତ ସେ ଦିନ ବନ୍ଧୁ ମାନିବ କହୁଥିଲା । ‘‘ବନ୍ଧୁ ! ଏଇ ଫ୍ଳୁ ରୋଗ ପାଇଁ ଗୋଟାଏ ଅଣ୍ଡିରା କୁକୁଡ଼ାର ରୋଷ୍ଟ ଦରକାର । ପୂରା ଗୋଟାଏ ।’’

 

ହିନ୍ଦୁସ୍ଥାନ ଷ୍ଟାଣ୍ଡର୍ଡ଼ ଲେଖିଛି ‘‘ପାଠକେ, ଷ୍ଟ୍ରେପ୍‌ଟେମାଇସିନ୍‍ ଖାଆନ୍ତୁ ।

 

ଅମୃତ ବଜାର ପତ୍ର କା ତେଣେ ବିଳିବିଳାଇଛନ୍ତି ‘‘ବସନ୍ତ ବିଳାସ ଖାଆନ୍ତୁ ।’’

 

ବେଳ ହେଲାରୁ ସବୁ ଭୁଲି ବାହାରି ପଡ଼ିଲି ଅଫିସ୍‌ । ଅଫିସ୍‌ରେ ମୋତେ ଆମ ବଡ଼ ସାହେବ ଦେଖି କହିଲେ–‘‘କି ଉମେଶ, ଦେହ ଭଲ ନାହିଁ କି? ଫ୍ଳୁ ନିଶ୍ଚୟ । ଏ ଫ୍ଳୁ ରୋଗର ଔଷଧ କଣ ଜାଣ ?’’

 

ମୁଁ କହିଲି, ‘‘ଆଜ୍ଞା, ସେ କଥା ମୁଁ କଅଣ ଜାଣିବି ।’’

 

ସେ କହିଲେ ‘‘ରୋଗର ପ୍ରକୋପ ବାସ୍ତରୀ ଘଣ୍ଟା । ଟେକ୍‌ ରେଷ୍ଟ ଏଣ୍ଡ ଏଭିରିଥିଙ୍ଗ ଉଇଲି ବି ଅଲ୍‌ରାଇଟ୍‌ ।’’

 

ମୁଁ ଭାବିଲି ଏଇଟାହିଁ ବ୍ୟୟହୀନ ଔଷଧ ନିର୍ଦ୍ଦେଶାବଳୀ । ମୁଁ ତହିଁଆର ଦିନ ଚାରି ଦିନ କେଜୁଏଲ୍‌ ଲିଭ ପାଇଁ ଦରଖାସ୍ତ କଲି ।

 

ଘରେ ବସି ରେଡ଼ିଓଟାକୁ ଲଗାଇ ଦେଇ ଶୁଣୁଥାଏଁ । ଖଣ୍ଡେ ଚିଠି ପାଇଲି । ଚିଠିରେ ମୋର ସ୍ତ୍ରୀ ଲେଖିଛନ୍ତି, ‘‘ଏଠାକୁ ଆସି ମୁଁ ଫ୍ଳୁ ରୋଗର ପୀଡ଼ିତା । ବାପାଙ୍କଠାରୁ ଏହି ପ୍ରସକ୍ରିପ୍‌ସନଟା ତମର ବ୍ୟବହାର ପାଇଁ ଲେଖି ପଠାଇଲି । ଔଷଧ କିଣି ଖାଇବ ହୋଟଲରେ ଖାଇବ ନାହିଁ ।’’

 

ବେଶ୍‌ ବ୍ୟବସ୍ଥା । ତିନିଦିନ ସଶ୍ରମ କାରାଦଣ୍ଡ ।

✾✾✾

 

ଚିଠି

 

ପ୍ରାଣର କମଳା (ସିଲଟ)

 

ତୁମର ପାଶ୍‌ ଖବର ଶୁଣି ସୁଖି ହେଲି । ସୈରିନ୍ଧ୍ରୀ ସ୍ମୃତି ହାଇସ୍କୁଲର ଛାତ୍ରୀ ତୁମେ, ମୋର ଶୁଭେଚ୍ଛା ନେବ । ତୁମେ ଲେଖିଛ ମୋର ନୂତନ ଜୀବନର ସନ୍ଦେଶ ଦେବାକୁ । ମୁଁ ବର୍ତ୍ତମାନ ମଧୁସୂଦନ ଆଇନ କଲେଜର କନୁନ୍‌ ଛାତ୍ର । ଗଙ୍ଗାଧର କଲେଜରୁ ଆସିକରି ବର୍ତ୍ତମାନ ଫକୀର ମୋହନ ଛାତ୍ରାବାସରେ ରହିଛି । ଆମର ଛାତ୍ରାବାସଟି ‘ଜହରଲାଲ’ କେନାଲ କୂଳରେ ଅବସ୍ଥିତ ।

 

‘ଗାନ୍ଧୀ ଷ୍ଟେସନ’ରୁ ଓହ୍ଲାଇ ସିଧା ସିଧା ‘ଗୋପବନ୍ଧୁ’ ରାସ୍ତାରେ ଯାଇ ବାଁ କଡ଼କୁ ବୁଲିଗଲେ ଆସି ପହଞ୍ଚିବାକୁ ହେବ ‘ସୁଭାଷ’ ଛକରେ । ସେଇ ଛକରେ ଅଛି କାନୁନ୍‌ଗୋ ଚଷମା କାରଖାନା । ସେଠାରେ ଆମେରିକା ଧରଣର ଚଷମା ତିଆରି ହୁଏ । ସେଇଠୁ ଟିକିଏ ଦୂରରେ ‘ସୁଭାଷ ରାସ୍ତା’ ପଡ଼ିବ । ବାଁ ଦିଗରେ ରହିଯିବ ‘ପଟେଲ ବସ୍‌ ସର୍ଭିସ’ ଯିବା ଆସିବା କରେ । ‘ବରିହା ବଜାର’ର ବାଁ ଆଡ଼କୁ ବୁଲି ଯାଇଥିବା ‘ଭୃଙ୍ଗରାଜ ଗଳି’ ରେ ‘ଲିଙ୍ଗରାଜ ମନ୍ଦିର’ ଅଛି । ଲିଙ୍ଗରାଜ ମନ୍ଦିରର ସାମନାରେ ‘ମହତାବ ପଡ଼ିଆ’ ଆଉ ଏହି ପଡ଼ିଆର ଡାହାଣ କଡ଼କୁ ‘ମହତାବ ଟ୍ରଙ୍କ ଫେକ୍ଟରୀ’, ‘ମହତାବ ଜଡ଼ାତେଲ କାରଖାନା’, ‘ମହତାବ ଲୋର ପ୍ରାଇମେରୀ ସ୍କୁଲ’ । ଏଇଠି ଅଛି ମୁଁ ଆଉ ମୋର ଛାତ୍ରାବାସ । ତୁମେ ଲେଖିଛ ମୁଁ ଚିଠି ଡେରିରେ ଦିଏଁ ବୋଲି । କିନ୍ତୁ ତୁମର ଚିଠିର ଠିକଣା ସବୁବେଳେ ଭୁଲ ଥାଏ । ମୋର କୋଠରୀର ନାଁ ହେଉଛି ମାମୁଁ ।

 

‘ଛ’ମାଣ ଆଠ ଗୁଣ୍ଠ’ କୋଠରୀକୁ ଲାଗିକରି ଅଛି ‘ଲଛମା’ କୋଠରୀ । ତାହାରି ସାମନାରେ ରହିଛି ‘ଗଳ୍ପ ସ୍ୱଳ୍ପ’ କୋଠରୀ । ବର୍ତ୍ତମାନ ମୁଁ ‘ଅଭିମନ୍ୟୁ ସାମନ୍ତସିଂହାର’ ମେସ୍‌ରେ ଖାଉଛି । ପ୍ରଭାକର ଖାଉଛି ‘ଜଗନ୍ନାଥ ଦାସ ମେସ୍‌ରେ ।

 

ଏଥର ଆଇନ କଲେଜର ପ୍ରଥମ ଭାଗରେ ବା ‘ଚିନ୍ତାମଣି’ ଭାଗରେ ଅଛି ନରସିଂହ, ଆଉ ମୁଁ ଅଛି ‘ପରିଜା’ ବିଭାଗରେ । କାଟ୍‌ଜୁ କମନ୍‌ ରୁମ୍‌ରେ ବେଳେ ବେଳେ ସମ୍ୱଲପୁର ଛାତ୍ରମାନଙ୍କ ସାଙ୍ଗରେ ଦେଖାହୁଏ । ସେମାନେ କହନ୍ତି ‘ଆସଫ କମନ୍‌ ରୁମ୍‌’ଟି ଭଲ । ଦୁଇଜଣ ଝିଅ ଆମ ସାଙ୍ଗରେ ପଢ଼ନ୍ତି । ସେମାନେ ‘କୁନ୍ତଳା’ କୁମାରୀ କମନ୍‌ ରୁମ୍‌’ରେ ରହନ୍ତି । ଖବର ନେବାରୁ ଜଣାଯାଇଛି ଯେ, କମନ୍‌ରୁମ୍‌ର ନାମକରଣ ଭିନ୍ନ ଧରଣର ହେବ । ଯେତେଦୂର ସମ୍ଭବ ତାହା ‘ଶରଳା ସ୍ନାନ ପାବଚ୍ଛ କମନ୍‌ ରୁମ୍‌’ ବୋଲି ପରିଗଣିତ ହେବ । ଆମ କଲେଜର ସାମନାରେ ଗୋଟିଏ ସୁନ୍ଦର ବଗିଚା ଅଛି । ସେଠି ମାୟାଧର, ବିଚ୍ଛନ୍ଦ, ବିନୋଦ, ଶଚ୍ଚୀ ଇତ୍ୟାଦି ଫୁଲଗଛ ଲଗାହୋଇଛି । ରାଜୁ ଏଥର ସେଠି ଗୋଟାଏ ନୂଆ ଫୁଲଗଛ ଲଗାଇଥିଲେ । ରାଧାମୋହନ ଛେଳି ଆସି ଖାଇଗଲା । ରାଜୁ ଦେଇଥିବା ଗଛ ନାଁ କୁଆଡ଼େ ରାଜୁ ହୋଇଥାନ୍ତା । ଜ୍ୟୋତ୍ସ୍ନା ଆଉ ସରଜୁ ‘ସରୋଜିନୀ ମହିଳା କଲେଜ’ରେ ପଢ଼ନ୍ତି । କାଲି ‘ଖୋସଲା’ କୂଳକୁ ବୁଲିବାକୁ ଯାଇଥିଲି । ଖୋସଲା କୂଳରେ ‘ନନ୍ଦିନୀ’ ପାର୍କରେ କେହି ନ ଥିଲେ ଆଖି ଦିଟାକୁ ଶୁଭେ ଶୁଭେ ଫେରାଇ ଆଣି ପାରିଲି ।

 

ତୁମ ଭାଇ ନଥୁକୁ କହିବ ଯେମିତି ସେ ପଢ଼ାଶୁଣା କରେ । କଳ୍ପନା କିମିତି ଅଛି ? ତାକୁ କହିବ ସେ ଯେପରି ସଞ୍ଜ ସକାଳେ ରାମଧୂନ ଗାଏ । ପୂଜା ଛୁଟିରେ ଘରକୁ ଯିବି । ତୁମ ପାଇଁ ‘ମମ୍‌ତାଜ ଶାନ୍ତି’ ଶାଢ଼ୀ ଖଣ୍ଡେ ନେବି ବୋଲି ଭାବିଛି ।

 

ଧରଣୀରେ ନଇଁ ଆସିଛି ‘ଜୟ ପ୍ରକାଶ’ ଗୋଧୂଳି, ଚକ୍ରବାଳରେ ଦେଖାଯାଏ ‘ଷ୍ଟାଲିନ୍‌’ ସୂର୍ଯ୍ୟ ବୁଡ଼ିବା ଉପରେ । ପୂର୍ବ ଆକାଶରେ ଘୋଟି ଆସୁଛି କଳାରାତ୍ରୀ ‘ମାଳତୀ ଦେବୀ’ଙ୍କ ପରି ।

 

ବିଦାୟ...

ତୁମର

ନେହେରୁ

 

ବି: ଦ୍ର: ନଥୁ ମୋ ଶଳା, କଳ୍ପନା ମୋ ଶାଳୀ ।

 

(ଚୈତ୍ର ପ୍ରଥମାର୍ଦ୍ଧ ୧୩ ବର୍ଷ ୧୯ ସଂଖ୍ୟା ୧।୪।୫୦ ଡଗରରେ ପ୍ରକାଶିତ ।)

✾✾✾

 

ସାହିତ୍ୟରେ ବାଣିଜ୍ୟବାଦ ବା କମର୍‌ସିଏଲ ସାହିତ୍ୟ

 

ଏଇ ଯା–

 

ସବୁ କଥାରେ ଯଦି ତୁମେ ଅର୍ଥ ଖୋଜି ବସ ‘ମୈଁ କାହାଁସେ ଲାଉଁ ? ସବୁଆଡ଼େ ଖାଲି ଅର୍ଥର ଖୋଜା । ମୁଁ ଲେଖିବି, ସେଇଟା କାହାର ହୃଦୟ ଆଲୋଡ଼ିତ କରିପାରେ । ତଥାପି ମୋ ଲେଖାର ମୂଲ୍ୟ ତୁମେ ଦେବ ?

 

ସେଇଥିପାଇଁ ତ ଏ ଅର୍ଥକାରୀ ଲେଖା–ମାନେ Commercial Literature, ଆଜି ମୁଁ ଏଇଆ ଆରମ୍ଭ କଲି ମୋର ଏଇ ଲେଖା Commercial Worldର Commercial Literature ତୁମେ ଜାଣ, ସାହିତ୍ୟ କେଉଁଠି ନାହିଁ ? ଗାନ୍ଧି ସାହିତ୍ୟ, ଭୂଦାନ୍‌ ସାହିତ୍ୟ, ଅଣିକିଆ ଷ୍ଟାମ୍ପ ପଠାଇଦେଲେ ଔଷଧ ପତ୍ରର Literature ମଧ୍ୟ ଆସେ । ଆଉ ଆମ ସାହିତ୍ୟର କ’ଣ ମୂଲ୍ୟ ନାହିଁ ? ଅଛି ?

 

ତୁମେ ହସୁଛ !

 

ଯଦିବା ହସିଲ, ସେହି ହସଟା ହିଁ ମୋର ଉଦ୍ଦେଶ୍ୟ । ଆଜି light lead laughter ଯାଗାରେ light leadର ମୂଲ୍ୟ ଆଠଅଣା ଆଉ laughter ମୁହଁରେ ଅଧେ କାଳି ଅଧେ ଚୂନ । ଲେଖିଛି ତାର ନା ପ୍ରଚ୍ଛଦ ପଟରେ କିଏ ପାଏ । ତୁମେ ପଢ଼ ଆଉ ହସ । ବେଶ୍‌ କିଛି ସମୟ ରେଲ୍‌ଓ୍ୱେ ପ୍ଳାଟଫର୍ମରେ, ବସ୍‌ଷ୍ଟେଣ୍ଡରେ, ସିନେମା ଟିକିଟ୍‌ ଅଫିସରେ, କମନରୁମ୍‌ରେ, ବାର୍‌ ଲାଇବ୍ରେରୀରେ । ମୁଁ ନାହିଁ ମୋର ଲେଖା ଅଛି । ତଥାପି ମୋର ଲେଖା ପଛରେ ଅର୍ଥ ନାହିଁ-?

 

ସେଥିପାଇଁ ‘ଫାୟାର ଷ୍ଟୋନ୍‌’ କମ୍ପାନୀ ଦୋକାନକୁ ଗଲାବେଳେ ତାଙ୍କ ସହିତ ମୋର ଦେଖାହୁଏ ସତେ ମ, ଫାୟାର ଷ୍ଟୋନ୍‌ କମ୍ପାନୀ ମାଲ କି ଶସ୍ତା, କି ମଜବୁତ୍‌ ? ସେଥିପାଇଁ ତ ତାର ଚାହିଦା ବେଶୀ ।

 

ହେଲା ତାଙ୍କ ସହିତ ଦେଖା । ତାଙ୍କୁ କହିଲି ‘‘କେଲିକୋ ମିଲ୍‌ର ଶାଢ଼ୀ କି ସୁନ୍ଦର ?’’

 

ସେ କହିଲେ ଯଦି ସନ୍‌ଲାଇଟ୍‌ ସାବୁନ୍‌ରେ କଚାଯାଏ, ବହୁତ ଦିନଯାଏ ତାର ସାଦାତ୍ୱ ରହେ–ଭାରତର ଘରେ ଘରେ ଏହାର ପ୍ରଚାର ଓ ସାଧନା ।

 

ହଁ, ବାଟା ଚଟି ମୋଲାଏମ୍‌ ଓ ମସୃଣ, ଖୁବ୍‌ ଶସ୍ତା । ଥରେ କିଣିଥିଲି ଆଉ କିଣି ନାହିଁ । ମୋର ଜୀବନଟା କଟିଯିବ ଏଇ ଚଟିରେ ।

 

କାଜଲ୍‌ କାଳିରେ ଲିଖିତ ତୁମର ଚିଠି ପାଇଥିଲି । କି ସୁନ୍ଦର କାଳି ! ତୁମର ହୃଦୟର ରସ ନିଗିଡ଼ା ହୋଇଥିଲା ବୋଲି ମନେ ହେଲା । ଏ ସ୍ୟାହି ବ୍ୟବହାର କରିବାରୁ ମୋର କଲମ ଏ ଯାଏ ବେରାମ ପଡ଼ିନାହିଁ ।

 

ରୋଲେକ୍‌ସ ଘଡ଼ିରେ ସମୟ ଠିକ୍‍ ରହେ । କେତେ ବାଜିଲା ? ଏଇ ଛଅଟା ?

 

ଓ, କି ସୁନ୍ଦର ଘଡ଼ି ! ପୁଣି ଚାହିଦା ଯୋଗୁଁ ତ କଟକର ସବୁ ବଡ଼ ଘଡ଼ି ଦୋକାନରେ ମିଳେ ।

 

ମୁଣ୍ଡ ବଥାଉଛି ? ଆସ ‘‘ଦାଦା ମେଡ଼ିକେଲ୍‌ ଷ୍ଟୋର୍‌ରେ ଏନାସିନ୍‌ କିଣିବା–ଏଠି ପୁଣି ହରେକ୍‌ ମାଲ ମିଳିବ ।’’

 

ତୁମର ଘରଟିଏ ଦରକାର ?

 

କିଣିବ ?

 

ବେଶ୍‌, ପୁରୀ ଘାଟରେ କିଣ ଭଲ ଘର ସେଠାରେ । ଶ୍ରୀକାଠଯୋଡ଼ି ଯୋଡ଼ି ବଳଦ ପରି ଆଗେଇ ଚାଲିଛନ୍ତି । ରାମ ନନା ବିକୁଛନ୍ତି, ଚାରିହଜାର ଯାଏ ଗଲାଣି ।

 

‘‘ହଁ’’

 

ଏ ପତ୍ରିକା ବାଲା, ଖଣ୍ଡେ ‘ଆସନ୍ତା କାଲି’ ଦେଲୁ । ପତ୍ରିକାଟି ଏକା–କୋଟୀଏରେ ଗୋଟିଏ । ଦାମ ବା କେତେ ?

 

ପାଞ୍ଚଅଣା ।

 

ତୁମର କଣ ?

 

ସେରିଡ଼ନ୍‌ ରୋଜି ଖାଉନ ? ଏକେବାରେ ଅବ୍ୟର୍ଥ ଔଷଧ–

 

ହଁ, କ’ଣ କହୁଥିଲ?

 

‘‘ଓଃ, ମିଷ୍ଟର Jagu ? ହଁ, ଭଲ ଡାକ୍ତର ।

 

ଚାଲ ସେଠାକୁ ଯିବା–ତୁମର ଦେହର ଅନିୟମତା ନେଇ ଟିକିଏ ପଚାରିବା । ସେ ଭଲ ଫିସ୍‌ ନିଅନ୍ତି ।

 

ହିନ୍ଦ୍‌ରେ ‘ବିରାଜ ବହୁ’ ତିନିଦିନ ଚାଲିବ ।

 

କି ସୁନ୍ଦର ଖେଳ !

 

ଥରେ ଦେଖିଲେ ମନରୁ ଯିବନି–ଫାଷ୍ଟ ସୋ ଛଅଟାରେ ଯିବ ?

 

ବିମଲ ରାୟର ନିର୍ଦ୍ଦେଶ–ଅଭି ଆଉ କାମିନୀ କମାଲ କରିଛନ୍ତି ।

 

ଆସ, ଏଇ ‘ଡନ କେବିନ୍‌’ରେ ଜଳଖିଆ ଖାଇବା–ଭଲ ଘିଅରେ ତିଆରି ।

 

(ବି:ଦ୍ର:–ଯଦି ଆଉ କାହାର କିଛି ବିଜ୍ଞାପନ ଦେବାର ଥାଏ, ତାହାହେଲେ ଏହି ଅର୍ଥକାରୀ ସାହିତ୍ୟିକଙ୍କୁ ଜଣାଇଲେ ସେ ବିନାଖର୍ଚ୍ଚରେ ସାହିତ୍ୟ ପତ୍ରପତ୍ରିକା ମାଧ୍ୟମରେ ଆପଣଙ୍କର ବିଜ୍ଞାପନ ଛପାଇ ଦେବେ–ଆପଣ ପତ୍ର ପତ୍ରିକାରେ ଆପଣଙ୍କର ମାଲର ବିଜ୍ଞାପନ ଦେବାରେ ଯେତିକି ଖର୍ଚ୍ଚ କରି ଆସୁଅଛନ୍ତି, ତାହାର ଅଧେ ଖର୍ଚ୍ଚ ଲେଖକଙ୍କ ଠିକଣାରେ ପଠାଇ ଦେବେ ।

 

(ଡଗର ବିଂଶ ବର୍ଷ ପ୍ରଥମ ଓ ଦ୍ୱିତୀୟ ସଂଖ୍ୟାରେ ପ୍ରକାଶିତ ।)

✾✾✾

 

Unknown

ଇନ୍ଦ୍ର ଦେବତାଙ୍କ ଦପ୍ତର

 

[ଓଡ଼ିଶାର ଅନାବୃଷ୍ଟି ପ୍ରତି ଦୃଷ୍ଟି ଦେଇ ଲେଖକ ଏକ ଚମତ୍କାର ହାସ୍ୟରସ ସୃଷ୍ଟି କରିଛନ୍ତି ।]

 

ଇନ୍ଦ୍ର ଦେବତା ଅତି ମଗ୍ନ ଭାବରେ କେତେଗୁଡ଼ିଏ ଫାଇଲ୍‌ ଓଲଟାଉଥାନ୍ତି । ହଠାତ୍‌ କୌଣସି Important ଓ Urgent ମାର୍କମରା ଫାଇଲ୍‌ ପ୍ରତି ଦୃଷ୍ଟି ତାଙ୍କର ଘୋଷାଡ଼ି ହୁଏ । ବେଲ୍‌ ବଜାଇ ପିଅନକୁ ଉପସ୍ଥିତ କରାଇଲେ ।

 

ପିଅନ ସଲାମ ଠୁଙ୍କି ଆଦେଶ ପ୍ରତି ଅପେକ୍ଷାରେ ରହିଲା । ଇନ୍ଦ୍ର ଦେବତା କହିଲେ–‘‘ହେଡ଼୍‍ କିରାନୀଙ୍କୁ ସଲାମ ଦିଅ ।’’

 

ପିଅନ ଚାଲିଗଲା–

 

କିଛିକ୍ଷଣ ପରେ.....

 

ହେଡ଼୍‌ କିରାନୀ ଆସିଛନ୍ତି । ମଥାରେ କୁନ୍ତଳ ଅବୋଲକରା । ଛିଣ୍ଡା ସାର୍ଟ, ପକେଟରେ କେତେଗୁଡ଼ିଏ ଡ୍ରାଫଟ୍‌ କରିଥିବା କାଗଜ ଯାହାର ଫେୟାର ଦୁଇମାସ ହୋଇଗଲାଣି । ବୋତାମର ଅଭାବରେ ସାର୍ଟ କବାଟକୁ ପିନକଣ୍ଟା ଦେଇ ରୁଦ୍ଧ କରାହୋଇଅଛି । ସାର୍ଟ ପକେଟ ଛିଣ୍ଡିଯାଇ ତଳକୁ ଝୁଲି ପଡ଼ିଛି, ସାର୍ଟର ଠାଏଁ ଠାଏଁ କଳା ଲାଗି ଧୂସର ଆକାଶରେ ବଉଦର ସୃଷ୍ଟି କରିଛି । ଗାନ୍ଧୀ ପେଟେଣ୍ଟ ଧୋତି ପିନ୍ଧା ହୋଇଛି । ବାଟାର ଅତି ଶସ୍ତା ଦାମର ହଳେ କଳା ଯୋତା ପାଦର ଶୋଭା ପରିବର୍ଦ୍ଧନ କରୁଛି । ପାଦର ମୂଳ ଆଙ୍ଗୁଠି ଯୋତା ଠେଲି ବାହାରି ପଡ଼ିଲାଣି । ଗାଲରେ କାଶତଣ୍ଡି ଫୁଲ ଫୁଟିଛି । ଦୃଷ୍ଟିଶକ୍ତିକୁ ସବଳ କରିବାକୁ ସାରେ ଚଷମା ନାକ ସହିତ ବାସର ରଚୁଛି । କାନ ଓ ମଥା ମଝିରେ କଲମଟିଏ । ନିବର ଅଗରେ କାଳି ଥିବାରୁ କିରାନୀବାବୁଙ୍କ ମୁହଁଟି ପ୍ରତିବିମ୍ୱିତ ହେଉଛି । ଗାଲର ଦିଓଟି କୋଟରରେ ଲୁଚକାଳି ଖେଳୁଛି । ବ୍ରାହ୍ମଣତ୍ୱର ଚିହ୍ନ ସ୍ୱରୂପ ଉପବୀତଟି କାନ୍ଧ ଉପରେ ଅହିପରି ଦିଶୁଛି । ପଇତା ଓ ସାବୁନର ଅହି ନକୁଳ ସମ୍ୱନ୍ଧ ।

 

ଇନ୍ଦ୍ର ଦେବତା ପ୍ରଶ୍ନ କଲେ–‘‘ଏଇ ଫାଇଲଟା ମୋର ଦୃଷ୍ଟି ଆକର୍ଷଣ କରିନାହିଁ ।’’

 

କିରାନୀ ବାବୁ ଉତ୍ତର ଦିଅନ୍ତି–‘‘ଆଜ୍ଞା କେଉଁ ଫାଇଲ ?’’

 

ଯେଉଁଥିରେ ଲେଖା ଅଛି....Water supply to Orissa.

 

କିରାନୀ ବାବୁ କହିଲେ–‘‘ଆଜ୍ଞା ସେ ଫାଇଲଟା ତ ମୁଁ ଜୁନ୍‌ ୧୫ ତାରିଖରୁ ଆପଣଙ୍କ ଟେବୁଲ ଉପରେ ରଖି ଦେଇଛି ।’’

 

‘‘ମିଛି କଥା’’ ଇନ୍ଦ୍ର ଦେବତା କହିଲେ ।

 

ତା ହୋଇପାରେ ହଜୁର କିନ୍ତୁ ମୋର ସାନକୁହାରେ ଏତିକି କହିବି, ହଜୁର ଯଦି ୧୫ ଜୁନରେ ସେ ଫାଇଲଟା ଦେଖି ଥାଆନ୍ତେ, ତା ହେଲେ ଓଡ଼ିଶାରେ ଅନାବୃଷ୍ଟି ହେଉ ନ ଥାନ୍ତା । ଇନ୍ଦ୍ରଦେବତା କହିଲେ–

 

କିରାନୀ ବାବୁ କହିଲେ–‘‘ଓଡ଼ିଶା ତ ମରେ ନାହିଁ ହଜୁର, ସେ ତ ସବୁଦିନେ ମଲାଟାଏ, ଜୀବନ ଥିଲେ ତ ମରନ୍ତା ।’’

 

ଇନ୍ଦ୍ର ଦେବତା କହିଲେ–‘‘ତୁମେ ଓଡ଼ିଶା ପ୍ରତି ଏତେ ସହାନୁଭୂତିଶୀଳ କାହିଁକି ହୋଇ ପଡ଼ିଛ ।’’

 

କିରାନୀ କହିଲେ–‘‘ଆଜ୍ଞା ଗୋପବନ୍ଧୁ ପରା ଲଗାଇଛି ।’’

 

ଗୋପବନ୍ଧୁ ସେ ସମାଜବାଲା ନା ? ଆରେ ତାକୁ କହିଦିଅ ଓଡ଼ିଶାଟା ଆଉ ଓଡ଼ିଶା ହୋଇ ନାହିଁ । ହୀରାକୁଦ ବନ୍ଧ ତିଆରି କରି ଓଡ଼ିଶାବାସୀ ଆଜି ବିଜ୍ଞାନ ଇନ୍ଦ୍ରର ଆଶ୍ରୟ ପ୍ରାର୍ଥୀ ।

 

‘‘ହଜୁର, ଆପଣ ଜଳବୃଷ୍ଟି ନ କଲେ ବନ୍ଧରେ ପାଣି ଆସିବ କେଉଁଠୁ ?’’

 

‘‘ସେ କଥା ଆଉ ସେମାନେ କ’ଣ ବୁଝୁଛନ୍ତି କିରାନୀବାବୁ । ସେମାନେ ଭାବନ୍ତି, ଇନ୍ଦ୍ରଦେବତା ଯେମିତି ବରଷା କରୁଥିଲେ ସେମିତି ସଦାଦିନ କରୁଥିବେ । ଇନ୍ଦ୍ର କଅଣ ମେସିନ ହୋଇଛନ୍ତି ? ବୁଝିଲ କିରାନୀବାବୁ, ସେମାନେ ଇନ୍ଦ୍ରଦେବତାଙ୍କୁ ବେଖାତିର କରିଛନ୍ତି ।’’ ‘‘ଆଜ୍ଞା ଆପଣଙ୍କ ଦୃଷ୍ଟି ପାଇଁ ରୂଦ୍ରଯାଗ କରାଗଲା । ଅନନ୍ତମୁଖୀ ହେଲା ।’’

 

‘‘ରୁଦ୍ରଯାଗ କରିଥିଲେ ?’’

 

‘‘ହୁଁ ।’’

 

‘‘ତୁମେ ଜାଣିନ କିରାନୀବାବୁ ।’’ ଲୋକେ ଚାନ୍ଦା କଲେ ଯାଗ କରିବା ପାଇଁ । ମୁଖିଆଲୋକେ ପଇସା ନେଲେ ଭଲ ଘିଅ କିଣି ଯାଗ କରିବେ, କିନ୍ତୁ କଲେ କଅଣ ? ସେଇ ବନସ୍ପତି ଦାଲଦାରେ ମୋର ତୃଷ୍ଟି ସାଧନ କରାଗଲା । ଭଲ ଘିଅର ପଇସା ଚାଲିଗଲା ଅଣ୍ଟାକୁ । ଆମେ ଖାଇଲୁ ଦାଲଦା–କିମିତି ବର୍ଷା ହେବ ? ଯେତେ ସବୁ ଗଞ୍ଜଡ଼ କଥା । ଆରେ କିରାନୀବାବୁ, ଓଡ଼ିଶାଟା ହେଲା ବଳକା ସାମ୍ରାଜ୍ୟ । ଇଏତ ନିଜେ ପେଟପୂରା ନ ଖାଇ ଶ୍ୱଶୁର ଘରକୁ ଖୁଆଏ, ତୁମେ ବା ଗୋପୀ କାହିଁକି ସେ ମୁଣ୍ଡ ବାଡ଼ୋଉଛ କେ ଜାଣେ ?

 

ହେଲେ ଆଜ୍ଞା ବଡ଼ ବଡୁଆଙ୍କ କଥା ଭୁଲିଯାଇ ଚାଷୀଙ୍କ ମୁହଁକୁ ଟକିଏ ଅନାନ୍ତୁ ।

 

‘‘ଦେଖ କିରାନୀବାବୁ ! ମୁଁ ପ୍ରଜାପାଳକ । ମୋ ଆଖିରେ ସମସ୍ତେ ସମାନ, ନୁହେଁ କି-?’’

 

‘‘ଆଜ୍ଞା ନିଶ୍ଚୟ ।’’

 

ଦେଖ କିରାନୀବାବୁ କଣ୍ଟ୍ରୋଲ ଅଫିସର କିରାନୀମାନେ ଅତି କାତର ହୋଇ ଲେଖିଛନ୍ତି ଅନାବୃଷ୍ଟି କରିବାକୁ । ତାଙ୍କ ଚାକିରୀ ଉଠି ଯାଉଛି, ଅନାବୃଷ୍ଟି ହେଲେ ଖାଦ୍ୟ ଅନାଟନ ହେବ, କଳା ବଜାର ହେବ, ତେଣୁ କଣ୍ଟ୍ରୋଲ ହେବ ।

 

ଭୁବନେଶ୍ୱରର କନ୍‌ଟ୍ରାକ୍ଟରମାନ ଲେଖିଛନ୍ତି ଯେ, ସେମାନେ ଘରସବୁ କଚା ତିଆରି କରିଛନ୍ତି, ପାଣି ଗଳିବାର ଭୀଷଣ ଆଶା, ତେଣୁ ବର୍ଷା ନ ହେବା ପାଇଁ ଆଦେଶ ହେଉ ।

 

ପୁରୋହିତଗଣ ଲେଖିଛନ୍ତି ଯେ, ବରଷା ହେଉଥିବାରୁ ଲୋକେ ତାଙ୍କୁ ପଚାରୁ ନାହାନ୍ତି-। ତେଣୁ ବୃଷ୍ଟି ବନ୍ଦ ହେଉ । ବୃଷ୍ଟି ବନ୍ଦ ହେଲେ ଯାଗ, ଯଜ୍ଞ, ଅନନ୍ତମୁଖୀ ଇତ୍ୟାଦି କରି ସେମାନେ ତାଙ୍କ ପରିବାରକୁ ରକ୍ଷଣ ବେକ୍ଷଣ କରି ପାରିବେ । ବର୍ଷା ନ ହେଲେ ସେମାନେ କହି ପାରିବେ କି ପୃଥିବୀରେ ବେଶୀ ପାପ ହେଉଛି । ପୁଣ୍ୟ କରିବା ପାଇଁ ଲୋକେ ବ୍ୟାକୁଳ ହେବେ ଓ ଦୁଇ ପଇସା ତାଙ୍କ ହାତକୁ ଆସିବ ।

 

ଟୁନୁ ବାବୁ ଲେଖିଛନ୍ତି ଯେ, ବର୍ଷା ହେଲେ Weather disturbance ହୁଏ । ତାଙ୍କ ନୂଆ କିଣିଥିବା ରେଡ଼ିଓ ଗୀତ ଭଲ ଶୁଭେ ନାହିଁ । ତେଣୁ ବର୍ଷା ବନ୍ଦ ହେଉ ।

 

ମ୍ୟୁନିସିପାଲିଟି ଚେୟାରମେନମାନେ ଲେଖିଛନ୍ତି ବରଷା ହେଲେ ପାଣି ଏଣେ ତେଣେ ଜମିଯାଏ । ମଶା ହୁଅନ୍ତି । D.D.T. ଖର୍ଚ୍ଚ ହୁଏ, ନ ହେଲେ ବଦ୍‌ନାମ ହୁଏ ତେଣୁ ବୃଷ୍ଟି ବନ୍ଦ ହେଉ-

 

ବିରଳା କମ୍ପାନୀ ଲେଖିଛନ୍ତି ବରଷା ହେଲେ ବାଉଁଶ ବଣକୁ ମଟର ଯାଏନାହିଁ । ବ୍ୟବସାୟରେ ବାଧା ପଡ଼େ । ତେଣୁ ବରଷା ନ ହେଉ ।

 

ହୀରାକୁଦ ଓଡ଼ିଆ କୁଲିଏ ଲେଖିଛନ୍ତି–ବରଷା ହେଲେ ହୀରାକୁଦର କାମ ବନ୍ଦ ହୋଇଯାଏ ଓ ଓଡ଼ିଆ କୁଲିଙ୍କୁ କାମରୁ ଅନ୍ତର କରାଯାଏ ତେଣୁ ଦେଶର ପ୍ରଗତି ଲାଗି ବରଷା ନ ହେଉ ।

 

ଓଡ଼ିଶାର T.A.ନ୍ୱେଷୀ ମନ୍ତ୍ରୀମାନେ ବରଷା ନ ହେବାପାଇଁ ଲେଖିଛନ୍ତି ।

 

କମ୍ୟୁନିଷ୍ଟମାନଙ୍କ ସଭାସମିତି ଆକାଶ ତଳେ ହେଉଥିବାରୁ ବରଷା ନ ହେବାପାଇଁ ଜଣାଇଛନ୍ତି ।

 

ଶ୍ରମଦାନ କରୁଥିବା ହରେକୃଷ୍ଣ ମଧ୍ୟ ବରଷା ହେବା ବିରୁଦ୍ଧରେ ମତ ପ୍ରକାଶ କରିଛନ୍ତି ।

 

Fair Weather Roadରେ ମଟର ଚଳାଚଳ କରୁଥିବା ମଟର ମାଲିକମାନେ ମଧ୍ୟ ବରଷା ନ ହେବାପାଇଁ ଲେଖିଛନ୍ତି ।

 

ରାଜକପୁର ଲେଖିଛନ୍ତି ଯେ, ତାଙ୍କର ଗୋଟିଏ ଆଉଟଡ଼ୋର ସୁଟିଂରେ ଯିବାର ଅଛି, ତେଣୁ ବରଷା ନ ହେଉ ।

 

ଆସାମ, ବିହାର, ପଶ୍ଚିମବଙ୍ଗ ମନ୍ତ୍ରୀମାନେ ମଧ୍ୟ ବରଷା ନ ହେବାପାଇଁ ଲେଖିଛନ୍ତି ।

 

ଘର ଛପର କରି ନ ଥିବା ଅନେକ ଲୋକ ଲେଖିଛନ୍ତି ଯେ, ବରଷା ହେଲେ ତାଙ୍କ ଘର ଭୁଷୁଡ଼ି ପଡ଼ିବ ।

 

ବିଷ ଭାଇନା ଲେଖିଛନ୍ତି ବରଷା ନ ହେଲେ ସମ୍ୱାଦଦାତାମାନଙ୍କ କାମ ବଢ଼ିଯାଏ । ତେଣୁ ବରଷା ନ ହେବା ପାଇଁ ଅନୁରୋଧ କରୁଛି ।

 

କିରାନୀବାବୁ ପଚାରିଲେ ହଜୁର, ଏଇମାନଙ୍କ ଅନୁରୋଧ ରକ୍ଷା କରିବେ କି?

 

ଇନ୍ଦ୍ରଦେବତା କହିଲେ–‘‘କଣ କରାଯାଏ କହ, ସମସ୍ତେ ଯେ ମୋ ଆଖିରେ ସମାନ । ତଥାପି ଅନେକ ବର୍ଷା ହେବାପାଇଁ ଲେଖିଛନ୍ତି । ଏଇ ଦେଖନ୍ତୁ ! ନୂତନ କରି ବିଦ୍ୟାଧର ଲେଖିଛନ୍ତି ଗ୍ରୀଷ୍ମଦିନରେ କବିତା ଲେଖିହୁଏ ନା, ବର୍ଷା ଋତୁରେ କବିତା ଲେଖିବାପାଇଁ ମନସ୍ଥ କରିଛି । ଦୟାକରି କଳାବାଦଲ, ବିଜୁଳି, ଝିପି ଝିପି ବରଷା, ଘଡ଼ଘଡ଼ି, ସବୁଜଘାସ, ସାଧବ ବୋହୁ ତମାଳ–ଲତା ଇତ୍ୟାଦି ଯୋଗାଇ ଦିଅନ୍ତି ।

 

ବାରିପଦାରୁ ନବ ବିବାହିତ ମୁରାରୀବାବୁ ଲେଖିଛନ୍ତି ବରଷା ନ ହେଲେ ଛାତିରେ ଛାତି ମିଳାଇ ଶୋଇ ହୁଏନାହିଁ । ତେଣୁ ବରଷା ହେଉ ।

 

କିରାନୀବାବୁ, ଓଡ଼ିଶାରେ ନିଶ୍ଚୟ ବର୍ଷା ହେବ । କିନ୍ତୁ ଜାଣି ରଖନ୍ତୁ, ଏ ବର୍ଷା ରୁଦ୍ରଯାଗ ପାଇଁ ନୁହେଁ; ଏହା କେବଳ ନୂତନ କବି ବିଦ୍ୟାଧର ଓ ମୁରାରୀବାବୁଙ୍କ ଛାତିରେ ଛାତି ମିଶାଇ ଶୋଇବାପାଇଁ ବୁଝିଲ ? ଇନ୍ଦ୍ରଦେବତା କହିଲେ, ମୁରୁକି ହସା ହସିଲେ ।

 

(୧୮ଶ ବର୍ଷ, ୪ର୍ଥ ସଂଖ୍ୟା ଅକ୍ଟୋବର ୧୯୫୪ ଡଗରରେ ପ୍ରକାଶିତ ।)

★★★

 

କମ୍ରେଡ଼

 

ନଭେମ୍ୱର ସତର ।

 

ମାରକ୍‌ସବାଦର ବିଜୟର ଦିନ । ମସ୍କୋର ଲାଗିଥିବ ଆନନ୍ଦର ହୋରି । ଷ୍ଟେଲିନ ପ୍ରାଣରେ ଆଣୁଥିବ ବିଜୟ ଗର୍ବର ଆନନ୍ଦ । ଠିକ୍‌ ଏତିକିବେଳେ ସ୍ୱଦେଶୀ ‘କମ୍ରେଡ଼ ଲକ୍‌ସୋନଭ ମିଶ୍ରଭିଚ୍‌ଙ୍କ’ ନୟନ ଖୋଲିଲା । ସକାଳର କନକନିଆ ଶୀତ ଲାଲ ନିଆଁ ପାଖରେ ହାତ ଦିଟାକୁ ନ ଦେଖାଇଲେ ନୁହେଁ । ମସକୋର ଶୀତ ଏଇଠି ନାହିଁ ତଥାପି କଳ୍ପନା କରିବାକୁ କିଏ ମନା କରୁଛି । ଲାଲ ଚା’ରେ ଟିକିଏ ଦୁଧ ମିଶାଇ ନ ପିଇଲେ ଦେହଟା ବିପ୍ଳବ ପାଇଁ ତାଜା ହୋଇପାରେନା ।

 

କମ୍ରେଡ଼୍‌ ମିଶ୍ରଭିଚ୍‌ ଡାକି କହିଲେ–‘‘ଶୁଭୁଚି କପେ ଲାଲ ଚା’ ଟିକିଏ ଦୁଧ ମିଶାଇ, ଆଉ ଦାଢ଼ି କାଟିବା ପାଇଁ ଟିକିଏ ଗରମ ପାଣି, ବାକି କମୋଡ଼ଟା, ପିସ୍‌ ପଟଟା, ଦାଢ଼ିକଟା କମ୍‌ବାଇନଟା ପଠାଇ ଦିଅ ତ ।’’

 

‘‘ଷ୍ଟାଲିନ ! ଷ୍ଟାଲିନ ! ବେଳ ଯେ ଆଠଟା ହେଲାଣି, ତଥାପି ତୁମର ଉତ୍ତର ସାଇବେରିଆ ପରି ତନ୍ଦ୍ରା ଭାଜିନି । ରୁବେଲ ବାକ୍‌ସର ଚାବିଟା ଟିକିଏ ଆଣିଦଅ ତ ! ଆଜି ଜଳଖିଆ କଅଣ ହେବ ?’’ କମ୍ରେଡ଼ାଣୀ ପ୍ରଶ୍ନ କଲେ ।

 

କମ୍ରେଡ଼ ମିଶ୍ରଭିଚ୍‌ ଉତ୍ତର ଦେଲେ–‘‘ଟଲଷ୍ଟୟ ଚପ, ଲେନିନ ପୋଚ, ଷ୍ଟେଲିନ ପୁଡ଼ିଂ, ଟ୍ରଟସ୍କି ଭଡ଼କ (ଚା’) ବେଶା କଅଣ ଆଉ ! ବେକାର ହୋଇ ବସି ରହିଲ ଯେ ! ପୁଂଜିପତି ପରି ଜଲଦି ମୋର ଚାହିଦା ପୂରଣ କର । ନ ହେଲେ ମୁଁ ଇଜବାଇ ସ୍ଥାନର କମ୍ୱଳ ତଳୁଁ ଧର୍ମଘଟ ଡାକରା ଦେବି ।’’

 

ଲେଡ଼ି କମ୍ରେଡ଼୍‌ ବିଲିକୁଛନୋଭ ଉତ୍ତର ଦେଲେ–‘‘ପୁଂଜିପତିଙ୍କ ପରି ତୁମର ହୁକୁମ ମୁଁ ତାଲିମ କରି ପାରେନା । ୟୁକ୍ରେନର ଗହମ ଖେତର ବାଳାପରି ମୁଁ ବି ଦା ହାତୁଡ଼ି ବାନା ଧରି ଧର୍ମଘଟ ଆରମ୍ଭ କଲି ।’’

 

‘‘ଆହା ହା ଏ କଣ କରୁଛ କମ୍ରେଡ଼ାଣୀ ? ଧର୍ମଘଟ ତ ଖାଲି ମଜଦୂର କରେ ! ପ୍ରିୟା, ତୁମର ନମ୍ର ବୁକୁରେ ଧର୍ମଘଟ କରିବାର ଆଶା କିଏ ଜଗାଇ ଦେଲା ଗୋ ।’’

 

ଲେଡ଼ି କମ୍ରେଡ଼୍‌ ଉତ୍ତର ଦେଲେ–‘‘କାହିଁକି ? ମଦର !’’

 

ଥାଉ ଥାଉ ବାବା ଧର୍ମଘଟ କରନା ତାଠୁଁ ବରଂ ସାଲିସ ହୋଇଯାଉ ! ଏଇ ନିଅ ତୁମର ରୁବେଲ ସିନ୍ଦୁକର ଚାବି ।’’ କମ୍ରେଡ଼ କହିଲେ ।

 

‘‘ଏଇ ନିଅ କପେ ଚା’ ।’’ କମ୍ରେଡ଼ାଣୀଙ୍କ ଅନୁରୋଧ ।

 

‘‘ଏ ଯେ ଲାଲ ଚା’ ।’’ ଆଶ୍ଚର୍ଯ୍ୟ ହୋଇ ପଚାରିଲେ କମ୍ରେଡ଼ ।

 

‘‘ଆଜି ବିପ୍ଳବର ଦିନ ଅନ୍ତତଃ ଆଜି ଦିନଟା ଲାଲ ଚା’ ଖାଅ ।’’ କମ୍ରେଡ଼ ମିଶ୍ରୋଭିଚ୍‌ ଲାଲ ଆଖି ଦେଖାଇ କହିଲେ ‘‘ଷ୍ଟାଲିନ୍‌ ଷ୍ଟାଲିନ୍‌ ! ଚା’ ତିଆରି ବିଧାନର ବ୍ୟତିକ୍ରମ କରିବାକୁ କିଏ ଉପଦେଶ ଦେଲା କହତ । ନିହାତି ସାମନ୍ତବାଦୀ ପ୍ରଚେଷ୍ଟା । ତୁମେ ଜାଣ ବୃକ୍‌ବଣ୍ଡର ଚା’ ତିଆରି ବିଧାନରେ ଅଛି ବିନା ଦୁଧରେ ଚା କରିବ ନାହିଁ । ତୁମେ ଯାହାକର କିନ୍ତୁ ମୁଁ ଅବୈଧାନିକ ହେବି ନାହିଁ । ଲାଲ ଚା’ରେ ଦୁଧ ଦେଇ ପିଇବି ।’’

 

‘‘ତୁମେ କହିଥିଲ ନଭେମ୍ୱର ସତର ତାରିଖରେ ଲାଲ ଚା’ ପିଇବାକୁ ହୁଏ, ଲାଲ ଚାଉଳର ଭାତ ଖାଇବାକୁ ହୁଏ, ଲାଲ ଶାଢୀ ପିନ୍ଧିବାକୁ ହୁଏ, ଲାଲ ସିନ୍ଦୂର ନାଇବାକୁ ହୁଏ, ଲାଲ ଅଳତା ଲଗାଇବାକୁ ହୁଏ, ଲାଲ ପଥର ବସା ମାଙ୍କଡ଼ୀ ପିନ୍ଧିବାକୁ ହୁଏ, ପାର୍ଟି ଅଫିସରେ, ହରିଜନ ମଜଦୁର ସାହାଯ୍ୟରେ ଲାଲବତୀ ଜାଳି–ବାକୁ ହୁଏ ।’’ କମ୍ରେଡ଼ାଣୀ କହିଲେ ।

 

କମ୍ରେଡ଼ କହିଲେ–‘‘ଦେଶ ଯାହା କରିବ ଆମେ କଅଣ ସେଇଆ କରିବା ? ନେତାମାନଙ୍କ ଭିତରେ ଟିକିଏ ବ୍ୟତିକ୍ରମ ଦେଖା ନ ଗଲେ ସେମାନେ ନେତା ବୋଲି ପରିଚିତ ହେବେ କିପରି ?’’

 

ଛୋଟ କମ୍ରେଡ଼ ଦେବୋଭ ଆସି କହିଲେ ‘‘କମ୍ରେଡ଼ ଦାଦା, ସଭା କେଉଁଠି ହେବ ?’’

 

କମ୍ରେଡ଼ ମିଶ୍ରୋଭିଚ୍‌ କହିଲେ–ନିମନ୍ତ୍ରଣ ପତ୍ରଟା ତ ଆସି–ନାହିଁ । ଆରେ ହଁ ଦେବୋଭ, ଗଲୁ ଶିକ୍ଷାନବୀସ ମୁରୋଭିସ୍କିକୁ କହିବୁ ସେ ମୋ ପାଇଁ ଗୋଟିଏ ବକ୍ତୃତା ଲେଖିଦେବ । ମୁଁ ସଭାରେ ପଢ଼ିବି । ଲେଖାଟି କ୍ଷୁଧିତ, ନିରନ୍ନ, ନିବସ୍ତ୍ର, ସ୍ୱାଧୀନତାହୀନ, ପ୍ରତିକ୍ରିୟାଶୀଳ, ବଲସେଭିକ, ମନସେଭିକ ଶବ୍ଦଦ୍ୱାରା ପରିପୂର୍ଣ୍ଣ ଥିବ । ସୋସଲିଷ୍ଟ ଓ କଂଗ୍ରେସ ବିରୁଦ୍ଧରେ ଲେଖାଥିବ । ପୁଞ୍ଜିପତି ଧ୍ୱଂସ କାମନା କରି ଲେଖାଟିର ଉପସଂହାର ହେବ ।’’

 

ଛୋଟ କମ୍ରେଡ଼ ଦେବୋଭ ପଚାରିଲେ–

 

‘‘ମୁରୋଭିସ୍କି କିଏ ?’’

 

କମ୍ରେଡ଼ ମିଶ୍ରୋଭିଚ ‘‘ମୁରାରି ବା ମୁରାରି !’’

 

କମ୍ରେଡ଼ କମ୍ରେଡ଼ାଣୀଙ୍କୁ କହିଲେ–‘‘ହେଉ ଚାଲ, ମୁଁ ଟିକିଏ ଦାଢ଼ି କୋଅପରେଟିଭ ଫାର୍ମରେ କମ–ବାଇନ ଚଳାଇ ନିଏ ।’’

 

କମ୍ରେଡ଼ାଣୀ କହିଲେ ‘‘ଦାଢ଼ିଟା କୋଅପରେଟିଭ କେବେ ହେଲା ମ !’’

 

କମ୍ରେଡ଼ ହସି ହସି କହିଲେ–‘‘ସମାଜତନ୍ତ୍ରବାଦ୍‌ରେ ନିଜସ୍ୱ ହୋଇ କିଛି ରହେନା । ସବୁ ସହଯୋଗ ସମିତିର । ମୁଁ ତ ଏଇ ଦାଢ଼ି ସହଯୋଗ ଫର୍ମର ଜଣେ ସାମାନ୍ୟ ବୁଦ୍ଧିହୀନ କର୍ମକାର । ମୋର କାମ ଖାଲି ଦାଢ଼ି ଗଜାଇବା ଓ ବଢ଼ାଇବା । ତୁମେ ଏଇ ଫାର୍ମର ଡିରେକ୍ଟର ରୂପେ ମୋତେ ଆଦେଶ ଦେଇ–ଥାଅ ଦାଢ଼ି ଶସ୍ୟର ସମ୍ୟକ ପର୍ଯ୍ୟବେକ୍ଷଣ କରିବାକୁ । ସୁନ୍ଦର ଭାବରେ ଦାଢ଼ି କାଟିବାକୁ, ଦାଢ଼ି ମୂଳରେ ସ୍ନୋ ଖତ ଦେବାକୁ ପଙ୍ଗପାଳରୁ ରକ୍ଷା କରିବା ପାଇଁ ଆଉ ପାଉଡ଼ର ବୋଳିବାକୁ । ମୁଁ ବେଳେବେଳେ ଭାବେଁ ତୁମପରି ଜଣେ ବୁଦ୍ଧିମତୀ ଡାଇରେକ୍ଟର ନ ପାଇଥିଲେ ଏ ଦାଢ଼ିର ଅବସ୍ଥା କଅଣ ହୋଇ ଥାଆନ୍ତା ସତେ !’’

 

‘‘ମୁଁ କେବେ ଆଦେଶ ଦେଲି ଗୋ !’’ କମ୍ରେଡ଼ାଣୀ କହିଲେ ।

 

କମ୍ରେଡ଼ କହିଲେ ‘‘ରାତି ସେକେଣ୍ଡ ସିଫ୍‌ଟରେ କାମକୁ ଗଲାବେଳେ ତୁମେ ମୋତେ ତ ସବୁଦିନେ କହିଥାଅ ।’’

 

କମ୍ରେଡ଼ାଣୀ ବରଫପରି ପ୍ରେମରେ ତରଳି ଯାଇ କହିଲେ–‘‘ବଜାରୀ !’’

 

କମ୍ରେଡ଼ କହିଲେ–‘‘ମନୁଷ୍ୟ ସହିତ ସାହିତ୍ୟ ଓ ସମାଜ ଯେମିତି କୁକୁରପରି ଲାଗି ରହିଛି ସାହିତ୍ୟର ପଛେ ପଛେ ସି.ଆ.ଇ.ଡ଼ି. ପରି ଲାଗି ରହିଛି ଯୌନତତ୍ୱ ।’’

 

ବାହାରେ ଶୁଭିଲା–

 

‘‘ଆଜି ହିମଲୟକୀ ଚୋଟି ସେ

ଫିର ହାମ୍‌ନେ ଲଲକା ରାହୈ

ଦୂର ହଟୋ ଏ ଦୁନିଆଁ ବାଲେ

ହିନ୍ଦୁସ୍ଥାନ ହାମାରା ହୈ’’

 

‘‘ଶୁଭୁଛି ଗୋ ଶୁଣ ଶୁଣ, ବିପ୍ଳବର ପୁଙ୍ଗା ବାଦ ଉଠିଲାଣି । ଆରେ ଦବୋଭ, ଆରେ ମାଲିକ, ଆରେ ଲେନିନ୍‌ କିଏ କେଉଁଠି ଅଛ ଧାଇଁ ପଡ଼ରେ ଧାଇଁପଡ଼ । ବାହାରେ ପୂର୍ଣ୍ଣକୁମ୍ଭ ଦିଅରେ । ଆରେ ଖେଦିନାଇଚ ମଙ୍ଗଳ ଆରତୀ ଦିଅରେ । ଶଙ୍ଖ ବାଅରେ । କମ୍ରେଡ଼ାଣୀ ଏକ କମ୍ରେଡ଼ାଣୀ ! ଆଇନାଟା କେଉଁଠି ରଖିଲ ? ଆରେ ସ୍ନୋ କାହିଁ ପାଉଡ଼ର ଡିବାଟା କାହିଁ ?’’

 

କମ୍ରେଡ଼ାଣୀ କହିଲେ–‘‘କାହିଁକି ଏତେଗୁରାଏ ପାଟି କରୁଛ ?’’

କମ୍ରେଡ଼ କହିଲେ–‘‘କଅଣ କହିଲ କମ୍ୟୁନିଷ୍ଟପାର୍ଟିର ମୁଁ ଜଣେ ଅତି ଶିକ୍ଷିତ ବୁରୁଜୁଆ କର୍ମୀ ! ପାଟି ନ କରି କଅଣ ଦାନ୍ତ ନିକୁଟି ରହିବି ?’’

‘‘ଥାଉ ଥାଉ ଆଉ ବିଶେଷ କିଛି କହନା ।’’ କମ୍ରେଡ଼ାଣୀ କହିଲେ ।

‘‘କଅଣ ମୋର ସ୍ୱାଧୀନ ମତ ପ୍ରକାଶ କରିବାରେ ବାଧା ଦେଉଛ ? ମୁଁ ମୁହଁରେ ଗଡ଼ରେଜ ମାର୍କା କୋଲପ ଦେଇ ନାକରେ ସୋରିଷ ତେଲ ଦେଇ ଶୋଇବାକୁ ଚାହେଁନା ।’’

‘‘ମୁଁ ତ ତୁମର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆଞ୍ଚ ଆଣୁନି ପ୍ରିୟ, ମୁଁ କହୁଛି ପାଟି କରନାହିଁ । ସାନ ଝିଅ ମେଘନୋଭିଚ ଶୋଇଛି । ଜାଗି ଉଠିବ । ମୋର କାମ ଦାମରେ ବାଧା ପଡ଼ିବ । ଯା ପାଟିଟିଏ ରଖିଛି, ଠିକ୍‍ ତୁମରି ପାଟି ପରି ।’’ କମ୍ରେଡ଼ାଣୀ କହିଲେ ।

ଦେବୋଭ ଆସି କହିଲେ ‘‘ବାହାରେ ସର୍କସ ଦଳର ପ୍ରଚାର ଚାଲିଛି । ପଟୁଆର ଆରମ୍ଭ ହୋଇନାହିଁ ।’’

‘‘ତାହେଲେ ଆରଓଳି ସଭା ହେବ ପରା ?’’ କମ୍ରେଡ଼୍‍ କହିଲେ ।

ଦବୋଭ କହିଲେ ‘‘ମୋର ଆଜି ସଭାରେ କର୍ତ୍ତବ୍ୟ କଅଣ ?’’

‘‘ମୋର ବକ୍ତୃତାବେଳେ ହିଅର ହିଅର କହିବା, କରତାଳି ଦେବା ଏବଂ ମୋତେ ସଭାପତି ଆସନରେ ବସାଇବା ପାଇଁ ଚେଷ୍ଟା କରିବା ଆଉ ଫୁଲମାଳ ପିନ୍ଧାଇବା ।’’ ଉତ୍ତର ଦେଲେ କମ୍ରେଡ଼ ମିଶ୍ର ।

ସମୟ ଚାରିଟା ।

ଡେଲି ପାସେଞ୍ଜରଟା ସାଥି ଡେଲିଗେଟ୍‌ ନେଇ U.S.S.R., U.S.S.R କହି କହି ଆସୁଛି । ବୋଧହୁଏ ଏଇ ଟ୍ରେନରେ ଆସୁଥିବେ ଶତପଥି, ଲଖିଆ, ରାମୋନାଇଚ । ଯେଉଁମାନଙ୍କର ଯୌବନ ବିତିଗଲା, ଜେଲରେ, ପ୍ରୌଢ଼ତ୍ୱଟା ବି ବିତିଯିବ ଅଣ୍ଡର ଗ୍ରାଉଣ୍ଡରେ, ବାର୍ଦ୍ଧକ୍ୟରେ ଲାଭ ଭାରତର ସ୍ୱପ୍ନ ଦେଖୁଁ ଦେଖୁଁ ଆଖି ବୁଜିଦେବେ, ସେଇମାନେଇ ଆସନ୍ତା କାଲିର ନୂତନ ଭାରତର ଭାରତୀୟ । ଜନସେବା କରୁ କରୁ ଜୀବନଟା ଜୀର୍ଣ୍ଣ ହୋଇଗଲାଣି ।

ରାସ୍ତାରେ ଚାଲିଛି ପଟୁଆର । ନେତୃତ୍ୱ ଦେଉଛନ୍ତି ପାର୍ଟିବୃଦ୍ଧ ଶତପଥି । ପାଙ୍କ ପଛରେ ଶଏ ଜଣ ବିଡ଼ି ମଜଦୂର, ହେମନ୍ତର ମଜଦୂର ।

ରାମ ନାଇଚୋର ବଦ୍ଧ ମୁଷ୍ଟି ହାତ; ଆକାଶ ଆଡ଼କୁ ଲକ୍ଷ୍ୟ କରି କହୁଛନ୍ତି, ‘‘ଧ୍ୱଂସ ହୋଇଯାଉ ଏଇ ପ୍ରତାରକର ଦୁନିଆ ।’’

ଲଖିଆ ନିଶରେ ହାତ ବୁଲାଇ ଦେଉଛି ଯେପରି କହୁଛି–‘‘ଦେଖଲେଙ୍ଗେ ।’’

ଶତପଥି ପଚାରିଲେ ‘‘ହଇହେ ନେତା ବିଭାଗାର, ଚିତ୍ତୋଭ ଦେଖାଯାଉ ନାହାନ୍ତି ତ ।’’

ଲଖିଆ ହସି ହସି କହିଲେ–‘‘ବୋଧହୁଏ ମେଟେରନଟୀ ହାସପାତାଲରେ ତାଙ୍କ ସ୍ତ୍ରୀଙ୍କ ମାତୃତ୍ୱ କରାଇବାରେ ସାହାଯ୍ୟ କରୁଛନ୍ତି ।’’

ଶତପଥି ପଚାରିଲେ ‘‘ସିଏ ଆଜିକାଲି କଅଣ କରୁଛନ୍ତି ?’’

ଲଖିଆ କହିଲେ ‘‘ବର୍ତ୍ତମାନ ସେ ଫେମିଲି ଫ୍ରଣ୍ଟରେ କାମ ଜୋରସୋରରେ ଚଳାଉଛନ୍ତି-। ଦୁଇଟି ସନ୍ତାନର ପିତା ।’’

 

ଶତପଥି ପଚାରିଲେ ‘‘ଚିତ୍ତୋଭ ?’’

 

ଲଖିଆ ଉତ୍ତର ଦେଲେ–‘‘ସେ ବର୍ତ୍ତମାନ ଲଭ୍‌ ଫ୍ରଣ୍ଟର ଆପାତତଃ ପଞ୍ଜାବୀ ତରୁଣୀର ସମ୍ମୁଖୀନ !’’

 

ପଟୁଆର ଯାଇ ପହଞ୍ଚିଲା ମିଶ୍ରୋଭିଚ୍‌ ଘର ସାମାନରେ ।

 

ମିଶ୍ରୋଭିଚ୍‌ ନୟନ ନତ କରି ବଦ୍ଧମୁଷ୍ଟିରେ ଲାଲ ବାନାକୁ ସମ୍ମାନ ଜଣାଇଲେ । ଦେହରେ ହଳଦିଆ ରେଶମୀ ପଞ୍ଜାବୀ, ଶାନ୍ତି–ପୁରୀ ଧୋତି, ଧଳା ପମ୍ପସୁ, ଆଖିରେ ସୁନା ଫ୍ରେମର ପରଚକ୍ଷୁ, କ୍ଳିନ୍‌ ସେଭ୍‌ ଦେହରୁ ମୃଦୁ ମୃଦୁ ପ୍ୟାରିସ୍‌ର ସନ୍ଧ୍ୟାର ଗନ୍ଧ ବିଛୁରି ପଡ଼ୁଛି ।

 

ସଭା ସ୍ଥାନରେ ଦେବୋଭ ପ୍ରସ୍ତାବ କଲେ ‘‘ମୁଁ ଆଜି ଏ ସଭାରେ ସଭାପତି ଆସନ ଅଳଂକୃତ କରିବାପାଇଁ ସାଥି ଲକ୍‌ସୋନଭ୍‌ ମିଶ୍ରୋଭିଚ୍‌ଙ୍କୁ ମନୋନୀତ କଲି ।’’

 

ଲଖିଆ କଲେ ଅନୁମୋଦନ ।

 

ସଭା କାର୍ଯ୍ୟ ଚାଲିଥିଲାବେଳେ କମ୍ରେଡ଼ ମିଶ୍ରୋଭିଚ୍‌ ଏଣେ ତେଣେ ଅନାଉ ଥାଆନ୍ତି କାଳେ ଫଟୋ ଏମ୍ପୋରିୟମବାଲା ଆସିଥିବେ । କିନ୍ତୁ ହାୟ–ଆଶା ସଫଳ ହୋଇ ପାରିଲା ନାହିଁ ।

 

ସଭାପତିଙ୍କ ଦେହ ଘଷି ଯେତେବେଳେ ବିଡ଼ି ମଜଦୁର ମିରଗା ମୁଣ୍ଡା ବକ୍ତୃତା ଦେବାପାଇଁ ଛିଡ଼ା ହେଲା ସେତେବେଳେ ମିଶ୍ରୋଭିଚ୍‌ଙ୍କ ଉଦର ଆନ୍ଦୋଳିତ ହେଲା । ମିରିଗା ମୁଣ୍ଡା–ବିଡ଼ି କର୍ମୀ, ବିଡ଼ି ତିଆରି କରି ପେଟ ପୋଷେ–ବେଶି ବିଡ଼ିଟଣା ଯୋଗୁଁ ମୁଖାରବିନ୍ଦରୁ ଯେ ବିଡ଼ି ଗନ୍ଧ ନ ବାହାରିବ ତାହା କିଏ କହିବ !

 

ସଭାପତି ମିଶ୍ରୋଭିଚ୍‌ ତାହାରି ଆଡ଼କୁ ଅନାଇ ଦେଲେ ଆଉ ମନେ ମନେ କହିଲେ ‘‘କି ନେଷ୍ଟି, ଲୁଗା ପଟାରେ ଲୁକ୍‌କାୟିତ ବୀଜାଣୁ ବି ଥାଇ ପାରନ୍ତି ।’’

 

ମିରିଗ ମୁଣ୍ଡାର ବକ୍ତବ୍ୟ ଶେଷ ହେଲା ପରେ ଆସିଲେ ସୁବନ ଘାସି । ଯିଏ କମ୍ରେଡ଼ଙ୍କର କମ୍ରେଡ଼ ସାଫକରେ, ପୂତି ଗନ୍ଧମୟ ନଳ ଧୂଏ, ଯିଏ ତାଙ୍କର ଲୁଲୁ କୁକୁର ଦେହରୁ ଟିଙ୍କ ଛଡ଼ାଏ, କାରବୋଲିକ୍‌ ସାବୁନରେ ଦେହ ଧୂଏ । ସେ ଟିକିଏ ଖାସି ଦେଲା ଆଉ ସଭାପତିଙ୍କୁ ଆଲିଙ୍ଗନ କରି କହିଲା–‘‘ଏଇ ଝଣ୍ଡାର ପ୍ରସାଦରୁ ପ୍ରାସାଦବାସୀ ମିଶ୍ର ଆଉ ମୁଁ ଏକା ହୋଇଛୁଁ । ଆମେ ଦୁହେଁ ଭାଇ ଭାଇ ।’’

 

ଏଇଥର ବାନ୍ତି କରି ପକାଇଲେ ମିଶ୍ରୋଭିଚ୍‌ । ଭାଗ୍ୟକୁ ରିକ୍‌ସା ସଂଘର ସଭାପତି ସଭାକୁ ରିକ୍‌ସା ଖଣ୍ଡିକ ଆଣିଥିଲେ–ସେଇ ରିକ୍‌ସାରେ ଚଢ଼ାଇ ସଭାପତିଙ୍କୁ ଘରେ ପହଞ୍ଚାଇ ଦେଲେ ।

 

କମ୍ରେଡ଼ାଣୀ କହିଲେ–‘‘କଅଣ ହେଲା ଗୋ ।’’

 

–କମ୍ରେଡ଼ କହିଲେ ‘‘ରାଜଯକ୍ଷ୍ମା ଆକ୍ରମଣ କରିଛି; ଶୀଘ୍ର ରାଜବୈଦ୍ୟକୁ ଡାକ ! ଆଉ ହଁ, ରାଧିଆ ମା’କୁ କହ, ସିଏ ତାର ଛେଳିଟା ଦେଇଯାଉ, ମୁଁ ତାକୁ ଧରି ଶୋଇବି । ଫାଷ୍ଟଏଡ଼ଟା ହୋଇ ଯାଇଥାଉ ।’’

 

ରାଜବୈଦ୍ୟ ଆସିବା ଆଗରୁ କମ୍ରେଡ଼ ମିଶ୍ରୋଭିଚ୍‌ ଗୋଟିଏ ଛେଳି ଧରି ଗିଲାସେ ଛେଳିଦୁଧ ଖାଇ ଶୋଇ ପଡ଼ିଲେ ।

 

ରାଜବୈଦ୍ୟ ଆସି କହିଲେ–କଅଣ ହେଲା ?

 

କମ୍ରେଡ଼ କହିଲେ ‘‘ରାଜଯକ୍ଷ୍ମା ।’’

 

ରାଜବୈଦ୍ୟ କହିଲେ ‘‘ରାଜଯକ୍ଷ୍ମା କିମିତି ହେଲା ?’’

 

କମ୍ରେଡ଼ କହିଲେ ‘‘ମୋରି ମେହେନ୍ତର ଆଜି ମୋତେ ସାଙ୍ଗରେ ଧରି ବକ୍ତୃତା ଦେଲାବେଳେ କାଶି ପକାଇଲା ସେଥିରୁ ମୁଁ ଅନୁମାନ କରୁଛି ।

 

ରାଜବୈଦ୍ୟ କହିଲେ ‘‘ଚିନ୍ତା କରନ୍ତୁ ନାହିଁ, ମୁଁ ଆପଣଙ୍କୁ ଗୋଟାଏ ବଟିକା ଦେବି ।’’

 

କମ୍ରେଡ଼ ପଚାରିଲେ ‘‘ସିଏ କଅଣ ?’’

 

ରାଜବୈଦ୍ୟ କହିଲେ–‘‘ମଦନାନନ୍ଦ ମୋଦକ ।’’ ଏହା ଖାଇ କିଛି ମିଠା ଖାଇବ, ଖଟା ଖାଇବ ନାହିଁ, ଛେଳିକୁ ଧରି ଶୋଇବା ମଧ୍ୟ ନିଷେଧ, ଏକାକୀ ରହିବା ଦରକାର । କାରଣ ରାଜଯକ୍ଷ୍ମା ଡିଆଁ ରୋଗ । ତୁମର ସେବା ଶୁଶ୍ରୂଷା କରିବା ପାଇଁ ତୁମର ସ୍ତ୍ରୀ ଆସି ପାରନ୍ତି ।

 

ଜଣାଶୁଣା ମହଲରୁ ଶୁଣାଯାଏ କମ୍ରେଡ଼ ଲକ୍‌ସୋନଭ ମିଶ୍ରୋଭିଚ୍‌ ପାର୍ଟି ଅଫିସରୁ ଅପସରି ଯାଇଛନ୍ତି । ତାଙ୍କୁ ପଚାରିଲେ କହନ୍ତି ‘‘ପୁଲିସ ମୋତେ ଧରିବାକୁ ଚେଷ୍ଟା କରିବାରୁ ମୁଁ ଏଇ ପନ୍ଥା ଅବଲମ୍ୱନ କରିଛି ।’’

 

ଜଣା ପଡ଼ିନାହିଁ ସିଏ କେବେ କମ୍ୟୁନିଷ୍ଟ ପାର୍ଟିର ହିଂସାମୂଳକ ନୀତି ପସନ୍ଦ ନ କରି ପାଟି ଛାଡ଼ିଛନ୍ତି ।

 

ତାଙ୍କର ଏଇ ‘‘ମୁଁ କାହିଁକି ଅମୁକ ହେଲି’’ ଲେଖା ପଢ଼ିବା ପାଇଁ ସ୍ୱଦେଶ ଜନତା ପ୍ରଭଦାତନ୍ତ୍ର ଆଡ଼େ ନଜର ରଖିଥାଆନ୍ତୁ । ଯଦି ଲଙ୍ଗଳ ଚକିଆ ଚାହାନ୍ତି ତେବେ ଏଇ ଘାସ ଫୁଲକୁ ଅଶୋକ ମଥାରେ ଚଢ଼ାଇ ପାରନ୍ତି । ଯଦି ନବକୃଷ୍ଣ ଏହାଙ୍କୁ ଚାହାନ୍ତି ତେବେ ଏଇ ପ୍ରଧାନମନ୍ତ୍ରିତ୍ୱ ନେବାପାଇଁ ମଧ୍ୟ ଶିକ୍ଷାଲାଭ କରିଛନ୍ତି ।

 

ଧର୍ମଘାଟ ସାଲିସ କରିବାକୁ ମଧ୍ୟ ଇଏ ପଶ୍ଚାତ୍‌ପଦ ହେବେ ନାହିଁ । ତାଙ୍କର ଦରକାର ତାଙ୍କୁ କିଏ କମ୍ରେଡ଼ କହୁ, ନେତା କହୁ, ଜ୍ଞାନୀ କହୁ, ଯଦି ନ କହିଲେ ସାବଧାନ ଥାଆନ୍ତୁ ! ‘‘ଅଇଣ୍ଠା ଚଟା ପୁଂଜିପତିର ଦଲାଲ ବୋଲି ଗାଳି ଶୁଣିବେ ।’’ ସାଧୁ ସାବଧାନ !

✾✾✾

 

ପାଞ୍ଚଅଣା

 

ସିନେମା ବି ଅନେକ ଯାଆନ୍ତି । ତୁମେ ବି ଯାଅ, ଆଉ ମୁଁ ବି ଯାଏଁ । ତୁମେ ହୁଏତ ତମ ସ୍ତ୍ରୀ ସାଥିରେ ବେଲକନିରେ ଯାଉଥିବ କିନ୍ତୁ ମୁଁ ସର୍ବହରା ଶ୍ରେଣୀରେ ଯାଏଁ । ଯେଉଁ ଶ୍ରେଣୀପାଇଁ କବି, ଲେଖକ, ନେତା ସଭିଏଁ ପାଗଳ । ସମସ୍ତଙ୍କର ଏକମତ ଏଇ ସର୍ବହରା ଦଳଙ୍କ ଉନ୍ନତି ସାଧନ କରିବା କିନ୍ତୁ ବେଲ୍‌କନି ଓ ପାଞ୍ଚଅଣା ଭିତରେ ଯେଉଁ ତଫାତ୍‌ର ସୃଷ୍ଟି ତାହାର ଜବାବ ଦେବ ଗଦି, ଫେନ୍‌ ଆଉ ତମର ପାରିପାର୍ଶ୍ୱିକ ଅବସ୍ଥା ।

 

ସେଇଦିନ ଏଇ ପାଞ୍ଚଅଣା ସିଟ୍‌ରେ ଯାଇଥାଏ । ଆଗରୁ ବୁକିଂର ଅବସ୍ଥା ନାହିଁ । ଛିଡ଼ାହୋଇ ଅଧଘଣ୍ଟାପରେ ହଳଦୀରଙ୍ଗର ଟିକିଟ୍‌ଟିଏ ଧରି ଢୁକିଲି । ସାଙ୍ଗରେ ଥିଲେ ରହିମ୍‌, ଆପୁଲୁ, ରାମଚନ୍ଦ୍ର ମେହନ୍ତର, ବକ୍‌ସିବଜାରର ଆଳୁ ପିଆଜ ବାଲା, ହୋଟଲ ବୟ, ବରା ଗୁଲ୍‌ଗୁଲା ଦୋକାନୀ, ଆମ୍ୱ ବିକ୍ରେତା, ବଂଶୀ ବିକ୍ରେତା, ହକର୍‌...... ।

 

ରହିମ୍‌ ପ୍ରଶ୍ନ କରୁଥିଲା ‘‘ଲତିଫ୍‌ ତୁ କୈସେ ଆଇନରେ ।’’ ଲତିଫ୍‌ର ଉତ୍ତର ଥିଲା–କଣ କହୁଛୁ ବଡ଼ମିଆଁ ହୋଟେଲଓ୍ୱାଲା ଆଜିପରା ପଇସା ଦେଲା ।

 

ରହିମ୍‌ କହୁଥିଲା ‘‘ଇତିଫ୍‌ ତୁ କ’ଣ ମାଉଁସ କାଳି ଦେଉ କିରେ ?’’

 

ଲତିଫ୍‌.......‘‘ରାତିର ମାଉଁସଟା କାଳି ଦିଏ ଆଉ ଅଧା ଦାମରେ ଦିଏ, ନ ହେଲେ ସକାଳୁ ମାଉଁସଟା ଗନ୍ଧାଇ ଯାଆନ୍ତା । ହୋଟେଲ ଛଡ଼ା ଆଉ ଏକ ପଚାମାଲ କିଏ ନେବ ? ଯାହା କିଛି ମିଳିଗଲେ ତ୍ରାହି ।’’

 

ରହିମ୍‌........‘‘ଷ୍ଟେସନ ବଜାରର ସେଇ ନୂଆ ତେଲେଙ୍ଗାଣୀକୁ ଦେଖିଛି । ଭାରି ପ୍ୟାର କରନେଓ୍ୱାଲି । ସେ ଦୁଇଟା ରଖିଥାଏ–ସରାପ୍‌ ଆଉ ସେ । ଆଜି ଠିକ୍‌ କରିଛି, ଯିବୁ ?’’

 

ରହିମ୍‌ ପକେଟରୁ ଲାଲନେଳୀ ରୁମାଲ ବାହାର କରି ନିଶ ପୋଛୁଥିଲା, ଲତିଫ୍‌ ‘ଜିପ୍‌’ ସିଗାରେଟରେ ନିଆଁ ଲଗାଇଲା ।

 

ବେ ଆପୁଲୁ ସ୍ୱାମୀ ମୋ କଥା ବୁଝିଲୁ ନାହିଁ–କହୁଥିଲା ନୂଆହୋଇ ବରମ୍‌ପୁରରୁ ଆସିଥିବା ଆଉ ଏକ ତେଲେଙ୍ଗା ରିକ୍‌ସାଓ୍ୱାଲା । ନାରାୟଣ ରାଏ କହୁଥିଲା ‘‘ଯେଉଁ ପିଲାକୁ କଲେଜକୁ ନେବା ଆଣିବା କରୁଥିଲି ସେ ଶାଳୀ ସାଥିରେ ମୋର ପ୍ୟାର ହୋଇଥିଲା । ଶାଳୀ କ’ଣ ବାହାହୋଇ ଯାଉଛି ବୋଲି ଶୁଣୁଛି । ଦିନେ ଦିନେ ଭାବେ ଶାଳୀକୁ ସିକନ୍ଦର ପରି ଟେକି ନେଇ ଯାଆନ୍ତି । ସେ ଚାରିଅଣା ଦେଲେ ବି ସହି ନ ଦହେଲେ ବି ସହି । ହେଲେ ଶଳେ କଲେଜ ଟୋକା ସବୁ ଭଣ୍ଡୁର କରିଦିଅନ୍ତି ।

 

ଆପୁଲୁ (ଆଉଜଣେ ରିକ୍‌ସାଓ୍ୟାଲା) କହିଲା ‘‘ମୋର ବି ସେଇ ଦଶା । ମୁଁ ଯେଉଁ ପିଲାକୁ କଲେଜକୁ ନିଆ ଅଣା କରେ ସେ ବି ଏଇ ଖରାରେ ବାହା ହୋଇ ଯାଉଛି । ଦିନେ ଦିନେ ଭାବେ ରିକ୍‌ସାଟା ଯଦି ଓଲଟି ପଡ଼ନ୍ତା ମୁଁ ବି ତା ଉପରେ ପଡ଼ନ୍ତି ।’’

 

‘‘ହଁ କାଲି ଯେଉଁ ଷ୍ଟେସନ୍‌ ମାର୍କେଟବାଲିକୁ ସେଇ ବାବୁଙ୍କ ଘରେ ପହଞ୍ଚାଇ ଦେଇଥିଲି ସେ ବାବୁ ମୋତେ ପାଞ୍ଚ ଟଙ୍କା..... ।’’

 

କି ମଜେଦାର ନୟା ମାଲ୍‍ । ଆଳୁ ବେପାରୀ କହୁଥିଲା ‘‘ଖରାରେ ବିକିବା କଣ । ଦାମ ସବୁ ବଢ଼ି ଗଲାଣି । ଖଡ଼ା କେବେ କହୁଥିଲା–ତାହାର ମାଲିକ ତାକୁ ତିନି ମାସର ଦେଇନାହିଁ । ‘‘ଫାଷ୍ଟ କିଲାସର ଟିକଟ୍‌ ଚେକର ଆଉ ପାଞ୍ଚଅଣିଆ ଟିକଟ୍‌ ଚେକର ଭିତରେ କି ତଫାତ୍‌ । ପ୍ରଥମ ଜଣକର ପୋଷାକ ଆଉ ପର ଜଣକ ପୋଷାକ ତାହା କହେ । ଜଣେ ଚିର ରେଣୁ ଅନ୍ୟଜଣକ କର୍ତ୍ତବ୍ୟ ମାୟାଜାଲରେ ବନ୍ଦୀ ।

 

ଆପୁଲ ଖଣ୍ଡେ ରିକ୍‌ସା ଯେ ସେଇ ଜଣକୁ କରିଦେବ ସେଥିପାଇଁ ଏ ଅନୁରୋଧ । ହେଲେ ଆପୁଲ କହିଲା ‘‘ଆଜିକାଲି ରାସ୍ତାରେ ଯେ ମଟର ଯିବା ଆସିବା କରୁଛି ସେଥିରେ ରିକ୍‌ସା ନ ଚଳାଇବା ଭଲ । ଏମିତିତ କେତେ ରିକ୍‌ସାଓ୍ୱାଲା ଗଲେଣି । ଆଉ କଟକରେ ଅଫିସ ବି ମିଳିବ ନାହିଁ । ତେଣୁ ଛାତି ଦମ୍ଭ କରି ରିକ୍‌ସା ଚଳାଇବା ଆଉ ହେବନାହିଁ ।

 

ଗୁଜୁରାଟି ହୋଟେଲ ବୟକୁ ଓଡ଼ିଆ ହୋଟେଲ ବୟ କହୁଥିଲା ‘‘ଶଳା ମାଲିକଟା ଭାରି ତଣ୍ଟିଚିପା, ପଇସାଟିଏ ବି ବଢ଼ାଉ ନାହିଁ । କିନ୍ତୁ ନିଜ ଆମଦାନି ବେଳକୁ ବାଘ । ଗରାକ ଛାଡ଼ି ଯାଇଥିବା ଭାତକୁ ପୁଣି ଥରେ ହାଣ୍ଡିରେ ମିଶାଇ ପରଶି ଦିଏ । ସେ ଭାତ ଖାଇବାକୁ ଯା ଘୃଣା ଲାଗେ ।

 

ଫଳବାଲା କହୁଥିଲା ‘‘କମଳାର ଯାହା ଦାମ୍‌ ହୋଇଛି ପଇସାଟିଏ ବି ହାତପାଣ୍ଠି ହେଉନାହିଁ । ଆମ୍ୱ ଆସିବାକୁ ଆହୁରି ଡେରି ଅଛି । କଞ୍ଚା ଆମ୍ୱ ବିକିବି ବୋଲି ଭାବିଥିଲି କିନ୍ତୁ ସେଥିରେ ବି ଲାଭ କାହିଁ କଅଣ କରାଯାଏ ।’’

 

ଜଣେ ସୁଚିନ୍ତକ ଭାଷିଥିଲେ ‘‘ମଲାଇକା ବରଫ, ବିବଇନ ହେଲେ ସୋଡ଼ା, ଲେମ୍‌ଲେଡ଼, ପଇସାକର ଚିନିପାଣି, ଅଣାଏ ଲାଭ । ଖାଲି ଲାଭ ଉପରେ ଗୋଟାଏ ମାଇକିନା ଛବି ଲଟକାଇ ଦେଲେ କୁଡ଼ିଆ ଘର ମହଲ ହୋଇଯିବ ଏ ସିନେମା ହଲ୍‌ ପରି ।’’

 

ରାଧୁଲୁ ଧୋବା କହୁଥିଲା ‘‘କେନାଲ ବନ୍ଦ ହୋଇଯିବ । ସ୍କୁଲ କଲେଜ ପିଲାଏ ଘରକୁ ଗଲେଣି ରୋଜଗାର ଚଳେ କିମିତି । ଶଳେ ଧୋବ ପିନ୍ଧିବାକୁ ଆଗ, ପଇସା ଦେଲାବେଳକୁ ଯେତିକି ରାଗ । ଭଡ଼ାରେ କିଛି କପଡ଼ା ଦେଉଥିଲି କିନ୍ତୁ କଲେଜ ଛୁଟି ହେଲା ପରେ ଭଲ କପଡ଼ା କାହିଁ ?’’

 

ଜଣେ ଭାବେ ସେ ଭାଗ୍ୟବାନ୍‌ କାରଣ କାନ୍ତା ସେଣ୍ଟର ସୁଗନ୍ଧ ତାର ଚିରସାଥି । ଅନ୍ୟ ଜଣକର ନାସିକା ହୁଏତ ମଦ, ଚୁରୁଟ୍‌, ବିଡ଼ିର କି ଅସନାଗନ୍ଧ ପାଇଥିବ ।

 

ସାକ୍ଷ୍ୟ ଦେବାପାଇଁ ଆସିଥିବା ଗାଁ ମକରୁ କହୁଥିଲା ‘‘ଶଳା ଓକିଲ କି ବହପ କଲାରେ-।’’ କାଗଜ ହକର ମାଧବା କହୁଥିଲା ‘‘ଓଡ଼ିଶାର ଯାହା ପତ୍ର ପତ୍ରିକା ବାହାରିଲାଣି କାଗଜ ବିକି ପେଟ ପୋଷିବା ଅସମ୍ଭବ । ତେଣୁ ପାନ ଦୋକାନ କରିବା ଭଲ । ପ୍ରଜାତନ୍ତ୍ରଓ୍ୱାଲା ହକର ସେଦିନ ବିଷୁବ ମିଳନରେ ଖାଇବାକୁ ପାଇଲେ ଆଉ ଆମେ ଶଳା ପାଟି କରି ତୁଣ୍ଡ ସୁଆଦ ମେଣ୍ଟାଉଛୁଁ-

 

ପାନ ଦୋକାନୀ ବାଇଧର କହୁଥିଲା ‘‘ଗୁଆ ଦାମ୍‌ ତେଜିଲା । ଗରାକ ପଇସାକୁ ଗୋଟିଏ ପାନ ନ ପାଇଲେ କିଣିବାକୁ ନାରାଜ । ସିଗାରେଟ୍‌ରୁ ଲାଭ ବା କେତେ ଉଠିବ ? ପଇଡ଼ ପିଇବା ପାଇଁ କେତେ ଜଣକ ପେଟ ଗରମ ହେଉଛି । ପାଣି ପାଇପ ହେଲାଦିନୁ ସରବତ୍‌ କିଏ କେଉଁ ଦୁଃଖରେ ପିଇବ ?’’

 

ବରଫ ମାଛ ବେପାରୀ କହୁଥିଲା ‘‘ମାଛ ଯଦି ଖାଏ ବଙ୍ଗାଳୀ ଓଡ଼ିଆଙ୍କୁ ତ ଶୁଖୁଆ ନିଅଣ୍ଟ ।’’

 

ମେହେନ୍ତର ରମିଆଁ ତାର ରୁମାଲରେ ସୁବାସିତ ଗନ୍ଧଦ୍ୱାରା ହଲ ମହକାଉଥାଏ । ଅଧରରେ ଗୋଟାଏ ସିଗାରେଟ ତିନିଘଣ୍ଟା ପାଇଁ, ଭବିଷ୍ୟତକୁ ଏଡ଼ାଇ ଦେବାପାଇଁ ଚେଷ୍ଟା କରୁକରୁ କହୁଥାଏ ‘‘ମଦନ ! ଦେଖବେ, ଫାଇଷ୍ଟକିଲାସରେ କି ଗୁଲୁଗୁଲିଆ ଝିଅଟିଏ ଆସିଛି ।’’

 

ସିନେମା ଆରମ୍ଭ ହେବାର ଘଣ୍ଟା ବାଜୁଥାଏ । ରାମୁଲୁ ପ୍ରାରମ୍ଭିକ ସଙ୍ଗୀତ ବୋଲୁଥିବା ବେଳେ ଧାର୍ଡ଼କ୍ଳାସରୁ କେହି ଜଣେ ଦରପୋଡ଼ା ବିଡ଼ିଟାଏ ଉପରେ ଫିଙ୍ଗିଦେଲା । ରାମୁଲୁ ରାଗିଯାଇ ତେଲେଙ୍ଗା ଭାଷାରେ ଯାହା ଗାଳିଦେଲା ତାକୁଇ ଇଂରାଜିରେ ତର୍ଜମା କଲେ ହେବ–

 

‘‘ମଦର ରେଏର ।’’

 

ପାଞ୍ଚଅଣିଆ ସିଟ୍‌ ହୋଇଛି ଆଜି ଭାରତର ମାନଦଣ୍ଡ । ଏଇଠି ଦେଖିବ ଭାରତର ଜନତା । ବାକି କିଲାସଓ୍ୱାଲେ ଏଇମାନଙ୍କର ମୂର୍ଖ ଓ ତ୍ୟାଗର ବିନିମୟରେ ବେଲକନିର ପଙ୍ଖାତଳେ । ଏଇମାନେ ଅବହେଳିତ । ଏମାନେ ଜୀବନରେ ବେଲକନି ଦେଖିବେ ନାହିଁ କିମ୍ୱା ବେଲକନିଓ୍ୱାଲେ ଏତେ ତଳକୁ ଆସି ପାରିବେ ନାହିଁ । ଆଖି ଖରାପ ହେବ ବା ଭଲ ସୋସାଇଟି ନ ପାଇ ଜୀବନଟା ଅତିଷ୍ଠ ହୋଇ ଉଠିବ ।

 

ଭଗବାନ କରନ୍ତୁ ଏଇ ପାଞ୍ଚଅଣା ଓ ବେଲକନିର ତଫାତ୍‌ ଶୀଘ୍ର ଘୁଞ୍ଚାନ୍ତୁ ।

 

କେବେ ?

 

ହାଇଡ୍ରେଜେନ୍‌ ବୋମା ଫାଟିବା ପରେ, ନା ଆଉ କମରେଡ଼ ବାଳୁନାୟକେ ମନ୍ତ୍ରୀ ହେଲେ ।

✾✾✾

 

ଖୋଦା ଯିସ୍‌କୋ ଦେତା

 

ନିହାତି ଏ ଦରଦାମ ବୃଦ୍ଧି ଯୁଗରେ ସଂସାର ପ୍ରତି ବିରାଗ ପ୍ରାୟ ସମସ୍ତଙ୍କର ଉପୁଜିଥାଏ-। ବିବାହିତ ଜୀବନର କେତେକ ବର୍ଷ ଏମିତି ସୁରୁଖୁରୁରେ କଟିଗଲା ଯେ ଦିନେହେଲେ କେବେ ମେଟେରନିଟି ଉଆର୍ଡ଼ରେ ରାତ୍ର ଯାପନ କରିବାକୁ ପଡ଼ିନାହିଁ । ରାତ୍ରିର ଉଜାଗର ବରଂ ଭଲ କିନ୍ତୁ ମେଟେରନିଟି ଉଆର୍ଡ଼ରେ ଟୁ ବି ଅର ନଟ ଟୁ ବି କିଏ କରିପାରେ ? ଏ ସବୁ ଦୃଷ୍ଟିରୁ ମୁଁ ଥିଲି ବ୍ୟୋମଚାରୀ ପକ୍ଷୀଙ୍କ ପରି ମୁକ୍ତ ।

 

କିନ୍ତୁ !

 

ସିନେମା ହଲ୍‌ରେ ଗୋଟିଏ ବନ୍ଧୁଙ୍କୁ ପଚାରିଲି ‘‘ବାହା ହେଲୁଣି ?’’

 

ସେ କହିଲା ‘‘ଏତେ କମ୍‌ ବୟସରୁ ?’’

 

ମୁଁ କହିଲି ‘‘ବୟସ ତ ୩୨ ଟପିଗଲାଣି, ଆଉ କମ୍‌ କଅଣ ?’’

 

ସେ କହିଲା ‘‘ତୁ ?’’

 

ମୁଁ କହିଲି ‘‘ପାଞ୍ଚବର୍ଷ ହେଲା ପୂର୍ଣ୍ଣ ଯୌବନକୁ ପୂର୍ଣ୍ଣ ଭାବରେ ଉପଭୋଗ କଲିଣି ।’’

 

ସେ କହିଲା ‘‘ପୁତ୍ର ସନ୍ତାନ ?’’

 

ମୁଁ କହିଲି ‘‘ଏଇ ବୈଜ୍ଞାନିକ ଯୁଗରେ ସେ ପ୍ରଶ୍ନ ଅବାଞ୍ଛନୀୟ । କାରଣ ଇଚ୍ଛା ହେଲେ ଗୋଟିଏ ଦୁଇଟା କରିପାର । କିମ୍ୱା କରେଇ ଦେଇ ପାର ।’’

 

ସେ କହିଲା ‘‘ଓ ଫେମିଲି ପ୍ଳେନିଙ୍ଗ ? କିନ୍ତୁ ମୋର ଭାଇ ଓ ଭାଉଜ ତୋର ଏଇ ମତବାଦୀ ଥିଲେ । ପାଞ୍ଚବର୍ଷ ଧରି ପ୍ରିୟା ଓ ପ୍ରିୟ ପରି ଚଳିବାକୁ ଲାଗିଲେ । ତାପରେ ଦୁହେଁ ବସି ଗୋଟାଏ ଯୋଜନା କଲେ, ଏଥର ସେମାନେ ପୁଅର କିମ୍ୱା ଝିଅର ପିତା ଓ ମାତା ହେବେ କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବୁ ବିଜ୍ଞାନର ବିନା ସାହାଯ୍ୟରେ ବି ସେମାନେ ଆଉ ପୁତ୍ରବାନ୍‌ କି ପୁତ୍ରବତୀ ହୋଇ ପାରୁ ନାହାନ୍ତି । ଆମେ ଅନ୍ୟ ଧର୍ମୀ ହେଲେ ବି ତମର ପୁରୋହିତମାନଙ୍କୁ ଡକାଇ କୁଷ୍ଠି ଦେଖାଇ ପୁତ୍ରେଷ୍ଠିଯାଗ କରାଇବାକୁ ଲାଗିଛୁଁ ।’’

 

‘‘ଫଳ କିଛି ମିଳିଛି ?’’

 

ସେ କହିଲା ‘‘ଫଳ ପରା ଭଗବାନଙ୍କ ହାତରେ ।’’ ତମର ପୁରୋହିତେ କହିଲେ ‘‘ମା ଫଳେସୁ କଦାଚନ, କର୍ମ କରିଯାଅ । ଭାଇ ଭାଉଜ ଏଥର ଖାଲି କର୍ମରେ ଲାଗିଛନ୍ତି ମାନେ ଡାକ୍ତର ଦେଖାଉଛନ୍ତି, ରକ୍ତ ପରୀକ୍ଷା କରୁଛନ୍ତି ।’’

 

ମୁଁ ବେଶ୍‌ ଚିନ୍ତିତ ହୋଇ ପଡ଼ିଲି । ତଥାପି ଏଇ ନିଅଣ୍ଟ ଯୁଗରେ ତୃତୀୟ ଜୀବନକୁ ଘରକୁ ଜାଣିଶୁଣି ଡାକି ଆଣିବା କିନ୍ତୁ ଗରହୀତ ହେବ ବୋଲି ମନେକଲି ।

 

ଅଧ୍ୟାପକ ଗୋତ୍ରମାରୁ କହିଲେ ‘‘ଆଉ ପାରି ହେଉନାହିଁ ବନ୍ଧୁ ! ମୋର ଥରକ ଇନକ୍ରିମେଣ୍ଟ ସାଥିରେ ଗୋଟିଏ ନା ଗୋଟିଏ ସନ୍ତାନର ଆବିର୍ଭାବ ।’’

 

ମୁଁ ହସିଲି ।

 

ନିଜେ ମୋ ଶ୍ୱଶୁର କହିଲେ ‘‘ତମେ ଏଥର ଟିକିଏ ବୁଲୀକୁ ଡାକ୍ତର ଦେଖାଅ ଓ ତୁମେ ତୁମର ଦେହ ପରୀକ୍ଷା କର । ଆମ ଘରେ ତ କେହି ବାଞ୍ଝ ନ ଥିଲେ କିନ୍ତୁ ବୁଲୀର...ନା ନା ତୁମେ ଡାକ୍ତର ଦେଖାଅ ।’’

 

ସ୍ତ୍ରୀ ମଧ୍ୟ ନାରୀ ମଙ୍ଗଳ ସମିତିରୁ ଫେରି ଆସି କହିଲେ ‘‘ଶାନ୍ତିର ଛୁଆକୁ ଦେଖିଛ କି ସୁନ୍ଦର ! ଏକବାରେ ପ୍ଳାଷ୍ଟିକ ବେବୀ ।’’

 

ମୁଁ କହିଲି ‘‘ଲୋଭ ହେଉଛି ?’’

 

ସ୍ତ୍ରୀ କହିଲେ ‘‘ଛି’’ । ତା କିନ୍ତୁ ଖାଲି ମୋହରି ଖାତିରରେ କିନ୍ତୁ ତାଙ୍କର ଆଖି ଦୁଇଟା କହୁଥାଏ ‘‘ନା ନା ମୋର ଲୋଭ ହୁଏ ।’’

 

ମୁଁ କହିଲି ‘‘ତୁମେ ନିଜେ ଯଦି ଚାହଁ ମୋର ଆପତ୍ତି ନାହିଁ ।’’

 

ସେ କହିଲେ ‘‘ମୁଁ ସେ ସବୁ ଚାହେଁ ନା । ମୁଁ ନିଷ୍କଣ୍ଟକ ରାଜ୍ୟରେ ରାଣୀ ହେବାକୁ ଚାହେଁ-।’’

 

ମୁଁ କହିଲି ‘‘ଆଜି ସିନେମା ଯିବ ?’’

 

ଯେଉଁ କେତେଗୋଟି ବୈଜ୍ଞାନିକ ତଥ୍ୟକୁ କେନ୍ଦ୍ର କରି ଆମେ ଭାରହୀନ ଜୀବନ ଯାପନ କରିବାକୁ ଆରମ୍ଭ କରିଥିଲୁଁ ତାହାର ବ୍ୟତିକ୍ରମ ହେବାର ଦେଖାଗଲା । ମୋର ସ୍ତ୍ରୀ କୌଣସି କୌଣସି ବୈଜ୍ଞାନିକ ପ୍ରଣାଳୀର ଯନ୍ତ୍ରାଦି ମଧ୍ୟ ଗୋପନ କରି ‘‘ଖୋଜି ଖୋଜି ପାଉନାହିଁ’’ କହିଲେ ।

 

ମୁଁ ନୂତନ କରି ଗୋଟିଏ କିଣି ଆଣିବାର ପ୍ରଶ୍ନ ଉଠାଇଲେ ସେ କଥାଟାକୁ ଅନ୍ୟ କଥାଦ୍ୱାରା ଘୋଡ଼ାଇବାକୁ ଚେଷ୍ଟା କଲେ–ଯେମିତି ମୁଁ ଭଲ, ମୁଁ ସୁନ୍ଦର, ମୋର ଅଫିସ ଯିବାବେଳେ ସେ ମୋର ବେଶକୁ କିମିତି ଆଖି ଛଡ଼ା କରିବାକୁ ଚାହାନ୍ତି ନାହିଁ, ମୁଁ ପାଟିକରି ଇଂରାଜୀ ପଢ଼ିଲେ ସେ ବଡ଼ ଖୁସି ହୁଅନ୍ତି ଇତ୍ୟାଦି ।

 

କିଛିଦିନ ପରେ ସେ ମୋତେ କହିଲେ ‘‘ଭାତ ରୁଚୁନାହିଁ ।’’

 

‘‘ପେଟ ଗରମ ? ଡାକ୍ତର....’’

 

‘‘ନା ମୁଁ ମା...’’

 

ମୁଁ କହିଲି ‘‘ଆମର ପ୍ରତିଜ୍ଞା ଥିଲା ନିରଙ୍କୁଶ ଜୀବନ ଯାତ୍ରା । ତା ପୁଣି ଏତେ ଶୀଘ୍ର...।’’

 

ମୋର ସ୍ତ୍ରୀ ତାଙ୍କର ସମସ୍ତ ସାଙ୍ଗ ସାଥିଙ୍କୁ, ପରିବାରୀୟ ଓ ଅପରିବାରୀୟ ଲୋକଙ୍କ ଆଗରେ ଏଇ ସୁସମ୍ୱାଦକୁ ପତ୍ରଦ୍ୱାରା ଅଙ୍ଗଭଙ୍ଗୀ ଦ୍ୱାରା ଅସୁସ୍ଥତା ଦ୍ୱାରା ଜଣାଇବାକୁ ଲାଗିଲେ ।

 

ମୁଁ ଦିନେ କହିଲି ‘‘ବୈଜ୍ଞାନିକ ପ୍ରଣାଳୀ ଦ୍ୱାରା As you were କଲେ ହୁଅନ୍ତା ନାହିଁ-?’’

 

ସେ କହିଲେ ‘‘ଦରକାର ନାହିଁ । ମୋର ଗୋଟିଏ ନୂତନ ଅଭିଜ୍ଞତା ଦରକାର ।’’

 

ମୁଁ କହିଲି ‘‘ଆଶାକରେ ତମର ଏଇଟା ପ୍ରଥମ ଓ ଶେଷ ଅଭିଜ୍ଞତା ହେଉ ।’’

 

ସେ କହିଲେ ‘‘ଏହାପରେ ତୁମେ ଯଦି ବନବାସ ଆଜ୍ଞା ମୋତେ ଦିଅ, ମୁଁ ମଥା ପାତି ଗ୍ରହଣ କରିବି ସେ ଆଦେଶ କିନ୍ତୁ ଏଥର ମୋତେ କ୍ଷମା କର ।’’

 

ଦଶମାସ ଦଶଦିନ ପରେ...ମେଟେରନିଟି ଉଆର୍ଡ଼ରେ ରାତ୍ରି ଯାପନ ।

 

ନର୍ସ ଆସି କହିଲେ ‘‘ଶୁଭେଚ୍ଛା ।’’

 

ମୁଁ କହିଲି ‘‘ଧନ୍ୟବାଦ ।’’

 

ପୁଅ କି ଝିଅ କିଏ ପଚାରୁଛି ବର୍ତ୍ତମାନ । ନୂତନ ସମ୍ୱିଧାନ ଅନୁସାରେ ସମସ୍ତେ ସମାନ-। ଶିଶୁ ପୁଅ ହେଉ କି ଝିଅ ହେଉ ନିଶ୍ଚୟ ଡ୍ୟୁମେକ୍‌ସ ପିଇବ ଓ ଗ୍ରାଇପ୍‌ ମିକ୍‌ଶ୍ଚର ପିଇବ-

 

‘‘ଶୁଭେଚ୍ଛା ।’’

 

ସେଇ ନର୍ସଟି ପୁଣି ଥରେ ଜଣାଇଗଲା ।

 

‘‘ପୁଅଟିଏ ।’’

 

ମୁଁ କହିଲି ‘‘ଯା ହେଉ ପିଣ୍ଡ ପାଇବି ।’’

 

ପୁଣି ଲେଉଟି ଆସି ନର୍ସ କହିଲା

 

‘‘ଝିଅଟିଏ ।’’

 

ମୋତେ ଅନୁମତି ମିଳିଲା ଭିତରକୁ ଯିବାପାଇଁ କିନ୍ତୁ ମୁଁ ଏ କଅଣ ଦେଖିଲି ?

 

ମୋର ସ୍ତ୍ରୀ ଶୋଇଛନ୍ତି ଆଉ ତାଙ୍କ ପାଖରେ ଚାରୋଟି ଶିଶୁ । ତିନୋଟି ପୁଅ ଓ ଗୋଟିଏ ଝିଅ ।

 

ଏଇ ମଲଟିପରପସ ଗ୍ରୋମୋରଫୁଡ଼ ଯୁଗରେ ପ୍ରକୃତି ବି ସମୟ ଓ ସୁଯୋଗ ପାଇଲେ ଛପର ଫାଡ଼କେ ଦେଇ ପ୍ରତିଶୋଧ ନେଉଛି ।

✾✾✾

 

ବିଜିନେସ୍‌

 

ଓକିଲାତି ଆରମ୍ଭ ସନନ୍ଦ କଲି ଠିକ୍‌ ପାଇଲା ପରେ । ସହରରେ ଗୋଟାଏ କୋଠରୀ ନେଇ ଓକିଲାତି ଚଳାଇବା ପାଇଁ ଅକ୍ଷମ ଥିଲି । ବାପାଙ୍କ ଅକିଞ୍ଚିତ ଦାନକୁ ମୁଁ ଅକୁଣ୍ଠିତ ଚିତ୍ତରେ ଗ୍ରହଣ କରି ଆଇନ ସାଗରରେ ନାଆ ମେଲିଦେଲି । ମୋର ନାଆଟି ବେଶ୍‌ ଶକ୍ତିଶାଳୀ ଥିଲା କିନ୍ତୁ ବତାସ ଅନୁକୂଳ ନ ହେଲା ତ ମୋର କି ଚାରା ।

 

ମୋର କାର୍ଯ୍ୟାଳୟ ଯୁକ୍ତ ନିବାସ ସ୍ଥଳୀ ଗୋଟିଏ ନାମହୀନ ସାହୀରେ । ଯେଉଁ ସାହୀର ନା ଶୁଣିଲେ ଭଦ୍ରଲୋକଙ୍କ ନାହି ଡିଏଁ, ନାସିକା କୁଞ୍ଚିତ ହୁଏ ଓ ମେଞ୍ଚେ ଥୋକ ଧରଣୀ ମାତାର ବୁକୁରେ ପଡ଼େ । ସାହୀର ଇତିହାସ ଏମିତି ଦାଗ ଲଗା ଯେ ସେ ଦାଗ ଲିଭିବାର ନୁହେଁ ।

 

କଥା କଅଣ କି, ସାହୀର ଆବାଳ–ବୃଦ୍ଧ–ବନିତା ସମସ୍ତେ ବେପାରୀ । ପୁରୁଷ ଲୋକ କ୍ଷେତ ସମ୍ଭାଳେ, ମାଇପ ମୁଣ୍ଡରେ ପନିପରିବା ନେଇ ବଜାରକୁ ଯାଏ ବିକିବାକୁ । ବଜାରରେ ଗୋଟିଏ ଛୋଟ ହସର ବିନିମୟରେ ପସରା ଯାକର ସଉଦା ସାରି ଘର ମୁହାଁ ହୁଏ ।

 

ମୋ ପଡ଼ିଶାରେ ଜଣେ ଯୁବକ ରହନ୍ତି । ଦିନେ ସେ ମୋତେ ପଚାରିଲେ ‘‘କି ଓକିଲାତି କିମିତି ଚଳୁଛି ?’’

 

ମୁଁ ସବୁ ପ୍ରଶ୍ନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଏ ପ୍ରଶ୍ନଟା କେ ଜାଣେ କାହିଁକି ମୋ ଛାତିରେ କାତି ବାଜିଗଲା ।

 

ମୁଁ କହିଲି–‘‘କାଲି ତ ଆରମ୍ଭ କଲି, ଆଉ ଚଳିବା ନ ଚଳିବା କିମିତି କହିବି ।’’

 

ସେ କହିଲେ–‘‘ବାବୁ, ତୁମେ ଯେତେ ନାହିଁ ହଁ କୁହ ଆମେ ସବୁ ଜାଣୁ କାହାର କେତେ ଆୟ–’’

 

ମୁଁ ଟିକିଏ ଲଜ୍ଜିତ ହେଲି । ହେଲେ ଓକିଲ ଯଦି କାନ୍ଦେ ପକେଟରେ ହାତ ପୂରାଇ କାନ୍ଦେ । ମୁଁ ଭାବୁଥିଲି ତାଙ୍କୁ ପଚାରନ୍ତି କି ସେ କଅଣ କରନ୍ତି । କିନ୍ତୁ ସେଇଟା ଅଭଦ୍ରତା ହେବ ଭାବି କିଛି ପଚାରିଲି ନାହିଁ । କାରଣ ବନ୍ଧ ବନ୍ଧା ହେଲାରୁ କେତେ ରକମ ଯେ କାମ ଆରମ୍ଭ ହୋଇଛି ସେ କଥା କିଏ କଳନା କରିବ । ଟଙ୍କା କୁଆଡ଼େ ଖାଲି ଗଗନେ ଉଡ଼ୁଛି । ଖାଲି ଧରି ପାରିଲେ ହେଲା । ସେ ଦିନ ଗୋଟାଏ ସାକ୍ଷୀ କାଠ ଗଡ଼ାରେ ଛିଡ଼ା ହୋଇ ମାଜିଷ୍ଟ୍ରେଟଙ୍କ ‘କଅଣ କର’ ପ୍ରଶ୍ନର ଉତ୍ତର ଦେଲା–‘‘ଆଜ୍ଞା କଳା ବଜାର–’’

 

ମାଜିଷ୍ଟ୍ରେଟ ଟିକିଏ ବିସ୍ମିତ ହୋଇ ସାକ୍ଷୀ ଆଡ଼େ ଦେଖି ଚଉକିରେ ଆଉଜି ଭାବିବାକୁ ଲାଗିଲେ । ପ୍ରାର୍ଥୀର ଓକିଲ ନିର୍ବାକ । କେବଳ ଦୋଷୀର ଓକିଲ ଛତିଶ ଗୁଣ ସମ୍ପନ୍ନ ସାକ୍ଷ୍ୟ ବୋଲି ମନ୍ତବ୍ୟ କରି ହସି ଉଠିଲେ । ତେଣୁ କିଏ କଅଣ କରୁଛି ଏ ପ୍ରଶ୍ନ ଆଜି ଉଠୁନାହିଁ ।

 

ଦିନେ ମୋର ଭଉଣୀ ପଡ଼ୋଶୀ ବନ୍ଧୁଟି ଆସି କହିଲେ–‘‘କାଲି ଗୋଟିଏ ରେଡ଼ିଓ କିଣିଲେ । ଇଚ୍ଛା ହେଲେ ଦୁଇଟା ଶ୍ରୂତି ମଧୁର ଆଧୁନିକ ଗୀତ ରୋଜ ଶୁଣିଯିବେ ।’’

 

ମୁଁ ଆପ୍ୟାୟିତ ହେଲି, ଏଇ ନିମନ୍ତ୍ରଣ ପାଇ । ନିମନ୍ତ୍ରଣ ରକ୍ଷା ବି କରିଥିଲି ତାଙ୍କ ଘରକୁ ଯାଇ । ସେତେବେଳେ ରେଡ଼ିଓରୁ ଭାସି ଆସୁଥାଏ ଲତା ମଙ୍ଗେସକରଙ୍କର ସୁଲଳିତ ସୁଶ୍ରାବ୍ୟ ସଙ୍ଗୀତ ‘ଜିନ୍ଦ୍‌ଗୀ ଇସିକୀ ଯୋ ଜିନ୍ଦ୍‌ଗୀ ସେ ଖେଲେ ।’ ଅନ୍ୟାନ୍ୟ ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ଭିତରୁ ଯେଉଁମାନେ ଥିଲେ ସେମାନେ ଅତି ନିମ୍ନ ଶ୍ରେଣୀର । ଏମାନଙ୍କୁ ଦେଖି ମୋର ଭଦ୍ରତାରେ କୌଣସି ଆଞ୍ଚ ଆସି ନାହିଁ । ମୁଁ ଓକିଲ, ପୁଣି ନୂଆ, ଆଉ ନିମ୍ନ ଶ୍ରେଣୀ ହିଁ ମୋର ଅନ୍ନଦାତା ।

 

ପଡ଼ୋଶୀ ବନ୍ଧୁଟି ଅନ୍ୟାନ୍ୟ ବନ୍ଧୁମାନଙ୍କ ସହିତ ମୋର ପରିଚୟ କରାଇ ଦେଲେ । ମୁଁ ଭଦ୍ରତା ଖାତିରରେ ସେମାନଙ୍କୁ ନମସ୍କାର କଲି । ସେମାନେ ପରସ୍ପର ପରସ୍ପରଙ୍କୁ ଦେଖି ଟିକିଏ ଅପ୍ରତିଭ ହେଲେ ବୋଲି ମନେହେଲା । ସିଗାରେଟ୍‌ ପରଶା ହେଲା । ଚା’ ବି ପିଆ ହେଲା । ମୋର ବନ୍ଧୁଟି ମୋତେ କହିଲେ ଆପଣ ବୋଧହୁଏ ନିରାମିଶାଷୀ, ନ ହେଲେ ବିଲାତିରୁ ଗିଲାସେ ଚଖାଇଥାନ୍ତି । ହାଲ୍‌କା ମଦର ହାଲକା ନିଶା ଓକିଲ ବାବୁ ପରିଶ୍ରାନ୍ତ ଜୀବନର ଏକମାତ୍ର ସାଥୀ ।

 

ବିଶେଷ ଅଧିବେଶନ ଆରମ୍ଭ ହେବ ଆପଣ ଯଦି କିଛି ନ ଭାବନ୍ତି ତେବେ–

 

ମୁଁ କହିଲି–‘‘ନାଇଁ, ସେଥିରେ ଭାବିବାର କଅଣ ଅଛି ! ବରଂ ମୁଁ ସସମ୍ମାନେ ପ୍ରସ୍ଥାନ କରୁଛି ।’’

 

ଘରକୁ ଫେରିଲି । ପୁଣି ଭାବିଲି ମୋର ପଡ଼ୋଶୀର ଯୌ କାରବାର କଅଣ ? ଟଙ୍କା ଦେଣ ନେଣ, ସୂତା ବ୍ୟବସାୟ–କପଡ଼ା ନା ସେଆର କିଣା ବିକା, ନା ବଟା, ନା ସଟା– ?

 

ସକାଳ ହେଲା–

 

ସକାଳର ଖବର ଅଲ ଇଣ୍ଡିଆ ରେଡ଼ିଓରୁ ଶୁଣିବାକୁ ତାଙ୍କ ଘରକୁ ଗଲି । ତାଙ୍କ ଘରକୁ ଯାଇ ମୋର ଠିକ୍‌ ମନେହେଲା ମୁଁ ତାଙ୍କ ଘରକୁ ନ ଯାଇ ବୋଧହୁଏ ଆଉ କା’ ଘରେ ପଶିଛି । କାଲି ରାତିର ରେଡ଼ିଓ ନାହିଁ କି ଘର ଛାତ ଉପରେ ଲାଗିଥିବା ଏରିଏଲ୍‌ ନାହିଁ । ବେଟେରୀ ବି ନାହିଁ, ଘରେ ପଡ଼ିଥିବା ସୋଫା ସେଟ୍‌ ନାହିଁ, ଚଟାଣର ଛିଣ୍ଡା ଦରୀଟା ବି ନାହିଁ, ପେଟ୍ରୋମେକ୍‌ସ ଲାଇଟ୍‌, ଅଏଲକେନ୍‌ ସମେତ ନାହିଁ, ସାଇକେଲଟା ନାହିଁ ।

 

ମୁଁ ପଚାରିଲି–‘‘କଥା କଣ ?’’

 

ସେ କପାଳକୁ ଚାପଡ଼ାଇ କହିଲେ–‘‘ଚୋରୀ, ଚୋରୀ ।’’ କହିଲି–‘‘ପୋଲିସକୁ ରିପୋଟ ଦଉନ ?’’ ସେ କହିଲେ ‘‘ପୋଲିସ ! ସେମାନେ ସବୁଗୁଡ଼ାକ ବୁଦ୍ଧିହୀନ, ଅପଦାର୍ଥ । ତାଙ୍କୁ କହି ଲାଭ ? ବରଂ ହରକତ ହେବା କଥା । ଛାଡ଼, ଭାଗ୍ୟରେ ଥିଲେ କାଲି ପୁଣି ଫେରି ଆସିବ । ନମସ୍କାର ! ଘରକୁ ଯାଆନ୍ତୁ ।’’

 

ପଡ଼ୋଶୀ ବୋଲି ସାନ୍ତ୍ୱନା ଦେବାକୁ ଯାଇଥିଲି କିନ୍ତୁ ଫେରିଆସିଲି ମର୍ମାହତ ହୋଇ–

 

କିଛିଦିନ ପରେ ସେ ମୋତେ ଡାକିଥିଲେ ତାଙ୍କ ଘରକୁ ।

 

ମୁଁ ଯାଇଥିଲି । ମୁଁ ଯାଇ ଦେଖିଲି, ପୁଣି ଗୋଟିଏ ନୂଆ ରେଡ଼ିଓ ସେଟ୍‌ ଆସିଛି । ଟେବୁଲ ଚେଆର ବି ଆସିଛି । ନୂଆ ପେଟ୍ରୋମେକ୍‌ସ ଲାଇଟ୍‌ ବି ଆସିଛି । ମୁଁ ସମସ୍ତ ଆସବାବ୍‌ ଉପରେ ଆଖି ବୁଲାଇ ନେଇ ତାଙ୍କ ଆଡ଼କୁ ଜିଜ୍ଞାସୁ ନୟନରେ ଚାହିଁ ରହିଲି–

 

ସେ କହିଲେ ‘‘ବିଜିନେସ୍‌ । ଏ ସବୁ ପୁଣି ସେଇ ବିଜିନେସ୍‌ରୁ । ମା ଲକ୍ଷ୍ମୀ ଘର ଅନ୍ଧାର କରି ଚାଲି ଯାଇଥିଲେ । ପୁଣି ଫେରି ଆସିଛନ୍ତି ଚଞ୍ଚଳ । ସେ କେବେ ଲଙ୍ଗଳା କରି ସବୁ ନେଇ ଯାଆନ୍ତି, କେବେ ବା ଛପର ଫାଡ଼ିକରି ଦିଅନ୍ତି । ଭାଗ୍ୟର ଫେର ।’’

 

କିଛିଦିନ ପରେ ସେ କହିଲେ–‘‘ମୋର କିଛି ଟଙ୍କାର ଦରକାର ଅଛି । ମୋର ସ୍ତ୍ରୀର ଗହଣା ଗାଣ୍ଠି କିଛି ବିକି ଦେବି, କିଣିବେ ?’’

 

ମୁଁ କହିଲି–‘‘ମୋର ସେ ସାମର୍ଥ୍ୟ ନାହିଁ । ଆଉ କେଉଁଠି ଚେଷ୍ଟା କରନ୍ତୁ ।’’ ପୁଣି କିଛିଦିନ ପରେ ଶୁଣିଲି ସେ ତାଙ୍କ ପୈତୃକ ସମ୍ପତ୍ତି ଯା ଜମିଜମା ଥିଲା ସେ ସବୁ ବିକୁଛନ୍ତି ।

 

ମୁଁ ତାଙ୍କୁ ରାସ୍ତାରେ ଦିନେ ପଚାରିଲି–‘‘ପୈତୃକ ସମ୍ପତ୍ତି ବିକୁଛନ୍ତି କାହିଁକି, ଆଉ ତ କରି ପାରିବେ ନାହିଁ । ବିକିବାର ପ୍ରୟୋଜନ ବା କେଉଁଠି ଥିଲା ?’’

 

ସେ କହିଲେ–‘‘ମୂଳଧନ ଠିକ୍‌ କରୁଛି, ଆଲୁମିନିୟମ୍‌ ଫ୍ୟାକ୍‌ଟରୀରେ ସିୟାର କିଣିବି ।’’

 

ଉତ୍ତମ ବ୍ୟବସ୍ଥା ! ଏଇ କ୍ରମବର୍ଦ୍ଧମାନ କାରବାର ଯୁଗରେ କାରବାରରେ କାରବାରୀ ହେବା ଉଚିତ ।

 

ଆଜିକାଲି ଯାହା ହାତରେ ଟଙ୍କା ଅଛି ଅର୍ଥାତ୍‌ ‘‘ଜ୍ୟୋତିରୂପା ନିରାକାର ଭ୍ରାମ୍ୟମାନ ମୁହୁର୍ମୂହୁଁ’’ ରହିଛି, ମାନେ–ଯେଉଁ ରୂପା (Silver) ଜ୍ୟୋତି ବାହାରେ, ଯାହାର ଆକାର ନାହିଁ, ଯିଏ ଘୂରି ବୁଲୁଥାଏ, ସେ ରହିଛନ୍ତି–ସେହି ସାଧକ, ମହା ପୂଣ୍ୟବାନ । ଆଉ ଆଜିକାର ଭାଗବତ ହେଲା-

 

ଅର୍ଥ ନିବେଶି ପତ୍ନୀ ପାଶେ

ମନ ତୁ’ ଦେଇଥା ସନ୍ନ୍ୟାସେ ।

 

ମୋର ପଡ଼ୋଶୀର ଘର ବି ବିକ୍ରୀ ହୋଇଗଲା, ମୋର ଆଖି ସାମନାରେ–

 

କିଛିଦିନ ପରେ ଦେଖିଲି, ମୋର ବନ୍ଧୁ ଗୋଟାଏ ମଟର ସାଇକେଲ କିଣି ସହରରେ ବେଶ୍‌ ଫୂର୍ତ୍ତିରେ ଯାଉଛନ୍ତି । ସିନେମା ଦେଖୁଛନ୍ତି । ଏ ସବୁ ଦେଖି ମୁଁ ମୋର ବନ୍ଧୁଙ୍କୁ ଶିଳ୍ପ ପାଗଳ ବୋଲି ଆଖ୍ୟା ଦେଲି । ସେ ବି ମୋତେ କେବେ ଚା’ କେବେ ସିନେମାର ସାଥି କରି ମୋର ଆଉ ତାଙ୍କ ଭିତରେ ଥିବା ବନ୍ଧୁତା ରଜ୍ଜୁକୁ ବେଶ୍‌ ନିବିଡ଼ କରି ବାନ୍ଧି ଦିଅନ୍ତି ।

 

ତାଙ୍କର ଏଇ ବ୍ୟବସାୟଗତ ଉତ୍‌ଥାନ ପତନକୁ ଦେଖି ମୁଁ ମୋର ବନ୍ଧୁଙ୍କୁ ଧୈର୍ଯ୍ୟବାନ୍‌ ବୋଲି ଭାବୁଥିଲି । ଝଡ଼ ତୋଫାନ୍‌ ତାଙ୍କୁ ନୂଆଁଇ ଦେଇଛି ସତ ହେଲେ ଭାଙ୍ଗି ପାରିନାହିଁ । ତେଣୁ ମୁଁ ତାଙ୍କଠୁଁ ଏଇ ଭାଙ୍ଗି ନ ଯିବା ଗୁଣଟା ଶିଖି ନେଇଗଲି ।

 

କିଛିଦିନ ପରେ–ମୋର କୌଣସି ଗୋଟାଏ ବିଶେଷ କାମରେ ପୋଲିସ ଷ୍ଟେସନକୁ ଯାଏ । ପୋଲିସ ଥାନାର ପୁରୁଷ ହାଜତରେ ମୁଁ ମୋର ବନ୍ଧୁ ଓ ତାଙ୍କ ଅନ୍ୟାନ୍ୟ ବିଜିନେସ୍‌ ପାର୍ଟନରଙ୍କ ସହିତ ଭିତରେ ଥିବା ଦେଖି ଆଶ୍ଚର୍ଯ୍ୟ ହେଲି ।

 

ମୁଁ ଥାନା ଅଫିସରଙ୍କୁ ପଚାରିଲି ‘‘ଏମାନେ ହାଜତରେ ?’’

 

ପୋଲିସ ବାବୁ କହିଲେ–‘‘ଏମାନେ ଜୂଆ ଖେଳୁଥିଲେ ଧରା ପଡ଼ିଛନ୍ତି ।’’

 

‘‘ଜୁଆ ?’’

 

‘‘ହଁ, ପୋଲିସ ଆଖିରେ ବରଷ ବରଷ ଧରି ଧୂଳି ଦେଇ ପାରିଥିଲେ । ଆଉ ପାରିଲେ ନି ।‘‘

 

‘‘ପୋଲିସ ଆଖିରେ ଧୂଳି– ?’’

 

‘‘ହଁ, ଜାଣନ୍ତି ସେଇ ଜଣକ (ମୋର ବନ୍ଧୁଙ୍କୁ ଲକ୍ଷ୍ୟକରି) ଜଣେ ଦେଶ ସେବୀ । ଅନେକ ଟଙ୍କା ଦେଶ ସେବା ପାଇଁ ଚାନ୍ଦା ନେଇଛନ୍ତି । ଆସନ୍ତା ମନ୍ତ୍ରୀମଣ୍ଡଳରେ ତାଙ୍କର ସ୍ଥାନ ମିଳିବାର ଆଶା ଅଛି ବୋଲି ସେ କହନ୍ତି । ତାଙ୍କର ପୂର୍ଣ୍ଣ ଇତିହାସ ତାଙ୍କରି ମାଆ ମୁହଁରୁ ଶୁଣନ୍ତୁ ।’’

 

ମାଆ କହିଲେ–

 

‘‘ପୁଅ ମୋର ନନ୍‌–ମେଟ୍ରିକ୍‌ । ଚାକିରୀ ବାକିରୀ କରେ ନାହିଁ । ମୁଁ ଏଇ ବୟସରେ ବି ପୁରି ତରକାରୀ ବିକି ତାକୁ ପୋଷିଛି । ସେ ଜୁଆ ଖେଳେ । ସେ ଅନେକ ଟଙ୍କା ଯେତେବେଳେ କିଣିଲା, ମୋତେ ଘରୁ ତଡ଼ିଦେଲା । ମୋର ଦେହର ଅଳଙ୍କାର ସବୁ ଘରୁ ଚୋରାଇ ନେଇ ବିକି ଜୁଆ ଖେଳିଲା । ଯାହା ଜମିଜମା ଥିଲା, ସବୁ ବିକିଲା । ରହିବା ଘରଟା ବି ବିକି ଦେଲା ।’’

 

ମୁଁ ମୋର ବନ୍ଧୁ ଆଡ଼େ ଅନାଇଲି–

 

ସେ ମୋତେ ହାତ ଟେକି ନମସ୍କାର କଲା । କହିଲା–‘‘ରାଜନୀତିଟା ଜୁଆ ଖେଳ ନୁହେଁ ଆଉ କଣ ? ମୁଁ ଯଦି ଦୋଷୀ ହେଲି ତେବେ ବଡ଼ ବଡ଼ ନେତାମାନେ ଧରା ନ ହେବେ କିଆଁ ? ଆଜିକାଲି ଯୁଗରେ ପଲିଟିକସ୍‌ ଆଉ ବିଜିନେସ୍‌ ଦୁଇ ଯାଆଁଳା ଭାଇ ।’’

 

ମୁଁ ‘ଜୟହିନ୍ଦ୍‌’ କରି ଚାଲି ଆସିଲି ।

✾✾✾

 

ଉଦ୍‌ବୋଧନ

 

ଆମ ଗାଁର ସେଇ ଦରପଢ଼ୁଆ ଟୋକା ଯେ କି ଆମ ଉଆର୍ଡ଼ର ପଞ୍ଚାୟତ ନିର୍ବାଚନ ବେଳେ ମନୋନୟନ ପତ୍ର ଦାଖଲ କଲାପରେ ଗାଁରେ ବୁଲି ବୁଲି ଭୋଟ ଭିକ୍ଷାପାଇଁ ବକ୍ତୃତା ଦେଉଥିଲା । ସେ ଥରେ ଗୋଟାଏ ଗାଁରେ ଯେଉଁ ବକ୍ତୃତା ଦେଇଥିଲା, ତାହାର ଅବିକଳ ନକଲ ହେଉଚି–

 

ଭାଇ ଓ ଭଉଣୀମାନେ,

 

ଏ ଗାଁର ଇତିହାସ ଅତି ପୁରୁଣା । ଏ ବସତି ଇତିହାସର ପୋଥି ପତ୍ରରେ ନାହିଁ, ତଥାପି ଏ ଛୋଟ ମୋର ଗାଁ’ଟି । ଏ ଗାଁରେ ଯେତେ ସହୀଦ ଅଛନ୍ତି, ସେମାନେ ଅକଳନ । ଏ ଗାଁର ପୂର୍ବ ଗୌରବ ସୂର୍ଯ୍ୟଠାରୁ ତେଜିଆନ୍‌, ଚନ୍ଦ୍ରଠାରୁ ଶୀତଳ, ତାରାମାନଙ୍କ ଠାରୁ ବୃହତ୍‌ ଓ ସ୍ଫୁଟନିକ୍‌ଠାରୁ ଅତ୍ୟନ୍ତ ବିସ୍ମୟ ବିଜଡ଼ିତ । ଜୀରା ନଦୀର ପ୍ରତି ଗୋଡ଼ିମାଟି ସେଇ ଗୌରବମୟ କାହାଣୀ ଶୁଣିଲେ ତାତିଯିବେ । ଢଳି ଚାହିଁଲେ ସୂର୍ଯ୍ୟ ବି ନଇଁ ପଡ଼ିବେ । ଏ ଗାଁର ଲାଲ ମାଟି ଦେଖିଲେ ସଲାମ ନେବାକୁ ମନ ବ୍ୟାକୁଳ ହେବ । ଜନ–ଗଣ–ମନ ଅଧିନାୟକମାନେ ଅବଶ୍ୟ ଏ ଗାଁରେ ଯେଉଁ କୀର୍ତ୍ତି ସ୍ତମ୍ଭ ରଖି ଯାଇଛନ୍ତି, ତାହା ରାଜାମାନଙ୍କ କାନରେ କେତେ କଥା କହେ । ଏ ଗାଁ ହାମାର ହାଏ ଓ ହାମ ଇସକା ଡାମରା କାଉ ହେଁ । ଏହି ସୁଜଳା, ସୁଫଳା ଗାଁର ଅତୀତ ଗୌରବକୁ ଅବଲୋକନ କରି କିଏ କହିବ ଏ ଗାଁର ଅଧିବାସୀଗଣ ଆଜି ହୀନକାର୍ଯ୍ୟ ହୋଇ ଯାଇଛନ୍ତି ! ଏ ଗାଁର ସେଇ ପରଜା ପୁଅ ୧୯୪୨ ମସିହାରେ ଇଂରାଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ଜେଲ୍‌ ଯାଇଥିଲା । କିନ୍ତୁ ତାହାର ସ୍ୱରାଜ୍ୟପ୍ରୀତି ଏତେ ଥିଲା ଯେ ସେ ବିଦେଶୀ ଶାସକଙ୍କ ଜେଲ୍‌ରେ ରହିବାପାଇଁ ନ ମଙ୍ଗି କ୍ଷମାପ୍ରାର୍ଥନା କରି ଗାଁକୁ ଫେରିଥିଲା । ସେଇ ସମୟରେ ବିଦେଶୀ ଶାସନର ଆଇନପ୍ରତି ଭ୍ରୂକ୍ଷେପ ନ କରି ଏହି ଗାଆଁର ଦୁଇଜଣ ତତ୍‌କାଳୀନ ଯୁବକ ଚୋରି କରି ଜେଲ୍‌ ଯାଇଥିଲେ ସତ; କିନ୍ତୁ ସେଇ ବୀରପୁଙ୍ଗବମାନେ ଜେଲ ଡେଇଁ ପଳାଇ ଯାଇଥିବାର ସମ୍ବାଦ ସମ୍ବାଦପତ୍ରରେ ଯେଉଁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ତାହା ପାଠ କରିଥିବା ବ୍ୟକ୍ତି ହୃଦୟରେ କି କମ୍ପନ ସୃଷ୍ଟି ନ କରିଛି ! ସେମାନେ କଅଣ କମ୍‌ ସାହସର ପରାକାଷ୍ଠା ଏ ଜଗତ ଆଗରେ ବାଢ଼ିଛନ୍ତି ?

 

ଦୋମୁହାଣି ଜମି ଟିକକ ପାଇଁ, ନିଜର ହକ ସାବ୍ୟସ୍ତ କରିବାପାଇଁ, ଭାଇ ନିଜ ଭାଇକୁ ଖୁଣକରି ଏ ଗାଁର ଭୋଇ ପୁଅ ହସି ହସି ଫାସି ବରଣ କରିଛନ୍ତି । କହ ଭାଇ, ଏହା କଅଣ କମ୍‌ ଗୌରବର ବିଷୟ ?

 

ତେଣୁ କହେଁ, ଏ ଗାଁର ମାଟିରେ ବୀର ରକ୍ତ ବୋଳାହୋଇଛି ।

 

ଏଇ ଗାଁର ବ୍ରାହ୍ମଣ ପୁଅ ସେଦିନ ବିଚ୍‌ ରାସ୍ତାରେ ଗୋଟାଏ ବାଉରାଣୀକି ଧରି ଗାଁ ଛାଡ଼ି ପଳାଇଲା । ଲୋକେ ହସିଲେ । ହସନ୍ତୁ, କିନ୍ତୁ ସିଏ ପ୍ରଗତିବାଦୀ, ସିଏ ପାହାଡ଼ିଆ ନଦୀପରି ଅବୁଝା ଓ ଗତିବାନ୍‌ । ଲୋକେ କହିଲେ ସେଇ ଝିଅକୁ ଯୁବକଟି କେଉଁଠି ବିକି ଦେଇଛି ବୋଲି । ଲୋକେ କହିଲେ ତ ହେବ ନାହିଁ । ଖାଣ୍ଟି ପ୍ରମାଣ ଦରକାର । ଏଇ ଗାଁର ପବନରେ ପ୍ରଗତିବାଦର ସୁବାସ ରହିଛି ।

 

ଏଇ ଗାଁର ସେ ଦିନର ବୁଢ଼ାମାନେ, (ଆଜି ବି ସେଥିରୁ କେତେକ ବଞ୍ଚିଛନ୍ତି) ଗୋଟା ଗୋଟା ବୋଦାର ମାଉଁସ ଖାଇ ଦେଉଥିଲେ । ସେମାନେ ପରଦ୍ରବ୍ୟେକ୍ଷୁ ଲେଷ୍ଟ୍ରବତ୍‌ ଚକ୍ଷୁରେ ଦେଖୁଥିଲେ । ସେମାନେ ଛେଳିଗୋଠରୁ କାଖରେ ଜାକି ଗୋଟାଏ ଗୋଟାଏ ଛେଳି ଦୂର ଜଙ୍ଗଲ ଭିତରକୁ ନେଇ ଯାଉଥିଲେ । ଯେଉଁଠି କୋଇଲିର ବେଣ୍ଟ ନାହିଁକି କୁଆର ଥଣ୍ଟ ନାହିଁ । ପତରଟିଏ ପଡ଼ିଲେ ପଥରଟିଏ ପଡ଼ିବାର ଶବ୍ଦ ହେଉଥିଲା । କହତ ଭାଇ, ଏହା କଅଣ ଜଣେ ବୀର ଦୁଃସାହସିକର ପରିଚୟ ନୁହେଁ ? କିଏ କହିବ ଏହି ଗାଁଆ ବୀରଶୂନ୍ୟା ?

 

ଏଇ ଗାଁଆର କନ୍ୟାମାନେ ବୀରା ଦୁର୍ଗାବତୀ ପରି ଶ୍ୱଶୁରଶାଶୁଙ୍କ ଆଗରେ ଖଣ୍ଡା ବୁଲାଇବାରେ ଧୂରନ୍ଧରା । ଅବଶ୍ୟ ସେ ଖଣ୍ଡା ଖାଇବାରେ ମଧ୍ୟ ସାହାଯ୍ୟ କରେ ।

 

ଭଉଣୀମାନେ, ତୁମର ଏହି ଇନକିଲାବର ଜୟ ହେଉ ଓ ଧ୍ୱଂସ ହେଉ ଶାଶୁ ଶ୍ୱଶୁରର ଏକଚାଟିଆ ପୁଞ୍ଜିବାଦୀ ରାଜୁତି ! ଧ୍ୱଂସ ହେଉ ବୁର୍ଜୟାପତିଶ୍ରେଣୀର ! ତୁମେ ବୀରା ଓ ବୀର–ପ୍ରସବିନୀ ଜନନୀ । ତମର ପୁଏ ସାହସୀ ହୁଅନ୍ତୁ ! ଜେଲରେ ରାଜୁତି କରନ୍ତୁ ! ହସି ହସି ମାଟି ଚାଖଣ୍ଡକପାଇଁ ଆତ୍ମଦାନ କରନ୍ତୁ !

 

ଏ ଗାଁରେ ଅନେକ ଜମି ଆଜି ଭୂଦାନୀଙ୍କ ହାତରେ । ସେମାନେ ଅବଶ୍ୟ ସେଇ ଜମି କାହାକୁ ଦେଇ ପାରୁ ନାହାନ୍ତି କି କେହି ନେଉ ନାହାନ୍ତି । ତଥାପି ଆପଣମାନେ ଭୂଦାନୀ । ହେ ଦାନୀଗଣ, ତୁମର ଜୟ ଜୟକାର ହେଉ !

 

ତୁମେମାନେ ପ୍ରଳୟ ସୃଷ୍ଟି କରିବାକୁ ଯାଇଁ ଚନ୍ଦ୍ର ନାଏକ ଆଖୁ କିଆରୀକୁ ନିଜର ଦାନ୍ତଦ୍ୱାରା ଧ୍ୱଂସ କରିଛ । ତୁମେ ହାତଦ୍ୱାରା ଧ୍ୱଂସ କରିଛ ପିଜୁଳି ବଗିଚା । ତୁମର ଜୟ ହେଉ । ତୁମେ ଶିବ, ସତ୍ୟ, ସୁନ୍ଦର !

 

ତୁମେ କଥା କଥାକେ ବାକ୍ୟ ବାଣ ନିକ୍ଷେପ କରି ଅନ୍ୟ ପକ୍ଷକୁ ବିଚଳିତ କର । ବେଳେବେଳେ ଲାଠିର ସାହାଯ୍ୟ ମଧ୍ୟ ନିଅ । ସହରର ଆଇନଜ୍ଞମାନେ ତୁମରି ଧନରେ ପୁଷ୍ଟ । ତୁମେମାନେ ହିଁ ସେମାନଙ୍କର ପୁଷ୍ଠପୋଷାକ ।

 

ଭାଇମାନେ, ଏ ଗାଁର ଲୋକେ ସତ୍ୟପ୍ରିୟ । ତେଣୁ ପକ୍ଷ ସାକ୍ଷ ସଂଗ୍ରହ ନ କରି ପାରିଲେ, ଏଇ ଗ୍ରାମକୁ ଆସନ୍ତି ସାକ୍ଷନ୍ୱେଷୁ ଦଳ । ତୁମେ ସାକ୍ଷ ଦେଇ ପତିତକୁ ଉଦ୍ଧାର କର । ତୁମର ପତିତପାବନ ବାନା ବିଚାରାଳୟମାନଙ୍କର ବସନ୍ତର ପୁଷ୍ପିତ ହିଲ୍ଲୋଳରେ ମୃଦୁ ମୃଦୁ ଦୋହଲୁଅଛି ।

 

ତମ ଗାଁର ଛୋଟ ଛୋଟ ଶିଶୁ ସିଂହ ଆଜି ବସ୍‌ଷ୍ଟେଣ୍ଡ୍‌, ସିନେମା ହଲ୍‌, ରେଲଷ୍ଟେସନ୍‌ରେ ଅର୍ଥଦାନର ସ୍ୱେଚ୍ଛା ସେବକ । ସେଇ ଶିଶୁ ଶ୍ରେଣୀର ତୁମେ ଜନକ । ହେ ବୀର–ପ୍ରସ ଜନତା, ତୁମର ଜୟ ଜୟକାର ହେଉ !

 

ମନେଥିବ, ଗତ ଛୋଟ ଲଢ଼େଇରେ ତୁମେ ଅତିଥିକୁ ନିରାଶ ନ କରିବାପାଇଁ ଉଭୟ ଗଣତନ୍ତ୍ରୀ ଓ କଂଗ୍ରେସୀ କର୍ମୀଠାରୁ ଚାନ୍ଦା ଗ୍ରହଣ କରିଅଛ । ହେ ସ୍ୱାଧୀନ–ପନ୍ଥୀ ଗ୍ରାମବାସୀ, ତୁମେ ପରିଶେଷରେ ସ୍ୱାଧୀନପନ୍ଥୀକୁ ବିନାଶ କରି ଅତିଥି ପାଳନର ଗୁଣ ଦେଖାଇ ଜଗତ୍‌ଜିତ ହୋଇଛ ।

 

ଶୁଣା କଥା–ତମେ ଭୋଟ କାଗଜ ବିକିଥିଲ ବୋଲି ସୁ ପ୍ରଚାରକମାନେ ଭାସନ୍ତି । ଆଜିର ଏଇ ଅର୍ଥନୈତିକ ଦୁନିଆରେ ତୁମେହିଁ ଦେଖାଇ ଦେଇଛ ତୁଚ୍ଛ ଭୋଟ କାଗଜରୁ କିପରି ଦୁଇ ପଇସା ଯୋଗାଡ଼ କରାଯାଇପାରେ । ଧନ୍ୟ ଧନ୍ୟ ତୁମର ଏଇ ବ୍ୟବସାୟୀ ବୁଦ୍ଧି । ତୁମକୁ ନମସ୍କାର !

 

ତୁମେମାନେ ଆଜିକାଲିର ଏହି ଆଧୁନିକ ଶିକ୍ଷା ଦୀକ୍ଷା ପ୍ରତି ବିତଶ୍ରଦ୍ଧ ହୋଇ ତୁମର ଗାଁର ଲୋକ ସେବକଙ୍କୁ ଗାଁରୁ ରାତି ଦୁଇପ୍ରହରରେ ତଡ଼ି ଦେଇଛ ।

 

ବନ୍ଧୁ, ହେ ପ୍ରଗତିଶୀଳ ବନ୍ଧୁ, ତୁମକୁ ମୋର ନମସ୍କାର !

 

ଏ ଗାଁର, ଯୁବକମାନେ ଆଗକାଳରେ ଏମିତି କିମିଆ କରୁଥିଲେ ଯେ ଦିନ ଦୁଇପ୍ରହରରେ ମଧ୍ୟ ଥିଲାବାଲା ଘର କବାଟ କିଳି ରହୁଥିଲେ ।

 

ଭାଇମାନେ, ମୁଁ ଅଧମ, ମୁଁ ନିରାଧମ, ମୁଁ ପାପିଷ୍ଠ; ମୁଁ ପାପୀ । ଆପଣମାନେ ବୁଦ୍ଧିଠାରୁ ମୋର ବୁଦ୍ଧି ଅଳ୍ପ ।

 

ମୋତେ ଭୋଟ ଦେଇ ଏ ଗାଁର ମାନ ରଖିବ ।

 

ନମସ୍କାର

ଜୟହିନ୍ଦ୍‌

 

ବକ୍ତୃତା ବ୍ୟତୀତ ଏ ସବୁ ପୁଙ୍ଖାନୁପୁଙ୍ଖ ଲେଖି, ଛପାଇ, ପ୍ରଚାରପତ୍ର ବାଣ୍ଟିଥିଲେ । କିନ୍ତୁ ବହୁଦିନ ଗାଁକୁ ଯାଇ ନଥିବାରୁ ଭୋଟ ପାଇଲା କି ନାହିଁ ଜାଣିନି । ଅନୁମାନ କରୁଚି ହୁଏତ ପାଇ ପାରିଥାଏ ।

✾✾✾

 

ଅପେକ୍ଷା

 

ଜନମଣ୍ଡଳି ଉପସ୍ଥିତ ହେବା ପରେ ଯେତେବେଳେ ଅଧୈର୍ଯ୍ୟ ହୋଇ ହାତ ତାଳି, ମୁଖ ବାଦ୍ୟ, ହୁଇସିଲ୍‌ ବାରମ୍ବାର ଦେବାକୁ ଲାଗିଲେ ଓ ମଝିରେ ମଝିରେ ନାଟ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଗାଳି ବର୍ଷଣ କରିବାକୁ ଲାଗିଲେ ସେତେବେଳେ ପର୍ଦା ଉଠେ–

 

ସୁବିସ୍ତୀର୍ଣ୍ଣ ମଞ୍ଚରୁ ଏକ ପାର୍ଶ୍ୱରେ ଦଣ୍ଡାୟମାନ କିରନ୍‌ବର୍ଣ୍ଣା ବାରମ୍ବାର ନିଜର ମଣି ବନ୍ଧରେ ଥିବା ସୁନ୍ଦର ହାତ ଘଡ଼ି ଆଡ଼େ ଅପଲକ ନୟନରେ ଅନାଇ ରହିଛି । ତାହାର ପଛପଟେ ରାଜପଥ ଚିତ୍ରପଟଟା ମୂକ ସାକ୍ଷୀ ରୂପେ ସୁବିସ୍ତୃତ ।

 

କିରନ୍‌–ଓଃ ବଡ଼ ଡେରି ହୋଇଗଲା । ନାରୀ–ସଂଘ–ସଦନରେ ସଭାପତ୍ନୀଙ୍କ ଭାଷଣ ଶେଷ ହେବାପାଇଁ ଯେ ଏତେ ଡେରି ହେବ, ମୁଁ କଳନା କରି ନଥିଲି । କେତେଟା ବାଜିଲା ? (ଘଡ଼ିକୁ ଅନାଇ) ଏଁ ସାତଟା–ନା ନା ସାତଟା ହୋଇ ନ ଥିବ । ମୁଁ ନାରୀସଙ୍ଘ ସଦନର ଘଡ଼ିଟା ଦେଖିଥିଲି ସେତେବେଳେ ଆଠଟା ବାଜି କୋଡ଼ିଏ ମିନିଟ୍‌ । ଘଡ଼ିଟା ବିଶ୍ରାମ ନେଇଛି ନା କଅଣ ? (ଘଡ଼ିକୁ କାନ ପାଖକୁ ନେଇ) ଏଁ ସତେ ତ ! ଘଡ଼ିଟା ଚଳୁନାହିଁ । ଚାବି ଦିଆଯାଇ ନ ଥିବ ପରା । ସୁଜାତାଠୁଁ ଘଡ଼ିଟା ପଅରି ଦିନଠୁଁ ମାଗି ଆଣିଥିଲି, ଆଜି ରାତିକ ପାଇଁ ? (ଘଡ଼ିଟାରେ ଚାବି ଦେଲା) ଏଁ ଘଡ଼ିଟାର ସ୍ପ୍ରିଙ୍ଗ୍‌ ଛିଣ୍ଡି ଯାଇଛି ? ସୁଜାତା ଯଦି କହେ ଘଡ଼ିଟା ଠିକ୍‌ ଥିଲା ବୋଲି ? ମୋତେ ଘଡ଼ିଟା ଠିକ୍‌ କରି ଦେବାକୁ ହେବ ? ଏଁ ଅସହ୍ୟ ! ଡେରି ହୋଇ ଯାଉଛି । (ଆକାଶର ଚାନ୍ଦଆଡ଼କୁ ଅପଲକ ନୟନରେ ଅନାଇ ରହିଲେ କିରନ୍‌–ବର୍ଣ୍ଣା; ପ୍ରବେଶ କଲେ ମଦନାନନ୍ଦ ସାହୁ ଓ ମହାପାତ୍ର । ମଦନାନନ୍ଦ ପ୍ରବେଶ କରି ପ୍ରଥମେ ନିଜ ମୁଖାରବିନ୍ଦରେ ନିଜର ନିଷ୍ଠୁର କର ଚାଳନ କଲେ–)

 

ମଦନାନନ୍ଦ–ଏ ସତ୍ୟ ନା ମିଥ୍ୟା–ଏ କଅଣ ଦ୍ୟୁଲୋକଚାରିଣୀ ତାରାର ଫୁଲରେ ବେଣୀ ସାଜିଛନ୍ତି ?

 

(କିରନ୍‌–ବର୍ଣ୍ଣା ଏତିକିବେଳେ ନିଜର ଶୂନ୍ୟ ଗଭାରେ ହାତ ବୁଲାଇ ଦୀର୍ଘ ନିଶ୍ୱାସ ତ୍ୟାଗ କଲେ ।)

 

ମଦନାନନ୍ଦ–ଏ କଅଣ ନିଷ୍ଠୁର ସ୍ୱପ୍ନ ? ଏଁ ମୁଁ ନିଜେ ସୁପ୍ତ ନୁହେଁ ତ ? (ନିଜ ଆଖିକୁ ରଗଡ଼ିଲା) ନା ନା ମୁଁ ଜାଗ୍ରତ । ମୁଁ ବର୍ତ୍ତମାନ କେଉଁଠି ? ପାରିଜାତ ଉଦ୍ୟାନରେ ? ମୋର ପକ୍ଷୀରାଜ କାହିଁ ? ମୋର ଅସି (ନିଜ ଫାଉଣ୍ଟେନ ପେନରେ ହାତ ବୁଲାଇ), ମୋର ମୁକୁଟ (ନିଜ ରୁକ୍ଷ କେଶରେ ହାତ ବୁଲାଇ) ଅଛି, ସବୁ ଅଛି । କିନ୍ତୁ ଏ କିଏ ? କିଏ ତୁମେ ? ଏ–ନା–ନା ସାହିତ୍ୟ ନୁହେଁ । ଏ କଣ ଗଣ–ସାହିତ୍ୟ ? ଆପଣ କିଏ ? ଉଁ ହୁଁ, ସଂବୋଧନ କେବଳ ଅପରିଚିତପାଇଁ । କିନ୍ତୁ ଏ ତ ମୋର ଅପରିଚିତା ନୁହଁନ୍ତି । ଏ ମୋର ଜନ୍ମ ଜନ୍ମାନ୍ତର ପରିଚିତା । ତଥାପି...ଅୟି ଆର୍ଯ୍ୟେ ! କସ୍ତ୍ୱମ୍‌ ? ବେଶ୍‌ ଏଇଆ ହେଲା ଠିକ୍‌ ସମ୍ୱୋଧନ ।

 

କିରନ୍‌–ମୁଁ...ମୁଁ...ମୋତେ ପଚାରୁଛନ୍ତି ? (ଟିକିଏ ବ୍ୟତିବ୍ୟସ୍ତ ହୋଇ–ସ୍ୱାଗତ) ଓଃ ପାଖରେ ପୋଲିସଟିଏ ବି ନାହିଁ । ଜନ–ମାନବ–ଶୂନ୍ୟ ରାଜପଥ । ମୁଁ, ମୁଁ...କେହି ନାହାଁନ୍ତି ? ମୁଁ କଅଣ କରିବି ? ଓଃ ବସ୍‌ଟା ଯେ କେତେବେଳେ ଆସିବ ? ଲୋକଟା ପାଗଳ ନୁହେଁ ତ ? ସେ ଯେ ମୋତେ ବଲ୍‌ବଲ୍‌ କରି ଅନାଉଛି । (ପାଟିକରି) ମୁଁ–ମୁଁ କିରନ୍ ବର୍ଣ୍ଣା....।

 

ମଦନାନନ୍ଦ–କିରନ୍‌ ବର୍ଣ୍ଣା କିରନ୍‌ ବର୍ଣ୍ଣା ନା–ନା–ତୁମେ କିରନ୍‌ ବର୍ଣ୍ଣା ନୁହଁ । ତୁମେ ଦିନେ କିରନ୍‌ ବର୍ଣ୍ଣା ଥିଲ । କିନ୍ତୁ ଆଜି ତାର ମୃତ୍ୟୁ...।

 

କିରନ୍–ମୃତ୍ୟୁ ନା–ନା–ମୋତେ ମାର ନାହିଁ । ମୋ ପାଖରେ ଯାହା ଅଛି, ସବୁ ନିଅ; ମୋତେ ବଞ୍ଚାଅ ! ମୋତେ ମାର ନାହିଁ, ମୋର ମୃତ୍ୟୁ ନ ହେଉ !

 

ମଦନ–ନା–ନା–ତୁମର ମୃତ୍ୟୁ ହେଉ ! ତୁମେ ସେଇ ମୃତ୍ୟୁରୁ ଜନ୍ମଲାଭ କର ! ତୁମେ ଅମର, ଅଜେୟ ଓ ଅକ୍ଷୟ ! ତୁମେ ଆଜିଠୁଁ ମୋର କାବ୍ୟ–ନାୟିକା । ଠିକ୍‌ ଦୁଇ ସହସ୍ର ବର୍ଷ ପୂର୍ବେ ତୁମେ ଥିଲ ମୋର ମାଳବିକା–ଠିକ୍‌ ଏକ ସହସ୍ର ବର୍ଷ ପୂର୍ବେ ତୁମେ ଥିଲ ମୋର ଲାବଣ୍ୟବତୀ...ମନେଅଛି ମନେପଡ଼େ !

 

କିରନ୍–ମନେମନେ–

 

ମଦନ–ଠିକ୍‌ କହିଛ, ତୁମେ ମୋର ମନେମନେ ଓତଃପ୍ରୋତଃ ଭାବେ ଜଡ଼ିତ ।

 

କିରନ୍‌–ଜଡ଼ିତ ଆପଣଙ୍କର...

 

ମଦନ–ଅସ୍ୱୀକାର କରନାହିଁ ପ୍ରିୟେ ! ହଁ, ତୁମକୁ କେତେ ଯୁଗ ଧରି ମୁଁ ଖୋଜି ଆସିଛି-। ଉଜ୍ଜୟିନୀ–ମିଥିଳା–କାନ କୁବ୍‌ଜ...ତୁମକୁ କେତେ ଆଶା ଘେନି ମୁ ଖୋଜିଛି ଏହି ପ୍ରିୟ ରତ୍ନଟିକୁ ନିଜର ଗଳାରେ ଜଡ଼ାଇବାକୁ...

 

କିରନ୍‌–ରତ୍ନ ? (ନିଜର ଗଳାର ହାର ଦେଖାଇ) ନା–ନା–ଏ ରତ୍ନ ନୁହେଁ, ଏ ଇମିଟେସନ୍‌ ଗୋଲ୍‌ଡ଼ । ଆଜି ନାରୀସଂଘ ସଦନର ମିଟିଙ୍ଗ ପାଇଁ....

 

ମଦନ–ମାଳବିକେ ! ତୁମେ ଏଇ ମ୍ଳେଚ୍ଛ ଭାଷା ବ୍ୟବହାର କରୁଛ ? ସମ୍ବର, ସମ୍ବର ଦେବୀ ସମ୍ବର ଏ ବାଣୀ । କୁହ, କୁହ ସୁଶ୍ରାବ୍ୟସୁରୁଚିପୂର୍ଣ୍ଣ ସୁଲଳିତ ଭାଷା; ଛତ୍ରେଛତ୍ରେ ଉପମା, ଯମକ; ସ୍ଥାନେ ସ୍ଥାନେ ସିଂହାବଲୋକନ; ଛନ୍ଦେ ଛନ୍ଦେ କହିଯାଅ କଥା; କୁହ, କୁହ ! (ଟିକିଏ ଉତ୍‌କ୍ଷିପ୍ତ ହୋଇ)

 

କିରନ୍‌....–ଏଁ–ଏଁ–ହଁ, ହଁ, କହୁଛି । ତୁମର ଚାନ୍ଦପରି ମୁହଁ । ଦାଢ଼ୀର କଳା ରୁଢ଼ ଚାନ୍ଦର କଳଙ୍କ । ତୁମର ସାର୍ଟ ହୁଆଇଟ୍, ଉଆଟର ଲିଲି–ମାନେ କଇଁ ।

 

ମଦନ–ମୋର ସୌନ୍ଦର୍ଯ୍ୟ, ମୋର ବୀର୍ଯ୍ୟ, ମୋର ଜୟଗାଥା, ମୋର ଯୁଦ୍ଧ ପିପାସା, ମୋର ଅସିଧାରେ କ୍ଷତ ବିକ୍ଷତ ଦେହ, ମୋର ଶ୍ମଶ୍ରୂ, ମୋର ଆଜାନୁଲମ୍ବିତ ବାହୁ (ନିଜ ବାହୁକୁ ଚେଷ୍ଟା କରି ଜାନୁ ପର୍ଯ୍ୟନ୍ତ ବିସ୍ତାର କରି), ମୋର ସୁବର୍ତ୍ତନଗରୀ, ମୋର ପାତ୍ର ମନ୍ତ୍ରୀ...କୁହ କୁହ ନିରୁତ୍ତର କାହିଁକି ?

 

କିରନ୍‌–ଏଁ ? ହଁ–ହଁ–ତୁମେ ବିଜୟୀ, ତୁମେ ଇଡ଼େନ୍‌ ! ଇଜିପ୍‌ଟ ସାଥିରେ ଯୁଦ୍ଧରତ । ତୁମେ ଫରାସୀ ! ସମ୍ବର ପ୍ରୟାସୀ ତୁମେ ଇସରାଇଲି ! ଗାଜା ରାଜ୍ୟ ଜୟ କରିଛ ତୁମେ ବୁଲଗାନିନ୍‌ ! ଷ୍ଟାଲିନ୍‌ ତୁମେ, ଶତ୍ରୁକୁ ନିଧନ କରିଛ ।

 

ମଦନ–ଚୁପ୍‌ ! ଯେତେ ସବୁ ଅଶ୍ରାବ୍ୟ କଥା । ମୋର ରାଜ୍ୟ ତକ୍ଷଶିଳା । ମୁଁ ତକ୍ଷଶିଳାର ସମ୍ରାଟ । ମୁଁ ଜୟ କରିଛି–ମୁଁ ଜୟ କରିଛି.... ? (ଟିକିଏ ଭାବି ମୁଣ୍ଡ କୁଣ୍ଡାଇ)

 

କିରନ୍‌–ଜୟ କରିଛ ପଞ୍ଚଶିଳା ।

 

ମଦନ–ଅସମ୍ଭବ । ମୁଁ ଶାନ୍ତିପ୍ରିୟ ଅଶୋକ । ଏକଘଣ୍ଟା ପୂର୍ବେ ମୁଁ ଚଣ୍ଡାଶୋକ ଥିଲି । (ପାଟିକରି କହିଲେ) ବର୍ତ୍ତମାନ ଧର୍ମାଶୋକ ଶାନ୍ତିକାମୀ...ବୁଦ୍ଧଂ ଶରଣଂ ଗଚ୍ଛାମି ।

 

କିରନ୍‌–ହଁ, ହଁ ଠିକ୍‌ ଠିକ୍‌ ବୁଝି ପାରିଛି । ତୁମେ ଧର୍ମାଶୋକ ନୁହଁ, ତୁମେ ଅଶୋକ ଚକ୍ର-

 

ମଦନ–ହଁ, ମୁଁ ‘ଅଶୋକ ଚକ୍ର ସମ୍ରାଟ ।’ ମୁଁ ଚକ୍ରପରି ବାତ୍ୟା ସୃଷ୍ଟି କରେ । ମୁଁ ଘୂର୍ଣ୍ଣିବାୟୁ, ମୁଁ ଇରନ୍‌ମଦ, ମୁଁ ବଜ୍ର, ମୁଁ ଉତ୍ତନପାଦ, ମୁଁ ଶଶାଙ୍କ ଓ ଜରାସନ୍ଧ । (ରାଗି) ନା, ନା ମୁଁ ଜରାସନ୍ଧ ନୁହେଁ, (ଟିକିଏ ହସି) ମୁଁ ଲଳିତାଦିତ୍ୟ ।

 

କିରନ୍‌–ହଁ, ହଁ, ସେଇଆ ହେଉ । ତୁମେ ତାହା, ଯାହା ତୁମେ ନିଜେ ନିଜକୁ ଭାବ...ଏଥର ମୋତେ ମୁକ୍ତି ଦିଅ ।

 

ମଦନ–ମୁକ୍ତି ? ହା, ହା, ହା, ମୁଁ ଡେଭିଲ୍‌ ଆକ୍‌ଟର । ପ୍ରାନ୍‌ ସହାନୁବାଜ ତ୍ରିବେଦୀ ପରି ମୁକ୍ତି ମୋଠୁଁ ପ୍ରତ୍ୟାଶା କର ନାରୀ ! ମୁଁ...ମୁଁ....ମୁଁ ପୋଲିସ, ମୁଁ ତୁମକୁ ପୁଣି ଥରେ ବନ୍ଦୀ କଲି । କୁହ, ନିର୍ଯ୍ୟାତନ ଚାହଁ–ନା କବୁଲ କରିବ ? କବୁଲ କର !

 

କିରନ୍‌–କାବୁଲ ? ନା ନା, କାବୁଲିଓ୍ୱାଲା । ହଁ, ହଁ, ପିସ୍ତା ଅଛି, ବାଦାମ ଅଛି; ଅଛି ଆରାରୋଟ, ଅଛି କିସ୍‌ମିସ୍‌ ?

 

ମଦନ–ପାଗଳ ! ତୁମେ ପାଗଳ । ତୁମର ସ୍ଥାନ ରାଞ୍ଚିରେ ନ ହେଲେ କରାଚିରେ ପାଗଳ.... ?

 

କିରନ୍‌–(ନିଜେ ମଥାର ବାଳକୁ ଅସଂଯତ କରି) ମୁଁ ପାଗଳ ? ହିଃ–ହିଃ–ହିଃ–କ୍ଷମାକର ପ୍ରାଣ..... !

 

ମଦନ–କେବଳ ପ୍ରାଣ ନୁହେଁ, କୁହ ପ୍ରାଣପ୍ରିୟ କୁହ–

 

କିରନ୍‌–ପ୍ରାଣପ୍ରିୟ....

 

ମଦନ–ବେଶ୍‌, ମୁଁ ତୁମର ପ୍ରାଣପ୍ରିୟ । ମୁଁ ତୁମର ପ୍ରାଣବନ୍ଧୁ । ମୁଁ ତୁମର ପ୍ରିୟରୁ ପ୍ରିୟତମ, ମୁଁ ତୁମର ସାଜନ, ମୁଁ ତୁମର ଗୁଣଗ୍ରାହୀ, ରୂପପାୟୀ ପ୍ରାଣେଶ୍ୱର ।

 

କିରନ୍‌–ପ୍ରା...ଣେ...ଶ୍ୱ...ର ?

 

ମଦନ–ହଁ, ପ୍ରାଣେଶ୍ୱରୀ ! ଆସ ଏଇ ନେପଥ୍ୟକୁ । ଆସ ଏଇ ରାଜପଥରେ ଭୀଷଣ କୋଳାହଳ । ଏଇଠି ସୁନୀଳ ଆକାଶର ଚାନ୍ଦ ଧୂମାୟିତ ଦୂର ଚିମିନ୍‌ରୁ ଧୂଆଁ ନିଷ୍କାରୁଛି । ଆସ....ଆସ...କହୁଛି !

 

କିରନ୍‌–ଏସ ଓ ଏସ, ଏସ ଓ ଏସ (ପାଟିକରି) ।

 

ମଦନ–ମୋର ଧାରଣା ଅଭ୍ରାନ୍ତ । ତୁମେ ମଙ୍ଗଳ ଗ୍ରହ ତନ୍ୱୀ । କୁହ, ହଁ କି ନା–?

 

କିରନ୍‌–ହଁ, ହଁ, ଯେ ଏବେ ପୃଥିବୀର ଅତି ନିକଟକୁ ଆସିଥିଲା ?

 

ମଦନ–ହଁ ଠିକ୍‌ । ତାପରେ ସେ ଚାଲିଗଲା ଦୂରକୁ, ଆହୁରି ଦୂରକୁ । ଯେଉଁଠି ପୃଥିବୀ ମିଶିଛି ଆକାଶ ସହିତ ପ୍ରଣୟାଭିଭୂତ ହୋଇ । ଯେଉଁଠି ତୁଷାରର ପରଶରେ ଫୁଟେ ନିଆଳୀ; ଆଉ ଫୁଟେ ମଧୁମାଳତୀ...ତୁମେ...ତୁମର ନାମ ମାଳତୀବର୍ଣ୍ଣା–ନୁହେଁ ?

 

କିରନ୍–ଉଁ–ହୁଁ, କିରନ୍‌ବର୍ଣ୍ଣା ।

 

ମଦନ–ସେ ମରିଗଲା । ଏଇଠି ମୋର ଠିକ୍‌ ଆଖି ଆଗରେ, ଆଉ ଏଇ ମୁହୂର୍ତ୍ତରେ । ବେଶ୍‌ ମୁଁ ତାକୁ ମାରି ଦେଇଛି; ତାହାର ଶଙ୍ଖି ଚିପି ତାର ସମାଧି ରଚିଛି...ଜାଣ ସେ ସମାଧିକୁ କଅଣ କହନ୍ତି ?

 

କିରନ୍‌–ଏଁ, ହଁ, ହଁ, (ଆଙ୍ଗୁଠିରେ ଗଣି) ପେଗୋଡ଼ା, ପିରାମିଡ଼୍, କବର, ଗୋରା କବର... ନା ନା ଗୋରୀ କବର ।

 

ମଦନ–ଚୁପ୍‌କର, ତୁମେ କିମିତି ଜାଣିବ ? ଜାହାନ୍ନରା ତୁମେ, ମଙ୍ଗଳଗ୍ରହ ବାସୀ, ତୁମେ ଆଜି ଧରଣୀ ଛୁଇଁଛ ।

 

କିରନ୍‌–ହଁ, ହଁ, ଛୁଟିରେ ମଙ୍ଗଳଗ୍ରହରୁ ବୁଲିବାକୁ ଆସିଛୁ, ଏଇ ପୃଥିବୀକୁ । ଆଗ୍ରା ଯିବୁଁ-!

 

ମଦନ–ଆଗ୍ରା...ତାଜମହଲ ? ମୁଁ ସେଇ ତାଜମହଲ ଗଢ଼ିଛି, ସେଇ କିରନ୍‌ବର୍ଣ୍ଣା ମୃତ୍ୟୁକୁ ଅମର କରିବାପାଇଁ । ମୁଁ ସାଜାହାନ୍‌–ମମତାଜ ।

 

କିରନ୍‌–ବସ୍‌ଟା ଆସୁନାହିଁ–କେତେ ବାଜିଲା...ଘଡ଼ିଟା useless, ପ୍ରକୃତିର ପୂଜାରୀ...ମୁଁ ସ୍ୱପ୍ନବାଦୀ, ମୁଁ ଆଶାବଦୀ, ମୁଁ ନୈରାଶ୍ୟବାଦୀ, ମୁଁ ପଳାୟନପନ୍ଥୀ, ମୁଁ ପଳାଇଛି, ପଳାଉଥିବି ଓ ପଳାଇବି । ମୁଁ ଗଲି ଗଲି...

 

କିରନ୍‌–(ନିଜ ଛାତିରେ ଥୁକ ପକାଇ) ରକ୍ଷା..କି ପାଗଳରେ ବାବା...

 

ଦ୍ୱିତୀୟ ଦୃଶ୍ୟ

 

କିରନ୍‌ ବର୍ଣ୍ଣାଙ୍କ ଗୃହ । ପ୍ରେକ୍ଷାଳୟରୁ ଏ ଯାଏ ଦର୍ଶକବୃନ୍ଦ ହସୁଛନ୍ତି । ଆଉ ସେଇ ହସର ମଝିରେ ମଞ୍ଚ ଆଲୋକିତ ହେଲା । ମଞ୍ଚରେ ପଡ଼ିଛି ଗୋଟିଏ ଖଟିଆ । ଖଟିଆରେ ଶୋଇଛନ୍ତି ଜଣେ ଯୁବକ–ପ୍ରବେଶ କଲେ କିରନ୍‌ ବର୍ଣ୍ଣା...

 

କିରନ୍‌–ବାଃ ଚମତ୍‌କାର ଶୋଇଛ ? (ରାଗି) ସେଇଥିପାଇଁ ତ ଆଜି ଆମ ସଭାର ପ୍ରସ୍ତାବ ପାସ୍‌ ହେଲା–ଅଳସୁଆ ସ୍ୱାମୀମାନଙ୍କୁ ପରିତ୍ୟାଗ କରିବାକୁ ହେବ । ଏବଂ ଓକିଲ ସ୍ୱାମୀ ସର୍ବାଗ୍ରେ ପରିତ୍ୟଜ୍ୟ । ଉଠ କହୁଛି, ନ ହେଲେ ଏଇ ମୁହୂର୍ତ୍ତରେ ତୁମକୁ ପରିତ୍ୟାଗ କଲି... । ଭାତ ରାନ୍ଧିଛ ଡିଅର୍‌ ବଡ଼ ଭୋକ, ରାସ୍ତାରେ ବସ୍‌ ଅପେକ୍ଷା କଲାବେଳକୁ ଉପସ୍ଥିତ ହେଲା ଗୋଟାଏ ପାଗଳ...ପାଗଳ ! ଉଁ ହୁଁ ଗୋଟିଏ ଆଦର୍ଶବାଦୀ କବି । ବେଶ୍‌ ଅନୁଭବ କରୁଥିଲି ଅନ୍ତତଃ ଅପେକ୍ଷାଜନିତ କ୍ଲାନ୍ତି ଦୂର ହେଉଥିଲା । ଉଠ ! (ରାଗି ହଲାଇଲେ) ।

 

କିରନ୍‌–କି ଆଶ୍ଚର୍ଯ୍ୟ ! ଏତେ ଘନ ନିଦ ମୁଁ କେବେ ଦେଖିନାହିଁ । ପ୍ରତିଶୋଧ ନେଉଛ-? ଆମେ ଦାବୀ କରିଥିଲୁ ସାତଦିନରେ ଦିନେ ଆମକୁ ସ୍ୱାମୀମାନେ ରାନ୍ଧି ଖାଇବାକୁ ଦେବେ-। ମୁଁ ସେଇଦିନ ବୋଲି ଧରି ନେଇଛି । ଉଠ ! ମାଉଁସ ରାନ୍ଧିଛ ? କିଛି ସଲାଡ଼ ନିଶ୍ଚୟ ପ୍ରସ୍ତୁତ କରିଥିବ-। ମୁଁ ବଡ଼ କ୍ଲାନ୍ତ । ଦେଖ ମୁଁ ବଡ଼ ଗୁରୁତର ଭାବରେ କହୁଛି–ଡିଅର ! ଆଇ...ଏମ୍‌...ଟାୟାର୍ଡ଼...ପ୍ଲିଜ୍‌... (ଅନୁନୟ କରି) ଯୁବକର ବିଛଣାରେ ଲେଉଟି ପଡ଼ିଲେ–

 

(ତା ପରେ ଗୋଟିଏ କାର୍ଡ଼ବୋର୍ଡ଼ ଯୁବକର ଦେହରୁ ଉଠାଇ ଆଣି ପଢ଼ିବାକୁ ଲାଗିଲେ-। ଯୁବକ ମୋହନ ରାୟ ଚଉଧୁରୀ ବି–ଏ, ଏଲ:ଏଲ:, ବି ଆତ୍ମହତ୍ୟା କରିଛନ୍ତି । ଆଉ ଏଇ ଆତ୍ମହତ୍ୟାରେ ତାଙ୍କର ସ୍ତ୍ରୀ କେବଳ ଦାୟୀ ।)

 

କିରନ୍‌–କ...ଅ..ଣ ? ଆତ୍ମହତ୍ୟା...ସୁଇସାଇଡ଼୍ ? ସୁଇସାଇଡ଼୍ ତ କଲ, କିଏ ମନା କରୁଥିଲା ଏଇ ସୁଇସାଇଡ଼୍ କରିବାକୁ...କିନ୍ତୁ ମୋତେ ଦାୟୀ କଲ କାହିଁକି...(କାନ୍ଦି) ମୁଁ ଜାଣେ, ତୁମେ ଓକିଲ (ଖଟରେ ବସିପଡ଼ି ଓଢ଼ଣା ଟାଣି) ତୁମେ ପରୋପକାରୀ, ତୁମେ ମରି ଅନ୍ତତଃ ଗୋଟିଏ ଓକିଲକୁ ଏନ୍‌ଗେଜ୍‌ କରିଗଲ ସିନା । ଏଁ...ମୁଁ ଆସାମୀ ? କିନ୍ତୁ ମୋର କଳ୍ପନା ସବୁର ପଥରୁଦ୍ଧ କରିଗଲ ଯେ–ମୁଁ ଚାହୁଁଥିଲି–ତୁମକୁ ଛାଡ଼ପତ୍ର ଦେଇ ହିନ୍ଦୁ ଛାଡ଼ପତ୍ର ଆଇନର ପ୍ରଥମ ଉଦ୍‌ଘାଟନ ରୂପେ କୁମୁଦଶ୍ରୀ ଉପାଧି ଲାଭ ଥାଆନ୍ତି । କିନ୍ତୁ ତୁମେ ବଡ଼ ନିଷ୍ଠୁର ! ସେ ସୁଯୋଗରୁ ମୋତେ ବଞ୍ଚିତ କଲ । କିନ୍ତୁ ମୋର ଭବିଷ୍ୟତ ? ଯେତେବେଳେ ସମାଜ ଜାଣିବ ତୁମର ଏଇ ଆତ୍ମହତ୍ୟାରେ ମୋର ହାତ ରହିଛି, ଆଉ କେହି ମୋର ପ୍ରଣୟ–ପ୍ରାର୍ଥୀ ହେବେ ନାହିଁ । ନା–ନା–ଏ ଅସମ୍ଭବ ! ହେ ପ୍ରିୟ, ହେ ଓକିଲ ବିବାହର ପୂର୍ବ ମିଳନ ତିଥିମାନଙ୍କରେ ତୁମେ ନିଦାଘ ଗ୍ରୀଷ୍ମ ବସନ୍ତ ବୋଲି ବର୍ଣ୍ଣନା କରିଛ । ଅମାବାସ୍ୟା ଅମାରେ ଜୋଛନାର ଶ୍ରୀ ଦେଖିଛ । ହେ ଓକିଲ, ମିଥ୍ୟାର ଆଶ୍ରୟରେ ନିଜର ଗାର୍ହସ୍ଥ୍ୟ ତରୀ ଭସାଇ ଦେଇଛ । ତେଣୁ ହେ ମିଷ୍ଟର, ହେ ବନ୍ଧୁ, ଏଇ ଆତ୍ମହତ୍ୟା କେବଳ ଆତ୍ମହତ୍ୟାର ପ୍ରସ୍ତୁତି ରୂପେ ପରିଗଣିତ ହେଉ... । (ଯୁବକର ଦେହ ଛୁଇଁ) ତୁମେ ମରିନାହଁ । ତୁମର ଦେହରେ ଏ ଯାଏ ଉତ୍ତାପ ରହିଛି । ତା ହେଲେ ତୁମେ ପୋଟାସିୟମ ଖାଇନ...କଅଣ ଖାଇଛ ତୁମେ ? ଡାକ୍ତର ! ...ଡାକ୍ତର ! ...ନା ଥାଉ । ସେ ମୋର ଏଇ ମକଦ୍ଦମାରେ ସାକ୍ଷ୍ୟରୂପେ ଛିଡ଼ା ହେବେ ପୁଣି । (ବୀର ଦର୍ପରେ) ତୁମେ ଆତ୍ମହତ୍ୟା କରିନ ! ତୁମକୁ ଚନ୍ଦ୍ରବାଡ଼ୀ ହୋଇଥିଲା, ତୁମେ ମରିଗଲ । ନା, ନା, ତୁମେ ମରି ନ, ତୁମେ ବଞ୍ଚିଛ । ତୁମେ କେତେ ଦୋଷୀକୁ ନିର୍ଦୋଷ ବୋଲି ପ୍ରମାଣ କରାଇଛ, ଅନ୍ତତଃ ପକ୍ଷେ ଏଇ ଥରକପାଇଁ ଏଇ ମୃତକୁ ଜୀବିତ ବୋଲି ପ୍ରମାଣ କରାଅ.... । (ଯୁବକ ଉଠି ବସିଲେ) ।

 

ଯୁବକ–ବେଶ୍‌ ମୁଁ ପ୍ରମାଣ କଲି । ମୁଁ ଜୀବିତ କିନ୍ତୁ ତୁମେ ମୋତେ ମରିବାକୁ ବି ଦେବନାହିଁ ?

 

କିରନ୍‌–ମୁଁ ଏ ଯୁଗରେ ସାବିତ୍ରୀ...ଆଉ ତାର ପ୍ରମାଣ ତୁମେ ।

 

ଯୁବକ–କିନ୍ତୁ ଏଥର ମୁଁ ନିଶ୍ଚୟ ମରିବି । ତୁମେ ମୋତେ ଛାଡ଼ପତ୍ର ଦେଲେ, କେଉଁ ଓକିଲକୁ ଆଉ ଥରେ ବାହାହେବ ?

 

କିରନ୍‌–ମୁଁ କିନ୍ତୁ...ଅବଶ୍ୟ ଦୟାପୂର୍ବକ ତୁମକୁ ଛାଡ଼ପତ୍ର ଦେବିନାହିଁ । ଏଇ ନିଅ ଛାଡ଼ପତ୍ର ଦେବା ନୋଟିସ୍‌ । ତମ ଆଗରେ ଛିଣ୍ଡାଇ ପକାଇଲି (କାଗଜ ଖଣ୍ଡେ ନିଜ ବ୍ଲାଉଜ ଭିତରୁ ଆଣି ଛିଣ୍ଡାଇ ପକାଇଲେ) । ସୁଜାତା, ସୁଷମା, ସ୍ୱପ୍ନା, ପ୍ରିୟା ସମସ୍ତେ ତ ନୋଟିସ୍‌ ଦେଇଛନ୍ତି କିନ୍ତୁ ପୋଷ୍ଟ ଅଫିସର ଗଲତିପାଇଁ ସେମାନଙ୍କର ସ୍ୱାମୀ ଏଯାଏ ନୋଟିସ ପାଇ ନାହାନ୍ତି । ପୋଷ୍ଟ ଅଫିସର ଭୁଲ୍‌ ନା ପ୍ରେରକର ଭୁଲ୍‌, କିଏ ଜାଣେ ? ଏହା ଠିକ୍‌ ମନ୍ତ୍ରୀମାନଙ୍କର ଇସ୍ତଫା ପତ୍ର ଦାଖଲ କଲାପରି ହେଉଛି । ଉତ୍କଳଟା ସେଇଆ । ମନକଥା ପୋଷ୍ଟଅଫିସ ଠିକ୍‌ ବୁଝେ...

ଯୁବକ–ତାହାହେଲେ ତୁମେ ଇସ୍ତଫା ଦେଉ ନ ?

କିରନ୍‌–ଉ...ହୁଁ...

ଯୁବକ–ସମସ୍ତଙ୍କ ଆଗରେ କହିବ ଯେ ମୋର ବେଶ୍‌ ଇନ୍‌କମ୍‌ ହେଉଛି ।

କିରନ୍‌–ହୁଁ... ଉଁ... ଉଁ... ଉଁ ।

ଯୁବକ–ତୁମ ଘରକୁ ଚିଠି ଲେଖିବ ଯେ ଆମେ ଏଇ ଆସନ୍ତା ଗ୍ରୀଷ୍ମରେ କାଶ୍ମୀର ଯାଉଛୁଁ ।

କରିନ୍‌–ହଁ

ଯୁବକ–ହୀରାକୁଦର ବନ୍ଧ ନିକଟରେ ଆମେ ଗୋଟିଏ ଘର ତୋଳୁଛୁଁ ବୋଲି ସମସ୍ତଙ୍କ ଆଗେ କହିବ ?

କିରନ୍‌–ହଁ...ଆଉ କହିବି ଆମେ ଗୋଟିଏ ଲେଣ୍ଡମାଷ୍ଟର ହିନ୍ଦୁସ୍ଥାନ ଫୋର୍ଟିନକାର କିଣୁଛୁଁ । ଏଥର ଗୋଟାଏ ଖାନସମା ରଖିବୁ... କିନ୍ତୁ ତୁମେ ଆତ୍ମହତ୍ୟା କରିବିନି ତ ?

ଯୁବକ–ତୁମେ ଯଦି ଛାଡ଼ପତ୍ର ନ ଦିଅ...

କିରନ୍‌–ଉଁ ହୁଁ (ଯୁବକର ଛାତିରେ ମୁଣ୍ଡ ରଖିଲେ) ।

ଯୁବକ–କିରନ୍‌... ପର୍ଦାଟା ପକାଇ ଦିଅ ।

(କିରନ୍‌ ନିଜେ ମଞ୍ଚର ପର୍ଦାଟାକୁ ଟାଣିଦେଲେ ହୁଏତ ଏଯାଏ ଦର୍ଶକ ମଣ୍ଡଳୀ ହସୁଛନ୍ତି)

✾✾✾

 

କ’ଣ ବୋଲି ଡାକିବି ?

 

ଆଚ୍ଛା ଜଣ ବୋଲି ଡାକିବି ? ନାମ ଧରି ଡାକିଲେ, ସେ କହନ୍ତି ‘‘ମୁଁ ଦିନୁଦିନୁ କଣ ପିଲା ହେଉଛି ! ଚାକର–ବାକରଙ୍କୁ ନାମଧରି ଡାକିବା ଶୋଭାପାଏ । ମୁଁ କଣ ତୁମ ଘର ଚାକର ?’’

 

ଉହୁଁ ମୋ ସ୍ତ୍ରୀ ମୋର ଚାକର କି ? ସକାଳୁ ପାଣି ଲୋଟାଏ ଦାନ୍ତ କାଠିଟିଏ ଦେବାଠୁଁ ଆରମ୍ଭ କରି ରାତିର ଶେଷ ପାନ ଖଣ୍ଡିକ ଦେବା ପର୍ଯ୍ୟନ୍ତ ସିଏ ଯାହା କରନ୍ତି, ମୋ ବାହା ପୂର୍ବରୁ ଆମ ଦାମା ଚାକର ସେଇଆ କରୁଥିଲା ।

 

ଦାମା ପଇସା ନେଉଥିଲା !

 

‘ପ୍ରିୟା’ ବୋଲି ଡାକିବି ?

 

ବାହାହେବା ଆଗରୁ ସେ ଥିଲେ ପ୍ରିୟା । ବର୍ତ୍ତମାନ ସ୍ୱକୀୟା, ପର ଆଖିରେ ପରକୀୟା-

 

‘ସ୍ୱକୀୟା’ ବୋଲି ଡାକିବି ? ଛିଏ ନାମଟା ସେ ଯୁଗୀୟ । ଆଜି ତା ଉପରେ ଧୂଳି ଜମିଗଲାଣି ।

 

‘ଅନ୍ନପୂର୍ଣ୍ଣା’ ବୋଲି ଡାକିବି ? କାରଣ ସେ ଆମ ଘର ଚାଉଳ ଖାଇ ଶାରୀରିକ ପୂର୍ଣ୍ଣତାପ୍ରାପ୍ତ ହୋଇଛନ୍ତି । କିନ୍ତୁ ନାମଟା ବି ପୁରୁଣା ।

 

କହିଲ ଭଲ–କଣ ବୋଲି ଡାକିବି ?

 

‘‘ଏ’’ ବୋଲି ଡାକିବି ?

 

ଉହୁଁ, ନାଁଟା ବଡ଼ ନୀରସ !

 

‘‘ଶୁଭୁଛି’’ ବୋଲି ଡାକିବି ?

 

ମୋ ସ୍ତ୍ରୀ ତ କାଲା ନୁହନ୍ତି !

 

‘‘ହଇ ହୋ’’ ବୋଲି ଡାକିବି ?

 

ଉହୁଁ, ମନକୁ ପାଏନା !

 

‘‘ଟମାଟୋ–ଗାଲି’’ ‘‘ଏପେଲ–ଗାଲି’’ ବୋଲି ଡାକିବି ?

 

‘‘ରାତ୍‌କି ରାନୀ’’ ବୋଲି ଡାକିବି ?

 

‘‘ଦିନକେ ରାନ୍ଧୁଣୀ ?’’

 

‘‘ସନ୍ଧ୍ୟା ବାନ୍ଧବୀ ?’’

 

‘‘ସିନେମା ସହଚରୀ ?’’

 

‘‘ପାର୍କ ସହଗାତ୍ରୀ ?’’

 

‘‘ଦରିଆର ଧ୍ରୁବତାରା ?’’

 

‘‘ମଦର ଇଣ୍ଡିଆ ?’’

 

‘‘ଓକିଲର paying client ?’’

 

‘‘ଡାକ୍ତରର ଧନୀ ରୋଗୀ ?’’

 

‘‘ମହାଜନର ଟିପଚିହ୍ନ–ଦେନେବାଲା ଖାତକ ?’’

 

‘‘ଆମେରିକାର ଏଟମ୍‌ବମ୍‌ ?’’

 

‘‘ରୁଷିଆର କମ୍ୟୁନିଜିମ୍‌ ?’’

 

‘‘ଭାରତର ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ?’’

 

‘‘କ୍ୟୁମିଙ୍ଗ୍‌ଟାଙ୍ଗ୍‌ର ଚାଇନା ?’’

 

‘‘ଆମେରିକାର ପାକିସ୍ଥାନ ?’’

 

‘‘ପାକିସ୍ଥାନର କାଶ୍ମୀର ?’’

 

‘‘ଚୋରର ଅମାରାତ୍ରୀ ?’’

 

‘‘ମାଳତୀ ?’’

 

‘‘ଲେଡ଼ି ମାଉଣ୍ଟବେଟେନ୍‌ ?’’

 

‘‘ସୁରେୟା ?’’

 

‘‘ନରଗିସ୍‌ ?’’

 

‘‘ନୂତନ ?’’

 

‘‘ଅଧ୍ୟାପକର ପ୍ରିୟ ଛାତ୍ରୀ ?’’

 

‘‘ଡାକ୍ତରର ସୁଶ୍ରୀ ନର୍ସ ?’’

 

‘‘ରମାର ମା ?’’

 

‘‘ସାଧୁର ମା ?’’

 

‘‘ରଜନୀର ମା ?’’

 

‘‘ହରିର ମା ?’’

 

‘‘ଶମ୍ଭୁର ମାଉସୀ ?’’

 

’’ମୁରାରିର ପିଉସୀ ?’’

 

‘‘ନିରୂପାର ଖୁଡ଼ି ?’’

 

‘‘ଜରାର ଭଉଣୀ ?’’

 

ନା, କୌଣସି ନାମ ପସନ୍ଦ ହେବ ନାହିଁ । ବେଶ୍‌, ତେବେ ଟେବୁଲରେ ଚାମଚ ବଢ଼ାଇ ଖାଇଲାବେଳେ ‘‘ଠକ୍‌ ଠକ୍‌’’ କରି ଡାକିବି ? ସିନେମା ହଲ୍‌ରେ ‘‘ଏ’’ ବୋଲି ଡାକିବି, ଜନ ଗହଳିରେ ‘‘ରମାର ମା’’ ବୋଲି ଡାକିବି । ବସ୍‌ କିମ୍ୱା ଟ୍ରେନରେ ଯିବାବେଳେ ‘‘ବେଗେ ଆସ’’ ବୋଲି ଡାକିବି, ସଭା ସମିତିରେ ‘‘ଭଉଣୀ’’ ବୋଲି ଡାକିବି, ମାସିକ ଦରମା ଦେଲାବେଳେ ‘‘ହୋଇ ନିଅ’’ ବୋଲି ଡାକିବି, ଜ୍ୟୋତ୍ସ୍ନା ରାତିରେ (ଛୁଆମାନେ ଯଦି ଶୋଇ ପଡ଼ିଥାନ୍ତି) ‘‘ପ୍ରିୟା’’ ବୋଲି ଡାକିବି, ରୋଗ–ଶଯ୍ୟାରେ ମୁଣ୍ଡ ବଥାଉଥିଲେ ‘‘ଶାଳୀ’’ ବୋଲି ଡାକିବି ।

 

ସତେ ମ, କଣ ବୋଲି ଡାକିବି ? ଏ ଘରେ କିମିତି ରହିବ ? ଏ ଏକ ସମସ୍ୟା ନିଶ୍ଚୟ-!

✾✾✾

 

ଆଦର୍ଶ ଶିକ୍ଷକ

 

ବୋଇରାଣି ଗୁରାଡ଼ୁ ଗାଁର ପ୍ରଧାନ ଶିକ୍ଷକଙ୍କ ଭାରି ନାମ ଡାକ । ତାଙ୍କ ବେତର ପ୍ରଭାବରୁ କେତେ ଯେ ଗଧ ମଣିଷ ହୋଇଛନ୍ତି ସେ କଥା ତାଙ୍କ ପୋଥିପତର କହିବ, କିନ୍ତୁ ସିଏ ଯେଉଁ ଗଧକୁ ସେଇ ଗଧ । ସେଇ ପୁରୁଣା ଶିକ୍ଷକ ଅଛନ୍ତି । ଦାନ୍ତ ପଡ଼ିଗଲାଣି, ବାଳ ପାଚିଗଲାଣି କିନ୍ତୁ ସେ ଦିନର ଶିକ୍ଷକତା ବଦଳି ଗଲାଣି । ମନରେ ଭାବନ୍ତି କି କାଳ ହେଲା । ଚିନ୍ତା ନଥିଲା । ସେ ଯୁଗର ବାପେ ମାଷ୍ଟ୍ରଙ୍କୁ ସକାଳୁ ସଞ୍ଜରେ ଦିଥର ଦଣ୍ଡବତ ନ ହେଲେ ନ ହୁଏ । ମାଷ୍ଟ୍ରେ ସବଜାନ୍ତା, ଉଡ଼ିଲା ପକ୍ଷୀର ପର ଗଣି ଦେବେଟି ? ମାଷ୍ଟ୍ରଙ୍କ ବେତ ପ୍ରୟୋଗରେ କାର୍ପଣ୍ୟ ନଥିଲା, କିନ୍ତୁ ସେ କାଳ ପଖାଳକୁ ବାଘ ଖାଇଲା ଆଉ ଆଜିର ଏ ଯୁଗଧର୍ମକୁ ନିରେଖିଲେ ତାଙ୍କର ସବୁ ଗଲାଣି ଆଉ କିଛି ନାହିଁ ।

 

ସେଦିନ ସକାଳୁଆ ସକାଳୁଆ ଗୋପାଳିଆକୁ ପ୍ରଧାନ ଶିକ୍ଷକ ବେତରେ ଦୁଇ ତିନିଥର ଯେମିତି ବାଡ଼େଇ ଦେଇଛନ୍ତି ଗୋପାଳିଆ ପାଠପଢ଼ା ବହି ସିଲଟ ଧରି ପଦାକୁ ବାହାରି ଆସି କହିଲା–

 

‘‘ଏ ମାଡ଼ମରା ଛୋଡ଼ବେ ।’’

 

ସ୍କୁଲଘର ବନ୍ଦ କରୋ ।

 

ବୁଢ଼ା ମାଷ୍ଟ୍ରଙ୍କୁ ତଡ଼ ତଡ଼ ।

 

ବାକି ଛାତ୍ରମାନେ ତୁହା ଗାଇ ଚାଲିଛନ୍ତି ।

 

ବୁଢ଼ା ମାଷ୍ଟରେ ହସିଲେ ପୁଣି ବେତ ଧରି ବାହାରି ପଡ଼ିଲେ । ଗୋପାଳିଆ ବେତଟାକୁ ଛଡ଼ାଇ ଆଣିଲା । କିଏ ବୁଢ଼ାମାଷ୍ଟ୍ରଙ୍କ କଛା ଭିଡ଼ିଲା ତ କିଏ ପଇତା ଟାଣୁଛି । ମାଷ୍ଟ୍ରେଙ୍କ ଲୁଗା ଅସମ୍ଭାଳ ହେବାରୁ ବୁଢ଼ା ମାଷ୍ଟ୍ରେ ସ୍କୁଲ ଘରକୁ ଦ୍ରୁତ ପଳାୟନ କଲେ ।

 

ଗାଁ ସରପଞ୍ଚଙ୍କ ପୁତ୍ର ଗୋପାଳିଆ ହାତଯୋଡ଼ି ଗୋଟାଏ କ୍ଷୂଦ୍ର ଭାଷଣ ଦେଇ ଧର୍ମଘଟ ଆରମ୍ଭ କଲା । ପିଲେ ଜାଣିଲେ ଆଜି ସ୍କୁଲ ବନ୍ଦ ସେତିକିରେ ତାଙ୍କର ଆନନ୍ଦ ।

 

ସ୍କୁଲର ଯୁବକ ସେକେଣ୍ଡ ପଣ୍ଡିତେ ଗୋପାଳର ଏଇ ସତ୍‌ସାସହ ଦେଖି ତାକୁ ଧନ୍ୟବାଦଟାଏ ଦିଅନ୍ତି । ଗୋପାଳର ହୋମ ଟିଉଟର ପରା ଏଇ ସେକେଣ୍ଡ ପଣ୍ଡିତେ ।

 

ସେକେଣ୍ଡ ପଣ୍ଡିତେ ?

 

ଛାତ୍ର ଜୀବନରେ ରାଜନୀତି କରି ମାଇନର ଯାଏ ଉଠି ପାରିଲେ ନାହିଁ । ଶେଷରେ ଆଉ କିଛି ନପାଇ ଓଡ଼ିଶାର ମୂର୍ଖତା ଘୂଞ୍ଚାଇବା ପାଇଁ ପରା ଏ ମାଷ୍ଟରଗିରି କରୁଛନ୍ତି ନହେଲେ ତାଙ୍କ ପଦତଳେ କେତେ ଲୋଭନୀୟ ଚାକିରୀ ଆସି ଠୁଳ ହୋଇଛି କିନ୍ତୁ ଦେଶସେବା ଦୃଷ୍ଟିରୁ ଦେଶର ଅଜ୍ଞତା ଦୂର କରିବା ପାଇଁ ସେ ଶିକ୍ଷକ ପାଲଟି ଗଲେ । ଏକଥା ତାଙ୍କର ଗୁଣଗ୍ରାହୀ ଶିଶୁ ଶିକ୍ଷ୍ୟବୃନ୍ଦ କହନ୍ତି ।

 

ଗୋପାଳର ଏଇ ଧର୍ମଘଟ ଓ ବେତ ଛଡ଼ାଇ ନେବା କଥା ଯେତେବେଳେ ଗୋପାଳିଆ ବାପକୁ କୁହାଗଲା ଗୋପାଳିଆ ବାପ କହିଲେ, ‘‘ଦେଖବ ପଣ୍ଡିତେ, ମୋର ପୁଅ ନେତା ହେବ, ଚାଚା ନେହେରୁ ପରି ନେତାଟିଏ ହେବ, ତାକୁ ସେଇ ମନ୍ତ୍ରରେ ଦୀକ୍ଷିତ କରାନ୍ତୁ ।’’

 

ପ୍ରଧାନ ପଣ୍ଡିତର ଶୁଣି ‘ଥ’

 

ସେକେଣ୍ଡ ପଣ୍ଡିତେ ବସିଥିବା ଥାନରୁ ଡେଁଇପଡ଼ି କହିଲେ ‘‘ସାଧୁ ସାଧୁ ! ଆଜ୍ଞା ଅଛି ପରା ।

 

ତୁଳସୀ ଦୁଇପତ୍ରରୁ ବାସେ

ଆଉ

ରାଜନୈତିକ ସ୍କୁଲ ଛଡ଼ାରୁ ଜଣାପଡ଼େ ।’’

 

ହେଲେ ସେ କାହାପୁଅ ଆଜ୍ଞା ! କାହା କଳା ନେଇ ସେ ଜନ୍ମ, ସେ ଖୋଦ ଏଇ ଦଶଖଣ୍ଡ ଗ୍ରାମର ଜନ–ଗଣ–ମନ ଅଧିନାୟକଙ୍କ ପୁଅଟି–

 

ବୋଇଲରେ

 

‘‘ଯିସିକା ବାପ ଚଢ଼େ ଘୋଡ଼ା

ଉସକା ବେଟା ହାତୀ ମେ ଖଡ଼ା’’

 

କଥାଟା ସରପଞ୍ଚଙ୍କ ମନକୁ ଘେନାକଲା । ଟିକିଏ ମୁରୁକି ହସ ହସି କହିଲେ ‘‘ଶୁଣିନ ସେକେଣ୍ଡ ପଣ୍ଡିତେ, ମା’ ପରା ପଞ୍ଚାୟତ ସମିତିରେ ନାରୀ ଭାବରେ ନିର୍ବାଚିତ ହୋଇଛନ୍ତି ।’’

ହେ ହେ ମୁଁ ଜାଣିନି ପରା ସେ କଥା । ତାଙ୍କୁ ପରା ଅଭିନନ୍ଦନ ଦେବାପାଇଁ ଆମ ସ୍କୁଲ ତରଫରୁ ଆୟୋଜନ ହୋଇଛି । ଆମ ସ୍କୁଲରେ ଗୋଟିଏ ମହାସଭା ହେବ । ଆଉ ଆପଣ ହେବେ ସଭାପତି ।

ହେଡ଼ ପଣ୍ଡିତେ କହିଲେ, ସଭା, ଅଭିନନ୍ଦନ ମୁଁ ତ କିଛି.....

ସେକେଣ୍ଡ ପଣ୍ଡିତେ କହିଲେ, ‘‘ତମେ ଆଉ କେମିତି ଜାଣନ୍ତ ସାର, ମୋ ମୁଣ୍ଡରେ ସ୍କୁଲର ସମସ୍ତ ପରିଚଳନା ଭାର ରହିଛି ପରା ।’’

ହେଡ଼ ପଣ୍ଡିତେ ମୁଣ୍ଡ ନୁଆଇଁ ଆଣିଲେ ।

ସେକେଣ୍ଡ ପଣ୍ଡିତେ କହିଲେ ‘ବୁଝିଲେ ନା ସାର, ଏ ଯୁଗ କହୁଛି ସୁଛାତ୍ର ସୃଷ୍ଟି ନ କରି ସୁନେତା ସୃଷ୍ଟି କର, ଉତ୍କଳରେ ନେତୃତ୍ୱର ଅଭାବ ରହୁଛି । ମୁଁ ଦେଖୁଛି ଆହୁରି ଭବିଷ୍ୟତରେ ଆମର ଏଇ ଗୋପାଳିଆ ଉତ୍କଳର କାହିଁକି, ଭାରତରେ କାହିଁକି, ପୃଥିବୀର କାହିଁକି ସମଗ୍ର ସୌର ଜଗତର ନେତୃତ୍ୱ ନେବ । ଧର୍ମଘଟ ସାତଦିନ ଚାଲିଲା । ଆଉ ବି କିଛି ଦିନ ଚାଲି ଥାଆନ୍ତା କିନ୍ତୁ ଗ୍ରାମବାସୀ କରାଇଦେଲେ ନାହିଁ । ଦେଶର ଏହି ଭବିଷ୍ୟତ ନେତାଏ, ପିଜୁଳି ବଣରେ, କରମଙ୍ଗା ବଣରେ, ଆଖୁ କିଆରୀରେ ଏମିତି ଭାବରେ ସ୍କୁଲଛାଡ଼ି ଧର୍ମଘଟ ଆରମ୍ଭ କଲେ ଯେ ଗାଁ ବାସୀଏ ଏକଥା ସରପଞ୍ଚଙ୍କ କାନକୁ ନେଲେ ।

ପିଲାଏ ସକାଳୁ ପ୍ରଭାତ ଫେରି କରି ଯେଉଁ ଘରୁ ବାହାରନ୍ତି ସେତିକି ବେଳଠୁଁ ଗଲା ସନ୍ଧ୍ୟାଯାଏ କେଉଁ ବାପୁଡ଼ାର ଜିଭରେ ହାଡ଼ ଅଛି ଯେ ଶଳା ଘର ବଗିଚାକୁ ନିଶୂନ କରିଯାଏ । ଯେଉଁଠି ପ୍ରତ୍ୟକ୍ଷ ଉଚ୍ଚବାଚ ହୁଏ ପିଲାଏ ଗାନ୍ଧୀ ମହାତ୍ମା କି ଜୟ ବୋଲି ପଥର ଫୋପାଡ଼ନ୍ତି । ବେଳେ ବେଳେ ନିଜ ପୁଅ ବାପକୁ ପଥର ଫୋପାଡ଼ିବା ବି ଦେଖାଗଲା । ଗୋପାଳିଆ ଯେଉଁ ଦଳର ନେତା ତାଙ୍କୁ କିଏ କହି ପାରିବେ । ହେଲେ ମାତା ଦଳ ଖୁସୀ । ଦେଶ ନେତାଟିଏ ଅଇଲେ ତାଙ୍କୁ ଯେମିତି ପାଞ୍ଚ ଛ’ କୋଶ ଯାଏ ଚଲାଇ ଚଲାଇ ଦେଶ ନେତାଙ୍କ ସଭାର ଦେଖଣାହାରୀଙ୍କ ସଂଖ୍ୟା ବୃଦ୍ଧି କରି ଦିଆଯାଏ ସେତିକି ଅନ୍ତତଃ ତା ପୁଅ ନେତା ହେଲେ ନିଜକୁ ଚାଲିବାକୁ ପଡ଼ିବ ନାହିଁ । ପୁଅ ନିଜେ ଘରକୁ ଆସିବ । ଦିନେ ହଠାତ୍‌ ସେକେଣ୍ଡ ପଣ୍ଡିତେ ହସି କହିଲେ ‘‘ଆଜ୍ଞା ପିଲାଙ୍କ ଧର୍ମଘଟ ତ ସୁରୁଖୁରୁରେ ଚାଲିଲା ଏଥର ତାଙ୍କ ଦାବୀ ପୂରଣ କରିଦିଅନ୍ତୁ ।’’

ଦାବୀ ପୂରଣ ? ସରପଞ୍ଚ ଖବର କାଗଜରେ ଏଇ ଶବ୍ଦ କେତୋଟି ପଢ଼ି ଜାଣିଛନ୍ତି ଯିଏ ଦାବୀ ପୂରଣ କରେ ସିଏ ଏମିତି ସେମିତି ଲୋକ ନୁହେଁ । ସିଏ ହେଉଛି ପ୍ରଦାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ଭଳି ଜଣିଏ ଲୋକ, ଆଉ ଯେତେବେଳେ ଛାତ୍ରଙ୍କ ଦାବୀ ପୂରଣ କରିବାକୁ ଖୁଦ୍‍ ନିଜେ ଯାଉଛନ୍ତି ସେ ପ୍ରଧାନମନ୍ତ୍ରୀ ନ ହେଲେ ବି ନିଶ୍ଚୟ ଏକ ମୁଖ୍ୟମନ୍ତ୍ରୀ ଅଟନ୍ତି । ଛାତି ଫୁଲାଇ ସରପଞ୍ଚ କହିଲେ ‘‘ହାମେ ଦାବୀ ପୂରଣ କରିବୁ ।’’

 

ସନ୍ଧ୍ୟା ଛଅଟାରେ ସମାଧାନ ସଭା ଡକା ହେଲା । ସେକେଣ୍ଡ ପଣ୍ଡିତ ମହାଶୟ ଛାତ୍ରଙ୍କ ଦାବୀର ଗୋଟିଏ ଖସଡ଼ା ତିଆରି କରି ଗୋପାଳିଆ ହାତକୁ ବଢ଼ାଇ ଦେଇ କହିଲେ ସରପଞ୍ଚଙ୍କୁ ଦେବାକୁ ।

 

ଗୋପାଳିଆ ଡାକିଲା ‘‘ସରପଞ୍ଚ ଏ ସରପଞ୍ଚ, ଏ କାଗଜଟା ନେ ।’’

 

ଗୋପାଳିଆ କଣ ଜାଣେ ଯେ ତା ବାପ ଗୋଟାଏ ସରପଞ୍ଚ ।

 

ସରପଞ୍ଚ ହସିଲେ ।

 

ସରପଞ୍ଚ ହାତକୁ ଯେଉଁ ଦାଦୀପତ୍ର ଗଲା ତହିଁରେ ଲେଖାଥିଲା–

 

୧ । କଙ୍ଗୋରେ ଲସୁମ୍ୱାଙ୍କ ସରକାର ଗଠନ କରାଯାଉ ।

 

୨ । ଆଲଜେରିଆରେ ଫ୍ରାନ୍‌ସର ଦୌରାତ୍ମ୍ୟ ବନ୍ଦ କରାଯାଉ ।

 

୩ । ଲାଓସକୁ ଶୀଘ୍ର ୟୁ. ଏନ୍‌ ଓ ସୈନ୍ୟ ପଠାଯାଉ ।

 

୪ । ଷଢ଼ୈକଳା ଖରସୁଆଁକୁ ଶୀଘ୍ର ଓଡ଼ିଶା ସାଙ୍ଗରେ ମିଶାଯାଉ ।

 

୫ । ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଏ ସ୍କୁଲରୁ ତଡ଼ି ଦିଆଯାଉ ।

 

ଗୋପାଳ

ସଭାପତି ଛାତ୍ରସଂଘ

 

ଗୋପାଳିଆଙ୍କ ପିତୃଦେବ ପଞ୍ଚମ ଦାବୀ ଛଡ଼ା ଆଉ କୌଣସି ଦାବୀ କଥା ବୁଝିବା ତାଙ୍କ କ୍ଷମତା ବାହାରେ କିନ୍ତୁ ଅନନ୍ୟୋପାୟ ହୋଇ ଛାତ୍ର ସଂଘର ସମସ୍ତ ଦାବୀ ଗ୍ରହଣ କଲେ ।

 

ପ୍ରଧାନ ପଣ୍ଡିତେ ପୋଥିପତ୍ରରେ ଡୋର ବାନ୍ଧି ଲମ୍ୱା ଛୁଟିରେ ଚାଲିଗଲେ । ପରେ ଶୁଣିବାକୁ ମିଳିଲା ଗୋପାଳିଆଳୁ ସେକେଣ୍ଡ ପଣ୍ଡିତେ କହୁଥିଲେ, ‘‘ଗୋପାଳ, ତୁ ମୋ ଚାକିରୀ ଖଣ୍ଡକ ରଖିଲୁ ।’’

 

କଥା କଅଣ କି, ସେକେଣ୍ଡ ପଣ୍ଡିତଙ୍କ ଗାଁରେ ଚାଷ ଜମି । ନିଜେ ଚାଷ ପୂରା ଚାଷ, ଛତା ଯୋତା ଅଧା ଚାଷ । ତେଣୁ ବାଧ୍ୟ ହୋଇ ନିଜ ଚାଷ ଜମିର ପୂର୍ଣ୍ଣ ଦେଖାଦେଖି କରି ବେଳ ମିଳିଲେ ସ୍କୁଲ ଆସନ୍ତି । ତେଣୁ ସେ ତାଙ୍କ ମନ ଇଚ୍ଛା ସ୍କୁଲକୁ ଆସନ୍ତି ଓ ଯାଆନ୍ତି । କିନ୍ତୁ ହେଡ଼ ପଣ୍ଡିତେ ଏପରି ଅବହେଳାକୁ ସହ୍ୟ କରି ପାରନ୍ତି ନାହିଁ । ତେଣୁ ସେକେଣ୍ଡ ପଣ୍ଡିତଙ୍କ ବିରୁଦ୍ଧରେ ଉପରେ ହାକିମ ପାଖକୁ ଲେଖିଥିଲେ ।

 

କିନ୍ତୁ ଦୁଃଖର ବିଷୟ ହେଡ଼ ପଣ୍ଡିତେ ଆଗରୁ ଚାଲିଗଲେ । ସେକେଣ୍ଡ ପଣ୍ଡିତେ ଗାଁର ଆଦର୍ଶ ଶିକ୍ଷକ ହୋଇ ରହିଲେ ।

 

(ରବିବାର ତା ।୫।୨୬୧ କଳିଙ୍ଗରେ ପ୍ରକାଶିତ ।) ରେଲ ଗାଡ଼ିଟା ଅଟକି ଗଲା ।

✾✾✾

 

ମନ୍ତ୍ରୀତ୍ୱ ସଂକଟ

 

ରେଲଗାଡ଼ିଟା ଅଟକିଗଲା ।

 

ପ୍ରବେଶ କଲେ ଜଣେ ଯୌବନାନ୍ତ ଯୁବକ । ଆଖିରେ ଚଷମା, ହାତରେ ମୁଣିଟିଏ ନେଇ । ସର୍ବାଙ୍ଗ କରଗେଟେଡ଼ ସିଟ୍‌ ପରି ଖଦଡ଼ା; ରୁମାଲ ଠୁଁ ଆରମ୍ଭକରି ମଥାର ଟୋପୀ ଯାଏ । ଅଣ୍ଡର ଉଏର୍‌ର କଥା କହି ପାରୁନି କାରଣ ତାହା ହୋଲିଆଙ୍କ ଅଣ୍ଡର ଗ୍ରାଉଣ୍ଡ ପରି ସମସ୍ୟା ମୂଳକ । ଜଗତଜୀବନ ରାମଙ୍କୁ ପ୍ରକୃତରେ ଆରାମ ଦେବାଭଳି ରେଲଡ଼ବାରେ ସୂତ୍ୟାଗ୍ରେ ପରମିତ ସ୍ଥାନ ବି ନଥିଲା ଯେଉଁଠି ଏଇ ଖଦଡ଼ ପୁଙ୍ଗବଙ୍କୁ ସ୍ଥାନ ଦିଆ ଯାଇପାରେ । କିନ୍ତୁ ଲୋକେ କହନ୍ତି ଖଦଡ଼ିଆ ସ୍ଥାନର ଆଶାରେ ବସି ରହନ୍ତି ନାହିଁ । ସ୍ଥାନ ହିଁ ତାଙ୍କ ଆଶାରେ ବସିରହେ ।

 

ଆଖି ଦୁଇଟି ତାଙ୍କର ପଦ୍ମପଲାଶ ନୟନ । ହୁଏତ ନିଶା ଜାଗରଣ ଯୋଗୁଁ ହୋଇଥାଇ ପାରେ । କାରଣ ନୂତନ ରାଜଧାନୀରେ ନିଶାର୍ଦ୍ଧରେ ନିଶା ଯୋଗୁଁ ଟିକିଏ ଧରପଗଡ଼ ବି ହୋଇଥିଲା-

 

ସେ କହିଲେ ‘‘ମୁଁ ସବୁ ସମ୍ଭାଳି ପାରେଁ । କିନ୍ତୁ ନିଦ୍ରା ପାରେ ନାହିଁ । ଦୁଇଟି ରାତ୍ରି ମୁଁ ନିଦ୍ରାଦେବୀଙ୍କ ଅଙ୍କରୁ ସ୍ଥାନଚ୍ୟୁତ ହୋଇଛି । ସମସ୍ୟା ସଙ୍କଟ–ମୁଁ କି ଏକୁଟିଆ ଓଡ଼ିଶାର ଭାଗ୍ୟ ବିଧାତା ! ଜନତାର ହିତାଲାଗି ମୁଁ ଖାଲି କାହିଁକି ମୁଣ୍ଡ ବ୍ୟୟ କରିବି...’’ କଥାସବୁ କେବଳ ସ୍ୱାଗତ ।

 

କିନ୍ତୁ ବହୁଳ ଜନସମାଗମ ରେଲ ଡବାରେ କେତେଜଣ ସରକାରୀ ଭୃତ୍ୟ ବି ଥିଲେ । ସେମାନେ ବି ଢୁଳାଉଥିଲେ । ଆଗନ୍ତୁକଙ୍କର ଏହି ଦାୟିତ୍ୱମୂଳକ କଥା ଶୁଣି ସେମାନଙ୍କ ହୃତ୍‌ପିଣ୍ଡ ଦେହ ପିଣ୍ଡରୁ ଗମୋନଦ୍‌ଗତ ହେବାକୁ ଲାଗିଲା । ସମସ୍ତେ ଏକ ସ୍ୱରରେ କହି ଉଠିଲେ ‘‘ସମସ୍ୟା-। –ସଂକଟ ??’’

 

ଭଦ୍ରବ୍ୟକ୍ତି କହିଲେ ‘‘ହଁ–ସମସ୍ୟା–କାଲି ସନ୍ଧ୍ୟାରେ ବନ୍ଧୁ ମହାଲାଶ ଡକାଇ ଥିଲେ ନୂତନ ରାଜଧାନୀକୁ । ସେ ବର୍ତ୍ତମାନ ଦେଶର ମୁଖ୍ୟମନ୍ତ୍ରୀ । ସେ ଚାହାନ୍ତି ଗୋଟିଏ ସମାଧାନ । ମୁଁ ସଫା ମନା କରିଦେଲି । ମୋ ଦେଇ ହେବ ନାହିଁ । ଦୁଃସ୍ଥ ଉତ୍କଳର ଭାଗ ମୁଁ ନେଇ ପାରିବି ନାହିଁ । ଅନ୍ୟ କାହାରି ଶରଣାପନ୍ନ ହୁଅ । ଶାସକ ଦଳର ମୁଖ୍ୟ ହେବା ମୁଖ୍ୟର ପରିଚାୟକ । ମୁଁ ବାଧ୍ୟ ହେଲି ମୁଖ୍ୟ ହେବା ପାଇଁ ।’’

 

ସରକାରୀ ଭୃତ୍ୟଦଳ କହିଲେ ।

 

‘‘ଆପଣ କ୍ଳାନ୍ତ; ଚାହାନ୍ତି କି ଟିକିଏ ବିଶ୍ରାମ । ଆସନ୍ତୁ ବସନ୍ତୁ ।’’

 

ଭଦ୍ରବ୍ୟକ୍ତି କହିଲେ ‘‘ରାମ ରାମ ରାମରାଜ୍ୟର ଜଣେ ସେବକ ନିଜପାଇଁ ଆଉଜଣକ ଆରାମ ହରିବ–ନା, ନା, ମୁଁ ଜନତାର ପ୍ରତିନିଧି ଆପଣଙ୍କୁ ଆପଣଙ୍କ ନ୍ୟାଯ୍ୟ ଦାବୀରୁ ବଞ୍ଚିତ କରିବା ମୋର ଉଦ୍ଦେଶ୍ୟ ନୁହେଁ ।’’

 

ସରକାରୀ ଭୃତ୍ୟଦଳ କହିଲେ ‘‘ନା ନା ଆମେ ସହଯାତ୍ରୀ; ଭଗବାନ ନ କରନ୍ତୁ ଯଦି କୌଣସି ଅଘଟନ ଘଟେ ତେବେ ଆମ ସମସ୍ତଙ୍କୁ ଜଗଜ୍ଜୀବନ ଛାଡ଼ିବାକୁ ପଡ଼େ, ତେବେ ଆମେ ସମସ୍ତେ ଏକା ସାଥିରେ ମୃତ୍ୟୁ ଯାତ୍ରୀ ବି ହୋଇପାରୁଁ ।’’

 

ଭଦ୍ରବ୍ୟକ୍ତି କହିଲେ ‘‘ନା ନା, ଷ୍ଟେସନ ଉପସ୍ଥିତ । ହୁଏତ କୌଣସି ଦୁଃସ୍ଥ ବୃଦ୍ଧ ଜନତା ଯାତ୍ରୀ ଆସିପାରେ । ଆପଣଙ୍କ ସହାନୁଭୂତି ଓ ସ୍ଥାନ ଉଭୟଟା ତାଙ୍କୁ ଦାନ କରିବେ । ମୋର ଜନ୍ମ ଜନତାର କଷ୍ଟକୁ ନିଜର କଷ୍ଟ ବୋଲି ଗ୍ରହଣ କରିବା ସକାଶେ ।

 

ତଥାପି ସରକାରୀ ଭୃତ୍ୟ ଦଳ ତାଙ୍କୁ ସ୍ଥାନ କରିଦେଇ ଜଣେ ସମଗ୍ର ପଥଟି ଦଣ୍ଡାୟମାନ ହୋଇ ଯାତ୍ରା କରିବା ପାଇଁ ଉଚିତ ମନେ କଲେ ।

 

କାଲି ସନ୍ଧ୍ୟା ପାଞ୍ଚଟାରେ ଶ୍ରୀଯୁକ୍ତ ସୁଣ୍ଠାକାରୁ ନୂତନ ରାଜଧାନୀକୁ ଟିକିଏ ଉଷ୍ଣ ପାନୀୟ ପାଇଁ ଡାକିଥିଲେ । ମୁଁ ଯାଇଥିଲି । ସେ ପ୍ରସ୍ତାବ କଲେ, ଏହି ସଂକଟ ବେଳେ ଏହି ବିକଳ ପ୍ରଦେଶର କର୍ଣ୍ଣଧାର ରୂପେ ମୁଁ ଯିମିତି ଦଣ୍ଡାୟମାନ ହୁଏଁ । କିନ୍ତୁ ମୁଁ ଉତ୍ତର ଦେଲି, ଯେଉଁ ଖଣ୍ଡରୁ ମୁଁ ଆସିଛି ଅନ୍ତତଃ ସେହି ଲୋକମାନଙ୍କୁ ମୁହଁରୁ ମୋର ଭବିଷ୍ୟତ କର୍ମପନ୍ଥାର ଧାରା ତାଙ୍କୁ ପ୍ରଘଟ ନ କରି ମୁଁ କିଛି କହି ପାରିବ ନାହିଁ । ରାଜ୍ୟପାଳଙ୍କ ନିବେଦନ ଥିଲା ମୁଁ ଯଦି ନ ମଙ୍ଗେ, ତେବେ ସେ ସେହି ମୁହୂର୍ତ୍ତରେ ମୋତେ ବିକଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ମଧ୍ୟ କରାଇ ନେବାକୁ ପ୍ରସ୍ତୁତ । ଆଃ ମୁଁ ବଡ଼ କ୍ଳାନ୍ତ.... !’’

 

ସରକାରୀ ଭୃତ୍ୟ କହିଲେ–

 

‘‘ଆଜ୍ଞା ଟିକିଏ ଚା’ ?’’

 

‘‘ଚା ? ମୁଁ କେବେ ଛୁଏଁନା, ତଥାପି ତମର ଅନୁରୋଧରେ ମୁଁ ପିଇପାରେଁ, ଅବଶ୍ୟ ଯଦି ଆପଣ ମୋ ଚା’ର ଦାମ୍‌ ନିଅନ୍ତି ।’’

 

ଚା’ ପାନ ପରେ ଭଦ୍ରବ୍ୟକ୍ତିଟି ନିଜ ପକେଟରେ ହାତ ପୁରାଉଥିଲେ ରୁମାଲ ବାହାର କରି ମୁହିଁ ପୋଛିବା ପାଇଁ । କିନ୍ତୁ ସମସ୍ୱରରେ ବାହାରି ପଡ଼ିଲା, ‘‘ନା ନା ଥାଉ ଥାଉ ଟିକିଏ ଚା’ ପାଇଁ ଆପଣ ପଇସା ଦେବେ ।’’

 

ଭଦ୍ରବ୍ୟକ୍ତି ଘୁଙ୍ଘୁଡ଼ି ମାରୁଛନ୍ତି ।

 

ଅନ୍ୟ ଷ୍ଟେସନରେ–

 

ଭଦ୍ରବ୍ୟକ୍ତି କହିଲେ ‘‘ଆଜିକାଲିର ବିଚାର ବିଭାଗରେ ଭୀଷଣ ଅବିଚାର ହେଉଛି । ଅନେକ ନ୍ୟସ୍ତସ୍ୱାର୍ଥ ଭଦ୍ରବ୍ୟକ୍ତି ଆଜି ହିତାହିତ ଜ୍ଞାନ ଶୂନ୍ୟ । ଅନେକଙ୍କ ସିନିଅରିଟି ପାଇବା ଦାବୀକୁ ଦାବୀ ଦିଆଯାଉଛି । ମୁଁ ଏହାର ପ୍ରତିକାର ଚାହେଁ । ମୁଁ ନିଜେ ରଖିବି ପଲଟିକେଲ ଆଉ ସରଭିସେସ ଡିପାର୍ଟମେଣ୍ଟ ।’’

 

ଘନ ଅନ୍ଧକାରରେ ବିଦ୍ୟୁତ୍‌ର କ୍ଷୀଣ ରେଖା ।

 

ଜଣେ ସରକାରୀ ଭୃତ୍ୟ ହାତରେ ହାତ ରଗଡ଼ି (ଲାଞ୍ଜ ଥିଲେ ହଲାଇ ଥାଆନ୍ତେ) କହିଲେ, ‘‘ଆଜ୍ଞା ମୁଁ ବଡ଼ ଅବହେଳିତ ।’’

 

ଭଦ୍ରବ୍ୟକ୍ତି କହିଲେ, ‘‘ଆପଣଙ୍କ ନାମ... ?’’

 

‘‘ରାମ ସେବକ ।’’

 

‘‘ଆ ନାମଟା ମୋର ମନେ ରହିବି କି ନାହିଁ କେଜାଣି; ଆଚ୍ଛା ରହନ୍ତୁ ଲେଖିନିଏ....ହେଇ ତ ଠିକ୍‌ ମନେ ପଡ଼ିଗଲା ଶ୍ରୀମତୀ ସୁଣ୍ଠିକାରୁ ମୋ କଲମଟା କଅଣ ଗୋଟିଏ ଜରୁରୀ କାଗଜରେ ଦସ୍ତଖତ କରାଇବାକୁ ନେଇତ ଫେରାଇ ନାହାନ୍ତି । କଲମ ଅଛି ?’’

 

କଲମ ?

 

ତିନିଟା କଲମ ଆଗକୁ ବଢ଼ିଗଲା, ସବୁଥିରୁ ଯେଉଁଟା ଦାମୀ କଲମ ତାକୁ ନେଇ ଭଦ୍ରବ୍ୟକ୍ତିଟି ସରକାରୀ ଭୃତ୍ୟଙ୍କର ନାମଟା ଟିପିନେଲେ ଆଉ କଲମଟା ଭୁଲରେ ହେଉ (ସରକାରୀ ଭୃତ୍ୟଙ୍କ ମତରେ) ନିଜ ପକେଟରେ ଖୋସିଦେଇ ଖବର କାଗଜରେ ମନ ନିବିଷ୍ଟ କଲେ ।

 

ଗାଡ଼ି ଚାଲିଲା–

 

ତୀର ବେଗରେ ଗାଡ଼ି ଚାଲିଲା...

 

ରାତ୍ରିର ଘନ ଅନ୍ଧକାରରେ

 

ମିଳାଇଗଲା ଉତ୍କଳ ଭୂଖଣ୍ଡର କ୍ଷୁଦ୍ର ପଲ୍ଲୀ–ମହାନ ନଗର

ସକା ସମୀରଣ

 

ଆଲିଙ୍ଗନ କଲା ବାଷ୍ପୀୟ ଶକଟକୁ ।

ସକାଳ.......

 

‘‘ସୁପ୍ରଭାତ’’ ସରକାରୀ

ଭୃତ୍ୟଗଣ ଏକା ସ୍ୱରରେ କହି ଉଠିଲେ

କିନ୍ତୁ ଖଦଡ଼ିଆ ଭଦ୍ରବ୍ୟକ୍ତି

କେତେବେଳୁ ଉଠି କରି ଚାଲିଗଲେଣି ।

 

ସେ ନିଜେ ଖାଲି ଚାଲି ଯାଇଥିଲେ ସରକାରୀ ଭୃତ୍ୟଗଣ କିଛି ଭାବି ନଥାନ୍ତେ, କିନ୍ତୁ ସେ ଗଲାବେଳେ ସରକାରୀ ଭୃତ୍ୟଗଣଙ୍କର କିଛି ସୁଟକେଶ, ମନିବେଗ ଓ ହୋଲ୍‌ଡ଼ିଅର ସମସ୍ତ ନେଇ ଯାଇଛନ୍ତି ।

 

ଜଣେ କେବଳ କହିଲେ ‘‘ନେତା ଜେଲ ଭିତରୁ ବାହାରି ଆସିଲା ପରେ ଦାଗୀମାନଙ୍କ ବ୍ୟବହାର କରୁଛନ୍ତି...’’

 

ଜୟହିନ୍ଦ୍‌

 

(ଷଷ୍ଠ ବର୍ଷ ୩୪ଶ ସଂଖ୍ୟା, ନୂଆ ଦୁନିଆରେ ପ୍ରକାଶିତ ।)

✾✾✾

 

ମୁରାରିର ପ୍ରେମପତ୍ର

 

ଲେଖକ ଅତି ନିପୁଣ କାରିଗର ରୂପେ ଭାରତର ପ୍ରଧାନ ପ୍ରଧାନ ଛାୟାଚିତ୍ର ଗୁଡ଼ିକର ନାମ ସଙ୍ଗେ ସଙ୍ଗେ ଉତ୍କଳର କେତେଗୁଡ଼ିଏ ଲୋକପ୍ରିୟ ନାଟକର ନାମ ଯୋଗରେ ଏକ ଅଭୂତ ପ୍ରେମପତ୍ର ବାଢ଼ିଛନ୍ତି । ଏଭଳି ଅଭିନବ ହାସ୍ୟ ସୃଷ୍ଟି କରିବାରେ ଲେଖକ ସିଦ୍ଧ ହସ୍ତ ।

ଏହା ମଜାଗପ ନୁହେଁ–ଏକ ହାସ୍ୟ ଉଦ୍ଦୀପକ ନକ୍‌ସା ମାତ୍ରା ।

ସ୍ନେହର ‘‘ସ୍ୱୟଂସିଦ୍ଧା’’ !

ତୁମର ‘‘ବିରହକୀ ରାତ୍‌’’ କାଟୁଁ କାଟୁଁ ଦିନେ ହଠାତ୍‌ ମୋର ଜୀବନରେ ‘‘ସବେରା’’ ଆସି ପହଞ୍ଚିଲା । ତୁମର ଲଲାଟର ‘‘ସିନ୍ଦୂର’’ ମୋରି ଆଖି କୋଣେ ‘‘ଆଶୁଁ’’ ଜମାଇ ଆଣେ । ସତେ କଅଣ ‘‘କିସ୍‌ମତ’’ରେ ଏଇଆ ଥିଲା ! ତୁମର ଆଉ ମୋର ‘‘ମୋହବତ୍‌’’ ଏଇ ହେଲା ପ୍ରଥମ ‘‘ନଉକାଡ଼ୁ ବୀ’’ । ‘‘ବସନ୍ତ’’ ର ସମାଗମରେ ମୋର ପ୍ରାଣରେ ଯେ ନବୀନ ‘‘ଝୁଲା’’ ଆରମ୍ଭ ହୋଇଛି ତାହାର ‘‘ସମାଧି’’ ଯେ କେଉଁଠି ତାହା କିଏ କହି ପାରିବ ! ତୁମର ‘‘ବଫା’’ର ଚିହ୍ନ ସେଇ ‘‘କଙ୍ଗନ୍‌’’ ଦୁଇଟି ଏବେବି ମୋର କୋଟ୍‌ ପକେଟ୍‌ରେ ପଡ଼ିଛି । ‘‘ବରସାତ୍‌’’ ତ ବିତିଗଲା ତୁମର ୟାଦ୍‌ ଭୁଲୁଁ ଭୁଲୁଁ ତୁମର ‘‘ତସବୀର୍‌’’, ‘‘ଆଧିରାତ’’ରେ ଦେଖୁଁ ଦେଖୁଁ ଏଦିନ ପୁରା ଯେ କେମିତି ଯିବ ତାହା କିଏ ଜାଣେ ! ତୁମେ ମୋତେ ‘‘ବୁଜ୍‌ଦିଲ୍‌ ’’ଭାବୁଥିବ କିନ୍ତୁ ‘‘ପ୍ରିୟା’’, ତୁମର ପ୍ରଣୟ ଅଫିସରେ କ୍ୟୁ କରିଥିବା ମୁଁ ‘‘ପହେଲା ଆଦମୀ’’ । ଆମର ଏଇ ନୂତନ ‘‘ସଂସାର’’ରେ ତୁମେ ହିଁ ଜୀବନର ‘‘ନିଶାନ୍‌ ’’ । ତୁମେ ତୁମର ଯେଉଁ ପ୍ରଥମ ହସ ସେହି ଆଷାଢ଼ର ‘‘କାଲିଘଟା’’ରେ ଦେଇଥିଲ ତାହା ଏପର୍ଯ୍ୟନ୍ତ ମୋର ହୃଦୟରେ ‘‘ଅନମୋଲ୍‌ ରତନ୍‌ ’’ ହୋଇ ରହିଛି । ତୁମେ ଯେଉଁଦିନ ତୁମର ସେ ‘‘ମଧୁବୋଳା’’ ଅଧରଟି ‘‘ଖିଡ଼ିକି’’ ସେପଟରେ ପ୍ରଦର୍ଶନ କରିଥିଲ ସେଇଦିନ ତୁମର ‘‘ପ୍ୟାର କୀ ଜିତ୍‌’’ ହେଲା ବୋଲି ମନେହୁଏ । ସବୁବେଳେ ତୁମେ ମୋତେ ‘‘ପହିଲେ ଆପ୍‌’’ ବୋଲି କହି ତୁମର ସମସ୍ତ ଦାବୀ ମୋ’ ଉପରେ ନ୍ୟସ୍ତ କରିଥାଅ । ଭଗବାନ ଜାଣନ୍ତି ‘‘ବାସନ୍ତି’’ ତୁମର ‘‘ସହସ୍ର ଶଯ୍ୟାର ନାୟିକା’’ର କେଉଁ ନମ୍ୱରର ନାୟକ ମୁଁ । ତଥାପି ମୁଁ ତୁମକୁ ନିଜର ‘‘ବଡ଼ି ବହେନ୍‌’’ ବୋଲି ମନେ କରେ କାରଣ ମୁଁ ତୁମକୁ ‘‘ଔରତ୍‍’’ ଭଳି ନ ପାଇଲେ ବି ତୁମକୁ ‘‘My Sister’’ କରି ପାରିବି । ମୋର ‘‘ଅନ୍‌ମୋଲ ଘଡ଼ି’’ରେ ଯେତେବେଳେ ଦୁଇଟା ବାଜେ ସେତେବେଳେ ମୁଁ ତୁମର ‘‘ମହଲ’’ ଆଡ଼କୁ ଅନାଏ ବାଜେ ସେତେବେଳେ ‘‘ଶିଶ୍‌ ମହଲ’’ ସୁପ୍ତ; ତନ୍ଦ୍ରାମଗ୍ନ ‘‘ବାଓରେ ନୟନ୍‌ ’’ ପରି ପଡ଼ି ରହିଥିବା ଆକାଶର ‘‘ଚାନ୍ଦ’’ ଆଡ଼କୁ ଅନାଏ । ସେତେବେଳେ ମୁଁ ‘‘ମଶାଲ୍‌’’ ନେଇ ‘‘ଘର କି ଇଜତ୍‌’’ ରକ୍ଷାକରି ବାହାରେ । କିଏ ଜଣେ ଯେମିତି ମୋତେ କହେ ‘‘ଆଗେ ବଢ଼ୋ ।’’ ମନେଥିବ ତୁମ ସହିତ ମୋର ‘‘ଦୋ ବାତ୍‌’’ ହୋଇଥିଲା । ସେଇଦିନ ମୋର ପ୍ରାଣର ‘‘ହଲ୍‌ ଚଲ୍‌’’ ଏବେବି ସୁଦ୍ଧା ମୋ ଭିତରେ ଲହରୀ ଖେଳୁଛି । କେଜାଣେ ବାସନ୍ତି, ସେଇ ସ୍ମୃତି ଟିକକ ମୋର ପ୍ରାଣରେ ‘‘ପାତାଳ ଭୈରବ’’ ସାଜିଛି କାହିଁକି ? ତୁମେ କଣ ମୋର ‘‘କଳ୍ପନା’’ ? ଯଦି ସତେ ତୁମେ କଳ୍ପନା ହୁଅ ତେବେ କେଜାଣେ ମୁଁ ଦିନେ ‘‘ପରବତ୍‌ ପେ ଆପନା ଡେରା’’ ପକାଇ ‘‘ଯୋଗୀ’’ ସାଜିବି । ଭୟ ହୁଏ ତୁମେ କଅଣ ‘‘ଯୋଗୀନ୍‌’’ ହୋଇ ମୋର ପିଛା ଧରିବ ? ତୁମେ ମୋର ‘‘ମା–ବାପ୍‌’’ ଙ୍କୁ ଏତେ ଭୟ କର କାହିଁକି ? ସେମାନେ କଅଣ ଭାବୁଛ କାକଟ ପୁର ‘‘ମଙ୍ଗଳା’’ ଯେ ତୁମର ‘‘ଆଜାଦି’’ରେ ବାଧା ଦେବେ ? ତୁମେ ‘‘ସିକନ୍ଦର’’ ସାଜି ସେମାନଙ୍କୁ ସମୂଳେ ଧ୍ୱଂସ କରି ପାରିବ ? ମୋର ‘‘ଛୋଟାଭାଇ’’ ତୁମ ସାଥିରେ ଯେ ରଙ୍ଗରସ ଜମାଏ ସେ କିଛି ନୁହେଁ । ତାହା ପାଇଁବି ଗୋଟାଏ ‘‘ପାତ୍ରୀ’’ ଚାହିଁ । ବାସନ୍ତି, ମୋର ଜୀବନର ‘‘ନାଜନୀନ’’ ! ତୁମେ ମୋର ‘‘ଚରଣୋ କି ଦାସୀ’’ ମୁଁ ଆଜି କାଲି ‘‘ଗୃହସ୍ଥୀ’’ ସାଜିଛି । ମନେହୁଏ ତୁମେ ମୋର ହୃଦୟର ‘‘ଖୋଜାନା’’ ଚୋରି କରିବାକୁ ଆସିଥିଲ । ତୁମର ଆଖିର କଜଳ ଆଷାଢ଼ର ‘‘ବାଦଲ’’ ପରି ସୁଦୃଶ୍ୟ । ତୁମର ଚରଣ ତଳେ ମୋର ହୃଦୟକୁ ‘‘ବଳୀଦାନ’’ ଦେଲି; ଗ୍ରହଣ କରିବ । ବସନ୍ତର ‘‘ବାହାର’’ରେ ଯେଉଁ ‘‘ଚମକ’’ ସୃଷ୍ଟି ହୋଇଛି ତାହା ତୁମର ‘‘ବିରହ’’ରେ କୁହେଳିକା ବୋଲି ମୋର ମନେହୁଏ । ସତେ କଅଣ ତୁମେ ଆସିବ ? ତୁମର ଲପନ ଚାନ୍ଦ ପରି ‘‘ମେଘ ମୁକ୍ତ’’ ହୋଇ ରହିବ-? ମୋର ଉଆଁସ ଜୀବନରେ ‘‘ଜଳନ୍ତାଦୀପ’’ ପରି ଆଲୋକ କରିବ ? ମୁଁ ‘‘ବାଗଦାଦ୍‌’’ର ପଣ୍ୟ ବିକ୍ରେତା ମଜନୁ ପରି ତୁମର ପଥ ଚାହିଁଛି ‘‘ଲୈଲା’’ । ତୁମେ ମୋର ଜୀବନର ‘‘ବାଜୀ’’-। ତୁମେ ମୋର ଜୀବନର ‘‘ବାଜୀ’’-। ତୁମେ ମୋତେ ‘‘ଜାଦୁ’’ କରିଛ । ସତେ ରାଣୀ, ମନେ ହୁଏ ତୁମଠାରେ ମୁଁ ନିଚ୍ଛକ ‘‘ଅଲ୍‌ବେଲା’’ । ମୁଁ ତୁମର ପ୍ରେମ ପାଇଲେ ମନେହୁଏ ‘‘ସଞ୍ଜିବନୀ’’ ପାଇଛି-। ତୁମେ ହିଁ ମୋର ଶିବଶକ୍ତି, ଯାହାର ବଳରେ ମୁଁ କନ୍ଦର୍ପକୁ ଖତମ୍‌ କରି ପାରିବାକୁ ସକ୍ଷମ ହୋଇ ପାରିଛି ।

ତୁମର ଆଉ ମୋର ମିଳନ ‘‘ମାଣିକ ଯୋଡ଼ି’’ ପରି ସୁନ୍ଦର । ତୁମେ ହିଁ ମୋ ପ୍ରେମ ଘନ ସନ୍ଧ୍ୟାର ‘‘ତୋଫାନ’’ରେ ‘‘ଆଲୋକ’’ । ଆଜିକାଲି ଆଉ ମୁଁ ତରୁଣୀ ନୟନର ‘‘ଶୀକାରୀ’’ ନୁହେଁ । ମୁଁ ଆଜି ‘‘ମୂଲିଆ’’ । ‘‘ବନମାଳା’’ ଗୁନ୍ଥିବାରେ ବ୍ୟସ୍ତ । ତୁମେ ହିଁ ‘‘ସାଧବ ଝିଅ’’ ମୋର ପ୍ରେମତରୀକୁ ଚିଲିକାରେ ଛିଡ଼ା ହୋଇ ଡାକୁଛ ‘‘ଫେରିଆ–ଫେରିଆ’’ । ସତେ ବାସନ୍ତି ମୁଁ କଅଣ ତୁମର ପ୍ରେମ ଫାର୍ମର ‘‘ମେନେଜର’’ ? ତୁମର ପ୍ରେମ ରାଇଜରେ ମୋର କେବେ ଯେ ‘‘ଅଭିଷେକ’’ ହେବ ତାହା କେବଳ ‘‘ନର ଦେବତା’’ ଜାଣନ୍ତି । କହ ମୋର ଅଭିମାନିନୀ ‘‘ରାଧିକା’’, କେବେ ବୃନ୍ଦାବନରେ ଆମର ବଇଁଶୀ ବାଜିବ ଯାହାର ସ୍ୱନ ଶୁଣି ପଥଧାରର ‘‘ଚଷାଝିଅ’’ ନାଚି ଉଠିବ । ମୁଠେ ‘‘ଭାତ’’ ପାଇଁ ଯେଉଁ ପରିବାର ‘‘ଘରସଂସାର’’ ଚଳେନା ସେଇମାନଙ୍କର ‘‘ପରିଚୟ’’ ତୁମେ କଣ ପାଇଛ ? ସେଇମାନେ ହିଁ ଏଇ ଦୀନ ଦୁଆରେ ‘‘ବେନାମୀ ମୂଲିଆ’’ । ସେଇମାନଙ୍କୁ ଯେତେବେଳେ ଦେଖେଁ ସେମାନେ ରାସ୍ତାର କରେ କରେ ଗୀତ ଗାଇ ଗାଇ ପ୍ରିୟାର ଅଧରରେ ଚୁମ୍ୱନ ଆଙ୍କି ଆଙ୍କି ଯାଉଥାଆନ୍ତି ସେତେବେଳେ ମନେହୁଏ ସେମାନେ ‘‘ଭାତ’’ ଚିନ୍ତାକୁ ପଛରେ ପକାଇ ଆଗେଇ ଯାଉଛନ୍ତି ପ୍ରଣୟ ଦିଲ୍ଲୀ ଆଡ଼କୁ । ପ୍ରାଣର ‘‘ଲଳିତା’’, ତୁମେ କଅଣ ମୋତେ ବିଦ୍ୟାପତି ପରି ବରଣ କରି ପାରିବ ? ଆମର ବିବାହ କଅଣ ‘‘ସୀତା ବିବାହ’’ ପରି ନୁହେଁ ?

ପ୍ରେମସ୍ପଦା ତୁମର ଆଉ ମୋର ‘‘ପରିଚୟ’’ ଦିନକର ନୁହେଁ; ସେତ ଯୁଗ ଯୁଗ ଧରି । ଆମେ ସେଇ ‘‘ମହାପଥର ଯାତ୍ରୀ’’ । ଆମର ଏଇ ମରଣଶୀଳ ଜୀବନରେ ଯଦି ପୁନର୍ଜନ୍ମ ଥାଏ ତେବେ କିଏ ଜାଣେ ମୁଁ ଆରଜନ୍ମରେ କାହାର ପାଳିତ କୁକୁର ହୋଇ ଜନ୍ମ ହୋଇ ପାରେଁ । ଆଶାକରେଁ ତୁମେ ମୋର ଅନୁଗମନ କରିବ । ବାସନ୍ତି, ମୋର ମନ ଆଉ ମୋଠି ନାହିଁ । ତାହା ତୁମେ ‘‘ହରଣଚାଳ’’ କରିନେଇଛ । ତୁମର ପ୍ରେମ ଯଜ୍ଞରେ ମୁଁ ନିଜକୁ ‘‘ଆହୁତି’’ ଦେଇଛି ଜାଣେନା ତାହା ତୁମେ ଗ୍ରହଣ କରି ପାରିବ କି ନାହିଁ । ମୁଁ ତୁମର ଯୋଗ୍ୟ ତ ? ତୁମେ ‘‘ସପ୍ତ ଶଯ୍ୟା’’ର ନାୟିକା ହୁଅ ବା ‘‘ଶତ ଶଯ୍ୟାର ନାୟିକା’’ ହୁଅ ମୋର ତିଳେ ମାତ୍ର ଆପତ୍ତି ନାହିଁ । ତୁମେ ମୋତେ ଟିକିଏ ଆଉଁସି ଦିଅ । ମୁଁ ଲାଙ୍ଗୁଡ଼ ହଲାଇବି ।

କିନ୍ତୁ ତୁମେ ଯଦି ଚରଣେ ଠେଲି ଦିଅ ତାହାହେଲେ ମୁଁ ନିଶ୍ଚୟ ‘‘ଜହର’’ ଖାଇ ମରିବି ।

 

ତୁମର କୁଶଳକୁ ‘‘ଶ୍ରୀ ଜଗନ୍ନାଥ’’ ମାଲିକ ।

 

ପ୍ରାଣେଶ୍ୱରୀ ! ଆଜିର ଏଇ ନୂତନ ‘‘ହିନ୍ଦ୍‌’’ର ‘‘କେପିଟଲ୍‌’’ରେ ଯେତେ ନୂତନ ‘‘ପ୍ରଭାତ’’ ଦେଖା ଯାଉଛି ତାହାଠୁଁ କଅଣ ତୁମେ ଦୂରେ ରହିବ ? ‘‘ଅନ୍ନପୂର୍ଣ୍ଣା’’ କଅଣ ତୁମ ଆଉ ମୋର ମନବାଞ୍ଛା ପୂର୍ଣ୍ଣ କରିବେ ନାହିଁ ?

 

ଚିଠି ଦେବ ପେନ୍‌ସନ୍‌ ପ୍ରାପ୍ତ ରାଣୀ ମୋର ? ‘‘ଚୁମ୍ୱନ’’ ନେବ ।

 

ତୁମର ଅତି ଆଦରର

‘‘ଆଓୟାର’’ ‘‘ସାଜନ’’

ପୋ : ଅ:–‘‘ରୋଲ୍‌ସ–୨୯–୮’’, ଦିଦାର

ଜିଲା–ଚିତ୍ରପୁରୁ

✾✾✾

 

ସ୍ୱାଧୀନ ଭାରତ

 

ଭାରତ ସରକାର ଯେ କାହିଁକି ମୋତେ ଏତେବଡ଼ କାମଟିଏ ଦେଲେ କିଏ ଜାଣେ ? ସେଥର ଚାଇନାରୁ ଯେତେ ଯେତେ ମୁରବୀ ଲୋକ ସମସ୍ତେ ଆସିଥାନ୍ତି ଭାରତ ଭ୍ରମଣରେ । ଭାରତରେ ଅଗ୍ରଗତି ସେମାନେ ନିଜ ଆଖିରେ ଦେଖି, ବହି ନେଇଯିବେ ସୁଦୂର ଚାଇନାକୁ । ମୋତେ ଦ୍ୱିଭାଷୀ ହେବାକୁ ପଡ଼ିଥିଲା । ମୋର ବନ୍ଧୁ ହୋ–ଚୋ–ମିନ୍‌ । ମୁଁ ହେଲି ତାଙ୍କରି ଭାଷାରବାହାନ । ସେ କହିଲେ ‘‘ବନ୍ଧୁ ! ତୁମର ଠିକ୍‌ କରା ହୋଇଥିବା ପ୍ରୋଗ୍ରାମ ବିଷୟ ଟିକିଏ ପ୍ରାଞ୍ଜଳଭାବେ ମୁଁ ଜାଣିବାକୁ ଚାହେଁ, ତମେ ତ ମତେ ଟିକିଏ ସାହାଯ୍ୟ କରିବଟି ?’’

ମୁଁ କହିଲି ‘‘ଯେତେଦୂର ପାରେଁ ମୁଁ ଆପଣଙ୍କୁ ଠିକେ ଠିକେ ସବୁ ବତାଇଦେବି । କିଛି ଲୁଚାଇବି ନାହିଁ ।’’

ସେ କହିଲେ ‘‘ଆଚ୍ଛା କହିବଟି ଯେତେବେଳେ ଆମେ ବିମାନ ଉତ୍ତାରିବା ପଡ଼ିଆରେ ଛିଡ଼ା ହେଲୁଁ, ସେତେବେଳେ ତମର ଜନତା ଏକବାରେ ଆଗକୁ ମାଡ଼ି ଆସିଲେ, କେହିହେଲେ ଶୃଙ୍ଖଳା ମାନିଲେ ନାହିଁ । ଆମକୁ ଦଳି ମାଡ଼ି ଯିବାର ଭୟ ଦେଖାଇଲେ । ଅବଶ୍ୟ ସେମାନେ ପାଟି କରୁଥାଆନ୍ତି–ଚିନ୍‌ ହିନ୍ଦ୍‌ ଭାଇ ଭାଇ... !’’

ମୁଁ କହିଲି ‘‘ଆଜ୍ଞା, ଆମ ଭାରତ ହେଲା ପ୍ରଗତି ପନ୍ଥିର ଉପାସକ । ତେଣୁ କୌଣସି ଶୃଙ୍ଖଳାରେ ବାନ୍ଧି ହେବା ଏ ଜାତି ଜାଣେ ନାହିଁ । ଏ ଆଜି ଆଗଉଛି, ତେଣୁ ଗୋଟିଏ ଲାଇନରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଆପଣକୁ ଅପେକ୍ଷା କରିବା ଠୁଁ ଦଳି ମାଡ଼ି ଚକଟି ଦେଇ ସେ ଆଗକୁ ବଢ଼ି ଯିବାଟା ପସନ୍ଦ କରେ ।’’

 

ସେ କହିଲେ ‘‘କିନ୍ତୁ ପୋଲିସ ତ ବେଟନ, ଲୁହାବୁହା ଗ୍ୟାସ୍‌ ଓ ପିସ୍ତଲ୍‌ ଧରି ଶୃଙ୍ଖଳା ରକ୍ଷା କରିବାକୁ ବଡ଼ ତତ୍‌ପର ଥିଲା ପରି ଜଣା ପଡ଼ୁଥିଲା ।’’

 

ମୁଁ କହିଲି ‘‘ଆଜ୍ଞା, ପୋଲିସ ବୋଲି ଗୋଟିଏ ବିଭାଗ ଆମ ସରକାରଙ୍କର ଅଛି । ସେ କେତେ ରକମର ଅସ୍ତ୍ର ରଖିଛନ୍ତି ଶୃଙ୍ଖଳା ରକ୍ଷା କରିବାକୁ । ତାର ଏକ ନମୂନା ଆପଣଙ୍କୁ ଦେଖାଯାଉଥିଲା ମାତ୍ର ।

 

ସେ କହିଲେ ‘‘ନା ନା ତମେ ମିଛ କହୁଛ । ମୁଁ ଦେଖିଛି ତମ ପୋଲିସ ତା’ ଲାଠିରେ ଗୋଟାଏ ଲୋକ ମୁଣ୍ଡରେ ପାହାରେ ଦେଇଛି ।’’

 

ମୁଁ କହିଲି ‘‘ଏ କଥା ମୁଁ ମିଛ ବୋଲି କହୁନି । ଯଦି ସେ ମରିଥାଏ ସେ ହେଲା ମୃଦୁ ଲାଠି ସଂଚାଳନ । ଏଥିରେ କାହାରି କ୍ଷତି ହୁଏ ନାହିଁ–ଏହା ମୃଦୁ ଭର୍ତ୍ସନା । ମଧୁର ବନ୍ଧୁ ତାର ଭିଣୋଇକୁ ସମ୍ୱର୍ଦ୍ଧନା ଦେଲା ପରି ।’’

 

ସେ କହିଲେ ‘‘ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ଯଦି ଏକାଠି ସମବେତ ହୁଅନ୍ତି, ତେବେ ବି ଟିକିଏ ହେଲେ ପାଟି ତୁଣ୍ଡ ହୁଏନାହିଁ । କିନ୍ତୁ ଏଇଠି ଠିକ୍‌ ତାର ଓଲଟା ଯେ–?’’

 

ମୁଁ କହିଲି ‘‘ଭାରତ କେବେ ଯୁଦ୍ଧ କରିନାହିଁ କି କରିବ ନାହିଁ । କେବଳ ସିଏ ଗୋଟିଏ ଯୁଦ୍ଧକୁ ବାଦ୍‌ ଦେଇ ପାରିବ ନାହିଁ–ତାହା ହେଉଛି ଏଇ ଗଣତାନ୍ତ୍ରିକ ଯୁଗର ରକ୍ତହୀନ ଯୁଦ୍ଧ–ବାକ୍‌ ଯୁଦ୍ଧ । ଆଉ ଆମର ଏଇ ଗଣତନ୍ତ୍ର ରାଜ୍ୟର ପ୍ରତ୍ୟେକ ନାଗରିକ ହେଲେ ଗୋଟିଏ ଗୋଟିଏ ଗଣ ସମୁଦ୍ରର ଅଣୁ । ତେଣୁ ବାକ୍‌ ଚାଳନା କରିବାର ଅଭ୍ୟାସ ଏମାନେ ପ୍ରତ୍ୟେକ ସମୟରେ ଓ ପ୍ରତ୍ୟେକ ସ୍ଥାନରେ କରିଥାଆନ୍ତି । ଅବଶ୍ୟ ପଞ୍ଚବାର୍ଷିକ ଯୋଜନାରେ ଏହାର ସ୍ଥାନ କେଉଁଠି ମୁଁ କହି ପାରୁନାହିଁ । ତେବେ ଗୋଟିଏ କଥା କହିବି ‘ଆରାମ–ହାରାମ ହାଏ’ ନୀତିର ପ୍ରକୃତ ପରିପନ୍ଥି ଆମର ଏଇ ଜନତା ।’’

 

ସେ କହିଲେ ‘‘ଆଚ୍ଛା ତମର ଏଇ ଦେଶରେ ଦେଖିଲି ଲଙ୍ଗଳା ଦେହା ମଣିଷ । ଆଣ୍ଠୁ ତଳକୁ ଲୁଗା ପଡ଼େ ନାହିଁ । ହାତରେ ଗୋଟାଏ ଟିଣ ଡବା ବା ଗୋଟାଏ ଛିଣ୍ଡା ଥଳି । ଏଭଳି ଶୋଚନୀୟ ଅବସ୍ଥା ମୁଁ ତ କେଉଁଠି ଦେଖିନାହିଁ ? ଏମାନେ ନିଶ୍ଚୟ ଦରିଦ୍ର ।’’

 

ମୁଁ କହିଲି ‘‘ଆପଣ ଆମ ଗାନ୍ଧୀଙ୍କୁ ଜାଣିଥିବେ । ସେ ବାଁ ହାତରେ ଗୋଟିଏ ବାଡ଼ି ଧରିଥାନ୍ତି ଓ ଲୁଗା ପିନ୍ଧି ଥାଆନ୍ତି, ଯାହା ଆଣ୍ଠୁ ଆଗକୁ ଡିଏଁ ନାହିଁ । ତାହାହେଲେ ଆପଣ କଅଣ ଗାନ୍ଧୀଙ୍କୁ ଦରିଦ୍ର କହିବେ !’’

 

ସେ କହିଲେ ‘‘ନା ନା କେବେ ନୁହେଁ । ସେ ଜଣେ ସର୍ବସ୍ୱ ତ୍ୟାଗୀ ଦେଶ ସେବୀ ମହାତ୍ମା ।’’

 

ମୁଁ କହିଲି ‘‘ଗାନ୍ଧୀ ମହାତ୍ମାଙ୍କ ରାଜ୍ୟରେ ଆପଣ କିପରି ଲୋକ ଦେଖିବାକୁ ଚାହାନ୍ତି ? ଏଇ ଲଙ୍ଗଳା ମଣିଷମାନେ ହେଲେ ଆମ ଦେଶର ଗୌରବ । ମହାତ୍ମା ଗାନ୍ଧୀଙ୍କ ପ୍ରକୃତ ପଦାଙ୍କଅନୁସରଣକାରି । ହୁଏତ ଦିନେ ଏଇମାନଙ୍କ ଭିତରୁ କେହି ନୀତି ପ୍ରବର୍ତ୍ତକ ବାହାରିବେ ?’’

 

ବନ୍ଧୁ କହିଲେ ‘‘କିନ୍ତୁ ଏଇମାନଙ୍କ ଭିତରୁ ଜଣେ ମୁଣ୍ଡରେ ହାତ ଲଗାଇ, ତାର ଡାହାଣ ହାତରେ ଥିବା ଟିଣ ଡବାଟା ମୋ ଆଡ଼କୁ ବଢ଼ାଇ ଦେଇ; ପଇସା ପଇସା ବୋଲି କଅଣ ପାଟି କରୁଥିଲା ?’’

 

ମୁଁ କହିଲି ‘‘ସେ ହୁଏତ ତାର ବାମ ହାତ ମୁଣ୍ଡରେ ଲଗାଇବାରୁ ଅର୍ଥ ହେଲା ବୁଦ୍ଧି; ଆଉ ପଇସା ପଇସା ଯାହା କହୁଥାଏ, ତାହାର ଅର୍ଥ ହେଲା New Decimil Coinage । ଏଇ ଯେ ଆମେ ନୂତନ ଦଶମିକ ମୁଦ୍ରା ବାହର କରି ଚଳାଉଛୁ, ସେ ବିଷୟରେ ସେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଥିଲା ।’’

 

ସେ କହିଲେ ‘‘ଆଉ ସେ ଟିଣ ଡବାଟା ମୋ ଆଡ଼କୁ ବଢ଼ାଇବା ଅର୍ଥ ?’’

 

ମୁଁ କହିଲି ‘‘ତାର ଅର୍ଥ ହେଲା । ଆମେ ଏବେ ସ୍ୱାଧୀନ ହୋଇଛୁଁ–ତୁମର ଆମର ବନ୍ଧୁତା ସ୍ଥାପନ ହୋଇଛି । ଆମେ ଆପଣଙ୍କୁ ଗୌତମ ବୁଦ୍ଧ ଦେଇଛୁଁ । ଆପଣ ଆମକୁ ଚାଉଳ ଦିଅନ୍ତୁ ।’’

 

ସେ କହିଲେ ‘‘ଓ ଏଇ କଥା ? କିନ୍ତୁ ଆଶ୍ଚର୍ଯ୍ୟ ! ସେ ଗୋଟିଏ ସଙ୍କେତରେ ଏତେଟା କଥା କହିଗଲା–ସଂସ୍କୃତି, ରାଜନୀତି, ବୀର ପୂଜା ଓ International Trade?’’

 

ହୁଏତ ମୋର ବନ୍ଧୁ ଜଣକ ଏଇ ଭାରତ ଓ ଭାରତବାସୀଙ୍କୁ ନମସ୍କାର ଜଣାଇଥିବେ । ଭାରତର ଏହି ବୁଦ୍ଧି ପ୍ରାଚୁର୍ଯ୍ୟ ଯୋଗୁଁ ।

 

ମୋର ବନ୍ଧୁ ପଚାରିଲେ ‘‘ମୁଁ ରାସ୍ତାରେ ଦେଖିଛି ନାରୀଟିଏ । ତା କୋଡ଼ରେ ଛୁଆଟିଏ ଓ ହାତରେ ଟିଣ ଡବାଟିଏ । ମୋରି ଆଡ଼କୁ ସେଇ ଆଗ ଲୋକ ପରି ଟିଣ ଡବାଟା ବଢ଼ାଇ ଦେଲା-।’’

 

ମୁଁ କହିଲି ‘‘ସେଇ ନାରୀ ହେଲା ଭାରତ ମାତା, ଯେ କି ଏତେଦିନ ଦୀନା ଦୁସ୍ଥା ଥିଲା । ବ୍ରିଟିଶ ଶାସନ କଳର ତଳେ ପେଶି ହୋଇ ସେ ଆଜି ବାହାରିଛି । ସେଇ ଦୁସ୍ଥା, ଦୀନା ଭାରତ ମାତା ଆଜି ସ୍ୱାଧୀନା । ସେ ପରଦେଶୀ ଶାସନ ଶୃଙ୍ଖଳାରେ ବନ୍ଦିନୀ ନୁହେଁ । ମାନେ ସେଇଟା ଆମର ପ୍ରଚାର ବିଭାଗର କାରସାଦୀ । ଆପଣମାନଙ୍କ ଦେଶରେ ହୁଏତ ଏମିତି ଗୋଟିଏ ଛବି ଆଙ୍କି ଗାଏଁ ଗାଏଁ ପ୍ରଚାର କରାଇ ଥାଆନ୍ତେ କିନ୍ତୁ ଆମର ଏଇଠି ସବୁ Direct Methord । ଏଇ ନାରୀ–ହୁଏତ ଜଣେ ଗ୍ରାଜୁଏଟ ।’’

 

ବନ୍ଧୁ ଜଣକ ଜିଭ କାଢ଼ି କହିଲେ ‘‘ମୋତେ କ୍ଷମା କର ! ମୁଁ ଭାବୁଥିଲି ନାରୀଟା ନିରାଶ୍ରୟା । ଆଉ ତାର କୋଡ଼ର ଛୁଆଟି ଜାରଜ । ସରକାର ଏମାନଙ୍କ ପ୍ରତି ଉଦାସୀନ–।’’

 

ମୁଁ କହିଲି ‘‘ସେ ଛୁଆଟି ହେଲା ଶିଶୁ ସ୍ୱାଧୀନ ଭାରତ । ଆଉ ସେଇ ଶିଶୁ ସ୍ୱାଧୀନ ଭାରତର ଅଗ୍ରଗତି ପାଇଁ ଆପଣଙ୍କ ସାହଚର୍ଯ୍ୟ ଦରକାର ।’’

 

ହୁଏତ ମୋର ବନ୍ଧୁ ତାଙ୍କ ଡାଏରୀରେ ଡାଇରେକ୍‌ଟମେଥଡ଼ରେ ଦେଶବାସୀଙ୍କୁ ଦେଶପ୍ରେମ ଶିଖାଇବାର ଏଇ ନୂତନ ପନ୍ଥାଟି ଟିପି ନେଇଥିବେ, ତାଙ୍କ ଦେଶରେ ଚଳାଇବା ପାଇଁ-

 

ହୋ–ଚୋ–ମିନ୍‌ ପୁଣି ପଚାରିଲେ ‘‘ବନ୍ଧୁ, ତୁମେ ଯାହା କୁହ ନା କାହିଁକି, ତମ ଏ ଦେଶରେ ନାନାବିଧ ଭିକାରୀ ଅଛନ୍ତି ।’’

 

ମୁଁ କହିଲି ‘‘ଆପଣ ବୋଧହୁଏ କ୍ଷମା ଦେବେ । ଏ ଦେଶର ଗୁଣଗୁଡ଼ିକ ଦେଖି ନ ଆସି ଦୋଷ ସବୁ ଦେଖି ଆସିଛନ୍ତି । ଆମର ଏ ଦେଶ ଆଜି ସ୍ୱର୍ଗରୁ ବହୁତ ଅଳ୍ପ ଦୂରରେ । କହନ୍ତୁ ତ କେଉଁ ଭିକାରୀକୁ ଆପଣ ଦେଖିଲେ ।’’

 

ବନ୍ଧୁ କହିଲେ ‘‘ମୁଁ କାଲି ତମର ସଦର ରାସ୍ତାରେ ଘୂରି ବୁଲୁ ବୁଲୁ ଦେଖିଲି, ଜଣେ ଲୋକ ମାଙ୍କଡ଼ଟିଏ ରଜ୍ଜୁରେ ବାନ୍ଧିଛି, ଆଉ ତାକୁ ନଚାଉଛି, ପଇସା ମାଗୁଛି ।’’

 

ମୁଁ କହିଲି ‘‘ଆପଣ ଯାହା ଦେଖିଲେ ସେଥିରେ ଗୋଟାଏ କିଛି ଭୁଲ ରହିଗଲା ପରି ଜଣା ପଡ଼ୁଛି । ଆପଣ ଯାହା ଦେଖିଲେ ତାହା କେବଳ ଗୋଟାଏ ପ୍ରଚାର ମାତ୍ର । ଯେଉଁ ଲୋକଟି ମୁଣ୍ଡରେ ଠେକାଟିଏ ଭିଡ଼ି ମାଙ୍କଡ଼ ଧରିଥିଲା ସେ ଲୋକଟା ହେଲା ଜଣେ ପୁଞ୍ଜିପତି । ମାଙ୍କଡ଼ଟା ହେଲା ସାଧାରଣ ନାଗରିକ । ଏଥିରୁ ବୁଝିବାକୁ ହେବ ଯେ ପୁଞ୍ଜିପତିଙ୍କ ହାତରେ ଯଦି ସାଧାରଣ ନାଗରିକଙ୍କୁ ଶାସନ କରିବା ଭାର ଛାଡ଼ି ଦିଆଯାଏ, ତେବେ ସେ ଏମିତି ନଚାଇବ । ତେଣୁ ଏଇ ପୁଞ୍ଜିପତିଙ୍କ ହାତରୁ ସାବଧାନ ରହିବାକୁ ହେବ । ଆଉ ଲୋକମାନେ ଯେ ପଇସା ଦେଉଥିଲେ, ତାର ଅର୍ଥ ହେଲା Small Saving Schemeର ନମୁନା । ମାନେ ଦେଶ ବର୍ତ୍ତମାନ ନାଗରିକମାନଙ୍କଠାରୁ ପୁଞ୍ଜି ଛଡ଼ାଇ ନେବାକୁ ଚାହେଁ । ତାହା କେବଳ ଦେଶର ସମୂହ କଲ୍ୟାଣ ଓ ଅଗ୍ରଗତି ପାଇଁ, ଆମ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାର କୃତକାର୍ଯ୍ୟତା ପାଇଁ ।’’

 

ବନ୍ଧୁଟି ବଡ଼ ଲଜ୍ଜିତ ହେଲେ, ଆଉ କହିଲେ ‘‘ସୁନ୍ଦର ଉପାୟ ତ । ଆମର ଦେଶକୁ ଅନ୍ତତଃ ଏଇ ପ୍ରଚାରର ନମୂନାଟାକୁ ନେଇଗଲେ ହୁଅନ୍ତା ।’’

 

ମୁଁ କହିଲି ‘‘ଆପଣ ଆମ ବାଣିଜ୍ୟ ମନ୍ତ୍ରୀଙ୍କ ସହିତ ଏଇ ମାଙ୍କଡ଼ ରତ୍ପାନୀ ପାଇଁ ଆଲୋଚନା କରି ପାରନ୍ତି । ମୋର ଆଶା ସେ ଆପଣଙ୍କୁ ନିରାଶ କରିବେ ନାହିଁ । ଆମର ଏଇ ମାଙ୍କଡ଼ମାନଙ୍କୁ ଆମେ ଆମେରିକା ପଠାଉଛୁଁ, ସୋସେଲିଜମ ପ୍ରଚାର ପାଇଁ ।

 

ମୋର ଚିନ୍‌ ବନ୍ଧୁ ଜଣକ ବଡ଼ ଉତ୍ସାହିତ ହୋଇ ପଡ଼ିଲେ ।

 

ସେ ପୁଣି କହିଲେ ‘‘ରାସ୍ତାରେ ଦେଖିଛି ଛିଣ୍ଡା ମଇଳା କନାରେ ଅଙ୍ଗ ଆଚ୍ଛାଦନ କରିଥିବା ଶିଶୁମାନେ ମୋତେ ଘେରିଯାଇ ପଇସା ମାଗିଲେ । ହୁଏତ ସେମାନେ କହୁଥାନ୍ତି ସେମାନଙ୍କର ବାପ କି ମା’ ନାହିଁ, ଖାଇବା ପାଇଁ କିଛି ନାହିଁ, କି ରହିବା ପାଇଁ ଘର ନାହିଁ ।’’

 

ମୁଁ କହିଲି ‘‘ଏମାନେ ହେଲେ ଆମର ପାଇନିଓର ଫୋର୍ସ । ଏମାନେ ରାସ୍ତାରେ ଘୂରନ୍ତି ଓ ପଇସା ଅସୁଲ କରନ୍ତି, ଆଉ ସରକାରଙ୍କୁ ଦିଅନ୍ତି । ସରକାରଙ୍କ ବହୁମୁଖି ଯୋଜନାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରନ୍ତି । ସେମାନେ ଛିଣ୍ଡା ମଇଳା ଲୁଗା ପିନ୍ଧନ୍ତି, ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ । ଆଉ ସେମାନେ ଯେ କହୁଥିଲେ, ତାଙ୍କ ବାପ ନାହିଁ କି ମାଆ ନାହିଁ କି ଘର ନାହିଁ ତାର ଅର୍ଥ ହେଲା ବିଗତ ଯୁଦ୍ଧରେ ଏମିତି ଅନେକ ପିତୃ ମାତୃ ହୀନ ସନ୍ତାନ ଏଇ ଧରଣୀରେ ରହିଗଲେ । ସେମାନଙ୍କ ଘର ଭାଙ୍ଗିଗଲା, ତେଣୁ ସେମାନେ ଆପଣଙ୍କୁ କହୁଥିଲେ ବିଦେଶୀ ଆଉ ଦେଶୀ ଭିତରେ ଗୋଟିଏ ମିଳାମିଶା ସବୁଦିନ ପାଇଁ ଲାଗିଥାଉ । ଯାହାଦ୍ୱାରା କି କେବେ ଯୁଦ୍ଧ ନ ହେବ । ସେମାନଙ୍କ ବାପ ମା’ ନ ମରନ୍ତୁ କି ଘର ନ ଭାଙ୍ଗୁ । ଏହା ହେଲା ଶାନ୍ତି ପ୍ରଚାରର ଉତ୍ତମ ବ୍ୟବସ୍ଥା ।

 

ମୋର ବନ୍ଧୁଟି ସେଇ ପାଇନିଓର ଫୋର୍ସ ଉଦ୍ଦେଶ୍ୟରେ ନମସ୍କାର ଜଣାଇଲେ ଓ ତାଙ୍କର ଆଖି କୋଣରେ ଅଶ୍ରୁ ପୁଞ୍ଜିଭୂତ ହେବାକୁ ଲାଗିଲା ।

 

ସେ କହିଲେ ‘‘ଆଚ୍ଛା ବନ୍ଧୁ ! ମୁଁ ଦେଖିଛି ହୋଟେଲରେ ଛୋଟ ଛୋଟ ପିଲାମାନେ କପ୍‌ ପ୍ଲେଟ ଧୋଉଥାଆନ୍ତି ? ସେମାନେ କଅଣ ହୋଟେଲରେ ଚାକିରୀ କରନ୍ତି ?’’ ମୁଁ କହିଲି ‘‘ସେମାନେ ଯେ ଚାକିରୀ କରୁଛନ୍ତି, ତା କହିଲେ ସେମାନଙ୍କ ପ୍ରତି ଅସମ୍ମାନ ହେବ । ବରଂ ସେମାନେ ସେବା କରୁଛନ୍ତି କହିବା ଠିକ୍‌ ହେବ । କାରଣ ବର୍ତ୍ତମାନ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାର ପୂର୍ଣ୍ଣତା ପାଇଁ ମନୁଷ୍ୟ ଶକ୍ତିର ଦରକାର । ତେଣୁ ଯେତେକ ସୁସ୍ଥ ସବଳ ବ୍ୟକ୍ତି, ବର୍ତ୍ତମାନ Work frontରେ । ଆଉ ଏଇ ହୋଟେଲ ସବୁ ଚଳାଉଛନ୍ତି ଏଇ ଶିଶୁମାନେ । ଏମାନେ ପାଠ ପଢ଼ନ୍ତି ଓ ଅବସର ସମୟରେ ହୋଟେଲରେ କାମ କରନ୍ତି । ଏଇ ହୋଟେଲରେ କାମ କରିବାବେଳେ ଶିଳ୍ପୀ, କବି, ଲେଖକ, ରାଜନୈତିକ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଜ୍ଞାନର ପରିସର ବି ବୃଦ୍ଧି ହୁଏ ।’’

 

ବନ୍ଧୁ କହିଲେ ‘‘ବିଚିତ୍ର ଏ ଭାରତ ଭୂମି, ଆଉ ପ୍ରଶଂସନୀୟ ଏହାର ଅଗ୍ରଗତି । ଆଚ୍ଛା ବନ୍ଧୁ ! ସିନେମା ହଲରେ ଯେଉଁ ଶିଶୁମାନେ ଚିନାବାଦାମ ବିକନ୍ତି ଓ ବୁଟ୍‌ ପାଲିଶ କରନ୍ତି, ସେ ସବୁ କିଏ ?’’

 

ମୁଁ କହିଲି ‘‘ଆମର ନେହେରୁଙ୍କ ମତ ହେଲା ଆରାମ କରିବା ମାନେ ସମୟ ଅପବ୍ୟୟ କରିବା । ତେଣୁ ଛାତ୍ରମାନେ ଅବସର ସମୟରେ ଦୁଇ ପଇସା ରୋଜଗାର କରି ନିଜ ଜୀବନର ମାନଦଣ୍ଡ ବଢ଼ାନ୍ତି । କାରଣ ପଞ୍ଚବାର୍ଷିକ ଯୋଜନାରେ ପ୍ରାଇଭେଟ ଇନ୍‌କମର ବଡ଼ ଟାଣଟୁଣ ପଡ଼ିଛି କି ନା ।’’

 

ବନ୍ଧୁ କହିଲେ ‘‘ଆଚ୍ଛା ବନ୍ଧୁ ! ସେଦିନ ଦେଖିଲି, ଜଣେ ଲୋକ ରାସ୍ତାରେ ହାତରେ ଗୋଟାଏ ବଡ଼ ଛବି ଆଙ୍କି ଚକ୍‌ ଖଡ଼ି ସିଲେଟ ଧରି ବସିଥାଏ ।’’

 

ମୁଁ କହିଲି ‘‘ସେ ହୁଏତ ଗୋଟାଏ ପାମିଷ୍ଟ । ତାର ଲକ୍ଷ୍ୟ ଥିଲା ଯେ ଲୋକେ ଯାହା କରିବାର କଥା ନିଜ ହାତରେ କରନ୍ତୁ । ଠିକ୍‌ ଆପଣମାନେ ଯେମିତି ନିଜ ହାତରେ ବର୍ତ୍ତମାନ ସବୁ କରୁଛନ୍ତି । ନିଜ ହାତରେ ଲଙ୍ଗଳ ମୁଠା ଧରି ଯେ ଭୂମି ଚଷିବ, ସେଇ ଚଷୁଥିବା ଜମି ହେବ ତାହାରି-। ସେଇ ଲୋକଟା କହୁଥିଲା ଗୋଟାଏ ହାତରେ ପାଞ୍ଚୋଟି ଆଙ୍ଗୁଳିମାନେ ପଞ୍ଚବାର୍ଷିକ ଯୋଜନା-। ସେ ହାତ ଛବିରେ ଦେଖିଥିବେ ଅନେକଗୁଡ଼ିଏ ରେଖା ଥିଲା । ତାର ଅର୍ଥ ହେଲା କେନାଲ, ରେଳରାସ୍ତା, ମଟର ରାସ୍ତା ଯାହା ବନାଉଛୁଁ । ଲୋକଟା ସିଲେଟ ଆଉ ଚକ୍‌ ଖଡ଼ି ଧରିଥିଲା, ବୋଧହୁଏ ଲୋକଙ୍କୁ କହି ଥାଆନ୍ତା ଏଇ ଭାରତ ଭବିଷ୍ୟତରେ କେତେ ବର୍ଷ ପରେ ଆଉ କେତେ ଉନ୍ନତି କରିବ ।

 

ଲୋକଟି ଜଣେ Indian Information Bureauର କର୍ମଚାରୀ ।

✾✾✾

 

ମୁଁ କାହିଁକି ଫେଲ୍‌ ହେଲି

 

ବିଷୟଟିରେ କେବଳ ଗୋଟିଏ ଫେଲ୍‌ ହେବା ଛାତ୍ରର ଅଭିଭାବକ ନିକଟକୁ କେତେକ ଆଳ ବା ମିଥ୍ୟା କାରଣ ଦେଖାଇ ରସସୃଷ୍ଟି କରାଯାଇ ନାହିଁ । ଆମ ଦେଶର ଶିକ୍ଷାନୀତି, ଅନୁଷ୍ଠାନ ଓ ଆନୁଷ୍ଠାନିକ କ୍ରିୟା ମଧ୍ୟରେ ନାନା ଦୋଷ ଦୁର୍ବଳତାର କଟୁ ସମାଲୋଚନା କରାଯାଇଛି ମଧ୍ୟ ।

 

ଶେଖର ପଚାରିଲା, ‘‘ହଇରେ, ତୁ ତ ଫେଲ୍‌ ହେଲୁ, ତୋ ବାପାଙ୍କୁ କଅଣ ଉତ୍ତର ଦେବୁ ?’’

 

ମୁଁ କହିଲି, ‘‘ଏଇ ଦେଖ୍‌, ଗୋଟାଏ ଉତ୍ତର ଠିକ୍‌ ରଖିଛି ।’’ ଚିଠିଟା ଦେଖାଇ ଦେଲି ।

 

ପରମପୂଜାସ୍ପଦ, ଦୟାବତାର, ଭାଗ୍ୟବାଦୀ, ସ୍ନେହମୟ ପିତାଙ୍କ ଚରଣ ତଳେ ଏ ଦୀନ ପୁତ୍ରର ଲକ୍ଷ କୋଟି ନମସ୍କାର ପହଞ୍ଚେ–

 

ଲେଖିବାର କାରଣ ଏମନ୍ତ କି ଯେ ଅଧୀନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିନାହିଁ, ତେଣୁ ଅଧୀନ ଆପଣଙ୍କୁ କେଉଁ କାରଣରୁ ଫେଲ୍‌ ହେଲା, ତାହା ଜଣା କରୁଅଛି । ଆପଣ ହୁଏତ ମୋର ଫେଲ୍‌ ବିଷୟ ଭାବି ମୋ ଉପରେ ବିରକ୍ତ ହେଉଥିବେ । କିନ୍ତୁ ମୋର ଫେଲ୍‌ରେ ମୋର ତିଳେ ହେଲେ ଦୋଷ ନାହିଁ । ଆପଣ ଜଣେ ମେଟ୍ରିକୁଲେଟ୍‌–ତେଣୁ ବି.ଏ.ପାଠ କଥା ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବେ । ବି.ଏ.ରେ ଅର୍ଥନୀତି ପଢ଼ାଯାଏ–ଯେଉଁଠି ପୃଥିବୀର ଅର୍ଥ, ବୈଦେଶିକ ବାଣିଜ୍ୟ, ଜିନିଷର ଦାମ ନିୟନ୍ତ୍ରଣ, ସାଧାରଣ ଅର୍ଥ, ସେ କିମିତି ଆସେ ପୁଣି କିମିତି ଖର୍ଚ୍ଚ ହୁଏ ଇତ୍ୟାଦି ପଢ଼ାଯାଏ । ଆଜିକାଲିକାର ଅର୍ଥମନ୍ତ୍ରୀ ସୁଦ୍ଧା ଏ ବିଷୟ ବୁଝିବା କାଠିକର ପାଠ ହୋଇପଡ଼େ । ସେମାନଙ୍କୁ ଏତିକି ବୁଝିବା ପାଇଁ ପାଞ୍ଚ ବର୍ଷ ସମୟ ଲାଗେ ଏବଂ ଏତିକି ବୁଝିବା ପାଇଁ ସେମାନେ ଅର୍ଥ ପାଆନ୍ତି । ଆମଠୁଁ ବୟସରେ ଏତେ ବଡ଼ ହୋଇ ସୁଦ୍ଧା ପ୍ରତ୍ୟେକ ପ୍ରଦେଶରେ ଅର୍ଥ ନିଅଣ୍ଟ ହେଉଥାଏ । ତେଣୁ ମୋ ପରି ଅଳ୍ପ ବୟସ ଛାତ୍ର ପକ୍ଷରେ ଯେ ତାହା କଷ୍ଟକର, ଆପଣ ଅନୁମାନ କରୁଥିବେ ।

 

ତା’ପରେ ଆପଣ ମୋ ପାଖକୁ ଅତି ଅଳ୍ପ ଟଙ୍କା ପଠାନ୍ତି, ଯାହାଦ୍ୱାରା କି ମୋର ଗୁଜୁରାଣ ମେଣ୍ଟେନା । ତେଣୁ ପାଶ୍‌ କରିବାର କେତେକ ଆବଶ୍ୟକୀୟ କଥା ଊଣା ପଡ଼ିଯାଏ । ଧରନ୍ତୁ, ଆପଣଙ୍କ ସମୟରେ ଛାତ୍ର ଶିକ୍ଷକଙ୍କ ସମ୍ୱନ୍ଧ ଥିଲା ପିତା ପୁତ୍ରର; କିନ୍ତୁ ଏ ଯୁଗରେ ଶିକ୍ଷକ ବା ଅଧ୍ୟାପକ ହେଲେ ବନ୍ଧୁ । ସେମାନଙ୍କ ବନ୍ଧୁତ୍ୱ ରକ୍ଷା କରିବାକୁ ହେଲେ ଦରକାର ଅର୍ଥ ଓ କାୟିକ ସାହାଯ୍ୟ; ଯେମିତି ଅଧ୍ୟାପକ ନୂତନ ବିବାହ କରିଛନ୍ତି ତାଙ୍କ ପାଇଁ ଘର ଠିକ୍‌ କରିବା; ଦରଜୀ ଦୋକାନରେ ନିଜର ଜମାନତ୍‌ ଦେଇ ସୁଟ୍‌ ସିଲାଇ କରିବା, ଏହି କଣ୍ଟ୍ରୋଲ ଯୁଗରେ ଲୁଗା ପାରମିଟ୍‌, ଚିନି ପାରମିଟ୍‌ ଠିକ୍‌ କରିବା, ମାସର ଶେଷ ଆଡ଼କୁ ଟଙ୍କା ଉଧାର ଦେଇ ନ ମାଗିବା ବା ଚେତେଇ ନ ଦେବା, ସିଗାରେଟ ଚା’ ଦେବା, ମାନ୍ଦ୍ରାଜୀ ହୋଟେଲ, ବା ମଦନା ରସଗୋଲା ବା ଗୁଜୁରାଟୀ ଟି ଷ୍ଟଲରେ ବସିବା ଓ ଖାଇସାରି ଭଦ୍ରତା ଦେଖାଇବା ଇତ୍ୟାଦି ଗୋଟାଏ ଛାତ୍ରର ଉଚିତ କର୍ତ୍ତବ୍ୟ । ଏଥିରେ ଅବହେଳାର ଅର୍ଥ ଫେଲ୍‌ ହେବାର ପଥ ସୁଗମ କରିଦେବା ।

 

ଯେଉଁଠି ଅଧ୍ୟାପକ ଯୁବକ, ସେଇଠି ସ୍ୱାର୍ଥକୁ ବଳି ଦେବାକୁ ପଡ଼େ । ମନେ କରନ୍ତୁ, କ୍ଲାସରେ କୌଣସି ସୁଶ୍ରୀ ଛାତ୍ରୀ ପଠନ କରୁଛନ୍ତି । ସେଇଠି ଗୋଟାଏ ଛାତ୍ରର କର୍ତ୍ତବ୍ୟ ହେଉଛି ଉକ୍ତ କନ୍ୟାକୁ ଅଧ୍ୟାପକ ଦ୍ୱାରା ଭାବି ମାତୃବତ୍‌ ଚିନ୍ତା କରିବା । ଯଦି କେହି ଛାତ୍ର ସେପରି ନ କରେ, ତେବେ ଅଧ୍ୟାପକଙ୍କ ଲାଲ ଆଖି କହିବ–ଦେଖିବି, ତୁ କିମିତି ଡିଗ୍ରୀ ନେବୁ । ତେଣୁ ଉକ୍ତ କ୍ଲାସର ଛାତ୍ରଙ୍କୁ ଶ୍ରୀଖଣ୍ଡି ସମ ରହିବାକୁ ପଡ଼େ ।

 

ଆହୁରି ମଧ୍ୟ ଯେଉଁଠି ଅଧ୍ୟାପକ ପିତା, ସେଇଠି ଛାତ୍ରକୁ ପୁତ୍ର ବାହାନ ହେବାକୁ ପଡ଼େ କିମ୍ୱା ଉକ୍ତ ଅଧ୍ୟାପକ ପୁତ୍ର ପାଇଁ ଚକୋଲେଟ, ଲେବେନଚୁଶ, ଖେଳନା ଆଦି ଦେବାକୁ ହୁଏ ।

 

ବାପା, ଆପଣ ନିଜକୁ ଅତି ଗରିବ ଭାବନ୍ତି । ସେଇ ଗରିବ ପଣିଆ ମୋର ଫେଲ୍‌ର କାରଣ ହୋଇଛି । ତାହା ନ ହୋଇଥିଲେ ମୁଁ କୌଣସି ପ୍ରୌଢ଼ ଅଧ୍ୟାପକଙ୍କର କୁଦୃଶ୍ୟା କନ୍ୟାର ପରିଣୟପ୍ରାର୍ଥୀ ହୋଇପାରି ଥାନ୍ତି । ଜାମାତା ଛାତ୍ରର ଫେଲ୍‌ କଥା କି କେବେ କେଉଁ ଶ୍ୱଶୁର ଭାବେ-? ମୁଁ ତ ଖାଲି ପାଶ୍‌ କରି ନ ଥାନ୍ତି, ସମ୍ମାନ ସହକାର ପାଶ୍‌ ବି କରି ଥାଆନ୍ତି ।

 

ଆଉ ଗୋଟିଏ କଥା, ଯାହା ମୋତେ ବି ଅଡ଼ୁଆରେ ପକାଇଛି, ଆଉ ମୁଁ ଭାବେ ଯାହା ମୋ ଫେଲ୍‌ ହେବାର କାରଣ ହୋଇ ପଡ଼ିଛି; ଭାବି ଦେଖନ୍ତୁ ତ, କୌଣସି ଅଧ୍ୟାପକଙ୍କର ଗୋଟାଏ ଲାଇବ୍ରେରୀ କରିବାର ଇଚ୍ଛା ଅଛି । ଅଧ୍ୟାପକ ବିଚାରା ଭାବୁଛି ଖାତାଟାରେ ନମ୍ୱର ଦେଇ ଯେଉଁ ଅର୍ଥ ପାଇବ ଯାହାକି ପ୍ରତ୍ୟେକ ଅଧ୍ୟାପକଙ୍କ ଏକମାତ୍ର ଆଶାର ପ୍ରଦୀପ; କିନ୍ତୁ ଠିକ୍‌ ସେତିକିବେଳେ ଅଧ୍ୟାପକଙ୍କ ସ୍ତ୍ରୀ କହିଲେ ‘‘ଏ ଖାତାରେ ମାର୍କ ଦେଇ କେତେ ପାଇବ ?’’

 

‘‘ତିନିଶ ।’’

 

‘‘ମୋ ପାଇଁ ଗୋଟିଏ ହାର କରି ଦେବନି ? ନ ହେଲେ ମୁଁ ଓ ମୋର ଖଟ ଅଲଗା–’’ ପ୍ରକୃତରେ ଅଧ୍ୟାପକ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ବିରହ ମହାସାଗରରେ ପକାଇ ଚାଲିଗଲେ ଆଉ ଅଧ୍ୟାପକ ଅନ୍ୟ କିଛି ଉପାୟ ନ ଦେଖି ମୋରି ଖାତା ଓଲଟାଇବାକୁ ଲାଗିଲେ । କହିଲ ବାପା, ଏପରି ଅବସ୍ଥାରେ ଯଦି ଅଧ୍ୟାପକ ମୋର ଖାତା ଦେଖନ୍ତି ମୁଁ କଅଣ ପାଶ୍‌ କରି ପାରିବି ?

 

ବାପା, ତୁମେ କାହିଁକି ସିଣ୍ଡିକେଟ୍‌ ମେମ୍ୱର ହେଲ ନାହିଁ ? ତାହା ହୋଇଥିଲେ ମୁଁ ବି.ଏ. ପାଶ୍‌ ନ କରି ମଧ୍ୟ ଏଲାହାବାଦରେ ବି ଏମ. ଏ. ରେ ନାଁ ଲେଖାଇ ପାରି ଥାଆନ୍ତି ।

 

ତା ପରେ ବାପା ଏଇ କଲେଜ କିରାଣୀମାନେବି ମୋର ଫେଲ୍‌ ପାଇଁ ଦାୟୀ । ଆମ କଲେଜ କିରାଣୀ ଚିତ୍ରଗୁପ୍ତ ଦାନୀଙ୍କୁ ପଚାରିଲି ‘‘କିଏ କିଏ କେଉଁ କେଉଁ ଖାତା ପାଇଛନ୍ତି ?’’ ଚିତ୍ରଗୁପ୍ତ ଦାନୀ କହିଲେ ‘‘ବାବୁ ଦଶଟା ଟଙ୍କା ଦିଅ !’’ ତୁମ ମୁଣ୍ଡ ଉପରେ ହାତ ରଖି କହୁଛି ବାପା, କଲେଜ କିରାଣୀମାନେ ବି ପରିକ୍ଷକମାନଙ୍କ ନାମ କହନ୍ତି, ଯାହାଦ୍ୱାରା କି ପରୀକ୍ଷାରେ ଲାଭ ହୁଏ । କିନ୍ତୁ ତୁମ ଝାଳ ବୁହା ଧନ ଦଶଟି ଟଙ୍କା କିମିତି ଦିଅନ୍ତି କହିଲ ?

 

ତା’ପରେ ବିଶ୍ୱବିଦ୍ୟାଳୟର ଚପରାଶି ମୋ କପାଳକୁ ଦାଉ ସାଧିଲା । ମୁଁ ନେହୁରା ହୋଇ କହିଲି, ବାପରେ ଧନରେ ଖଣ୍ଡିଏ ସାଦା, ଅଲେଖା ଖାତା ଦେ ! କିନ୍ତୁ ହାୟ, ସେ ଶ୍ୱଶୁର–ପୁଅ ମୁହଁଟା ନେଫେଡ଼ି କହିଲା–‘‘ପାଞ୍ଚ ଟଙ୍କା ଦିଅ ବାବୁ ।’’

 

ଆପଣ ପଚାରିବେ, ସାଦା ପରୀକ୍ଷା ଖାତା କଅଣ କରିବୁ ? ଦେଖନ୍ତୁ ବାପା, ଅଧ୍ୟାପକ ବିମାନବାବୁଙ୍କ ଭାଇ ମୋ ସାଙ୍ଗ, ଯିଏ ଏଥର ବି.ଏ.ପାଶ୍‌ କଲା । ସେ ବି ଜଣେ ମୋପରି ଛାତ୍ର । ବିମାନବାବୁତ ଆମ ପରୀକ୍ଷକ ଥିଲେ । ମୋ ସାଙ୍ଗ ବିଶ୍ୱବିଦ୍ୟାଳୟରୁ ଖାତା ନେଇ ଘରେ ପରୀକ୍ଷା ଖାତାରେ ଗୁଞ୍ଜିଦେଲା । ମୁଁ କିନ୍ତୁ ସେଇଟା ପାରିଲି ନାହିଁ ।

 

ଆମ ପ୍ରଶ୍ନ ସବୁ ଏଥର ଲାହୋରରେ ଛପା ହେଲା । ମୁଁ ଲାହୋରକୁ ଯାଇ ପ୍ରଶ୍ନ ସବୁ ଆଣି ପାରି ଥାଆନ୍ତି, କିନ୍ତୁ ଅର୍ଥ ମୋତେ ମିଳି ନାହିଁ ।

 

ତା’ପରେ ଆମର ବିଶ୍ୱବିଦ୍ୟାଳୟ ଅତି ଦରିଦ୍ର । ତେଣୁ ପରୀକ୍ଷା ଫିସ୍‌ ଦୁଇ ଦୁଇ ଥର ନ ଦେଲେ ତାହାର ପେଟ ଅଣ୍ଟା ପୁରେନା । କୁଳପତିଙ୍କ ଦରମା ଅଛି । ତାଙ୍କର ଗ୍ରସ୍ତଖର୍ଚା ଅଛି । ତେଣୁ ଥରୁଟିଏ ପରୀକ୍ଷା ଫିସ୍‌ ଦେଇ ଏକାଥରେ ପାଶ୍‌ କରିଗଲେ କିଛିଦିନ ଗଲେ ବିଶ୍ୱବିଦ୍ୟାଳୟ ଚିନ୍ତା କରି କରି ମରିଯିବ । ତେଣୁ, ବିଶ୍ୱବିଦ୍ୟାଳୟ ପରଶୁରାମଙ୍କ ପରଶୁ ଧରି ପଣ୍ଡିତମାରଣ ବ୍ରତ ଅବଲମ୍ୱନ କରି ପଣ୍ଡିତଙ୍କୁ ମାରିବାକୁ ଲାଗିଛି ।

 

ଆଉ ଗୋଟାଏ କଥା–ଆମ ଅଧ୍ୟାପକ ଶ୍ରେଣୀ ଟିକିଏ ପରଶ୍ରୀକାତର । ଜଣେ ଅଧ୍ୟାପକ ଯଦି ସେକେଣ୍ଡ କ୍ଲାସରୁ ଫାଷ୍ଟକ୍ଲାସ ଦେଖି ନାହିଁ, ସିଏ ବି ଚାହେଁନା ଯେ ତାହାର ଛାତ୍ର ମଧ୍ୟରୁ କାହା ମୁଣ୍ଡରେ ଫାଷ୍ଟ–କ୍ଲାସ–ସୁନା କଳସ ଢଳା ହେଉ ।

 

ତା’ପରେ ଆମ ସରକାରଙ୍କ ଉଦାରତା ମୋର ଫେଲ୍‌ର କାରଣ ହୋଇପଡ଼ିଛି । ଆମେ ଯଦି ଭଲ ଭାବରେ ପାଶ୍‌ କରୁଁ ତେବେ ମୁଖର୍ଜି, ଟୁଖର୍ଜି, ବେନେର୍ଜି, ପେନର୍ଜି, ସେନଗୁପ୍ତ, ଦାସଗୁପ୍ତ, କରଣ ସିଂହ, ବିଲୋକନ ବିହାରୀ, ତୈଲଙ୍ଗ ଦାସ ନାୟିଡ଼ୁ ମଦ୍ରାସି ମିଶ୍ର ରାୟ ପାନ୍ତୁଲୁ ଗାରୁ ଓଡ଼ିଶାରେ ଚାକିରୀ ପାଇବେ କିମିତି ? ଯେତେବେଳେ ଓଡ଼ିଶା ଚିରଦିନ ପରଠୁଁ ବୁଦ୍ଧି ନ ହେଲେ ଚଳିପାରେ ନା । ନ ହେଲେ ବଙ୍ଗଳାର ଗୁହ ଏଠି ମଣି କିମିତି ହୁଅନ୍ତା ? ମଥାରେ ବିଭୂତି ଘଷି କୃଷ୍ଣ ସ୍ମରଣ କରିବାକୁ ବେଳ କିମିତି ମିଳନ୍ତା ! ସମ୍ୱଲପୁରରେ ଚାକିରୀ କରିବାକୁ ହେଲେ ଦାଢ଼ି ଥିବା ଦରକାର । ବିରଳାର ଚାକିରୀ ନେବାକୁ ହେଲେ ନାମ ଶେଷରେ ରହିବା ଦରକାର ସେଠଜୀ, ଶୁଣ୍ଢିଜୀ, ହୁରକଟଜୀ, ମହାବୀରଜୀ, ମାହେଶ୍ୱରୀଜୀ, ଭଣ୍ଡାରୀଜୀ, ଥିଡ଼ାନୀଜୀ, ବିୟାନୀଜୀ । ହୀରାକୁଦ ଅର୍ଥ ବିଭାଗକୁ ଗଲେ ମିଷ୍ଟର ବୋଷ କହିବେ ‘‘ଆପନି କି ବାସ୍ତୁ ହାରା ।’’ ଆଉ ଯଦି ଉତ୍ତର ଦିଅ–‘‘ନା, ମୁଁ ସମ୍ୱଲପୁରୀ’’ ସାଙ୍ଗେ ସାଙ୍ଗେ ଉତ୍ତର ମିଳିବ ‘‘ଯାନ୍‌ ମଶାୟ ଯାନ୍‌ ଚାକିରୀ କୋଇ ?’’

 

ଯଦି ଆପଣ ଦେଖା କଲେ ସୁପରିନ୍‌ଟେଣ୍ଡଣ୍ଟ ସୌନ୍ଦର ରାଜନ ସାଙ୍ଗେ, ସେ କହିବେ–‘‘ନି ପେ ରେଣ୍ଟିନି ତେଲୁଗୁ ତେଲୁସୁନା ।’’

 

ଆପଣ ଯଦି କିଛି ଉତ୍ତର ନ ଦେଇ କହିଲେ ‘‘ପାରବୋ ସାର ।’’ ଉତ୍ତର ପାଇବେ ‘‘ଏଲ୍‌ପୋ, ଏଲ୍‌ପୋ’’ (ଯା ଯା)

 

ଅତି ଦୁଃଖରେ ଯଦି ତୁମେ ଯାଇ ଗୁହାରୀ କର ସରଦାର କିରଣ ସିଂ ପାଖରେ, ସେ କହିଲେ ‘‘କି କରେନ୍ଦା ? ସାରଭିସ କରେନ୍ଦା’’ ଦାଢ଼ି ନାନ୍ଦା । ଚାଲି ଯାନ୍ଦା ହୀରାକୁଦ ଦାଢ଼ିୟୋଳି ହୁଏନ୍ଦା ।’’

 

ଆପଣ ଫେରି ଯାଆନ୍ତୁ ଆଉ ଦାଢ଼ି ବନାନ୍ତୁ ଯଦି ଚାକିରୀ ଚାହାନ୍ତି । ତା’ପରେ ଚାଲନ୍ତୁ, ଲେଣ୍ଡରିକ୍ଲାମେସନ ଅଫିସକୁ । ସେଇଠି ଅଛନ୍ତି ଦୁର୍ଯ୍ୟୋଧନ କୌରବାଧିପତି ଭାରତ ଚୂଡ଼ାମଣି । ବାର୍ଦ୍ଧକ୍ୟରେ କଳା ବାଳ ସବୁ ଧଳା ହେଲେ ବି ସରକାରଙ୍କୁ ତାଙ୍କୁ କହନ୍ତି–‘‘ନୁହେ ବୃଦ୍ଧ ସେହି ଜନ ଶୁକ୍ଳ କେଶ ଅଟେ । ଯାର ଶିର ଖୋସାମତି ଜ୍ଞାନେ ରତ ମନ୍ତ୍ରୀ ତାଙ୍କୁ ବୋଲନ୍ତି ସ୍ଥବିର ।’’ ସେ କହିବେ–ତୁମେ କଅଣ ମୋ ପୁଅ ନା ଶାଳୀଙ୍କ ପୁଅ, ନା ମୋ ଭାଇଙ୍କ ପୁଅ, ନା ଶାଳୀଙ୍କ ପୁଅ, ନା ମୋ ଭାଇଙ୍କ ପୁଅ, ନା ଶଳାଙ୍କ ପୁଅ ?

 

ଆଉ ଆପଣ ଯଦି କହନ୍ତି–ଆଜ୍ଞା ନା, ମୁଁ ମୋ ବାପାଙ୍କ ପୁଅ । ସାଙ୍ଗେ ସାଙ୍ଗେ କହିବେ ଆପଣ ଯାଆନ୍ତୁ ।

 

ଲେଣ୍ଡରିକ୍ଲାମେସନ୍‌ ଅଫିସରେ ଚାକିରୀ କରିବାକୁ ହେଲେ ଅଫିସରମାନଙ୍କର ପୁଅ ହେବା ଦରକାର । ଏଇ ତ ବାପା ଚାକିରୀ ଜୀବନ । ତେଣୁ ମୁଁ ଆଉ ପାଶ୍‌ କରିବି କାହିଁକି ?

 

ତା’ପରେ ବାପା, ବି.ଏ. ପାଶ୍‌ କରି ଚାକିରୀଆ ନ ହୋଇ ଓଡ଼ିଶାର ପ୍ରଧାନ ମନ୍ତ୍ରୀ ବା କେନ୍ଦ୍ର ସରକାରଙ୍କ ଶିଳ୍ପ ମନ୍ତ୍ରୀ ନ ହେବି କାହିଁକି ? ତେଣୁ ଭବିଷ୍ୟତରେ ମନ୍ତ୍ରୀ ହେବାପାଇଁ ମୁଁ ଫେଲ୍‌ ହେଲି । ଜାଣ ବାପା, ଫେଲ ହେବା ମନ୍ତ୍ରୀ ହେବାର ମୂଳଦୁଆ । ଭଲ ଅଛି । କଂଗ୍ରେସରେ ଯୋଗ ଦେଲିଣି ।

 

ଆପଣଙ୍କର

ମୂରାରି

✾✾✾

 

ଟ୍ରୁ କପି ଲଭର

 

ବିନୋଦ ବାବୁଙ୍କ ଆନ୍ତରିକ ଅନୁରୋଧଟି ଅଙ୍ଗିକାର କରିବାକୁ ଅସ୍ୱୀକାର କଲି । ସେ ଦିନର ସେଇ ଅଭୂତପୂର୍ବ ସନ୍ଧ୍ୟା ବିନୋଦ ବାବୁଙ୍କ ମନକୁ ରୋମାଞ୍ଚମୟ କରିଥିଲା । ତାଙ୍କର ବିନୀତ ଅନୁରୋଧ ଥିଲା–

 

‘‘କପେ ଚା’

ଗ୍ଲାସେ ଲସି

ଟିକିଏ ମଧୁର ହସ

ଆଡ଼ ଚାହାଣି

ଆସିବା ପାଇଁ ବାରବାର ଅନୁରୋଧ

ସିନେମା ଯିବାପାଇଁ ପ୍ରାର୍ଥନା

ଅସଞ୍ଜତ କେଶଗୁଚ୍ଛକୁ ସୁସଞ୍ଜତ କରିବାପାଇଁ ଦୁଇଟି କଅଁଳ କର ?’’

 

ମୁଁ ହସି ଉଠିଥିଲି–ଆଉ କହିଥିଲି ହୁଏତ ମୁଁ ଏସବୁ ସମ୍ଭାଳି ପାରିବି ନାହିଁ । ତହୁଁ ତୋର ଚାଲିଯିବା ଉଚିତ ।

 

ବିନୋଦ ଚାଲି ଯାଉଥିଲା ମଥାର କେଶଗୁଚ୍ଛକୁ ଅମାନିଆ କରି । ମାଧବୀ ଲତାଘେରା କୁଞ୍ଜ ତଳେ କ୍ଷୁଦ୍ର–ଅତି କ୍ଷୁଦ୍ର ଗୋଟାଏ ମାନବ ମନ୍ଦିର । ସଂଧ୍ୟାରେ ଯେଉଁଠି କେଉଁ ଏକ ସପନପୁରୀର ରାଜକୁମାରଙ୍କ ବନ୍ଧନହୀନ କୋମଳ ରାଗିଣୀ ବିଚ୍ଛୁରି ଉଠେ । କେତେବେଳେ ଦୂରକୁ ଶୁଭେ ଆଗମନର ସ୍ୱାଗତ, ବିଦାୟର ସମାପ୍ତି ଗୀତିକା ।

 

କପେ ଚା’

 

ଗ୍ଲାସେ ଲସି ?

 

ମୁଁ ନିଜକୁ ପ୍ରଶ୍ନକଲି–ହୋଟେଲଟିଏ ହେବ କି ଆଉ ? ଆଧୁନିକ ଧରଣର କିନ୍ତୁ ଟିକିଏ ମଧୁର ‘ହସ’, ‘ଆଡ଼ ଚାହାଣି?’ ବାରମେଡ଼୍‍ କି ? ପରିଚାଳିକା ତେବେ ତ ଥିବେ କିନ୍ତୁ ପାନ୍ଥଶାଳାଟା ଏପରି ନିଛାଟିଆ ମାଧବୀ ଲତା ଘେରା କାନନ ? କଢିର କଳ୍ପନା ବି ତ ହାର ମାନିଯିବ?

 

ତଥାପି ଦିନେ ଯାଇଥିଲେ–ବିନୋଦର ଅନୁମତିର ପ୍ରୟୋଜନ ନ ଥିଲା ଯେହେତୁ ମୋର ଯୌବନାନ୍ଧ ମନର ସାନ୍ଧ୍ର ସହାନୁଭୂତି ଥିଲା ।

 

ଘର ଅଗଣାରେ ଥିଲା ତିନୋଟି ଚେଆର, ଗୋଟାଏ ସୁଶୋଭିତ ଟେବୁଲ, ଟେବୁଲ କନାରେ ଆଚ୍ଛାଦିତ । ତାହାର ଉପରେ ହୋଇଥିଲା ତାଜମହଲର ସୁନ୍ଦର ସୂଚି କାମ ।

 

ମୁଁ ଆଦେଶ କଲି ‘‘ବୟ?’’

 

ବୟ ରୂପରେ ପ୍ରବେଶ କରିଥିଲେ ଜଣେ ବୃଦ୍ଧ, ନିଶରରଞ୍ଜିତ ନାସା, ପକ୍ୱ କେଶ ।

 

ମୁଁ କହିଲି–କପେ ଚା’ ଆଉ ଗୋଟାଏ ମଧୁର ହସ ପଠାଇ ଦେବେ ? ମଧୁର ହସ ହୁଏତ ସୁଭାଷାକେକ୍‌ ପରି ହୋଇ ନ ଥିବ କିଏ କହିବ ?

 

ବୃଦ୍ଧ ମୋରି ଆଡ଼କୁ ଅନାଇଥିଲେ ।

 

ମୁଁ ପୁଣି ପ୍ରଶ୍ନ କଲି ‘‘ଅନାଇ ରହିଲେ, ଯାଆନ୍ତୁ ଶୀଘ୍ର ।’’

 

ବୃଦ୍ଧ ଫେରି ଯାଇଥିଲେ । କିଛି ସମୟ ପରେ ଆସିଥିଲେ.....

 

‘‘ଓଃ, ତୁମେ ?’’

 

ମୁଁ ଛାତି ଫୁଲାଇ ନିଶ ମୋଡ଼ି ଉତ୍ତର ଦେଲି, ‘‘ମୋତେ ତୁମେ ଜାଣ ?’’

 

ସେ କହିଲେ ‘‘ନିଶ୍ଚୟ–ଆପଣ ?’’

 

‘‘ଆପଣ...ଆପଣଙ୍କୁ ଦେଖିଛି ଟ୍ରେନ୍‌ ? ନା ନା, ବସ୍‌... ? ନା ନା, କଲେଜ... ? ମେଡ଼ିକାଲ କଲେଜ.... ? ଲ କଲେଜ.... ? ଛି–ସ୍ମୃତିହୀନା ମୁଁ, ବିସ୍ମୃତି ଗର୍ଭରେ ତ କେଉଁଠି ଲୁଚି ଯାଇଛି ତୁମର ଆଉ ମୋର ପରିଚୟ.... ।’’

 

ମୁଁ କହିଲି ‘‘ମୁଁ ଆଇନଜ୍ଞ ।’’

 

ସେ ହସି ହସି କହିଲେ ‘‘ଓଃ ! ଆପଣ ସିଏ ? ଆପଣଙ୍କର ନାମ ଭୁଲିଗଲି ତ । ଆପଣଙ୍କର ବନ୍ଧୁ...?’’

 

ଧୈର୍ଯ୍ୟ ମୋର ଧାରଣାଚ୍ୟୂତ ହେଉଥିଲା । ମୁଁ କହିଥିଲି ‘‘ବିନୋଦ..... ।’’

 

‘‘ବିନୋଦ.....ଅପେକ୍ଷା କରନ୍ତୁ ମୁଁ ଆସେ.. ।’’ ପୁଣି ସେ କହିଥିଲେ–‘‘ମିଷ୍ଟର ମିଶ୍ର କ୍ଷମା ଦେବେ ।’’

 

ମୁଁ କହିଲି ‘‘ମୁଁ ତ ମିଷ୍ଟର ମିଶ୍ର ନୁହେଁ । ଏକେବାର ମିଷ୍ଟର ଦାସ୍‌ ।’’

 

ସେ କହିଲେ ‘‘ଓ ମିଷ୍ଟର ବ୍ୟୋମବିହାରୀ ଦାସ । ପୁଝାରୀ ପୁଝାରୀ କପେ ଚା’– ।’’

 

ମୁଁ କହିଲି ‘‘ଆପଣଙ୍କର ଆତିଥ୍ୟ ଗ୍ରହଣ କରି ଖୁସି ହେଲି ।’’ ସେ କହିଲେ ‘‘ଆତିଥ୍ୟ ଦେବା ପାଇଁ ଯେଉଁ କଷ୍ଟ ଆପଣ ଅଙ୍ଗେ ଅଙ୍ଗେ ଲିଭାଇଛନ୍ତି, ସେଥିପାଇଁ ଧନ୍ୟବାଦ ।’’

 

ପୁଝାରୀ ଆସିଥିଲା ।

 

ଆଉ ଦେଇଗଲା ଚା’ ଆଉ ପଚାରିଥିଲା ‘‘ଦେଈ, କେଟଲି ଏଥର ମାଜିବାକୁ ଦେବି ନା ଚୁଲିରେ ବସିଥିବ ?’’

 

ମାଧବିକା ଉତ୍ତର ଦେଲା ‘‘ନା ଏଥର ଉତ୍ତାରି ଦେ । ବାପାଙ୍କୁ କହିଦେବୁ ମିଷ୍ଟର ଦାସ ଖୋଜୁଛନ୍ତି ।’’

 

ମିଷ୍ଟର ଦାସଙ୍କ ଆଗମନ ଅପେକ୍ଷାରେ ସମୟ ମାରିବାକୁ ଲାଗିଲି ।

 

ମିଷ୍ଟର ଦାସ ପ୍ରଶ୍ନ କଲେ ‘‘ଚା’ ଖାଇଛ ?’’

 

ମୁଁ କହିଲି, ‘‘ଆଜ୍ଞା ହଁ, କିନ୍ତୁ ଖାଲି ଚା’ ଛଡ଼ା ଏଇଠି ଆଉ କିଛି ମିଳେନା ? ଚପ୍‌, କଟଲେଟ୍‌..... ।’’

 

ମିଷ୍ଟର ଦାସ ଗମ୍ଭୀର ସହକାରେ ଉତ୍ତର ଦେଲେ ‘‘ନା । ଖାଲି ଚା’ରେ କଅଣ ହୋଟେଲର ସବୁ ଚାହିଦା ମେଣ୍ଟିଯାଏ ? ତା’ ପରେ ଏଇ ସିଟିର ଏମିତି ଅଜ୍ଞାତ କୋଣରେ ଯେଉଁଠି ଟାଉନବସ୍‌ ଆସେ ନା ?’’

 

ମିଷ୍ଟର ଦାସ୍‌ ଏଇଟାତ ହୋଟେଲ ନୁହେଁ !

 

‘‘ତେବେ ?’’ ମୁଁ ଲଜ୍ଜିତ ହୋଇଥିଲି ।

 

ସେ କହିଲେ, ‘‘ପାରିବାରିକ ଘର ।’’

 

‘‘କିନ୍ତୁ ଚା’- ।’’ ମୁଁ କହିଥିଲି ।

 

ବନ୍ଧୁତାର ନିବିଡ଼ ବନ୍ଧନରେ ସ୍ମୃତି–ଟିକିଏ ବସିବା ପାଇଁ ସୁଯୋଗ ଦେବା ।

 

ମୁଁ କହିଥିଲି, ‘‘କ୍ଷମା ଦେବେ ମୁଁ ଭୁଲ କରିଥିଲି ।’’

 

‘‘ନା ନା ଏଥିରେ କ୍ଷମା ଦେବାର ମୋର କଅଣ ଅଛି ? ବରଂ ମୋତେ ଏଇ କେତୋଟି ପ୍ରଶ୍ନର ଉତ୍ତର ଦେଲେ ମୁଁ ଖୁସି ।’’

 

ମୁଁ କହିଲି, ‘‘ମୁଁ ପ୍ରସ୍ତୁତ ।’’

 

ସେ ପଚାରିଥିଲେ, ‘‘ଆପଣଙ୍କ ଗାଁ ?’’

 

‘‘କଳାକୁଞ୍ଜ, ଥାନା ବରୀଗଡ଼, ପୋ :–ବରୀଗଡ଼, ଜିଲ୍ଲା ଚର୍ଚ୍ଚିକାଇପୁର ।’’

 

‘‘ଆପଣଙ୍କର ପିତାଙ୍କ ନାମ ।’’

 

ମୁଁ ଉତ୍ତର ଦେଲି ‘‘ସୃଷ୍ଟିମୟ ଦାସ ।’’

 

‘‘ମାସିକ ହାରାହାରି ଲାଭ ?’’

 

‘‘ଏକହଜାର ଏକଶ ଏଗାର ଟଙ୍କା ଏଗାର ଅଣା ଏଗାର ପାହୁଲା ।’’ ମୁଁ କହିଥିଲି ।

 

‘‘ଆପଣ ଜମିଦାର ?’’

 

‘‘ଆପଣ ଜମିଦାରୀ ଗଲା ଉତ୍ତାରୁ ବି... ।’’

 

ବୃଦ୍ଧ ଲଜ୍ଜିତ ହୋଇଥିଲେ । ବୟକୁ ଡାକି ସେ କହିଲେ, ‘‘ଏଇ ଚିଠିଟା ନେଇ ମା’ଙ୍କୁ ଦେ... ।’’

 

ସେ ଚାଲି ଯାଇଥିଲେ, ଆଉ ଆସିଥିଲେ ପ୍ରୌଢ଼ା ।

 

ନମସ୍କାର କରିଥିଲେ, ଆଶୀର୍ବାଦ ପାଇଲି–‘‘ଘର କର, ସୁଖି ହୁଅ ।’’

 

ସେତିକିବେଳେ ମାନସ ମନ୍ଦିରର ଅଣୁ ପରମାଣୁ ମୁଦ୍ରିତ କରି ଛୁଟି ଆସୁଛି ଗୋଟାଏ ଆବହ ସଙ୍ଗୀତ । ନାରୀ କଣ୍ଠ ଯନ୍ତ୍ରର କେଁ କୁଁ, କେଁ କୁ କି କେଉଁ ରସାତଳେ ଡୁବାଇ ଦେଇଛି କିଏ ଜାଣେ ?

 

ଗୀତର ପ୍ରଥମ ଧାଡ଼ି–

 

ସନ୍ଧ୍ୟାରେ ଆମ ଦେଖା

ଆସିବତ କାଲି କହିଯାଅ ମୋରେ

ମନ ମନ୍ଦିର ସଖା ।୧।

ମାଧବୀ ଲତାର ଦୋଳାରେ ଶୋଇଛି

ରଜତ ଜୋଛନା ଧାରା

ଚଅଁର ଢାଳୁଛି ମଳୟ ପବନ

ଉଡ଼ିଲେ ଚକୋର ପାରା ।

ବିର ବିରହିଣୀ ତୁମରି ମୁହଁ ଗୋ

ବାତାୟନେ ଥିବି ଚାହିଁ

ନ ଖୋଜିବ ତୁମେ ଅନ୍ଧକାରରେ

(କହି) ପ୍ରିୟା କାହିଁ ପ୍ରିୟା କାହିଁ... ।

 

ମାତା ବିରକ୍ତି ସହକାରେ ଗୀତ ଶୁଣି ସାରିବା ପରେ କହିଥିଲେ, ‘‘ଝିଅକୁ କେତେଥର ମନା କଲିଣି, ଏ କେଁ କୁ କେଁ ନ କରିବାକୁ କିନ୍ତୁ ସେ କଣ ମାନୁଛି ? ଜାଣନ୍ତି ସେଦିନ ସେ ଗୀତରେ ପ୍ରଥମ ପୁରସ୍କାର ପାଇଥିଲା ।’’

 

ମୁଁ ବୃଦ୍ଧାଙ୍କୁ ସନ୍ତୁଷ୍ଟ କରାଇବାକୁ ଯାଇ କହିଥିଲି ‘‘ଗୀତ ଗାଇବା ତ ପାପ ନୁହେଁ ବରଂ ବରଂ...’’ ଭାଷା ମୋର ନା ଥିଲା ଗୀତ ଆଉ କଣ୍ଠର ପ୍ରଶଂସା କରିବାକୁ । କାରଣ ଗୀତର ନା ଥିଲା ଛନ୍ଦ, କଣ୍ଠରେ ନା ଥିଲା ମାଧୁର୍ଯ୍ୟ ସୁର । ଯୋଜନାଟି ହୋଇଥିଲା ସେଇ ନଗ୍ନ ଯୁଗର ସୁରହୀନ ମାନବର ଛାତିପିଟା ରାଗ । ତଥାପି ନାରୀ କଣ୍ଠ ବିଜନ ମନ୍ଦିର, ଯୌବନ–ମନ୍ଦ ଲାଗୁନଥିଲା । ସେ ଆସିଥିଲେ । ଲଲାଟରେ ମନ୍ଦ ମନ୍ଦ ଶାନ୍ତିଜନିତ ଘର୍ମ । ଆଲୁଳାୟିତ କେଶଗୁଚ୍ଛ, ଶାଢ଼ୀହୀନ ମଲମଲ କନାର ବ୍ଲାଉଜ ଭିତରୁ ଯେମିତି ଠେଲି ଠେଲି ବାହାରି ଅସୁଥିଲା ଆସନ୍ତାକାଲି ଫୁଟିବ ଫୁଟିବ ଦୁଇଟି କମଳ କଳିକା, ବମ୍ୱେ ପ୍ରିଣ୍ଟର୍ସଙ୍କ ବାହାଦୂରୀ । ହସ ମିଶ୍ରିତ ହିଙ୍ଗୁଳ ବିଲେପିତ ଯୁଗ୍ମ ଅଧର...ହାୟ ମଳୟ ହାୟ ଯୌବନ...ହାୟ ହାୟ ଯୁବତୀ ।’’

 

ପ୍ରଶ୍ନ କଲି, ‘‘ସୁନ୍ଦର ଗାଇପାର କି ଗୋ ?’’

 

ଉତ୍ତର ଆସିଥିଲା ‘‘ଗୀତ ରଚନାଟି ମୋର । ଆଉ ଆଜିକାର ପାଇଁ । ତୁମେ ଆସିଚ ଅପରିଚିତ ଅମର ଦେବତା । ହୃଦ ବୃନ୍ଦାବନରେ ତୁମର ମୂରଲୀର ସ୍ୱନ ଭାବବୋଳା ତନ୍ମୟକାରୀ । କୁହ ତୁମେ ମୋର... ?’’ ଆମର ଦୁଇଜଣଙ୍କ ଆଖି ଖୁବ୍‌ ନିକଟତମ ହୋଇ ଆସୁଥିଲା କିନ୍ତୁ ବୟ ଆସିଗଲା ଆଉ ଆସି ପ୍ରଶ୍ନକଲା । ଦେଈ ‘‘ସାଢ଼େ ଆଠଟା ବାଜେ ।’’

 

ସେ ମୋତେ କହିଥିଲେ, ‘‘ଏଇ ଚିଠି ଖଣ୍ଡିକର ଉତ୍ତର କାଲିକି...ଏଁ ଠିକ୍‌ ଏଇ ସାଢ଼େ ସାତଟା ଭିତରେ ।’’ ମୁଁ କହିଥିଲି ‘‘ଆଜି ରାତି ବାରଟାରେ ଦେବାକୁ କହିଲେ ମୁଁ ପ୍ରସ୍ତୁତ.... ।’’ ସେ କହିଲେ ‘‘ନା ।’’

 

ମୁଁ ଫେରି ଆସିଥିଲି । ମ୍ୟୁନିସିପାଲିଟିର ମହାଦାନ ମିଞ୍ଜି ମିଞ୍ଜି ଜଳୁଥିବା ଆଲୁଅରେ ଚିଠିଟା ଖୋଲି ପଢ଼ି ଥିଲି । ଭାଷାରେ ଥିଲା ପୂର୍ଣ୍ଣ ସ୍ୱାଧୀନତା । ଭାବରେ ଥିଲା ଶୃଙ୍ଗାର, କଳ୍ପନାରେ ଥିଲା ପୂର୍ଣ୍ଣ କବିତ୍ୱ । ସେ ବସନ୍ତ ଋତୁରେ ବି ମେଘ ମେଦୁର ରାତ୍ରିର କଳ୍ପନା କରିଥିଲେ ! ବିଚିତ୍ର...-!

 

ହଷ୍ଟେଲକୁ ଫେରିଥିଲି । ବିନୋଦ ପ୍ରଶ୍ନ କଲା କୁଆଡ଼େ ଥିଲୁ ଏତେ ଡେରି ?

 

ମୁଁ କହିଲି ‘‘ମୁକ୍ତ ଆକାଶରୁ ଖସି ପଡ଼ୁଥିବା ଗୋଟାଏ ବିଜୁଳିକୁ ଉପଭୋଗ କରୁଥିଲି ।’’

 

ବିନୋଦ କହିଥିଲା, ‘‘ମୁଁ ବି ଗୋଟାଏ ଚକୋରୀକୁ ପାଇଛି । ଚିଠିର ଉତ୍ତର ଦେବାକୁ ପଡ଼ିବ ।’’

 

ମୁଁ କହିଲି, ‘‘ସତେ ତ, ମୋତେ ବି ଦେବାକୁ ପଡ଼ିବ ।’’

 

ବିନୋଦ କହିଲା, ‘‘ତୁ ଅଧେ ଖର୍ଚ୍ଚ କର ମୁଁ ଅଧେ ଖର୍ଚ୍ଚ କରୁଛି । ଗୋଟାଏ ଅଜନ୍ତା ରାଇଟିଙ୍ଗ ପେଡ଼ କିଣିବା ।’’

 

ଆମେ ସେଇଆ କରିଥିଲୁଁ । ରାସ୍ତା କରର କଡ଼ା ଚା ଖାଇ ଉଭୟେ ଚିଠି ଲେଖିଥିଲୁଁ, ରାତି କାଟିଥିଲୁଁ । ଚିଠିଟା ଉଭୟେ ପଠାଇଥିଲୁଁ । ଏମିତି ଅନେକ ଚିଠିର ଆଦାନ ପ୍ରଦାନ ପରେ ହଠାତ୍‍ ଦିନେ ଦେଖିଲି ମୋର ଚିଠିଟା ଗୋଟାଏ କାରବନ୍‌ କପିରେ ଆସିଛି । ମୂଳ ଚିଠିଟା ନାହିଁ ।

 

ହଠାତ୍‌ ମୁଁ ଭାବି ପାରିଲି ନାହିଁ, କିଏ ଏଇ ଦୁଷ୍କାର୍ଯ୍ୟ କରିଛି । ପ୍ରଶ୍ନ କଲି ନିଜକୁ ।

 

‘‘ମୁରାରି ! ମୋର ଚିଠିକୁ ତ ଖୋଲିନାହିଁ ।’’

 

ସେଇଦିନ ତାଙ୍କ ଘରକୁ ଯାଇଥିଲୁ, ରାସ୍ତାରେ ଦେଖାହେଲା ବିନୋଦ ସାଥିରେ । ବିନୋଦ ପ୍ରଶ୍ନ କଲା ‘‘ବନ୍ଧୁ ?’’

 

ମୁଁ ଉତ୍ତର ଦେଲି, ‘‘ଏଇ ମୋର ଜଣେ ମାଉସୀ ଝିଅ ସାଥିରେ ଦେଖା କରିବାକୁ ଯାଉଛି–ତୁ ?’’

 

‘‘ମୁଁ ମୋର ଜଣେ ନିକଟତମ ଆତ୍ମୀୟା ଘରକୁ ଯାଇଥିଲି ।’’ ବିନୋଦ କହିଲା ।

 

ନିକଟତମା ‘‘ଆତ୍ମୀୟା ?’’

ଉତ୍ତର ଆସିଲା–‘‘ପିୟୂସୀ ଝିଅ ଭଉଣୀ ଘରକୁ ।’’

‘‘ବାଃ, ବେଶ୍‌ ତ ଚିଠି ପୋଷ୍ଟ କରିଛୁ ?’’

‘‘ହଁ ? କିନ୍ତୁ ଗୋଟାଏ ପ୍ରଶ୍ନ ପଚାରିବି ?’’

‘‘ନିଶ୍ଚୟ ।’’

ବିନୋଦ କହିଥିଲା, ‘‘ଏଇଟା ତୋର ଉଚିତ ନ ଥିଲା । ମୋର ଚିଠିଟା ଖୋଲିକୁ କାହିଁକି-?’’

ମୁଁ କହିଲି, ‘‘ବରଂ ତୁ ମୋର ଚିଠିଟା ଖୋଲି Love secrecy ଟା ଆଉଟ କରିଛୁ-।’’

ସେ କହିଲା ‘‘ମୁଁ ତୋର ଚିଠି ଖୋଲିବି କାହିଁକି ?’’

ମୁଁ କହିଲି ‘‘ମୁଁ ତୋ ଚିଠି ଖୋଲିବି କାହିଁକି ?

ସେ କହିଲା ‘‘ତୁ ମୋର ପ୍ରେମ ପତ୍ରକୁ ଲୁଚାଇ ଦେଇ ଗୋଟାଏ କାରବନ କପିର ଚିଠି ସେଥିରେ ଭରି ଦେଇଛୁ ।’’

‘‘କାରବନ କପି ?’’ ମୁଁ କହିଲି ।

 

ବିନାଦ କହିଥିଲା–‘‘ହଁ କାରବନ କପି । ବନ୍ଧୁତାର ସୁଯୋଗ ନେଇ ଏତେଦୂର ଆଗେଇବା ତୋର ଉଚିତ ନ ଥିଲା ।’’

 

ମୁଁ ତାହାର ରାଗ ଶାନ୍ତ କରେଇ ଦେବାପାଇଁ ତାହାର ହାତକୁ ବଢ଼ାଇ ଦେଲି ମୋର ଚିଠି । ଆଉ କହିଲି ‘‘ବିନୋଦ, ଏଇ ଦେଖ, ମୋର ଚିଠିଟାକୁ ବି କିଏ ଚୋରାଇ ନେଇ ସେଥିରେ କାରବନ ପେପରରେ କପି କରି ଭରି ଦେଇଛି ।’’

 

ବିନୋଦ କହିଲା, ‘‘ଏଇ ଭାଷା, ଏଇ ଭାବ, ଏଇ କଳ୍ପନା ମୋର ଚିଠିର ଏକେବାରେ ପ୍ରତିଛବି ।’’

 

‘‘ତୋର ଚିଠି ?’’ ପ୍ରଶ୍ନ କଲି ।

 

‘‘ଏଇ ନେ’’, କହି ବିନୋଦ ମୋ ଉପରକୁ ଫିଙ୍ଗି ଦେଲା ।

 

ମୁଁ କହିଲି–‘‘ବିନୋଦ, ତୋର ଆଉ ମୋର ଚିଠି ଏକା ।’’

 

ପହଞ୍ଚିଲା କମଳ ।

 

ବିନୋଦ ହାତରେ କାରବନ କପି ଖଣ୍ଡିକ ଦେଖି ତାହାର କଲର ଟାଣି ତାକୁ ମାରିବାକୁ ବସୁଥିଲାବେଳେ ମୁଁ କହିଲି ‘‘କମଳ, ହଠାତ୍‌ ଆଇନଟାକୁ ନିଜ ହାତରେ ନେ’ନା ! ଅଭିଯୋଗଟା ଶୁଣେ ।’’

 

କମଳ କହିଲା ‘‘ଏଇ ଗୁଣ୍ଡା ବିନୋଦକୁ ଜାଣୁ ? ଏଇ ମୋର ଗୋଟାଏ ପ୍ରେମପତ୍ର ଚୋରାଇ ନେଇଛି ଆଉ କାରବନ କପି କରି ମୋ ପାଖକୁ ପଠାଇ ଦେଇଛି ।’’

 

ମୁଁ ପ୍ରଶ୍ନ କଲି ‘‘କାରଖାନା କପି ?’’

 

ବିନୋଦ କହିଲା–‘‘କାରବନ କପି ।’’

 

କମଳ କହିଲା ‘‘ହଁ ହଁ, କାରବନ କପି ।’’

 

କମଳ ମୋତେ ଧରାଇ ଦେଲା ବାରବନ କପିଟା ? ମୁଁ ଦେଖିଲି ସେଇ ଭାଷା, ସେଇ ଭାବ, ଆଉ ସେହି କଳ୍ପନା ପ୍ରେମିକାର ନାମ ନାହିଁ । ‘‘ବେଶ୍‌ କହତ କମଳ, ତୋର ଏଇ ପ୍ରେମିକାଟା କିଏ ?’’

 

‘‘କମଳ କହିଲା, ‘‘ମାଧବିକା ।’’

 

ବିନୋଦ କହିଲା, ‘‘ମାଧବିକା’’ ?

 

ମୁଁ କହିଲି, ‘‘ମା.......ଧ....ବି.....କା ।’’

 

ବିନୋଦ ମୋତେ ଚାହୁଁଥିଲା, ମୁଁ ଚାହୁଁଥିଲି ବିନୋଦକୁ, ଆମ ଦୁଇଜଣଙ୍କୁ ଚାହୁଁଥିଲା କମଳ ।

 

ମୁଁ ପ୍ରଶ୍ନକଲି, ‘‘କମଳ ତୁ କେତେବେଳେ ଯାଉ ।’’

 

କମଳ ଉତ୍ତର ଦେଲା ‘‘ସନ୍ଧ୍ୟା ୫ଟାରୁ ୬ଟା ।’’

 

‘‘ବିନୋଦ, ତୋର ପ୍ରେମିକା ପାଖକୁ ତୁ କେତେବେଳେ ଯାଉ ? ପ୍ରଶ୍ନ କଲି ।

 

‘‘ସନ୍ଧ୍ୟା ସାତରୁ ସନ୍ଧ୍ୟା ଆଠଟା ।’’

 

ମୁଁ ବୁଝିପାରିଲି ଏଥର ଯେ ସେଦିନ ମାଧବିକାକୁ ବୟ ଆସି କାହିଁକି ଜଣାଇ ଦେଇଗଲା ସାଢ଼େ ଆଠ ବାଜିଲାଣି ବୋଲି ।

 

ଏଇ ମାଧବିକା ଯେ ? ମୁଁ ବି ଭଲ ପାଉଥିଲି । ଏକଥା କହି ଦେବାପାଇଁ ମୋର ଜିଭ ଲେଉଟି ଆସୁଥିଲା । କିନ୍ତୁ କହି ପାରିଲି ନାହିଁ । କାରଣ ଆମେ ତିନିହେଁ ଥିଲୁଁ–‘‘ଟ୍ରୁ କପି । ଲଭର-।’’

 

ମାଧବିକାର ବିବାହ ଯୋଗ୍ୟ ବୟସ ହୋଇଥିଲେ ବି ବିଚାରୀର ପ୍ରଣୟ ପ୍ରାର୍ଥୀ ଥିଲେ ଅନେକ । କିନ୍ତୁ ବିବାହ ପ୍ରାର୍ଥୀଥିଲେ ଅଳ୍ପ । ତେଣୁ ପିତାମାତାଙ୍କ ଉଦ୍ଦ୍ୟେଶ ଥିଲା ଝିଅଟାକୁ କେରାଣ୍ଡି କରି ଶେଉଳ ଟାଣିବା । କିନ୍ତୁ ଝିଅଟିଏ ତ ? ତିନି ତିନି ଜଣଙ୍କୁ ପ୍ରେମ ପତ୍ର କେତେ ଲେଖନ୍ତା ? ତେଣୁ ବିଚାରୀର ଏଇ ନୂତନ ଉଦ୍ଭାବନ । କାରଣ ବହୁତ ଦିନ ପରେ ଜାଣିଲି, ବିଚାରୀ ଯେଉଁମାନଙ୍କୁ ପ୍ରେମ କରୁଥିଲା ସେମାନଙ୍କ ପାଇଁ ଗୋଟାଏ ତାଲିକା କରିଥିଲା ।

 

ପ୍ରଥମ ପ୍ରେମିକ–

 

ସମୟ–ସନ୍ଧ୍ୟା ସାଢ଼େ ପାଞ୍ଚରୁ ସାଢ଼େ ଛଅ ।

 

ପରିଧାନ–ସବୁଜ ଶାଢ଼ୀ, ହଳଦିଆ ରଙ୍ଗର ବ୍ଲାଉଜ ଗୋଟାଏ ହାତରେ ଚୂଡ଼ି । କର୍ଣ୍ଣ ଦୁଲ ।

 

କଥା–ଗଦ୍ୟମୟ ଓ ରାଜନୀତି ।

 

ଦାନ–କପେ ଚା’ ।

 

ଗ୍ରହଣ–ଉପନ୍ୟାସ ପ୍ରସାଧନ ସାମଗ୍ରୀ ।

 

ପ୍ରାର୍ଥନା–ହିନ୍ଦ ସିନେମାକୁ ଦେଖାଇନେବାକୁ ।

 

ଗୀତ–‘‘ମଳୟ ବହିଲାଣି ଜାଗ ଜାଗ ଯୁବକ ବୃନ୍ଦ ।’’

 

ଦ୍ୱିତୀୟ ପ୍ରେମିକ–

 

ସମୟ–ସନ୍ଧ୍ୟା ସାଢ଼େ ଛଅରୁ ସାଢ଼େ ସାତ ।

 

ପରିଧାନ–ହଳଦିଆ ଶାଢ଼ୀ, ସବୁଜ ରଙ୍ଗର ବ୍ଲାଉଜ, ଦୁଇ ହାତରେ ଚୂଡ଼ି । କର୍ଣ୍ଣେ ‘କାନପାଶା’ ।

 

କଥା–ଭାବମୟ, ଓଡ଼ିଶାର ରାଗ ରାଗିଣୀ

 

ଦାନ–କପେ ଚା’

 

ଗ୍ରହଣ–ମୁଦ୍ରିକା ଓ ପ୍ରସାଧନ ସାମଗ୍ରୀ

 

ପ୍ରାର୍ଥନା–କେପିଟାଲ ସିନେମା

 

ଗୀତ–‘‘ପ୍ରସୂନ ପଡ଼େ ଗୋ ଝରି

 

ବାଆ ବହେ ଥିରି ଥିରି ।’’

 

ତୃତୀୟ ପ୍ରେମିକ–

 

ସମୟ ସନ୍ଧ୍ୟା ସାଢ଼େ ସାତରୁ ସାଢ଼େ ଆଠ ।

 

ପରିଧାନ–ଧଳା ଶାଢ଼ୀ, ମଲମଲ କନାର ବ୍ଲାଉଜ, ଦୁଇ ହାତରେ ଚୂଡ଼ି, ଆଖିରେ ଚଷମା ।

 

କଥା–ଶୃଙ୍ଗାରମୟ, ଓଡ଼ିଶାର ଶାଢ଼ୀ ଓ ଗହଣା ବିରୁଦ୍ଧରେ ଆଲୋଚନା ।

 

ଦାନ–କପେ ଚା’

 

ଗ୍ରହଣ–ବ୍ଲାଉଜ କନା, ଚଟି

 

ପ୍ରାର୍ଥନା–ପ୍ରଭାତ ସିନେମା

 

ଗୀତ–

 

‘‘ବର୍ଷା ଆସେ

ଆସ ପ୍ରିୟ ପାଶେ ।’’

Image